• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସର ଚରମ ଅବହେଳା ପାଇଁ ଗଲା କି ମନ୍ତ୍ରୀଙ୍କ ଜୀବନ ? ପୋଲିସ୍ ସୁରକ୍ଷା ବଳୟ ଭିତରେ କେମିତି ଅସୁରକ୍ଷିତ ହେଲେ ମନ୍ତ୍ରୀ ? କେମିତି ଘଟିଗଲା ଏତେ ବଡ଼ ଅଘଟଣ ? ଏମିତି କି ମନ୍ତ୍ରୀଙ୍କ ଅଙ୍ଗରକ୍ଷୀ ବା ପିଏସ୍ଓ ବି ଟେର୍ ପାଇଲେନି କିଭଳି ? କେମିତି ଏତେ ବଡ଼ ଘଟଣାର ଆଭାସ ବି ପାଇଲାନି ଗୁଇନ୍ଦା ? ପୋଲିସ୍ ଆଇଆଇସି, ଏସ୍‌ଡିପିଓଙ୍କ ଉପସ୍ଥିତିରେ କିଭଳି ଜଣେ ପୋଲିସ୍ ASI ଏତେ ବଡ଼ ଘଟଣା ଘଟାଇଲେ ? ଯାହାକୁ ନେଇ ରାଜ୍ୟ ପୋଲିସର ବିଶ୍ୱସନୀୟତା ଉପରେ ଏବେ ଛିଡା ହୋଇଛି ବଡ଼ ପ୍ରଶ୍ନବାଚୀ ।

ତା ସହିତ ପୋଲିସର ସୁରକ୍ଷା ବ୍ୟବସ୍ଥାର ଦୁର୍ବଳ ଦିଗ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯଦି ହତ୍ୟାକାରୀ ଏଏସ୍‌ଆଇ ଗୋପାଳ ଦାସଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା, ତାହେଲେ ତାଙ୍କୁ ଫାଣ୍ଡି ଇନଚାର୍ଜ କରାଗଲା କେମିତି ? ପୁଣି କେମିତି ତାଙ୍କୁ ଦିଆଗଲା ସର୍ଭିସ୍ ପିସ୍ତଲ । ଏହା ସହ ମନ୍ତ୍ରୀଙ୍କ ଆଗରେ ଥିବା ପାଇଲଟ୍ ଗାଡିରେ ଥିବା ଅଧିକାରୀଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯାଉଛି । କାହିଁକି ଗାଡି ରହିବା ପରେ ମନ୍ତ୍ରୀଙ୍କ ଓହ୍ଲାଇବା ପୂର୍ବରୁ ପାଖକୁ ଯାଇନଥିଲେ ପାଇଲଟ ଗାଡିର ଅଧିକାରୀ । ଏହା ସହ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ୱରେ ଥିବା ପିଏସ୍ଓ କଣ କରୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ୍ ଡିଜି ।

ଅଧିକ ପଢ଼ନ୍ତୁ: ନବଙ୍କ ହତ୍ୟାକୁ ନେଇ ଉଠିଲା ମାଳ ମାଳ ପ୍ରଶ୍ନ, କାକା କହିଲେ ରହିଛି ବିରାଟ ଷଡଯନ୍ତ୍ର

ସେପଟେ ଏଭଳି ଏକ ଘଟଣା ଘଟିବା ପରେ ଟେନସନ୍‌ରେ ଖୋଦ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ । ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ ଭୋଟ୍, ଓଡ଼ିଶା ରେ ଗତ ନିର୍ବାଚନ ଗୁଡିକରେ ଅନେକ ସ୍ଥାନରେ ନେତାମାନେ ଜନ ଆକ୍ରୋଶର ଶିକାର ହେବା ଦେଖିବାକୁ ମିଳିଛି । ଏମିତି ସ୍ଥିତିରେ ଆଗାମୀ ସାଧାରଣ ନିର୍ବାଚନ ବେଳେ ଜଣେ ଲେଖାଏଁ ପିଏସ୍ଓ ଧରି କେମିତି ନେତାମାନେ ଗ୍ରାଉଣ୍ଡରେ ସୁରକ୍ଷିତ ରହିବେ ତାକୁ ନେଇ ଛନ୍‌କା ପଶିଛି ।

ମନ୍ତ୍ରୀଙ୍କ ଗସ୍ତ ବେଳେ କଣ ରହିଛି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୋର୍ ବା ଏସ୍ଓପି, କେମିତି ରହିବା କଥା ସୁରକ୍ଷା ବ୍ୟବସ୍ଥା । ଗୃହ ବିଭାଗ ନିୟମ ଅନୁସାରେ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କ ଗସ୍ତ ବା କାର୍ଯ୍ୟକ୍ରମ ବେଳେ ୟେଲୋ ବୁକ୍ ଅନୁସାରେ ଏସ୍ଓପି ଜାରି ହୋଇଥାଏ । ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାପାଳ, ଏସ୍‌ପି ଏବଂ ପୋଲିସ ଡିଜିଙ୍କୁ ଅବଗତ କରାଇଥାନ୍ତି । ଜଣେ ଅଧିକାରୀ ପ୍ରୋଗ୍ରାମ ଇନଚାର୍ଜ ଦାୟିତ୍ୱରେ ରହିଥାନ୍ତି ।

ଗସ୍ତ କାର୍ଯ୍ୟକ୍ରମକୁ ଦେଖି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ, ମନ୍ତ୍ରୀଙ୍କ ପିଏସ୍ଓ, ପାଇଲଟିଂ ଓ ପ୍ରୋଟେକ୍ସନ ଫୋର୍ସ ମୁତୟନ ହୋଇଥାନ୍ତି । ପାଇଲଟିଂ ଟିମ୍‌ରେ ଏବଂ ପ୍ରୋଟେକ୍ସନ ଫୋର୍ସରେ ଜଣେ ଲେଖାଏଁ ପୋଲିସ ଅଧିକାରୀ ଓ ହାଫ୍ ସେକ୍ସନ ଫୋର୍ସ ରହିଥାନ୍ତି । ଅଧିକ ଫୋର୍ସ ଆବଶ୍ୟକତା ଥିଲେ ଏସ୍‌ପି, ରେଞ୍ଜ ଡିଆଇଜିଙ୍କୁ ଜଣାଇଥାନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଗସ୍ତବେଳେ ଇଣ୍ଟେଲିଜେନ୍ସ, ଲ- ଆଣ୍ଡ-ଅର୍ଡର ଟିମ୍ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରନ୍ତି । ହେଲେ ନବଙ୍କ ରବିବାର ଦିନ ଗସ୍ତ ବେଳେ ଏସବୁ ପାଳନ କରାଯାଇଥିଲା କି ନାହିଁ, ତ୍ରୁଟି କେଉଁଠି ରହିଲା, ତାହା ସାମ୍ନାକୁ ଆସିବା ଜରୁରୀ ।