• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାହିଁକି ଓ କେମିତି ପ୍ରାଣ ହରାଇଲେ ଯୁବ ଡାକ୍ତରାଣୀ ଶୁଭଶ୍ରୀ କର ? ପେଷାକୁ ନେଇ ସ୍ୱପ୍ନ ଦେଖୁଥିବା ୨୫ ବର୍ଷିୟା ଶୁଭଶ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ? ମୃତ୍ୟୁର ୩୬ ଘଣ୍ଟା ପରେ ବି ଲାଗିରହିଛି ସସ୍‌ପେନ୍ସ । ଏହି ସସ୍‌ପେନ୍ସ ଭିତରେ ଶୁଭଶ୍ରୀଙ୍କ ସୁଇସାଇଡ୍ ଲିଙ୍କ୍‌କୁ ନେଇ ଲାଗିରହିଛି ଚର୍ଚ୍ଚା । ଶୁଭଶ୍ରୀଙ୍କ ମୃତ୍ୟୁ ବିଷକ୍ରିୟା ଜନିତ ବୋଲି କୁହାଯାଉଛି । ଯାହାର ଅଧିକ ଯାଞ୍ଚ ପାଇଁ ଜବତ ବିଷ ବୋତଲକୁ ଭୁବନେଶ୍ୱର ଫରେନ୍ସିକ ଲ୍ୟାବ୍‌କୁ ପଠାଯାଇଛି ।

ଶୁଭଶ୍ରୀ ଯଦି ଆତ୍ମହତ୍ୟା କରିଛନ୍ତି, ତେବେ କାହିଁକି ? ଲଭ୍, ସେକ୍ସ ଆଉ ଧୋକ୍କାର ସେହି ଗୋଲକଧନ୍ଧା ଭିତରେ ସାମ୍ନାକୁ ଆସିଛି ସେହି ପ୍ରେମିକଙ୍କ ଚେହେରା । ଯାହାଙ୍କ ନାଁ ଡାକ୍ତର ଦିବ୍ୟରଂଜନ ମାଝୀ । ଗୁଆଲି ନୂଆଗାଁ JSW ର ଡିସପେନସାରୀ ଦାୟିତ୍ୱରେ ଥିଲେ ଦିବ୍ୟ । ତେବେ ଦିବ୍ୟରଂଜନଙ୍କ ପତ୍ତା ମିଳୁନଥିବାବେଳେ ତାଙ୍କର ଇସ୍ତଫାପତ୍ରକୁ ନେଇ ମାମଲାରେ ଟୁଇଷ୍ଟ ଆସିଛି । ଡାକ୍ତର ଦିବ୍ୟରଂଜନଙ୍କ ଇସ୍ତଫାପତ୍ର ଦେଖିଲେ ଅଧିକ ସନ୍ଦେହ ବଢ଼ୁଛି ।

ଡିସେମ୍ବର ୧ରେ ପରିବର୍ତ୍ତନ ନାମକ ଏକ ସଂସ୍ଥାର ସେକ୍ରେଟାରୀଙ୍କ ଉଦ୍ଦେଶ୍ୟରେ ମେଡ଼ିକାଲ୍ ଅଫିସର ପଦରୁ ଇସ୍ତଫା ପାଇଁ ଦରଖାସ୍ତ ପଠାଇଥିଲେ । ଭୁବନେଶ୍ୱରରେ ନିଜ ବିବାହ ପାଇଁ ଏହି ଇସ୍ତଫା ଦେଇଥିବା ଉଲ୍ଲେଖ କରିଥିଲେ । ଡିସେମ୍ବର ୩୧ ଯାଏଁ ନୋଟିସ ପିରିୟଡ଼ ଥିଲେ ବି ୨୦ ତାରିଖରୁ କିନ୍ତୁ ଗାୟବ ହୋଇଗଲେ ଦିବ୍ୟରଂଜନ । ଏପରିକି ମୋବାଇଲ୍ ବି ସୁଇଚ୍ ଅଫ୍ ରହିଛି ସେଦିନଠୁ । ତାଙ୍କୁ ଧରିବା ପାଇଁ ପୋଲିସ ଜାରି ରଖିଛି ଛାନ୍‌ଭିନ୍ । 

ଡାକ୍ତର ଶୁଭଶ୍ରୀ କର । କେନ୍ଦୁଝର ଯୋଡ଼ାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜିଲ୍ଲା ସ୍ୱାସ୍ଥ୍ୟ କଲ୍ୟାଣ ସମିତି ଅଧିନସ୍ଥ ଏନ୍‌ଜିଓ ଦ୍ୱାରା ନିଯୁକ୍ତି ପାଇଥିଲେ । ଦୀର୍ଘଦିନ ଧରି ଦିବ୍ୟରଂଜନଙ୍କ ସହ ପ୍ରେମ ସଂପର୍କରେ ଆବଦ୍ଧ ହୋଇଥିଲେ । କିନ୍ତୁ ସଂପର୍କରେ ଫାଟ ସୃଷ୍ଟି ହେବା ପରେ ଡିସେମ୍ବର ୨୦ରେ ଲଭ୍, ସେକ୍ସ ଆଉ ଧୋକ୍କା ନେଇ ଏତଲା ଦେଇଥିଲେ ଶୁଭଶ୍ରୀ । ବିବାହର ପ୍ରତିଶ୍ରୁତି ଦେଇ ଦିବ୍ୟରଂଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ।

ଏପରିକି ବଡ଼ବିଲ୍ ଜେଏମ୍ଏଫ୍‌ସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ବି ରେକର୍ଡ ହୋଇଛି । ଅର୍ଥାତ ଡିସେମ୍ବର ୨୦ରେ ଶୁଭଶ୍ରୀଙ୍କ ଏତଲା ଆଉ ଇସ୍ତଫା ଦେଇଥିବା ଦିବ୍ୟରଂଜନ ସେଦିନଠୁ ନିଖୋଜ ପଛର ରହସ୍ୟ କଣ ? ଗିରଫଦାରୀ ଭୟରେ କେଉଁଠି ଯାଇ ଆତ୍ମଗୋପନ କରିଛନ୍ତି କି ଦିବ୍ୟରଂଜନ ? ଶୁଭଶ୍ରୀଙ୍କୁ ଧୋକ୍କା ଦେଇ ଦିବ୍ୟରଂଜନ ଅନ୍ୟକୁ ଜୀବନସାଥୀ ଭାବେ ବାଛିନାହାଁନ୍ତି ତ ? ଯେଉଁଥିପାଇଁ ଜୀବନ ହରାଇବାକୁ ପଡ଼ିଛି ଶୁଭଶ୍ରୀଙ୍କୁ । ଏବେ ଏଭଳି ନାନା ପ୍ରଶ୍ନ ସାମ୍ନାକୁ ଆସୁଛି । ତେବେ ଭଦ୍ରକ ଧୁଷୁରୀ ବମକୁରା ଗାଁର ଦିବ୍ୟରଂଜନଙ୍କ ସଂପର୍କୀୟ ଏସଂପର୍କରେ କିଛି ଜାଣିନଥିବା କହିଛନ୍ତି ।

ଡିସେମ୍ବର ୩୧। ଧୂମଧାମ୍‌ରେ ଜିରୋ ନାଇଟ୍ ସେଲିବ୍ରେସନ୍ କରିଥିଲେ ଶୁଭଶ୍ରୀ। ଆଉ ଆକସ୍ମିକ ଭାବେ ଜାନୁୟାରୀ ୧ରେ ବନ୍ଦଘରୁ ଡେଡ୍‌ବଡି ମିଳିବା ପରେ ଏହାକୁ ନେଇ ଏବେ ଲାଗିରହିଛି ନାନା ଚର୍ଚ୍ଚା।