• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅର୍ଚ୍ଚନା ମୁହଁରେ ଲୁଚିରହିଛି କି ନାଗଫାଶର ସତ କାହାଣୀ ? ବଡ଼ବଡ଼ିଆଙ୍କ ମୁଖା ଖୋଲିବାକୁ ମଉକା ଖୋଜୁଛି କି ଲେଡି ବ୍ଲାକମେଲର ଅର୍ଚ୍ଚନା ? କାରଣ ଯେବେ ବି କୋର୍ଟରେ ହାଜର କରାଯାଉଛି, ମାମଲା ପଛର ସତ ବଖାଣିବାକୁ ଚେଷ୍ଟା କରୁଛି ଅର୍ଚ୍ଚନା । ହେଲେ ମିଡ଼ିଆ ଆଗରେ କୁହାଇ ଦେଉନି ପୋଲିସ । ଦିନେ ମିଡିଆକୁ ନାଲି ଆଖି ଦେଖାଇଥିବା ଅର୍ଚ୍ଚନା ଆଜି ପୋଲିସ ବିରୋଧରେ କରିଛି ବିଷୋଦ୍‌ଗାର ।

ସମୟ ଦିନ ପ୍ରାୟ ସାଢ଼େ ୧୨ଟା । ଝାରପଡ଼ା ଜେଲ୍‌ରୁ ହାଜର ପାଇଁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ଅଣାଯାଇଥିଲା ଅର୍ଚ୍ଚନାକୁ । ଇଡିର ପ୍ରଡକ୍ସନ ପିଟିସନ୍ ଫାଇଲ୍ ଆଧାରରେ କୋର୍ଟରେ ଅର୍ଚ୍ଚନାକୁ ପ୍ରଡ୍ୟୁସ୍ କରାଯାଇଥିଲା । ପ୍ରଡକ୍ସନ ବେଳେ କୋର୍ଟ ଭିତରେ କାନ୍ଦିଥିଲା ଅର୍ଚ୍ଚନା ନାଗ । ମୋତେ କିଛି କହିବା ପାଇଁ ସୁଯୋଗ ଦିଆଯାଉ ବୋଲି ବିଚାରପତିଙ୍କୁ ନିବେଦନ ବି କରିଥିଲା । କିନ୍ତୁ ବିଚାରପତି, ଯାହା କହିବା କଥା ଓକିଲଙ୍କ ମାଧ୍ୟମରେ କହିବେ ବୋଲି କହିଥିଲେ ।

ଏହାପରେ କୋର୍ଟରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅର୍ଚ୍ଚନା ବର୍ଷିଥିଲା ପୋଲିସ ବିରୋଧରେ । କହିଥିଲା ମୋ ପାଟି, ଆଖି, ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଗଲା । ମୋତେ ଆର୍ବିଟାରିଲି ଆରେଷ୍ଟ କରାଯାଇଛି । ମୋ ପରିବାରକୁ ନଜରବନ୍ଦୀ ରଖାଯାଇଥିଲା । ଫଳରେ କଣ ସବୁ ଘଟୁଛି, ୬ଦିନ ଯାଏଁ କିଛି ଜାଣିପାରିଲିନି । ହନିଟ୍ରାପ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ସମେତ ଅନ୍ୟ ବଡ଼ବଡ଼ିଆଙ୍କୁ ସୋ କଲ୍ଡ ପୀଡ଼ିତ ବୋଲି କହିବା ସହ ସେମାନେ କାହିଁକି ଲୁଚିଛନ୍ତି ? କାହିଁକି ଆପଣମାନଙ୍କୁ ସାମ୍ନା କରୁନାହାଁନ୍ତି ବୋଲି ଅର୍ଚ୍ଚନା ଗଣମାଧ୍ୟମ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲା । ସବୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କହିଛି ଅର୍ଚ୍ଚନା । ତାସହ ପ୍ରଯୋଜକ ଅକ୍ଷୟ ପରିଜାଙ୍କଠୁ କିଛି ବି ନେଇନଥିବା ସ୍ପଷ୍ଟ କରିଛି ।

ତେବେ ମିଡିଆ ସାମ୍ନାରେ ଅର୍ଚ୍ଚନା ଗରଗର ହେବା ପଛର କାରଣ କଣ ? ସେଦିନ ମିଡିଆକୁ ପାଠ ପଢ଼ାଇଥିବା ଅର୍ଚ୍ଚନା ଆଜି ପୋଲିସ ବିରୋଧରେ ବର୍ଷିଲା କାହିଁକି ? ପୋଲିସର ତରବରିଆ ଗିରଫଦାରୀ ପଛରେ ରହିଛି କି କିଛି ରହସ୍ୟ ? ଘଟଣା ପଛର ସତ ଓ ବଡ଼ବଡ଼ିଆଙ୍କ ଲିଙ୍କ୍ କହିବାକୁ ଚାହୁଁଛି କି ଅର୍ଚ୍ଚନା ? ହନିଟ୍ରାପ୍‌ର ସିଣ୍ଡିକେଟ୍‌ରେ ଅର୍ଚ୍ଚନା ବନିଯାଇନି ତ ମୋହରା ? ଯଦି ହଁ, ତେବେ ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ପଛର ଷଡ଼ଯନ୍ତ୍ରକାରୀ ସବୁ କିଏ ? ଏବେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ।

ବ୍ଲାକମେଲିଂ, ହନିଟ୍ରାପ୍, ଅର୍ଥ କାରବାର ମାମଲାରେ ଇତିମଧ୍ୟରେ ଶ୍ରଦ୍ଧାଞ୍ଜଳି ସହ ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ର, ଡ୍ରାଇଭର ଚନ୍ଦନ, ବ୍ୟବସାୟୀ, ପ୍ରଯୋଜକଙ୍କୁ ଜେରା କରିସାରିଛି ଇଡି । ସେମାନଙ୍କ ତଥ୍ୟ ଆଧାରରେ ରିମାଣ୍ଡରେ ଆଣି ଅର୍ଚ୍ଚନାଠୁ ସତ ଉଗାଳିବ ଇଡି । ଏଥିପାଇଁ ଆଜି କୋର୍ଟରେ ଇଡି ୧୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଏହାର ଶୁଣାଣି କରି କୋର୍ଟ ୭ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ଏହି ଅନୁମତି ଆଧାରରେ ଆସନ୍ତାକାଲିଠୁ ୧୨ ତାରିଖ ଯାଏଁ ଅର୍ଚ୍ଚନାକୁ ଇଡି ରିମାଣ୍ଡରେ ନେବ ।

ସେପଟେ ଇଡି ଫାଇଲ୍‌ରେ ଅଭିଯୁକ୍ତ ଥିବା ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଆସନ୍ତା ୭ ତାରିଖରେ କୋର୍ଟରେ ହାଜର ହେବ । ତାକୁ ବି ରିମାଣ୍ଡରେ ନେଇପାରେ ଇଡି । କୋର୍ଟଙ୍କ ଅନୁମତି ମିଳିଲେ ନାଗ-ଚାନ୍ଦ ଦଂପତିକୁ ଇଡି ସାମ୍ନାସାମ୍ନି ଜେରା କରିପାରେ ।