• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସରକାରୀ ବାସଭବନରୁ ମିଳିଲା ମହିଳା ଡାକ୍ତରଙ୍କ ମୃତଦେହ । କେନ୍ଦୁଝର ଯୋଡ଼ା ପୌରାଞ୍ଚଳର ସରକାରୀ ଡାକ୍ତରଖାନାରେ ଜଣେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ଡାକ୍ତର ଜଣକ ହେଲେ ଶୁଭଶ୍ରୀ କର । ସେ ଯୋଡ଼ା ବନେଇକଳା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିଲେ ।

ସ୍ୱାସ୍ଥ୍ୟକେନ୍ଦ୍ରର ଉପର ମହଲାରେ ରହୁଥିବାବେଳେ ସେ ଗତକାଲି ମେଡିକାଲକୁ ଆସିନଥିଲେ । ମେଡିକାଲର ଅନ୍ୟ କର୍ମଚାରୀ ଖୋଜାଖୋଜି ପରେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା । ଶେଷରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ସହ କର୍ମଚାରୀ ।

ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଘରର କବାଟ ଭାଙ୍ଗି ଶୁଭଶ୍ରୀଙ୍କ ରୁମ ଭିତରକୁ ପଶିଥିଲେ । ଆଉ ସେଠାରେ ଶୁଭଶ୍ରୀଙ୍କୁ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏବେବି ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ କରୁଛି ପୋଲିସ ।

ତେବେ ଏହାରି ଭିତରେ ଶୁଭଶ୍ରୀଙ୍କ ଏକ ଏଫଅଇଆର୍ ସାମ୍ନାକୁ ଆସିଛି । ଯେଉଁଥିରେ ଡାକ୍ତର ତଥା ନିଜ ପ୍ରେମିକ ଦିବ୍ୟରଂଜନ ମାଝୀଙ୍କ ନାଁରେ ଯୋଡ଼ା ଥାନାରେ ଗତ ୨୧ ତାରିଖରେ ଅଭିଯୋଗ କରିଥିଲେ । ୬ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା । ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଠକିଥିବା ଅଭିଯୋଗ ନେଇ ଥାନାରେ ସେ ଏତଲା ଦେଇଥିଲେ । ପରେ ଆପୋଷ ବୁଝାମଣା ପରେ ଏତଲାକୁ ଉଠାଇ ଦେଇଥିଲେ ଡାକ୍ତର ଶୁଭଶ୍ରୀ ।

ଠିକ୍ ଏହାର ୧୦ ଦିନ ପରେ ତାଙ୍କ ମୃତଦେହ ମିଳିଛି ଯାହାକୁ ନେଇ ଏବେ ସନ୍ଦେହ ବଢ଼ିଛି । ଏହାରି ଭିତରେ ଗତ ୩୧ ତାରିଖ ଜିରୋ ନାଇଟ୍ ସେଲିବ୍ରେସନର ଭିଡିଓ ସାମ୍ନାକୁ ଆସିଛି । ଶୁଭଶ୍ରୀ ନିଜ ସହକର୍ମୀଙ୍କ ସହ ମିଶି ଏକାଠି ନାଚୁଥିଲେ । ଜୀବନକୁ ଭରପୁର ଉପଭୋଗ କରୁଥିଲେ । ନୂଆବର୍ଷ ସେଲିବ୍ରେସନ୍ କରିବା ପରେ ନିଜ ରୁମକୁ ଯାଇଥିଲେ ଶୁଭଶ୍ରୀ । ହେଲେ ତା’ପର ଠାରୁ ଆଉ ଉଠିନଥିଲେ ।

ସୂଚନାଯୋଗ୍ୟ ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକ ଜିଲ୍ଲା ନିଆଳିରେ ହୋଇଥିବା ବେଳେ ଖବର ପାଇ ତାଙ୍କ ପରିବାର ଲୋକେ ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ପହଞ୍ଚିଛନ୍ତି । ଝିଅର ମୃତ୍ୟୁ ଖବର ଯୋଗୁ ଶକ୍ତ ଝଟକା ଲାଗିଥିବା ବେଳେ ସେମାନେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଏପରିକି ସେମାନେ କିଛି କହିବାକୁ ମନା କରି ଦେଇଥିବା ବେଳେ ମୃତଦେହ ଧରି ଗାଁକୁ ଫେରିଯିବେ ବୋଲି ଜଣାଯାଇଛି ।