Advertisment

Mahabharat Story: ଦାନବୀର କର୍ଣ୍ଣ ଓ ଛଦ୍ମବେଶୀ ଦେବରାଜ

କାହିଁକି ସୂର୍ଯ୍ୟ ଦେବ କର୍ଣ୍ଣଙ୍କ ସ୍ବପ୍ନରେ ଆସିଲେ? ଆସି କ'ଣ କହିଲେ ସେ? ସବୁ ଜାଣି ନିଜ ଦେହ କାଟି ଇନ୍ଦ୍ରଙ୍କୁ ପୁଣି କାହିଁକି ନିଜ ଦେବଦତ୍ତ କବଚ କୁଣ୍ଡଳ ଦାନ କଲେ କର୍ଣ୍ଣ? ଇନ୍ଦ୍ରଦେବଙ୍କୁ କବଚ କୁଣ୍ଡଳ ବଦଳରେ କ'ଣ ମାଗିଲେ କର୍ଣ୍ଣ? ମହାଭାରତ ମହାକାବ୍ୟ ଭିତରେ ଥିବା ଏଇ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
ମହାଭାରତ କଥା

ମହାଭାରତ କଥା

ପାଣ୍ଡବମାନଙ୍କର ବନବାସର ବାରବର୍ଷ ବିତିଗଲା । ମୃଗମାନଙ୍କ ଅନୁରୋଧ କ୍ରମେ ପାଣ୍ଡବମାନେ ଦ୍ୱୈତ ବନ ଛାଡି କାମ୍ୟକ ବନରେ ରହୁଥା'ନ୍ତି । କିନ୍ତୁ ଯୁଧିଷ୍ଠିରଙ୍କ ମନକୁ ସବୁବେଳେ କର୍ଣ୍ଣଙ୍କର ଅର୍ଜୁନଙ୍କୁ ମାରିବାକୁ ନେଇଥିବା ଶପଥଟି ବିଚଳିତ କରୁଥାଏ । ଅର୍ଜୁନ ନିଶ୍ଚୟ ଜଣେ ବଡ ଯୋଦ୍ଧା ଥିଲେ ଓ ଅନେକ ପ୍ରକାରର ଦିବ୍ୟାସ୍ତ୍ରର ଅଧିକାରୀ ମଧ୍ୟ ଥିଲେ । କିନ୍ତୁ କର୍ଣ୍ଣଙ୍କ ପାଖରେ ଯାହା ଥିଲା ତାହା ଅର୍ଜୁନଙ୍କ ପାଖରେ ନଥିଲା । କର୍ଣ୍ଣଙ୍କ ଜନ୍ମବେଳରୁ ତାଙ୍କ ଦେହରେ କବଚ କୁଣ୍ଡଳ ଥିଲା । ସେଇ କବଚ କୁଣ୍ଡଳ ପାଇଁ କର୍ଣ୍ଣଙ୍କୁ ହତ୍ୟା କରିବା ଏକପ୍ରକାର ଅସମ୍ଭବ ଥିଲା । 

Advertisment

କର୍ଣ୍ଣଙ୍କ ଶପଥ ଅର୍ଜୁନଙ୍କ ମୁଣ୍ଡ ଉପରେ ଝୁଲୁଥିବା ବିପଦ ପାଇଁ କେବଳ ଯୁଧିଷ୍ଠିର ବ୍ୟାକୁଳ ହେଉନଥିଲେ ସ୍ୱର୍ଗରେ ଦେବରାଜ ଇନ୍ଦ୍ର ବି ବ୍ୟାକୁଳ ହେଉଥିଲେ । ଅର୍ଜୁନ ହେଉଛନ୍ତି ଇନ୍ଦ୍ରଙ୍କ ପୁଅ । ଇନ୍ଦ୍ର ଅନେକ ଦିବ୍ୟାସ୍ତ୍ର ଅର୍ଜୁନଙ୍କୁ ଦେଇଥିଲେ । ଅର୍ଜୁନ ବି ଅଗ୍ନି ଓ ମହାଦେବଙ୍କୁ ସନ୍ତୁଷ୍ଟ କରି ଅନ୍ୟ ଦିବ୍ୟାସ୍ତ୍ର ସବୁ ହାସଲ କରିଥିଲେ। ତଥାପି ଇନ୍ଦ୍ର ଜାଣିଥିଲେ ଦିନେ ନା ଦିନେ କର୍ଣ୍ଣ ଓ ଅର୍ଜୁନ ଏକ ନିର୍ଣ୍ଣାୟକ ଯୁଦ୍ଧରେ ପରସ୍ପରର ସାମ୍ନାସାମ୍ନି ହେବେ । ସେତେବେଳେ ଯଦି କର୍ଣ୍ଣଙ୍କ ପାଖରେ ତାଙ୍କ କବଚ କୁଣ୍ଡଳ ଥାଏ ତେବେ ସେଇ ଯୁଦ୍ଧରେ ତାଙ୍କୁ ପରାସ୍ତ କରିବା ଅର୍ଜୁନଙ୍କ ପାଖରେ ଅସମ୍ଭବ ହେଇପଡିବ। ଇନ୍ଦ୍ର ଚାହୁଁନଥିଲେ ତାଙ୍କ ପୁତ୍ର ଅର୍ଜୁନଙ୍କୁ କେହି ହତ୍ୟା କରୁ । ତେଣୁ ସେ ମନେମନେ ଉପାୟମାନ ଚିନ୍ତା କରିବାକୁ ଲାଗିଲେ । ଇନ୍ଦ୍ର ଜାଣିଥିଲେ କର୍ଣ୍ଣ କେବଳ ଅର୍ଜୁନଙ୍କୁ ମାରିବାର ଶପଥ ନେଇନଥିଲେ ତା' ସାଙ୍ଗରେ ଅନ୍ୟ ଏକ ଶପଥ ମଧ୍ୟ କରିଥିଲେ ଯେ ତାଙ୍କୁ ଯିଏ ଯାହା ମାଗିବ ସେ ତାକୁ ତାହା ବିନାଦ୍ୱିଧାରେ ପ୍ରଦାନ କରିବେ । ଜଣେ ମହାନ ଦାନବୀର ଭାବରେ କର୍ଣ୍ଣଙ୍କର ପ୍ରସିଦ୍ଧି ଥିଲା । ତେଣୁ ଇନ୍ଦ୍ର ଯୋଜନା କଲେ ସେ କପଟ କରି କର୍ଣ୍ଣଙ୍କ ପାଖରୁ ତାଙ୍କ କବଚ କୁଣ୍ଡଳ ମାଗିନେବେ। 

ଅର୍ଜୁନଙ୍କ ପିତା ଇନ୍ଦ୍ର ତାଙ୍କ ପୁଅର ମଙ୍ଗଳ ଚାହୁଁଥିବା ବେଳେ କର୍ଣ୍ଣଙ୍କ ପିତା ସୂର୍ଯ୍ୟଦେବତା ବି ତାଙ୍କ ପୁଅର ସୁରକ୍ଷା କଥା ଭାବିଲେ । ସେ ଆଉ ବିଳମ୍ବ ନକରି ଜଣେ ବ୍ରାହ୍ମଣ ରୂପ ଧରି କର୍ଣ୍ଣଙ୍କ ସ୍ୱପ୍ନରେ ଦେଖାଦେଲେ ଓ କହିଲେ, “ହେ ବୀର ଶ୍ରେଷ୍ଠ ତୁମେ ମହାଦାନୀ । ଦୁଆର ମୁହଁରୁ ଖାଲିହାତରେ କାହାକୁ ବି ଫେରାଇଦିଅନି ବୋଲି ଇନ୍ଦ୍ର ଆସୁଛନ୍ତି ତୁମଠାରୁ ତୁମ କବଚ ଓ କୁଣ୍ଡଳ ମାଗି ନେବାକୁ । ସେ ତୁମ ପାଖରେ ଜଣେ ବୁଢା ବ୍ରାହ୍ମଣ ବେଶରେ ପହଞ୍ଚିବେ ଓ ତୁମକୁ ପ୍ରଥମେ ଶପଥ କରାଇ ତୁମ କବଚ ଓ କୁଣ୍ଡଳ ମାଗିବେ । ତେଣୁ ତୁମକୁ ମୁଁ ସତର୍କରେ ରହିବାକୁ ଓ ଚେତେଇ ଦେବାକୁ ଆସିଥିଲି । ଶପଥ କଲା ବେଳେ କବଚ କୁଣ୍ଡଳ ଛଡା ସେ ଅନ୍ୟ ଯାହାବି ମାଗନ୍ତୁ ବୋଲି ତାଙ୍କୁ କହିବ ।

Advertisment

ଆଗକୁ ଅର୍ଜୁନଙ୍କ ସହ ତୁମର ଘମାଘୋଟ ଲଢେଇ ହେବ । ତୁମେ ଆଦୌ ଭୁଲି ଯାଅନି ଅର୍ଜୁନଙ୍କ ପାଖରେ ଅନେକ ପ୍ରକାରର ଦିବ୍ୟାସ୍ତ୍ର ରହିଛି । ତୁମକୁ ସେ ସବୁରୁ ରକ୍ଷା କରିବାକୁ ତୁମ ପାଖରେ କେବଳ ଦେବଦତ୍ତ କବଚ କୁଣ୍ଡଳ ହିଁ ରହିଛି । ହେ କର୍ଣ୍ଣ, ଜୀବନ ରହିଲେ ତୁମେ ବହୁତ ଧର୍ମ କର୍ମ କରିପାରିବ । ତେଣୁ ତୁମର ଦାନ ବ୍ରତ କେବଳ ତୁମର ପୂଣ୍ୟ ଶକ୍ତିର ସଂଚୟ ପାଇଁ କରିପାର । ନିଜ ଜୀବନ ବଦଳରେ ନୁହେଁ । ମୃତ ଶରୀରର କୌଣସି ଧର୍ମ କର୍ମର ଆବଶ୍ୟକତା ନାହିଁ । ପ୍ରଥମେ ନିଜ ଜୀବନ ରକ୍ଷା କରିବାର ପ୍ରଯତ୍ନ କର । ତୁମେ ଅର୍ଜୁନଙ୍କୁ ମାରିବାର ଯେଉଁ ବଜ୍ର ଶପଥ ନେଇଛ ତାହା ତୁମ କବଚ କୁଣ୍ଡଳ ବିନା ସମ୍ଭବ ହେବ ନାହିଁ । ତେଣୁ ତୁମେ ବୁଢା ବ୍ରାହ୍ମଣର ବେଶରେ ଆସିଥିବା ଇନ୍ଦ୍ରଙ୍କୁ ଅନ୍ୟ କିଛି ଦାନ ଦେବ ସିନା କୌଣସି ପରିସ୍ଥିତିରେ କବଚ କୁଣ୍ଡଳ କିନ୍ତୁ ଦେବନି ।” କର୍ଣ୍ଣ ବ୍ରାହ୍ମଣ ବେଶ ଧରି ଆସିଥିବା ସୂର୍ଯ୍ୟଙ୍କୁ ପରିଚୟ ମାଗିବାରୁ ସେ ନିଜର ପରିଚୟ ଦେଲେ । 

କର୍ଣ୍ଣ କହିଲେ, “ହେ ସୂର୍ଯ୍ୟଦେବ ଆପଣ ମୋ ପାଇଁ ଏତେ ଚିନ୍ତା କରୁଛନ୍ତି ସେଥିପାଇଁ ଆପଣଙ୍କୁ ପ୍ରଣାମ କରୁଛି । କିନ୍ତୁ ଦୟାକରି ମୋତେ ମୋ ବ୍ରତ ଭାଙ୍ଗିବାକୁ କୁହନ୍ତୁ ନାହିଁ । ଇନ୍ଦ୍ରଦେବ ଆସି କେବଳ ମୋ କବଚ କୁଣ୍ଡଳ କାହିଁକି, ଦାନରେ ମୋ ଜୀବନ ଯଦି ମାଗନ୍ତି ତାହାବି ମୁଁ ବିନା ଶୋଚନାରେ ଦେଇଦେବି । ଜଣେ ବୀର ଭାବରେ ମରିବାକୁ ମୁଁ ପସନ୍ଦ କରିବି । ମୋ କହିଥିବା କଥାକୁ ମୁଁ ଆଉ ଫେରେଇ ନେଇ ନିଜ ପାଖରେ ଛୋଟ ହେଇ ପାରିବିନି । ଦେବରାଜ ମୋ ପାଖରୁ କବଚ କୁଣ୍ଡଳ ହରଣ କଲାପରେ ବି ଅର୍ଜୁନର ମୃତ୍ୟୁ ମୋ ହାତରେ ହିଁ ହେବ। ଭୟର କିଛି କାରଣ ନାହିଁ । ନିଜ ଶକ୍ତି ଉପରେ ମୋର ଅଖଣ୍ଡ ଭରସା ଅଛି ଏବଂ ପର୍ଶୁରାମ ଓ ଦ୍ରୋଣଙ୍କ ପାଖରୁ ମୁଁ ମଧ୍ୟ ଅସ୍ତ୍ର ପ୍ରାପ୍ତ କରିଛି ।” 

କର୍ଣ୍ଣଙ୍କୁ ସ୍ୱପ୍ନରେ ଚେତେଇ ଦେଇ ସୂର୍ଯ୍ୟ ଉଭାନ ହେଇଗଲେ । ରାତି ଅଧରେ କର୍ଣ୍ଣଙ୍କର ନିଦ ଭାଙ୍ଗିଗଲା । ସେ ତାଙ୍କ ବିଛଣାରେ ଉଠିବସି ଦେଖିଥିବା ଅଦ୍ଭୁତ ସ୍ୱପ୍ନ କଥା ଭାବିବାକୁ ଲାଗିଲେ । ଭାବିଲେ ଜୀବନରକ୍ଷା ଠାରୁ ସତ୍ୟରକ୍ଷା ବଡ କଥା । ତେଣୁ ସତ୍ୟରକ୍ଷା ପାଇଁ ଯଦି ପ୍ରାଣବଳି ଦେବାକୁ ହୁଏ ତେବେ ତା' ଠାରୁ ବଳି ବଡ କୀର୍ତ୍ତି ଆଉ କ'ଣ ଅଛି? 

କର୍ଣ୍ଣ ସବୁଦିନ ସୂର୍ଯ୍ୟଦେବଙ୍କ ପୂଜା କରନ୍ତି ଓ ପୂଜା ପରେ ଦାନ ଦିଅନ୍ତି । ପରଦିନ ମଧ୍ୟାହ୍ନ ବେଳକୁ କର୍ଣ୍ଣ ଯେତେବେଳେ ସୂର୍ଯ୍ୟଙ୍କ ପୂଜା ସାରିଲେ ସେତବେଳେ ଜଣେ ବୁଢା ବ୍ରାହ୍ମଣ ତାଙ୍କ ଦୁଆର ମୁହଁରେ ପହଞ୍ଚି ଭିକ୍ଷା ଦିଅ ବୋଲି ବଡ ପାଟିରେ ଡାକିବାକୁ ଲାଗିଲେ । କର୍ଣ୍ଣ ବାହାରକୁ ଆସିଲେ ଓ ହାତ ଯୋଡି କହିଲେ, “ହେ ବିପ୍ରରାଜ ଆପଣଙ୍କର କଣ ଦରକାର କୁହନ୍ତୁ । ଧନ, ରତ୍ନ, ଗାଈ, ଗ୍ରାମ ଓ ବାରାଙ୍ଗାନା ଆଦି ଯଦି ଇଚ୍ଛା କରୁଛ ବିନା ଦ୍ୱିଧାରେ ମୋତେ ମାଗିପାର । 

ମହାଭାରତ କଥାମହାଭାରତ କଥା

ଦୁଆର ମୁହଁରେ ଠିଆ ବୁଢା ବ୍ରାହ୍ମଣ କହିଲେ, “ହେ ଦାନବୀର କର୍ଣ୍ଣ ! ମୁଁ ତୁମର ଦାନ ଦେବାର ଉଦାର ଗୁଣ ଶୁଣି ଦୂର ଦେଶରୁ ଆସିଛି । ମୋ ଦରକାର ଜିନିଷ ମୋତେ ନ ମିଳିଲା ପର୍ଯ୍ୟନ୍ତ ମୁଁ ଲୋକଙ୍କ କଥାରେ ପରତେ ଯିବାକୁ ଚାହୁଁନି । ମୋର ସୁନା ରୂପା ଗ୍ରାମ କି ବାରାଙ୍ଗାନା ଦରକାର ନାହିଁ ।”

କର୍ଣ୍ଣ କହିଲେ, “ତେବେ ମହାଶୟ ଆପଣଙ୍କର ଯାହାବି ଦରକାର ତାହା ବିନା ସଙ୍କୋଚରେ ପ୍ରକାଶ କରନ୍ତୁ । ମୋ ସାଧ୍ୟରେ ଥିବା ଦ୍ରବ୍ୟ ଯାହାବି ଆପଣ ଚାହିଁବେ ମୁଁ ଅବଶ୍ୟ ଦାନ କରିବି ।”

ବ୍ରାହ୍ମଣ ଜଣକ କହିଲେ, “ହେ କର୍ଣ୍ଣ ସତରେ ଯଦି ତୁମର ବାକ୍ୟ ଓ ତୁମର କର୍ମ ସମାନ ତେବେ ଏଇ ମୁହୂର୍ତ୍ତରେ ପାରିବ ଯଦି ଜନ୍ମରୁ ତୁମ ସାଙ୍ଗରେ ଥିବା ଦେବଦତ୍ତ କବଚ କୁଣ୍ଡଳ ମୋତେ ଦାନ କର।” 

ବ୍ରାହ୍ମଣଙ୍କ କଥା ଶୁଣି କର୍ଣ୍ଣ ଓଠ ଧରରେ ସ୍ମିତ ହସ ଖେଳେଇ କହିଲେ, “ଏହି କବଚ କୁଣ୍ଡଳ ଅମୃତରୁ ଉତ୍ପନ୍ନ ହୋଇଛନ୍ତି ଓ ଜନ୍ମରୁ ମୋ ଶରୀର ସହ ଯୁକ୍ତ ହୋଇ ରହିଛି । ମୋତେ ସମସ୍ତ ବିପଦରୁ ସେମାନେ ରକ୍ଷା କରନ୍ତି । ମୋତେ ଯେବେବି କେହି କିଛି ଦାନ ମାଗିଛି କେହି ମୋର ଅମଙ୍ଗଳ ହେବାପରି ଦ୍ରବ୍ୟ କାମନା କରିନାହାଁନ୍ତି । ଆପଣ ଦାନ ଆଶାରେ ଆସିଥିବା କେହି ଜଣେ ସାଧାରଣ ମଣିଷ ନୁହଁନ୍ତି । ମୁଁ ଆପଣଙ୍କ ପରିଚୟ ଜାଣିଛି । ଆପଣ ଇନ୍ଦ୍ରଦେବ । ଛଦ୍ମ ବେଶରେ ମୋ ପାଖକୁ ଆସିଛନ୍ତି । ମନେ ରଖନ୍ତୁ ବିନା କବଚ କୁଣ୍ଡଳରେ ଶତ୍ରୁ ହାତରେ ନିହତ ହେଲେ ଆପଣଙ୍କର ହିଁ ଅପଯଶ ହେବ । ତେଣୁ କବଚ କୁଣ୍ଡଳ ବଦଳରେ ଆପଣଙ୍କୁ ମୋତେ ଗୋଟେ ବର ପ୍ରଦାନ କରିବାକୁ ହେବ ।”

ଇନ୍ଦ୍ର କହିଲେ, “ମୁଁ ତୁମ ପାଖକୁ ଆସିବାର ଖବର ସୂର୍ଯ୍ୟଦେବ ତୁମ ପାଖରେ ନିଶ୍ଚୟ ପୂର୍ବରୁ ପହଞ୍ଚାଇଛନ୍ତି । ତେବେ ଠିକ ଅଛି ବଜ୍ର ବଦଳରେ ତୁମେ ଯାହାବି ବର ମାଗିପାର । ମୁଁ ନିଶ୍ଚୟ ପୁରଣ କରିବି ।” 

ବ୍ରାହ୍ମଣ ବେଶୀ ଇନ୍ଦ୍ରଙ୍କ କଥା ଶୁଣି କର୍ଣ୍ଣ କହିଲେ, “ହେ ଦେବରାଜ! କବଚ କୁଣ୍ଡଳ ବଦଳରେ ତେବେ ମୋତେ ଆପଣଙ୍କ ଶତ୍ରୁସଂହାରକ ଅମୋଘ ଶକ୍ତି ଦିଅନ୍ତୁ । କବଚ କୁଣ୍ଡଳ ମୋ ଶରୀରର ଅଙ୍ଗ । ତାକୁ ଛେଦନ କରି ଦାନ କଲାପରେ ମୋ ଶରୀରରେ ବିକୃତିର ଚିହ୍ନ ଯେପରି କିଛି ନରହେ ।

ଦେବରାଜ ଇନ୍ଦ୍ର ଟିକେ ଭାବିଲେ ଓ କହିଲେ, “ତଥାସ୍ତୁ । କିନ୍ତୁ ସେଥିପାଇଁ ଗୋଟେ ସର୍ତ୍ତ ରହିଛି । ଜୀବନ କାଳରେ ତୁମେ ସେ ଶକ୍ତିକୁ ଥରେ ମାତ୍ର ବ୍ୟବହାର କରିପାରିବ । ତା' ପୁଣି ତୁମ ନିଜର ପ୍ରାଣ ସଙ୍କଟ ସମୟରେ ଶତ୍ରୁ ବିରୋଧରେ ବ୍ୟବହାର କରିପାରିବ। ଅନ୍ୟ ସମୟରେ ବ୍ୟବହାର କଲେ ସେ ଶକ୍ତି ତୁମର କ୍ଷତି କରିବ । ସେଥିରେ ତୁମର ପ୍ରାଣଘାତ ହେଇପାରେ । ଥରେ ପ୍ରୟୋଗ ପରେ ସେ ଶକ୍ତି ମୋ ପାଖକୁ ଫେରି ଆସିବ ।” 

କର୍ଣ୍ଣ ଦେବରାଜ ଇନ୍ଦ୍ରଙ୍କୁ ପ୍ରଣାମ କଲେ ଓ ନିଜର ଶାଣିତ ଖଣ୍ଡାରେ ନିଜ ଦେହରୁ ତାଙ୍କ କୁଣ୍ଡଳ ଓ କବଚକୁ କାଟି ବାହାର କଲେ । ସାରା ଦେହରୁ ତାଙ୍କର ଧାର ଧାର ରକ୍ତ ବହି ଯାଉଥାଏ । ଯନ୍ତ୍ରଣା ହେଉଥାଏ । କିନ୍ତୁ ଅସହ୍ୟ ଯନ୍ତ୍ରଣା ଭିତରେ ବି କର୍ଣ୍ଣଙ୍କ ମୁହଁରେ ତା'ର କୌଣସି ପ୍ରଭାବ ଦିଶୁନଥାଏ । କର୍ଣ୍ଣ ତାଙ୍କ କବଚ କୁଣ୍ଡଳ ଇନ୍ଦ୍ରଙ୍କ ହାତରେ ଧରେଇଦେଲା ବେଳକୁ ସ୍ୱର୍ଗରୁ ଦେବତାମାନେ ତାଙ୍କ ଦାନୀପଣକୁ ସମ୍ମାନ ଜଣାଇ ପୁଷ୍ପ ବୃଷ୍ଟି କରିବାକୁ ଲାଗିଲେ। ଦେବତାମାନଙ୍କ ଆଶୀର୍ବାଦରେ ନିମିଷକ ଭିତରେ କର୍ଣ୍ଣଙ୍କ ଶରୀରରୁ ଯନ୍ତ୍ରଣା ଓ କ୍ଷତ ଚିହ୍ନ ଉଭେଇ ଗଲା । କର୍ଣ୍ଣ ତାଙ୍କ କବଚ କୁଣ୍ଡଳ ବଦଳରେ ଇନ୍ଦ୍ରଙ୍କ ପାଖରୁ ପାଇଥିବା ଅମୋଘ ଶକ୍ତି ଅର୍ଜୁନଙ୍କ ପାଇଁ ସାଇତି ରଖିଲେ । 

ଖୁବ ଶୀଘ୍ର କର୍ଣ୍ଣଙ୍କର କବଚ କୁଣ୍ଡଳ ଦାନ କରିବାର ଖବର କୌରବଙ୍କ ପାଖରେ ପହଞ୍ଚିଲା । ସେମାନେ ଦୁଃଖ ପ୍ରକାଶ କଲେ ଓ ଅସହାୟ ମନେକଲେ । ପାଣ୍ଡବମାନଙ୍କ ପାଖରେ ପହଞ୍ଚିଲା ପରେ ସେମାନେ ସମ୍ପୂର୍ଣ୍ଣ ଆଶ୍ୱସ୍ତ ହୋଇପାରିଲେନି । କାରଣ ଏବେ କର୍ଣ୍ଣଙ୍କ ପାଖରେ କବଚ କୁଣ୍ଡଳ ସିନା ନାହିଁ ହେଲେ ଇନ୍ଦ୍ରଙ୍କ ଶତ୍ରୁସଂହାରକ ଅମୋଘ ଶକ୍ତି ଅଛି । ଯୁଧିଷ୍ଠିର ଭାବୁଥା'ନ୍ତି ଅର୍ଜୁନ ତଥାପି ନିରାପଦ ନୁହଁନ୍ତି, ବିପଦ ତଥାପି ରହିଛି ।

Karnan Mahabharat Indian Mythology Mahabharat Story
Advertisment
Advertisment