• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

ସୈଫ ଅଲି ଖାନ ଏବଂ ପଟୌଦି ପରିବାରର ଭୋପାଳ ସ୍ଥିତ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ବୋଲି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ଅର୍ଥାତ ସରକାର ବର୍ତ୍ତମାନ ଶତ୍ରୁ ସମ୍ପତ୍ତି ଅଧିନିୟମ ଅନୁଯାୟୀ ଏହି ସମ୍ପତ୍ତି ଜବତ କରିପାରିବେ। ଏନିମି ପ୍ରପର୍ଟି ଆକ୍ଟ ୧୯୬୮ ଅନୁସାରେ ମଧ୍ୟପ୍ରଦେଶ ସରକାର ଏହି ସମ୍ପତ୍ତିକୁ ହସ୍ତଗତ କରିପାରନ୍ତି । ଅଭିନେତା ସୈଫ ଅଲ୍ଲୀ ଖାନ ଏବଂ ତାଙ୍କ ସମ୍ପର୍କୀୟମାନେ କେତେ ସମ୍ପତ୍ତି ପାଇବାକୁ ଦାବି କରିଛନ୍ତି, ସେନେଇ କୌଣସି ସରକାରୀ ଆକଳନ କରାଯାଇ ନାହିଁ । କିନ୍ତୁ ଏହା ୧୦,୦୦୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ସୈଫ ଅଲ୍ଲୀ ଖାନଙ୍କ ପରିବାରର ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି କୋହେଫିଜାରୁ ଭୋପାଳର ଚିକଲୋଡ ପର୍ଯ୍ୟନ୍ତ ବ୍ୟାପିଛି । ଏହି ସମ୍ପତ୍ତି ସୈଫ୍ ଅଲ୍ଲୀ ଖାନ ଏବଂ ଶର୍ମିଲା ଟାଗୋରଙ୍କ ପରିବାରର ବୋଲି କୁହାଯାଉଛି । ପଟୌଦି ପରିବାରର ପ୍ରାୟ ୧୦୦ ଏକର ଜମିରେ ଦେଢ଼ ଲକ୍ଷ ଲୋକ ବାସ କରୁଛନ୍ତି । କିନ୍ତୁ ଏହି ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ବର୍ଗରେ ରଖାଯାଇଛି । କାରଣ ଦେଶ ବିଭାଜନ ସମୟରେ ତଥା ଭାରତ-ଚୀନ ଯୁଦ୍ଧ ପରେ ଯେଉଁ ଲୋକମାନେ ଭାରତୀୟ ନାଗରିକତା ପରିତ୍ୟାଗ କରିଥିଲେ, ସେହି ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ଭାବରେ ଗଣନା କରାଯାଏ । ସେହି ସମ୍ପତ୍ତି ଉପରେ ସରକାର ନିଜର ଦାବି ଜାହିର କରିପାରିବେ ।

୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା ସମୟରେ ଭୋପାଳରେ ନବାବ ହମିଦୁଲ୍ଲାହ ଖାନଙ୍କର ଶାସନ ଚାଲିଥିଲା। ତାଙ୍କର ୩ ଝିଅ ଥିଲେ। ସବୁଠାରୁ ବଡ଼ ଥିଲେ ବିଦା ସୁଲତାନ, ଯିଏ ୧୯୫୦ ମସିହାରେ ପାକିସ୍ତାନ ଚାଲି ଯାଇଥିଲେ। ଦ୍ଵିତୀୟ ଝିଅ ସାଜିଦା ସୁଲତାନ ଭାରତରେ ରହିଲେ ଏବଂ ସିଏ ନବାବ ଇଫତିଆର ଅଲ୍ଲୀ ଖାନ ପଟୌଦିଙ୍କୁ ବିବାହ କଲେ। ଇଫତିଆର ଅଲ୍ଲୀ ଖାନ ପଟୌଦି ଇଂଲଣ୍ଡ ଏବଂ ଭାରତ ପାଇଁ କ୍ରକେଟ ଖେଳୁଥିଲେ। ଇଫତିଆରଙ୍କ ପୁଅ ହେଲେ ମନସୁର ଅଲ୍ଲୀ ଖାନ ଟାଇଗର ପଟୌଦି। ସେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ଥିଲେ। ସାଜିଦଙ୍କ ନାତି ଅର୍ଥାତ ଟାଇଗର ପଟୌଦିଙ୍କ ପୁଅ ହେଉଛନ୍ତି ସୈଫ ଅଲ୍ଲୀ ଖାନ। ତେଣୁ ସୈଫ ଭୋପାଳରେ ଥିବା ସମ୍ପତ୍ତିର ଏକ ଅଂଶ ଉତ୍ତରାଧିକାରୀ ସୂତ୍ରରେ ପାଇବାର ହକଦାର।

ଭୋପାଳର ଅନେକ ସ୍ଥାନରେ ଜମି ବ୍ୟତୀତ ଭୋପାଳର ଫ୍ଲାଗ୍ ଷ୍ଟାଫ୍ ହାଉସ୍, ବିଳାସପୂର୍ଣ୍ଣ ହୋଟେଲ୍ ନୁର-ଉସ୍-ସାବ୍ ପ୍ୟାଲେସ୍, ଆବାସିକ ସମ୍ପତ୍ତି ଦାର-ଏସ୍-ସଲାମ୍, ହବିବି ବଙ୍ଗଳା ଏବଂ ଅହମ୍ମଦାବାଦ ପ୍ୟାଲେସ୍ ସମେତ ଅନେକ ଅଟ୍ଟାଳିକା ଯାଞ୍ଚ ପରିସରଭୁକ୍ତ ହୋଇଛି । ଭୋପାଳର ରାଜ ପରିବାରରେ ସମ୍ପତ୍ତି ସମ୍ପର୍କରେ ବିବାଦ ଲାଗି ରହିଥିଲା, ହେଲେ ଡିସେମ୍ବର ୨୦୧୪ରେ ମୁମ୍ବାଇ ସ୍ଥିତ କଷ୍ଟୋଡିଆନ୍ ଅଫ୍ ଏନିମି ପ୍ରପର୍ଟି କିମ୍ବା ଶତ୍ରୁ ସମ୍ପତ୍ତି ଅଧିନିୟମ ୧୯୬୮ ଅନୁସାରେ ସୈଫ ଅଲ୍ଲୀ ଖାନଙ୍କୁ ଏକ ଚିଠି ପଠାଇଯାଇଥିଲା ।

ହେଲେ ଚିଠିରେ କୁହାଯାଇଥିଲା ନବାବ ହମିଦୁଲ୍ଲାଙ୍କ ବଡ଼ ଝିଅ ଅବିଦା ପାକିସ୍ତାନ ଚାଲିଯାଇଥିଲେ, ଆଉ ସେ ତାଙ୍କର ପ୍ରତ୍ୟକ୍ଷ ଉତ୍ତରାଧିକାରୀ ଥିଲେ, ତେଣୁ ଭୋପାଳର ସମସ୍ତ ସମ୍ପତ୍ତି ଶତ୍ରୁ ସମ୍ପତ୍ତି ଘୋଷିତ ହେବା ଯୋଗ୍ୟ। ଏଥିପାଇଁ ସୈଫ ଅଲ୍ଲୀ ଖାନଙ୍କୁ ସମ୍ପତ୍ତିର ବିବରଣୀ ଦାଖଲ କରିବାକୁ କୁହାଯାଇଥିଲା । ହେଲେ ସମ୍ପତ୍ତି ବିବରଣୀ ଦାଖଲ କରିବା ପୂର୍ବରୁ ଫେବ୍ରୁଆରୀ ୨୦୧୫ ରେ ଆଇନର ଧାରା ୫ ଅନୁଯାୟୀ ଏକ ସାର୍ଟିଫିକେଟ୍ ଜାରି କରି ହମିଦୁଲ୍ଲାଙ୍କର ସମସ୍ତ ସମ୍ପତ୍ତି 'ଶତ୍ରୁ ସମ୍ପତ୍ତି' ବୋଲି ଘୋଷଣା କରାଯାଇଥିଲା । ସେହି ବର୍ଷ ସୈଫ , ତାଙ୍କ ମାଆ ଏବଂ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ ତାଙ୍କ ମାଉସୀ ସାବିହା ସୁଲତାନ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନକାରୀଙ୍କ ଆବେଦନକୁ ଚ୍ୟାଲେଞ୍ଜ କରି ଏକ ମାମଲା ରୁଜୁ କରିଥିଲେ।

ଅଧିକ ପଢ଼ନ୍ତୁ: ସୈଫଙ୍କୁ ଆକ୍ରମଣ ମାମଲାରେ ନୂଆ ଟ୍ବିଷ୍ଟ, ଅଭିଯୁକ୍ତ ସହ ମେଳ ଖାଉନି ଜବତ ଫିଙ୍ଗରପ୍ରିଣ୍ଟ !

ମଧ୍ୟପ୍ରଦେଶ ହାଇକୋର୍ଟ ଡିସେମ୍ବର ୧୩, ୨୦୨୪ ରେ ପୂର୍ବ ରାଜ ପରିବାରର ସଦସ୍ୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ସମାଧାନ କରିବା ସହ ୨୦୧୫ ରହିତାଦେଶକୁ ହଟାଇ ଦେଇଥିଲେ ଏବଂ ଶତ୍ରୁ ସମ୍ପତ୍ତି ଅଧିନିୟମ ଅନୁଯାୟୀ ଅଧିଗ୍ରହଣ ପାଇଁ ବାଟ ଖୋଲିଥିଲେ। ଜଷ୍ଟିସ୍ ବିବେକ ଅଗ୍ରୱାଲ ତାଙ୍କ ଆଦେଶରେ କହିଛନ୍ତି, ସଂଶୋଧିତ ଶତ୍ରୁ ସମ୍ପତ୍ତି ଅଧିନିୟମ ୨୦୧୭ ବିବାଦର ସମାଧାନ ପାଇଁ ଏକ ଆଇନଗତ ପ୍ରଣାଳୀ ପ୍ରଦାନ କରିଛି ଏବଂ ଆବେଦନକାରୀଙ୍କୁ ୩୦ ଦିନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନିକଟକୁ ଯିବାକୁ କହିଥିଲେ।

ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି, ସୈଫ ଅଲ୍ଲୀ ଖାନ ଜାନୁଆରୀ ୮ ରେ ଏହି ସମ୍ପତ୍ତିର ମାଲିକାନା ଦାବି କରି ଆବେଦନ କରିଥିଲେ। ସୈଫଙ୍କ ଓକିଲଙ୍କୁ ଏସମ୍ପର୍କରେ ପଚରାଯିବା ପରେ ସେ କିନ୍ତୁ କିଛି କହିବାକୁ ମନା କରିଦେଇଥିଲେ।

ରାଜ ପରିବାର ପକ୍ଷରୁ କ’ଣ ଯୁକ୍ତି କରାଯାଇଥିଲା ?

ସେତେବେଳେ ଭୋପାଳର ଜଣାଶୁଣା ମୁସଲମାନ ରାଜ ପରିବାରକୁ ହାଇଦ୍ରାବାଦ ପରେ ଦ୍ୱିତୀୟ ସମ୍ମାନସ୍ପଦ ସ୍ଥାନରେ ରଖାଯାଇଥିଲା, ବ୍ରିଟିଶ ପକ୍ଷରୁ ତାଙ୍କୁ ୧୯ ତୋପର ସଲାମୀ ଦିଆଯାଉଥିଲା । ଭୋପାଳର ଶେଷ ନବାବ ହମିଦୁଲ୍ଲା ଖାନଙ୍କ ତିନି ଝିଅ ଥିଲେ । ଯେପରି ପ୍ରଥମରୁ କୁହାଯାଉଛି, ତାଙ୍କ ସବୁଠାରୁ ବଡ଼ ଝିଅ ଅବିଦା ସୁଲତାନ ୧୯୫୦ ମସିହାରେ ପାକିସ୍ତାନ ଚାଲି ଯାଇଥିଲେ, ଯେତେବେଳେ ତାଙ୍କ ପିତା ଭୋପାଳର ନିଯୁକ୍ତ ଶାସକ ଥିଲେ। ଆଉ ସେ ସେହିଠାରେ ରହିଥିଲେ, ଫେବୃଆରୀ ୧୯୬୦ରେ ଯେତେବେଳେ ହମିଦୁଲ୍ଲାଙ୍କର ମୃତ୍ୟୁ ହୋଇଥିଲା, ସେତେବେଳେ ସାନ ଝିଅ ସାଜିଦାଙ୍କୁ ଭୋପାଳର ଶାସକ ଭାବରେ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରିଥିଲେ ।

୧୯୪୭ରେ ସ୍ୱାଧୀନତା ପରେ ମଧ୍ୟ କିଛି ରାଜ ପରିବାରକୁ ସମସ୍ତ ରାଜକୀୟ ସୁବିଧା ଉପଭୋଗ କରିବାର ଅନୁମତି ଥିଲା । ୧୯୭୧ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସରକାର ଏହାକୁ ରଦ୍ଦ ନକରିବା ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିଥିଲା ।

ସୈଫ, ତାଙ୍କ ମାଆ ଏବଂ ପିଉସୀ ଦାଖଲ କରିଥିବା ଆବେଦନରେ କୁହାଯାଇଥିଲା, ସମ୍ପତ୍ତି ସଂରକ୍ଷକ ଏହି ଘଟଣାର ସତ୍ୟତା ଜାଣି ନାହାଁନ୍ତି। କେନ୍ଦ୍ର ସରକାର ଶେଷ ନବାବଙ୍କ ଦ୍ୱିତୀୟ ଝିଅ ସାଜିଦା ସୁଲତାନଙ୍କୁ ରାଜ୍ୟର ଶାସକ ଭାବରେ ସ୍ୱୀକୃତି ଦେଇଥିବାରୁ ଭୋପାଳଙ୍କ ସମ୍ପତ୍ତି ଉପରେ ଅବିଦା ସୁଲତାନଙ୍କର କୌଣସି ଅଧିକାର ନଥିଲା ।

ଏହାକୁ ନେଇ ଭିନ୍ନ ଭିନ୍ନ ଆଭିମୁଖ୍ୟ

ତେବେ ଏନେଇ ତତ୍କାଳୀନ ଭୋପାଳ ରାଜ ପରିବାରର ଏକ ବିଭାଗ ଏହି ପ୍ରସଙ୍ଗରେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟର ଏକ ୨୦୧୯ ଆଦେଶକୁ ଉଦାହରଣ ଦିଆଯାଇ କୁହାଯାଇଥିଲା, ତତ୍କାଳୀନ ଶାସକମାନଙ୍କର ସମ୍ପତ୍ତି ବ୍ୟକ୍ତିଗତ ସମ୍ପତ୍ତି ଭାବରେ ଗ୍ରହଣ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିଗତ ଆଇନ ଆଧାରରେ ସେମାନଙ୍କୁ ବଣ୍ଟନ କରାଯିବା ଉଚିତ। - ଅର୍ଥାତ୍ ପୂର୍ବତନ ଶାସକଙ୍କ ମାଲିକାନାରେ ଥିବା ସମ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ତାଙ୍କ ମନୋନୀତ ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର କରାଯାଉଥିଲା।

ଅନ୍ୟପକ୍ଷରେ ଭୋପାଳ ପରି ରାମପୁରର ଶେଷ ନବାବ ରଜା ଅଲ୍ଲୀ ଖାନଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ମିଶ୍ରଣ ଚୁକ୍ତିରେ କିଛି ବିଶେଷ ଅଧିକାର ଦିଆଯାଇଥିଲା, ଯାହା ଅଧୀନରେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଉତ୍ତରାଧିକାରୀଙ୍କୁ ସମ୍ପୂର୍ଣ୍ଣ ହସ୍ତାନ୍ତର କରାଯାଇଥିଲା । ୧୯୬୬ ମସିହାରେ ଯେତେବେଳେ ରଜା ଅଲ୍ଲୀ ଖାନଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ ତାଙ୍କର ବଡ଼ପୁଅ ମୁର୍ତାଜା ଅଲି ଖାନଙ୍କୁ କେନ୍ଦ୍ର ସରକାର ତାଙ୍କ ଉତ୍ତରାଧିକାରୀ ଭାବରେ ସ୍ୱୀକୃତି ଦେଇଥିଲେ। କିନ୍ତୁ ମୁର୍ତାଜାଙ୍କ ଭାଇ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଶେଷରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ୨୦୧୯ ରେ ଆସିଥିବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁସାରେ, ଶାସକଙ୍କର ବ୍ୟକ୍ତିଗତ ସମ୍ପତ୍ତି ତାଙ୍କର ସମସ୍ତ ଆଇନଗତ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି କୁହାଯାଇଥିଲା । ଏହି ନିଷ୍ପତ୍ତି ଆଧାରରେ, ରାମପୁରର ଜିଲ୍ଲା କୋର୍ଟ ୨୦୨୧ ରେ ଏକ ବିଭାଜନ ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ । ନବାବଙ୍କ ଜଣେ ଉତ୍ତରାଧିକାରୀ ସଇଦା ମେହେରୁନିସା ପାକିସ୍ତାନ ଚାଲି ଯାଇଥିଲେ ଏବଂ ସେଥିପାଇଁ ତାଙ୍କ ଅଂଶ ଶତ୍ରୁ ସମ୍ପତ୍ତି ହିସାବରେ ସରକାରଙ୍କ ଠାରେ ଜମା କରାଯାଇଥିଲା।

ଏହାକୁ ଆଧାର କରି ଭୋପାଳର ରାଜ ପରିବାର ମଧ୍ୟ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ମାମଲା ଦାୟର କରି ପ୍ରାର୍ଥନା କରିଥିଲେ, ଭୋପାଳର ସମ୍ପତ୍ତି ମଧ୍ୟ ଶରିୟତ ଆଇନ ଅନୁଯାୟୀ ଭାଗ କରାଯାଉ। ପାକିସ୍ତାନ ଚାଲିଯାଇଥିବା ଅବିଦା ସୁଲତାନଙ୍କ ଏକ ଅଂଶ ଅଲଗା କରାଯାଇ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇ ଅନ୍ୟ ସମ୍ପତ୍ତି ଏଠାକାର ଉତ୍ତରାଧିକାରୀଙ୍କୁ ଦିଆଯାଉ ବୋଲି କହିଥିଲେ ।

ଅନ୍ୟ ଦଲିଲ ସତ୍ତ୍ୱେ ୨୦୧୫ରେ ହମିଦୁଲ୍ଲାଙ୍କ ସମସ୍ତ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ଘୋଷଣା କରାଯାଇଥିଲା । ଆଉ ତା’ପରେ ମଧ୍ୟପ୍ରଦେଶ ସରକାର ସେହି ସମ୍ପତ୍ତିକୁ ଅକ୍ତିଆର କରି ନେଇଥିଲେ । ସରକାର ଯୁକ୍ତି ବାଢ଼ିଥିଲେ, ଶେଷ ନବାବଙ୍କ ପ୍ରତ୍ୟେକ୍ଷ ଉତ୍ତରାଧିକାରୀ ପାକିସ୍ତାନ ଚାଲିଯାଇଥିବାରୁ ସମସ୍ତ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ଘୋଷଣା କରାଯାଇପାରିବ ।

ଅଧିକ ପଢ଼ନ୍ତୁ: ସରକାରୀ ଖାତାକୁ ଯିବ ସୈଫଙ୍କ ୧୫୦୦୦ କୋଟି ସମ୍ପତ୍ତି; ଜାଣନ୍ତୁ କାହିଁକି...

OTV is now on Whatsapp

Join and get latest news update delivered to you via whatsapp

Join Now