/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738511522.jpg)
Khandagiri Mela 2025
ଆସନ୍ତା ୪ ତାରିଖରୁ ଖଣ୍ଡଗିରି ମେଳା । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିରେ ସାଧୁସନ୍ଥ ମଧ୍ୟ ପହଞ୍ଚୁଥିବା ଦେଖିବାକୁ ମିଳିଲାଣି। ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି ସାଧୁ। ଆଜି ବସନ୍ତ ପଞ୍ଚମୀ ଅବସରରେ କିଛି ସାଧୁ ଆରମ୍ଭ କରିଛନ୍ତି ପୂଜାର୍ଚ୍ଚନା । ସେପଟେ ମେଳା ପାଇଁ ଏବେଠୁ ଖୋଲିଲାଣି ଭଳିକି ଭଳି ଦୋକାନ ବଜାର ।
ନାମୀଦାମୀ ଯାତ୍ରା ପାର୍ଟି ମଧ୍ୟ ମଞ୍ଚ ସାଜସଜ୍ଜାରେ ଦିନରାତି ଏକ କରିଦେଇଛନ୍ତି । ମହାକୁମ୍ଭରେ ବୁଡ ପକାଇ ଖଣ୍ଡଗିରି ଆସିଲେଣି ସାଧୁସନ୍ଥ । ମନ୍ତ୍ର ଉଚ୍ଚାରଣରେ ଏବେଠୁ ଗୁମ୍ଫା ଗୁଞ୍ଜରିତ ହେଲାଣି । ଯଜ୍ଞକୁଣ୍ଡ ଓ ସାଧନା ସ୍ଥଳ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଆଗାମୀ ଦିନରେ ଖଣ୍ଡଗିରି ମେଳାକୁ ଆହୁରି ସାଧୁସନ୍ଥ ଆସିବାକୁ ଥିବାରୁ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି । ସାଧୁସନ୍ଥଙ୍କ ଲାଗି ସ୍ବତନ୍ତ୍ର ଟେଣ୍ଟ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ, ଶୌଚାଳୟ ଏବଂ ଆଲୋକୀକରଣ ବ୍ୟବସ୍ଥା ହୋଇଛି ।
ଚଳିତ ବର୍ଷ ଦେବକୁଣ୍ଡ ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସାଧୁସନ୍ଥ । ମାଘ ସପ୍ତମୀ ଅର୍ଥାତ୍ ୪ ତାରିଖରୁ ମାଆ ବାରଭୂଜା ଏବଂ ଅନନ୍ତ କେଶରୀଙ୍କ ପୂଜା ଆରମ୍ଭ ହେବ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପୂଜା । ସପ୍ତମୀ ଓ ଅଷ୍ଟମୀ ଦୁଇ ଦିନ ଧରି ଯାଗମରା ବଡ ପୋଖରୀକୁ ବାହାରିବ କଳସ ଯାତ୍ରା । ସପ୍ତମୀ ଦିନ ଖଣ୍ଡଗିରୀ ପାହାଡରେ ଥିବା ୪ଟି ଗଙ୍ଗା କୁଣ୍ଡରୁ ଜଳ ଆଣି କୁମ୍ଭ ବସାଇବାର ବିଧି ରହିଛି ।
ଖଣ୍ଡଗିରି ମେଳା ପୂର୍ବରୁ ଜମିଲାଣି ଘରକରଣା ସାମଗ୍ରୀର ପସରା । ଅନ୍ୟପଟେ ଯାତ୍ରା ପେଣ୍ଡାଲ ବି ପ୍ରସ୍ତୁତ ହେଲାଣି । ଯାତ୍ରା ଡାଇଲଗରେ ୬ ତାରିଖରୁ ଖଣ୍ଡଗିରି ପଡିଆ କମ୍ପିବ । ୧୭ ତାରିଖ ଯାଏ ପ୍ରାୟ ୧୫ ଗୋଟି ନାମୀଦାମୀ ଯାତ୍ରା ପାର୍ଟି ନାଟକ ମଞ୍ଚସ୍ଥ କରିବେ । ଏଥିପାଇଁ କମିଶନରେଟ ପୋଲିସ ଓ ବିଏମସି ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)