Advertisment

Yoga Day: ସାରା ବିଶ୍ବ ପାଳିଲା ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ

ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ ।

author-image
Manasranjan Mohanty
Yoga Day

Yoga Day

ସିନ୍ଦୂରା ଫାଟିବା ଆଗରୁ ଯୋଗମୂଦ୍ରାରେ ସଜେଇ ହୋଇସାରିଥିଲା ସାରା ଦେଶ। ଖାଲି ଭାରତ ନୁହେଁ, ପୂରା ଜଗତ ପାଲଟିଯାଇଥିଲା ଯୋଗମୟ। ଉତ୍ସାହର ଘିଅ ସାଙ୍ଗରେ ସୁସ୍ଥ ଜୀବନର ମନ୍ତ୍ର ଧରି ଦୁନିଆ କରୁଥିଲା ଯୋଗ ଯଜ୍ଞ। ସମୁଦ୍ରର ଅଥଳ ଜଳରାଶିରେ, ସିଆଚେନର ଶିଖରରେ, ମଣିପୁରର ମେଘଭର୍ତ୍ତି ପାହାଡ଼ କୋଳରେ, ଲଦାଖର ୧୪ ହଜାର ଫୁଟ ବ୍ଲୁ ଲେକ୍ ପାଖରେ। ଗଳିକନ୍ଦିଠୁ ରାସ୍ତା ଘାଟ କିଏ ରାସ୍ତାରେ ପଲଟି ମାରି ଯୋଗ କରୁଥିଲା ଆଉ କିଏ ନାଚିନାଚି।

Advertisment

ଆଜି ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସରେ ଏମିତି ଚିତ୍ତାକର୍ଷକ ଥିଲା, ବିଶ୍ବକୁ ଭାରତର ମହାର୍ଘ୍ୟ ଉପହାର ଯୋଗ ଦିବସର ଝଲକ। ଉତ୍ତରାଖଣ୍ଡ ଡେରାଡୁନରେ ଅନ୍ତର୍ଜାତୀୟ ଯୋଗଦିବସ ପାଳି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ବାର୍ତ୍ତା ଦେଇଥିଲେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅଧିକ ପଢ଼ନ୍ତୁ: ଆପଣ ଯୋଗ କରୁଛନ୍ତି କି...ଜାଣନ୍ତୁ, କେଉଁ ଖାଦ୍ୟ ଆପଣଙ୍କ ପାଇଁ ଉପଯୁକ୍ତ

Advertisment

ସେପଟେ ବିଶାଖାପାଟଣା ବେଳାଭୂମିରେ ୩ ଲକ୍ଷରୁ ଅଧିକ ଲୋକଙ୍କ ଗହଣରେ ଯୋଗ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଗୋଟିଏ ପଟେ ବେଳାଭୂମିରେ ମୋଦିଙ୍କ ଉପସ୍ଥିତିରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ, ଅନ୍ୟପଟେ ସମୁଦ୍ରରେ INS ବିକ୍ରାନ୍ତରେ ୧୧ ହଜାର ନାଭାଲ ଅଫିସର ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଯୋଗାସନ ଥିଲା ଅତ୍ୟନ୍ତ ଆକର୍ଷଣୀୟ।

ଦେଶବାସୀଙ୍କୁ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ, ଯୋଗ ହେଉଛି ଏମିତି ଏକ ଶକ୍ତିଶାଳୀ ଉପକରଣ ଏବଂ ପଜ୍ ବଟନ୍, ଯାହା ମାନବଜାତିକୁ ନିଶ୍ୱାସ ପ୍ରଶ୍ବାସ ନେବା, ସନ୍ତୁଳନ ରଖିବା ଏବଂ ପୁନର୍ବାର ସୁସ୍ଥ ରଖିବାରେ ସାହାଯ୍ୟ କରେ।

ସେହିଭଳି ଜାମ୍ମୁକଶ୍ମୀର ଉଦ୍ଦମପୁରରେ ସ୍ଥଳସେନା ମୁଖ୍ୟ ଓ ଯବାନଙ୍କ ସହିତ ଯୋଗ ଦିବସ ପାଳିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଶିବରାଜ ସିଂ ଚୌହ୍ବାନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳିଥିଲା ଯୋଗମୁଦ୍ରାରେ।

ହରିୟାଣା କୁରୁକ୍ଷେତ୍ରରେ ୧୫ ଲକ୍ଷରୁ ଅଧିକ ଲୋକଙ୍କ ସମାଗମରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିଥିଲେ ଯୋଗଗୁରୁ ବାବା ରାମଦେବ ଓ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ। ତେବେ ଚର୍ଚ୍ଚା ସାଉଁଟିଥିଲା ତାମିଲନାଡୁ ରାଜ୍ୟପାଳ ଆର.ଏନ୍ ରବିଙ୍କ ଏ ଫିଟନେସ୍ ଯୋଗ । ୭୩ ବର୍ଷ ବୟସରେ ବି ଏମିତି ୫୧ ଥର ପୁସ୍ ଅପ୍ କରିଥିଲେ ରାଜ୍ୟପାଳ ଆର.ଏନ୍. ରବି।

ଏପଟେ ରାଜ୍ୟରେ ବି କମ୍ ନଥିଲା ଯୋଗ ଦିବସର ଉତ୍ସାହ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଏମଙ୍କ ସହିତ ବାଚସ୍ପତି, ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ବରିଷ୍ଠ ଅଧିକାରୀଗଣ ବି ସାମିଲ ହୋଇଥିଲେ ।

ନୟାପଲ୍ଲୀ କସ୍ତୁରବା ଶିକ୍ଷାଶ୍ରମ ପରିସରରେ ଏକାଠି ଯୋଗ କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ସେପଟେ ଲଦାଖସ୍ଥିତ ୧୪ହଜାର ଫୁଟ୍ ଉଚ୍ଚତାରେ ଯୋଗ ମୁଦ୍ରାରେ ବସିଥିଲେ ଆଇଟିବିପିର ଯବାନ। ଆଣ୍ଡାମାନ ଦ୍ବୀପପୁଞ୍ଜ, ସିଆଚେନ୍ ଓ ୱାଘା-ଅଟ୍ଟାରୀ ସୀମାରେ ପାଳନ କରାଯାଇଥିଲା ଯୋଗ ଦିବସ । ଚମତ୍କାରୀ କାରୀଗରିର ଗୌରବ ବହନ କରୁଥିବା ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଲୱେ ବ୍ରିଜ୍ ପାଖରେ ବି ଦେଖିବାକୁ ମିଳିଥିଲା ଯୋଗାସନର ଚମକ।

Odisha Narendra Modi India Prime Minister Narendra Modi Yoga Day International Yoga Day President Draupadi Murmu Chief Minister Mohan Majhi
Advertisment
Related Articles
Advertisment