• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ବିଶ୍ୱରେ ଥିବା ଛୋଟ ବଡ଼ ଦେଶ ଭିତରୁ ସବୁଠୁ ଭିନ୍ନ ଏକ ଦେଶ ରହିଛି । ଯାହାର ନାଁ ମୋଲୋସିଆ । ଯୁକ୍ତରାଷ୍ଟ୍ର ଆମେରିକାର ନେଭାଡାରେ ରହିଛି ଏକ କ୍ଷୁଦ୍ରତମ ଦେଶ, ଯେଉଁଠି ବାସ କରନ୍ତି ମାତ୍ର ୩୩ ଜଣ ଲୋକ । ଏହି ଦେଶର ନିଜର ଜାତୀୟ ପତାକା ଥିବାବେଳେ ସ୍ୱତନ୍ତ୍ର ମୁଦ୍ରା ମଧ୍ୟ ପ୍ରଚଳିତ ହେଉଛି । ଏଠାକାର ରାଷ୍ଟ୍ରପତି ପୂରା ଦେଶର ଶାସନଭାର ସମ୍ଭାଳିଛନ୍ତି । 

ଏହି ଦେଶର ଉତ୍ପତି କେବେ ହୋଇଥିଲା? 

୧୯୭୭ ମସିହାରେ କେଭିନ ବଗ୍ ନାମକ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ସହ ମିଶି ନିଜେ ବାସ କରୁଥିବା ସ୍ଥାନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ । ସେଇଠୁ ଆରମ୍ଭ ହୋଇଥିଲା ଏହି ଦେଶର ଉତ୍ପତି । ଯଦିଓ ଏହାର ଭୌଗୋଳିକ ସ୍ଥିତି ମ୍ୟାପରେ ପରିଲକ୍ଷିତ ହୁଏ ନାହିଁ, ତଥାପି ଏହି ଦେଶକୁ ଗଲେ ତାହା ପ୍ରକୃତରେ ସ୍ୱତନ୍ତ୍ର ଦେଶର ଅନୁଭୂତି ଦେଇଥାଏ । ପର୍ଯ୍ୟଟକଙ୍କୁ ଭବ୍ୟ ସ୍ୱାଗତ କରାଯାଏ ଏବଂ ରହିବା ପାଇଁ ଦୁଇ ଘଣ୍ଟାର ଅନୁମତି ଦିଆଯାଏ ।  ଏପରିକି ଅନ୍ୟ ଦେଶ ଭଳି ସେଠାକୁ ଯିବାକୁ ହେଲେ ପାସପୋର୍ଟ ସାଙ୍ଗରେ ନେଇ ଯିବାକୁ ପଡିଥାଏ ।

ମୋଲୋସିଆର ଶାସନ କିଏ କରନ୍ତି? 

କେଭିନ ବଗ୍ ହିଁ ଏହି ଦେଶର ରାଷ୍ଟ୍ରପତି ହୋଇ ଶାସନଭାର ସମ୍ଭାଳୁଛନ୍ତି । ଆଉ ଦେଶ ସହ ଜଡିତ ଛୋଟରୁ ବଡ଼ ସବୁ ନିଷ୍ପତ୍ତି ନେଉଛନ୍ତି । ମୋଲୋସିଆରେ ସବୁକିଛି କେଭିନଙ୍କ ନିର୍ଦ୍ଦେଶ ଅନୁସାରେ ହୋଇଥାଏ । ସେ ଏଠାକାର ରାଷ୍ଟ୍ରପତି ହୋଇଥିବାବେଳେ ସମସ୍ତ ଦେଶବାସୀ ତାଙ୍କ ପରିବାର ବୋଲି ସେ କହିଥାନ୍ତି। ସମସ୍ତେ ମିଳିମିଶି ଦେଶର ସମସ୍ତ କାର୍ଯ୍ୟ କରିଥାଆନ୍ତି । ରାସ୍ତା ସଫେଇଠୁ ନେଇ ପର୍ଯ୍ୟଟକଙ୍କୁ ଗାଇଡ୍ କରିବା ଯାଏଁ ସବୁଥିରେ ସମସ୍ତଙ୍କ ଭାଗୀଦାରି ଥାଏ । ଏପରିକି ପର୍ଯ୍ୟଟଙ୍କୁ ଦେଶର ଇତିହାସ ବିଷୟରେ ନିଜେ ବୁଝାଇଥାଆନ୍ତି ରାଷ୍ଟ୍ରପତି କେଭିନ । 

ଚର୍ଚ୍ଚାରେ ମୋଲୋସିଆ :

ବିଶ୍ୱର ସବୁଠୁ କ୍ଷୁଦ୍ରତମ ରାଷ୍ଟ୍ର ହୋଇ ସୁଧା ବେଶ ଚର୍ଚ୍ଚାରେ ମୋଲୋସିଆ । ଇଣ୍ଟରନେଟରେ ଲୋକେ ଯେତେବେଳେ ଦୁନିଆର ସବୁଠୁ ଛୋଟ ଦେଶ (World's Smallest Country) ସର୍ଚ୍ଚ କରନ୍ତି ସେତେବେଳେ ଆସେ ମୋଲୋସିଆର ନାଁ ।

ମୋଲୋସିଆ ବିଷୟରେ କିଛି ଅଜଣା କଥା:

  • ପିଆଜ ଓ ମାଗୁର ମାଛ ଏଠାରେ ନିଷେଧ ।
  • ଏହି ଦେଶର ନିଜସ୍ୱ ଟାଇମ ଜୋନ୍ ଏବଂ ମାପ ପଦ୍ଧତି ରହିଛି ।
  • ଦେଶବାସୀଙ୍କ ପରିବାରଲୋକେ ହିଁ କେବଳ ସେଠାକାର ନାଗରିକ ହୋଇପାରିବେ ।

ଏହିପରିଭାବେ ୪୦ ବର୍ଷରୁ ଅଧିକ ସମୟ ଧରି ସମସ୍ତଙ୍କୁ ପ୍ରେରଣା ଦେଉଛି ଏହି ଦେଶ । ଗୋଟିଏ ଦେଶ ହେବା ପାଇଁ  କେବଳ ଜମି କିମ୍ବା ଅଞ୍ଚଳର ଆବଶ୍ୟକତା ନାହିଁ ବରଂ ଦୂରଦୃଷ୍ଟିର ଆବଶ୍ୟକତା ରହିଛି ବୋଲି କେଭିନ କହିଛନ୍ତି । 

ଅଧିକ ପଢନ୍ତୁ: ବିଶ୍ୱର ଦାମୀ ଘର !