/odishatv-khabar/media/post_attachments/uploadimage/library/16_9/16_9_0/Haryana_1750522529.jpg)
Haryana
ହରିୟାଣାର ଫରିଦାବାଦ ସ୍ଥିତ ଗୋଟିଏ ଆବାସିକ ଅଞ୍ଚଳର ରାସ୍ତାରେ ଖୋଳା ଯାଇଥିବା ୧୦ ଫୁଟର ଗାତରୁ ମିଳିଛି ଜଣେ ମହିଳାଙ୍କ ଅର୍ଦ୍ଧଗଳିତ ମୃତଦେହ। ମେସିନ ଲଗାଇ ସିମେଣ୍ଟ ସ୍ଲାବକୁ ଭାଙ୍ଗିବା ପରେ ଗାତରୁ ମୃତଦେହକୁ ବାହାର କରାଯାଇଥିଲା। ମୃତକ ଜଣଙ୍କ ହେଲେ ୨୪ ବର୍ଷୀୟ ତନୁ। ତାଙ୍କ ଘର ଉତ୍ତର ପ୍ରଦେଶର ଶିକୋହାବାଦରେ। ସେ ୨ ବର୍ଷ ତଳେ ଫରିଦାବାଦର ରୋଶନ ନଗରରେ ରହୁଥିବା ଅରୁଣଙ୍କୁ ବିବାହ କରିଥିଲେ।
ତନୁଙ୍କ ମୃତଦେହ ମିଳିବା ପରେ ପୋଲିସ ତାଙ୍କ ସ୍ୱାମୀ, ଶ୍ୱଶୂର, ଶାଶୁ ଓ ଆଉ ଜଣେ ସମ୍ପର୍କୀଙ୍କୁ ହେପାଜତକୁ ନେଇ ଜେରା କରୁଛି। ତନୁ ଯେଉଁ ସ୍ଥାନରେ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ସହ ରହୁଥିଲେ ସେଠାରେ ଥିବା ଗୋଟିଏ କଙ୍କ୍ରିଟ ରାସ୍ତା ତଳୁ ତାଙ୍କ ମୃତଦେହକୁ ଠାବ କରାଯାଇଛି।
ଅଧିକ ପଢ଼ନ୍ତୁ: ୟୁ-ଟ୍ୟୁବ ଦେଖି ନକଲି ଡାକ୍ତର କରୁଥିଲେ ଚିକିତ୍ସା, କେ।ଟିରେ କରୁଥିଲେ ଆୟ
ଉକ୍ତ ଅଞ୍ଚଳରେ ଡ୍ରେନ ମରାମତି ପାଇଁ ପ୍ରାୟ ୨ ମାସ ତଳେ ଖୋଳାଖୋଳି କାମ ଚାଲିଥିଲା। ଏତିକି ବେଳେ ତନୁଙ୍କୁ ସେଠାରେ ପୋତି ଦିଆଯାଇଥିବା ପୋଲିସ ସନ୍ଦେହ କରୁଛି। ପୋଲିସ ଗୋଟିଏ ମେସିନ ଦ୍ୱାରା ଶୁକ୍ରବାର ସକାଳ ୮ଟାରେ ରାସ୍ତାକୁ ଖୋଳି ମୃତଦେହକୁ ଜବତ କରିଥିଲା। ଏହାପରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଏହାକୁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି।
ତନୁଙ୍କ ଭଉଣୀ ପ୍ରୀତିଙ୍କ କହିବା କଥା ଯେ ତାଙ୍କ ଉଭଣୀ ୨୦୨୩ରେ ଅରୁଣଙ୍କୁ ବିବାହ କରିଥିଲେ। ବାହାଘରର କିଛି ମାସ ପରଠାରୁ ତାଙ୍କୁ ଶାଶୁ ଘର ଲୋକ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ପ୍ରୀତି ଅଭିଯୋଗ କରିଛନ୍ତି ଯେ ଅରୁଣ ଓ ତାଙ୍କ ଘର ଲୋକ ବାହାଘରର କିଛି ମାସ ପରେ ଯୌତୁକରେ ସୁନା ଅଳଙ୍କାର ମାଗିଥିଲେ। ଏହି ଦାବିକୁ ପୂରଣ କରିବା ପାଇଁ ତନୁଙ୍କ ପରିବାର ଲୋକ ଯଥା ସମ୍ଭବ ଚେଷ୍ଟା କରିଥିଲେ ହେଁ ଅରୁଣଙ୍କ ପରିବାର ସନ୍ତୁଷ୍ଟ ହୋଇ ନଥିଲେ।
ପ୍ରୀତି କହିଛନ୍ତି, “ବାହାଘରର କିଛି ମାସ ପରେ ତନୁ ଆମ ସହ ଘରେ ରହିବା ଆରମ୍ଭ କରିଥିଲେ। କାରଣ ଶାଶୁ ଘରେ ତାଙ୍କୁ ନିର୍ଯାତନା ମିଳୁଥିଲା। ପ୍ରାୟ ଗୋଟିଏ ବର୍ଷ ଧରି ସେ ଆମ ସହ ରହିଥିଲେ। ଏହାପରେ ଆମେ ତାଙ୍କୁ ଶାଶୁ ଘରକୁ ପଠାଇଥିଲୁ। କିଛି ଦିନ ପରେ ପୁଣି ତାଙ୍କୁ ନିର୍ଯାତନା ମିଳିଥିଲା। ଆମ ସହ ତାଙ୍କୁ ଶାଶୁ ଘର ଲୋକ କଥା ହେବାକୁ ଦେଉ ନଥିଲେ। ଫୋନ କରିବାକୁ ମଧ୍ୟ ତନୁଙ୍କୁ ଅନୁମତି ମିଳୁ ନଥିଲା।
ଏସବୁ ଭିତରେ ତନୁ ଜୀବନ କାଟୁଥିବା ବେଳେ ଏପ୍ରିଲ ୨୩ରେ ଆମ ପାଖକୁ ତାଙ୍କ ଶାଶୁ ଘର ଲୋକଙ୍କ ଫୋନ ଆସିଥିଲା। ତନୁ ଘରୁ କେଉଁ ଆଡ଼େ ଫେରାର ହୋଇ ଯାଇଥିବା ସେମାନେ ଆମକୁ ଜଣାଇଥିଲେ। ଏହାପୂର୍ବରୁ ଏପ୍ରିଲ ୯ରେ ମୁଁ ମୋ ଭଉଣୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲି। ହେଲେ କୌଣସି ଖୋଜ ଖବର ମିଳି ନଥିଲା। ସେବେଠାରୁ ଆମର ସନ୍ଦେହ ସୃଷ୍ଟି ହୋଇଥିଲା। ପରିବାର ଲୋକ ପୋଲିସର ଦ୍ୱାରସ୍ଥ ହୋଇଥିଲେ ହେଁ ବେଶ କିଛି ସପ୍ତାହ ଧରି କେହି ବି ଏହାକୁ ଗୁରୁତ୍ୱର ସହ ନେଇ ନଥିଲେ।”
ଏବେ ପୁଲିସ୍ ଘଟଣାର ତଦନ୍ତ କରି ୧୦ ଫୁଟ ଗାତ ଭିତରୁ ତନୁଙ୍କ ଗଳିତ ମୃତଦେହକୁ ଜବତ କରିଛି। ଏବେ ସ୍ଥାନୀୟ ଲୋକ ପୁଲିସ୍ ଓ ସାମ୍ବାଦିକମାନଙ୍କୁ କହିଛନ୍ତି ଏପ୍ରିଲ ମାସରେ ତନୁଙ୍କ ଶ୍ୱଶୂର ଘର ପାଖରେ ଗୋଟିଏ ଗାତ ଖୋଳିଥିଲା। ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସେ ଗାତ ଖୋଳୁଥିବା ସମସ୍ତଙ୍କୁ ଜଣାଇଥିଲେ। ଏହାପରେ ତରବରିଆ ଭାବେ ଉକ୍ତ ଗାତକୁ ସିମେଣ୍ଟ ସ୍ଲାବ ଦ୍ୱାରା ପୋତି ଦେଇଥିଲେ।
ଏବେ ପୁଲିସ୍ ଉକ୍ତ ସିମେଣ୍ଟ ସ୍ଲାବ ତଳୁ ତନୁଙ୍କ ମୃତଦେହକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସେହିପରି ତନୁଙ୍କ ଶାଶୁ ଘରର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)