• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅର୍ଚ୍ଚନା ନାଗ । ବୟସ ବେଶୀ ନୁହଁ । ପ୍ରାୟ ୩୦ ବର୍ଷ ଖଣ୍ଡେ ହେବ । କଳାହାଣ୍ଡିରୁ ଭୁବନେଶ୍ୱରକୁ ଆସି ରହିଲେଣି ଦଶନ୍ଧିରୁ ଅଧିକ ଦିନ । ପୂର୍ବରୁ ଭଡ଼ାଘରେ ରହୁଥିଲେ । ଏବେ ରାଜପ୍ରାସାଦ ଭଳି ଆଖିଝଲସା କୋଠାର ମାଲକାଣୀ । ନାମୀଦାମୀ ଘୋଡ଼ା-ଗାଡ଼ି । ଇତିମଧ୍ୟରେ କୋଟିପତି ବନିଯାଇଛି ଅର୍ଚ୍ଚନା । ହେଲେ କାହାର ଆଶୀର୍ବାଦରୁ କୁବେର ବନିଯାଇଛନ୍ତି ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ?

ନିଜ ନାଁରେ ଏମାନେ କରିଛନ୍ତି ଦୁଇ ଦୁଇଟି କମ୍ପାନୀ, ଏକ ପ୍ରଡ଼କ୍ସନ ହାଉସ୍ । ସେକେଣ୍ଡ ହ୍ୟାଣ୍ଡ କାର୍ ବିଜନେସରେ କୁଆଡ଼େ ଲଗାଇଛନ୍ତି ଟଙ୍କା । ଲକ୍ଷ ଲକ୍ଷ ଟଙ୍କାର ସୁଧ କାରବାର ବି ଚଳାଇଛନ୍ତି । ହେଲେ କେଉଁଠୁ ଆସିଲା ଏତେ ଟଙ୍କା ? କିଏ ସେହି ନେତା, ଠିକାଦାର, ସରକାରୀ ବାବୁ, ଯାହାଙ୍କ ବଦାନ୍ୟତାରେ ଅର୍ଚ୍ଚନା ଛିଡ଼ା କରାଇଛି ନିଜର ବିଶାଳ ସାମ୍ରାଜ୍ୟ ? ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ ଏବଂ କ୍ରାଇମବ୍ରାଞ୍ଚ ପାଖରେ ତଥ୍ୟ ଅଛି ତ ?

ସବୁଠାରୁ ବଡ଼ କଥା ହେଲା ଅର୍ଚ୍ଚନାର ନଥିଲା ଆଖିଦୃଶିଆ ରୋଜଗାର । ବ୍ୟୁଟିପାର୍ଲର୍ରେ କାମ କରୁ କରୁ ଏବେ ବହୁ କୋଟି ସମ୍ପତ୍ତିର ମାଲିକାଣି । ଯୁବତୀ ଏବଂ ତାଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କୁ ନିଜ ନାଗଫାଶରେ ପକାଇ ଅର୍ଚ୍ଚନା ଆଦାୟ କରିଛନ୍ତି କୋଟି କୋଟି ଟଙ୍କା । ଖଣ୍ଡଗିରି ଥାନାରେ ଏତଲା ଦେଇ ଇତିମଧ୍ୟରେ ଜଣେ ଯୁବତୀ ଖୁଲାସା ବି କରିଛନ୍ତି । ଆଉ ଏସବୁ ଅଭିଯୋଗକୁ ଭିତ୍ତିକରି ଖଣ୍ଡଗିରି ପୋଲିସ ବି ବ୍ଲାକମେଲିଂ, ହନିଟ୍ରାପ୍, ଟଙ୍କା ଆଦାୟ ଭଳି ସଂଗୀନ ଅଭିଯୋଗକୁ ନେଇ ୧୬ଟି ଦଫା ଲଗାଇଛି ।

ଅଧିକ ପଢ଼ନ୍ତୁ: ନିଶା ଦେଇ ସୁଟ୍ ହେଉଥିଲା ନଗ୍ନ ଭିଡ଼ିଓ ! ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗଫାଶର ଏନ୍ତୁଡ଼ିଶାଳ

ଏପରିକି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲାକୁ ଆଧାର କରି ହତ୍ୟା ଧମକ, ବ୍ଲାକମେଲିଂ, ଟ୍ରାପ୍ ଭଳି ସଂଗୀନ ଦଫା ବି ଲଗାଇଛି ନୟାପଲ୍ଲୀ ପୋଲିସ ।

ଅର୍ଚ୍ଚନାଙ୍କ କଳାହାଣ୍ଡି କେସିଙ୍ଗା ସ୍ଥିତ କୋଠା । ଏହି କୋଠା ନିର୍ମାଣରେ ସ୍ୱଚ୍ଛତାକୁ ନେଇ ବି ପ୍ରଶ୍ନ ଉଠୁଛି । ତେଣୁ ଅର୍ଚ୍ଚନାଙ୍କ ଏଭଳି ସାମ୍ରାଜ୍ୟ ଏବଂ ତାପଛରେ ଲୁଚିରହିଥିବା ଆର୍ଥିକ ଅପରାଧର ତଦନ୍ତ କରି କେବେ ସତକୁ ସାମ୍ନାକୁ ଆଣିବ ପୋଲିସ ?

ତେବେ ଭୁବନେଶ୍ୱର ଡିସିପିଙ୍କ ସୂଚନା, ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ସମ୍ପର୍କରେ ଆରବିଆଇ ମାଗିଥିବା ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଗତ ୫ ବର୍ଷ ଧରି କେଉଁ ବ୍ୟାଙ୍କରେ କେତେ ଟଙ୍କା କାରବାର ହୋଇଛି ? କେଉଁମାନେ ଟଙ୍କା ଦେଇଛନ୍ତି ? କେଉଁ ସୂତ୍ରରୁ କାହା ପାଖରୁ ଆସିଛି ଟଙ୍କା ? ସେସବୁର ଡାଟା ପହଞ୍ଚିଥିବା ଡିସିପି ସୂଚନା ଦେଇଛନ୍ତି ।

ପାୱାର କରିଡରରେ ଦବ୍ଦବା ଥିବା ଅର୍ଚ୍ଚନା ନାଗର କାଳଫାଶରେ ଏବେ ଆକ୍ତାମାକ୍ତା ବଡ଼ବଡ଼ିଆ, ଯାହାଙ୍କ ସାନ୍ନିଧ୍ୟରେ ଅର୍ଚ୍ଚନା ବନିଯାଇଥିଲା ପାୱାରଫୁଲ୍ । ଯାହାର ଆସୁଛି ନୂଆ ନୂଆ ତଥ୍ୟ, ହେଉଛି ନୂଆ ନୂଆ ଚର୍ଚ୍ଚା ।

କେଉଁ ନେତାଙ୍କ ସହ ୨ ମାସ ତଳେ ବାରବାଟୀକୁ ଦେଖିବାକୁ ଯାଇଥିଲେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ? ଟିକଟ ଖଣ୍ଡିକ ପାଇଁ ଲୋକେ ପୋଲିସ ଲାଠମାଡ଼ ଖାଉଥିବାବେଳେ କାହାଠୁ ହାତେଇଥିଲେ ମ୍ୟାଚ୍ ଟିକେଟ୍ ? କୁଆଡ଼େ ଗଲା ଅର୍ଚ୍ଚନାଙ୍କ ସେହି ଇନଷ୍ଟାଗ୍ରାମ୍ ପୋଷ୍ଟ, ଯେଉଁଠି ଟିକଟ ପାଇଁ ମାଳ ମାଳ ଲୋକଙ୍କଠୁ ପାଇଥିଲେ ଧନ୍ୟବାଦ ? ଏବେ ଅପେକ୍ଷା ଗିରଫ ଅର୍ଚ୍ଚନାଠୁ ଏଭଳି ବହୁ କେଳେଙ୍କେରୀର ସତ ସବୁକୁ କେତେ ପଦାକୁ ଆଣୁଛି ପୋଲିସ ।