• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରହସ୍ୟମୟୀ ଅର୍ଚ୍ଚନା ନାଗର ଖୋଲୁଛି ପାପର ପେଡ଼ି । ଆଜି ସାମ୍ନାକୁ ଆସିଛି ଅର୍ଚ୍ଚନା ନାଗଫାଶର ଏନ୍ତୁଡ଼ିଶାଳ । ପର୍ଦ୍ଦାଫାଶ୍ ହୋଇଛି କଳାଧନ୍ଦାର ଏକ ରଙ୍ଗଶାଳା । ଯେଉଁଠି ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ତିଆରି କରୁଥିଲା ଆପତ୍ତିଜନକ ଭିଡିଓ । ଆଉ ଅର୍ଚ୍ଚନା ଆୟ କରୁଥିଲା କୋଟି କୋଟି ଟଙ୍କା । ସେହି ଗୁପ୍ତ କୋଠରୀ ଥିବା ଏକ କୋଠାରୁ ମିଳିଛି ସାଂଘାତିକ ତଥ୍ୟ । ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିବା ଅଭିଯୋଗକାରିଣୀଙ୍କ ଏତଲାରେ ଦର୍ଶାଯାଇଛି ଅର୍ଚ୍ଚନା ନାଗ୍‌ର କଳା ଚିଠା । ଯାହା ଏବେ ସାମ୍ନାକୁ ଆସିବା ପରେ ଏବଂ ବହୁ ବଡ଼ବଡ଼ିଆଙ୍କ ଲିଙ୍କ୍‌କୁ ନେଇ ଲଗାତର ଚର୍ଚ୍ଚା ଭିତରେ ରାଜ୍ୟ ରାଜନୀତିରେ ଚହଳ ପଡ଼ିଛି ।

ଫିଟିଲା ଅର୍ଚ୍ଚନା ନାଗ ର ହନିଟ୍ରାପ୍‌ର ଅନ୍ତୁଡ଼ିଶାଳ । ଖୋଲିଲା ନାଗଫାଶର କଳା ଚିଠା । କେମିତି ବ୍ଲାକ୍‌ମେଲ୍ ପାଇଁ ଖସଡ଼ା ତିଆରି କରି କୋଟି କୋଟିର କଳାଧନ୍ଦା କରୁଥିଲା ଅର୍ଚ୍ଚନା । ସାମ୍ନାକୁ ଆସିଲା ନୂଆ ତଥ୍ୟ । ପୀଡ଼ିତାଙ୍କ ଅଭିଯୋଗ, ୨୦୧୮ରେ ସେ ଚାକିରି ଖୋଜିବା ପାଇଁ ଆସିଥିବା ବେଳେ ଅର୍ଚ୍ଚନା ସହ ତାଙ୍କ ପରିଚୟ ହୋଇଥିଲା । ଗୋଟିଏ କୋଠାରେ ଘରଭଡ଼ା ନେଇ ରହୁଥିବାରୁ ଉଭୟଙ୍କ ପରିଚୟ ବଢ଼ିଥିଲା । ସେହି କୋଠା ହେଉଛି ଜାଗମରା ଅଞ୍ଚଳରେ । ପ୍ରମୋଦ ସ୍ୱାଇଁ ନାମକ ଜଣେ ବ୍ୟବସାୟୀ ହେଉଛନ୍ତି ସେହି ଘରର ମାଲିକ । ଯେଉଁ ଘରେ ଚାକିରି ଆଳରେ ପୀଡ଼ିତାଙ୍କୁ ଫସାଇଥିଲା ଅର୍ଚ୍ଚନା ।

ଅଧିକ ପଢ଼ନ୍ତୁ: ବ୍ଲାକମେଲର କୁଇନଙ୍କ ସାଂଘାତିକ ଷଡ଼ଯନ୍ତ୍ର ! ପାନୀୟରେ ନିଶା ଦେଇ ନଗ୍ନ ଭିଡିଓ କରୁଥିଲେ ଅର୍ଚ୍ଚନା

ସେହି ଘରକୁ ଆସୁଥିଲେ ବହୁ ବଡ଼ବଡ଼ିଆ । ଆଉ ତାଙ୍କ ସହ ସେକ୍ସ ଭିଡିଓ ବନାଇ ବ୍ଲାକମେଲିଂ କରି ରୋଜଗାର ପାଇଁ ପ୍ରବର୍ତ୍ତାଇଥିଲା ଅର୍ଚ୍ଚନା । ଆଉ ଗୋଟିଏ ଦିନ ରାତିରେ ପାର୍ଟି ନାଁରେ ନିଶା ପାନୀୟ ପିଆଇ ପୀଡ଼ିତା ବେହୋସ କରିଥିଲା ସେ । ଏଥିରେ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ବି ସାମିଲ ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା । ଏମିତିକି ଗତ ଏପ୍ରିଲରେ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ତାଙ୍କୁ ଫସାଇବାକୁ କହିଥିଲା ।

ଖାଲି ସେତିକି ନୁହେଁ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବହୁ ଲୋକଙ୍କଠୁ ବଳପୂର୍ବକ କୋଟି କୋଟି ଟଙ୍କା ଆଦାୟ କରୁଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା । ତେବେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଥିବା ବେଳେ ସ୍ୱାମୀ ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ପଚରଉଚରା କରିଥିଲା ପୋଲିସ୍ । କୁହାଯାଉଛି, ଅର୍ଚ୍ଚନାଙ୍କ କଳାଟଙ୍କା ଖଗେଶ୍ୱରଙ୍କ ସେକେଣ୍ଡ ହ୍ୟାଣ୍ଡ କାର୍ ବିଜନେସ୍‌ରେ ବିନିଯୋଗ ହେଉଥିଲା । ତେବେ ଖଗେଶ୍ୱର କହିଛନ୍ତି, ମୁଁ ଜଗବନ୍ଧୁଙ୍କୁ ଜାଣିଛି, କିନ୍ତୁ ଆସୁଥିବା ଅଭିଯୋଗରେ ମୋର ସଂପୃକ୍ତି ନାହିଁ ।  

୨୦୧୬ରେ ପ୍ରମୋଦ ସ୍ୱାଇଁଙ୍କ ସହ ଅର୍ଚ୍ଚନାଙ୍କ ଘରଭଡ଼ା ବିବାଦ ଥାନା ପର୍ଯ୍ୟନ୍ତ ଯାଇଥିଲା । ପ୍ରମୋଦଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣି ଅର୍ଚ୍ଚନା ବି ପାଲଟା ଏତଲା ଦେଇଥିଲେ । ସେହି କେସ୍‌ର ଫାଇଲ୍ ଖୋଲି ଗତରାତିରେ ପ୍ରମୋଦଙ୍କ ଘରକୁ ଯାଇ ଛାନ୍‌ଭିନ୍‌ କରିଛି ପୋଲିସ । ଏସବୁ ଭିତରେ କୋର୍ଟରେ ଆରମ୍ଭ ହୋଇଛି ଅର୍ଚ୍ଚନାଙ୍କ ଜାମିନ ଆବେଦନ ପ୍ରକ୍ରିୟା । ନିଜ ଓକିଲ ସଂପର୍କରେ ସ୍ପଷ୍ଟ କରିବାକୁ ଅର୍ଚ୍ଚନାଙ୍କୁ ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ୍‌ରୁ ହିଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅର୍ଚ୍ଚନାଙ୍କୁ ହାଜର କରାଯାଇଥିବା କୁହାଯାଉଛି । କାଳେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା କାହା ବିରୋଧରେ ବିସ୍ଫୋରକ ବୟାନ ଦେଇଦେବେ ସେହି ଆଶଙ୍କାରେ ଭିଡିଓ କନ୍‌ଫରେନ୍ସିଂର ସାହାରା ନିଆଯାଇଥିଲା । ହନିଟ୍ରାପ୍, ବ୍ଲାକମେଲ୍ ଆଉ ଟଙ୍କା ଆଦାୟ ଭଳି ୧୬ଟି ଦଫା ଲାଗିଛି ଅର୍ଚ୍ଚନାଙ୍କ ବିରୋଧରେ ।

ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଓ ପୁରା ମାମଲାରେ ଗଣ୍ଡା ଗଣ୍ଡା ନେତାଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଆଜି ଆକ୍ସନ ମୋଡ୍‌କୁ ଆସିଛନ୍ତି ବିରୋଧୀ । ଅର୍ଚ୍ଚନା ନାଗ୍‌ ମାମଲାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ଆଳି ବ୍ଲକ୍ କଂଗ୍ରେସ ପକ୍ଷରୁ ଆଜି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଆଳି ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି ।

ସେପଟେ ଅର୍ଚ୍ଚନା ନାଗ୍‌ଙ୍କ କଳା ସାମ୍ରାଜ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି ବିଜେପି । ସରକାର ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ତେଣୁ ରାକେଟ୍‌ର ସଂପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ସ୍ପଷ୍ଟ କରି ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ସେହିପରି କଂଗ୍ରେସ ବି ସ୍ୱତନ୍ତ୍ର କମିଟି ଗଠନ କରି ତଦନ୍ତ କରାଯାଉ ବୋଲି ଦାବି କରିଛି । ଅପରପକ୍ଷେ, ବିଜେଡି କହିଛି, ଯଦି କାହା ବିରୋଧରେ ତଥ୍ୟ ଅଛି ତାହେଲେ ପବ୍ଲିକକୁ ଆଣନ୍ତୁ ।

ଅଧିକ ପଢ଼ନ୍ତୁ: ଖୋଲିବ କି ଅର୍ଚ୍ଚନାଙ୍କ କଳାଧନ୍ଦାର ଗୁମର ? ସିବିଆଇ ତଦନ୍ତ ଦାବି କଲା ବିଜେପି