• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡିର ହେଭିୱେଟ୍ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା। ରବିବାର ଦିନ ଦ୍ୱିପହରରେ, ମାଳ ମାଳ ପୋଲିସ୍ ଓ ବିଜେଡି ନେତା-କର୍ମୀଙ୍କ ଉପସ୍ଥିତିରେ ଯେଭଳି ଢଙ୍ଗରେ ଜଣେ ପୋଲିସ୍ କର୍ମଚାରୀ ତାଙ୍କୁ ଗୁଳି କଲେ ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।

ସବୁଠାରୁ ବଡ ପ୍ରଶ୍ନ ଯାହା ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି, ତା’ହେଲା ହତ୍ୟାକାଣ୍ଡ ପଛର କାରଣ କଣ ? କାହିଁକି ASI ଗୋପାଳ ଦାସ ନବଙ୍କୁ ହତ୍ୟା କଲେ ? ଏହା ପଛରେ ରହିଛି କି କିଛି ବଡ଼ ଷଡଯନ୍ତ୍ର ? କୌଣସି ପୁରୁଣା କଥାକୁ ନେଇ ଗୋପାଳଙ୍କ ବ୍ୟକ୍ତିଗତ ଆକ୍ରୋଶର ଶିକାର ହେଲେ କି ନବ ? ନା ଚାପଗ୍ରସ୍ତ ହୋଇ ନିଜ ପିସ୍ତଲରୁ ଚଳାଇଥିଲେ ଗୁଳି ? ଏହା ପଛରେ ଅନ୍ୟ କାହାର ହାତ ଅଛି କି ? ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ ଶତ୍ରୁତା ନାହିଁ ତ ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।

ଗୋଟିଏ ପଟେ ନବକିଶୋର ଦାସ ରାଜନୀତି ମୈଦାନରେ ବହୁ ଆଗରେ ଥିଲେ । ତିନି ତିନି ଥର ବିଧାୟକ ସହିତ ପାଓ୍ୱାରଫୁଲ୍ କ୍ୟାବିନେଟ୍ ମିନିଷ୍ଟର । ଅନ୍ୟପକ୍ଷରେ ନବଙ୍କ ବ୍ୟାବସାୟିକ ସାମ୍ରାଜ୍ୟ ବି ବେଶ୍ ବଡ଼ ଥିଲା । ହୋଟେଲ୍ ବିଜନେସ୍‌ଠାରୁ ଆରମ୍ଭ କରି ମାଇନିଂ ଟ୍ରାନ୍ସପୋର୍ଟିଂ ଭଳି ବ୍ୟବସାୟରେ ସଂପୃକ୍ତ ଥିଲେ ନବ । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଭଳି ଖଣି ବହୁଳ ଜିଲ୍ଲାରେ ନବଙ୍କ ଏକାଧିକ ବ୍ୟବସାୟ ଥିଲା ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀଙ୍କ ଗସ୍ତ ବେଳେ କ’ଣ ରହିଛି ନିୟମ ? SOP ପାଳନ କରିଥିଲା କି ପୋଲସି ? PSO କରୁଥିଲେ କ’ଣ ?

ଅନ୍ୟ ସ୍ଥାନରେ ବି ବିଭିନ୍ନ ପ୍ରକାର ବ୍ୟବସାୟ ଚଳାଇଥିଲେ ନବ । ତେଣୁ ଏହି ହତ୍ୟାକାଣ୍ଡ ପଛରେ ବ୍ୟାବସାୟିକ ଲିଙ୍କ୍‌କୁ ନେଇ ବି ସନ୍ଦେହ କରାଯାଉଛି । ଏହା ବି ଚର୍ଚ୍ଚା ହେଉଛି, ନବ ଦାସ ଓ ତାଙ୍କ ସମର୍ଥକମାନେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଦୁର୍ବ୍ୟବହାର କରିଥିଲେ । ସେହି ରାଗରେ ଗୋପାଳ ଏହି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି କୁହାଯାଉଛି । ସେପଟେ ନବଙ୍କ କାକା ଓ ସମର୍ଥକମାନେ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ।

ନବଙ୍କ ହତ୍ୟାକାଣ୍ଡକୁ ନେଇ ସ୍ତବ୍ଧ ସାରା ଓଡ଼ିଶା । ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଡ୍ୟୁଟିରେ ଥିବା ଜଣେ ପୋଲିସ୍ କର୍ମଚାରୀ ଏଭଳି ଗୁଳି କରି ହତ୍ୟା କରିବା ଓଡ଼ିଶା ଇତିହାସରେ କେବେ ବି ଘଟିନଥିଲା । ତେଣୁ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ବିଜେପିକଂଗ୍ରେସ୍ । ପୋଲିସ୍ ହତ୍ୟା କରିଛି, ତେଣୁ ପୋଲିସ୍ କେମିତି ତଦନ୍ତ କରିବ ବୋଲି ପ୍ରଶ୍ନ କରିଛି କଂଗ୍ରେସ୍ । ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ୍ । ସେପଟେ ବିଜେପି ଦାବି କରିଛି ପୁରା ଘଟଣାର ସିବିଆଇ ତଦନ୍ତ କରାଯାଉ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ପୋଲିସ୍‌ର ଭୂମିକା ଉପରେ ସୃଷ୍ଟି କରିଛି ବଡ଼ ପ୍ରଶ୍ନ । ଆଗକୁ ଏହି ଚାଂଚଲ୍ୟକର ହତ୍ୟାକାଣ୍ଡରେ କିଛି ନୂଆ ଦିଗ ଆସିପାରେ ବୋଲି ଚର୍ଚ୍ଚା ହେଉଛି ।