• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଚୋର ତ ଚୋରୀ କରେ । କିନ୍ତୁ ଚୋର ଠାରୁ କିଛି ଚୋରୀ ହେବା କଥା ଆପଣ ଶୁଣିଛନ୍ତି କି ? ଏହା ଶୁଣି ଆପଣଙ୍କୁ ହସ ମାଡିପାରେ । ଆଉ ଆପଣ ଭାବୁଥିବେ ଏମାନେ କିଭଳି ଚୋର । ଏଭଳି କିଛି ଘଟଣା ଘଟିଛି ୟୁକେରେ । ମଜାଦାର କଥା ହେଲା ପୋଲିସ ଅନ୍ୟ କାମରେ ବହୁତ ବ୍ୟସ୍ତ ଥିବାରୁ ଏକ ଦମ୍ପତ୍ତି ଚୋର ମାନଙ୍କ ଠାରୁ ନିଜ କାର ପୁଣି ଥରେ ଚୋରାଇ ଆଣିଲେ । କାରରେ ଏକ ଘୋଷ୍ଟ ଇମ୍ମୋବିଲାଇଜର ଲାଗିଥିଲା । ଏଥିରେ ଏକ କୋଡ୍ ଥିଲା । ଯାହା ଯୋଗୁଁ ଚୋର ମାନେ କାରକୁ ଚୋରି କରିଆଣିଲେ ସତ କିନ୍ତୁ ଷ୍ଟାର୍ଟ କରିପାରିଲେନି । ଅନେକ ଚେଷ୍ଟା ସତ୍ତ୍ବେ କାରଟିକୁ ଷ୍ଟାର୍ଟ କରିବାରେ ବିଫଳ ହୋଇଥିଲେ ଚୋର ମାନେ ।

ଏହି ଦମ୍ପତ୍ତିଙ୍କ ନାଁ ହେଉଛି ମିୟା ଫୋର୍ବସ ପିରୀ ଓ ମାର୍କ ସିମ୍ପସନ୍ । ୟୁନାଇଟେଡ୍ କିଙ୍ଗଡମର ଏହି ଦମ୍ପତ୍ତି ଜାସୁସ ହୋଇ ଚୋରଙ୍କୁ ଚକମା ଦେଖାଇଥିଲେ । ପୁରା ଘଟଣା କୌଣସି ବଲିଉଡ ଫିଲ୍ମର କାହାଣୀ ଠାରୁ କମ ନୁହେଁ । ଅନ୍ୟପଟେ ପୋଲିସ ସେ ସମୟରେ ଅନ୍ୟ କାମରେ ବ୍ୟସ୍ତ ଥିଲା ଓ ଏହି କେସରେ କିଛି ବି କାର୍ଯ୍ୟାନୁଷ୍ଠାନ ନେଇ ପାରିନଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ବି ରହିଛି ।

ଅଧିକ ପଢନ୍ତୁ: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଦେଶ, ଯେଉଁଠି ରହନ୍ତି ମାତ୍ର ୩୩ ଲୋକ...

ଜୁନ ମାସ ଆରମ୍ଭରୁ ୱେଷ୍ଟ ଲଣ୍ଡନର ବ୍ରୁକ୍ ଗ୍ରୀନ ସ୍ଥିତ ଘରୁ ଜାଗୁଆର ଇ ପେସ୍ ଚୋରୀ ହୋଇଯାଇଥିଲା । କାରରେ ଘୋଷ୍ଟ ଇମ୍ମୋବିଲାଇଜର ଲାଗିଥିଲା । ଯାହା ଯୋଗୁଁ ଗାଡିକୁ ଷ୍ଟାର୍ଟ କରିପାରିନଥିଲେ ଚୋର । ଏହା ସହ ଗାଡିରେ ଏୟାର ଟ୍ୟାଗ ଲୋକେଟର ବି ଲାଗିଥିଲା । ଯାହାକି ଗାଡିଟିକୁ ପୁଣିଥରେ ପାଇବାରେ ସବୁଠୁ ଅଧିକ ସାହାଯ୍ୟ କରିଥିଲା । କାରଟି ଚୋରି ହେବାର ପ୍ରଥମ ରିପୋର୍ଟ ଜୁନ ୪ରେ କରାଯାଇଥିଲା ।

ପ୍ରଥମେ କାରଟିକୁ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଳିତ ଭାବେ ଟ୍ରାକ୍ କରିଥିଲେ ଓ ପୋଲିସ ନିକଟକୁ ଯାଇ ସୂଚନା ବି ଦେଇଥିଲେ । କିନ୍ତୁ ପୋଲିସ ସେତେବେଳେ ବ୍ୟସ୍ତ ଥିଲା ଓ ଯାଞ୍ଚ କରିବାକୁ ମନା କରିଥିଲା । କେବେ ଘଟଣାର ଯାଞ୍ଚ କରିବେ ସେନେଇ ବି ସଠିକ ସୂଚନା ଦେଇନଥିଲେ ।

ଏଥିପାଇଁ ଫୋର୍ବସ ପିରୀ ଓ ମାର୍କ ସିମ୍ପସନ୍ ନିଜ ଅଭିଯାନରେ ବାହାରିପଡିଥିଲେ । ଏୟାର ଟ୍ୟାଗ ଲୋକେଟର ଦ୍ବାରା ଜଣାପଡିଥିଲା କାରଟି ଦମ୍ପତ୍ତିଙ୍କ ଘର ବାହାରେ ସ୍ଥାନୀୟ ସମୟ ୩ଟା ୨୦ରେ ପାର୍କି କରାଯାଇଥିଲା । ତାପର ଦିନ ସକାଳ ୧୦ଟା ୩୦ରେ(ସ୍ଥାନୀୟ ସମୟ) କାରଟି ଚିସବିକରେ ଥିଲା । ବିନା ପୋଲିସରେ ସ୍ବାମୀ ଓ ସ୍ତ୍ରୀ ଉଭୟ ଚିସବିକରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିଲା ପରେ ସେମାନେ ଦେଖିଥିଲେ ଗାଡିଟି ଏକ ଗଳିରେ ଥିଲା । ଚୋରମାନେ କାରଟିର ଇଣ୍ଟେରିଅର ଓ କାର୍ପେଟକୁ ନଷ୍ଟ କରିଦେଇଥିଲେ । ଏଭଳି ଲାଗୁଥିଲା ଚୋରମାନେ କାରର ୱାୟରିଂ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ଯଦି ଚୋରମାନେ କାରର ୱାୟରିଂ ପର୍ଯ୍ୟନ୍ତ ପହଞ୍ଚିଥାନ୍ତେ ତେବେ ହୁଏତ ଷ୍ଟାର୍ଟ କରିପାରିଥାନ୍ତେ । ସମୟ ନଷ୍ଟ ନକରି ତୁରନ୍ତ କାରଟିକୁ ଘରକୁ ନେଇଆସିଥିଲେ ସ୍ବାମୀ ସ୍ତ୍ରୀ । ପରେ ସେମାନେ କାରଟିକୁ ଚୋରମାନଙ୍କ ଠାରୁ ନେଇଆସିଥିବା ନେଇ ପୋଲିସକୁ ସୂଚନା ଦେଇଥିଲେ । ଏହା ଶୁଣି ପୋଲିସ ଆଶ୍ଚର୍ଯ୍ୟପ୍ରକାଶ କରିଥିଲା ।

ଫୋର୍ବସ ପିରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ନିଜ କାରକୁ ଚୋରଙ୍କ ଠାରୁ ଚୋରାଇବା ଘଟଣା ଖୁବ ମଜାଦାର ଥିଲା । କିନ୍ତୁ ଆଶ୍ଚର୍ଯ୍ୟ ହୁଏ ଭାବିଲେ ଆମକୁ ଏଭଳି କରିବାର ଆବଶ୍ୟକତା ଥିଲା କି ? ଏହି ଘଟଣାର ତଦନ୍ତ କରିବାରେ ପୋଲିସର କୌଣସି ଆନ୍ତରିକତା ନଥିଲା । ଏହି ଘଟଣା ପରେ ପୋଲିସର ପ୍ରତିକ୍ରିୟା ବି ସାମନାକୁ ଆସିଛି । ପୋଲିସ କହିଛି ସେମାନେ ଦମ୍ପତ୍ତିଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏହି ସପ୍ତାହରେ ଫୋରେନସିକ ଟିମ ଆସି ଘଟଣାସ୍ଥଳରେ ଯାଞ୍ଚ କରିବେ ।

ଅଧିକ ପଢ଼ନ୍ତୁ: ଭାରତ ବଡ଼ ପଦକ୍ଷେପ; ବାହାର କଲା AI-ମେସିନ୍ ଗନ୍, ପ୍ରତି ମିନିଟରେ ମାରିବ ୮୫୦ରୁ ୧୦୫୦ ରାଉଣ୍ଡ ଗୁଳି