/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748704155.jpg)
Crores in Cash and Property Vigilance Busts
ସରକାରୀ ବାବୁମାନଙ୍କ ପାପ ସାମ୍ରାଜ୍ୟକୁ ନେଇ ଏବେ ସବୁଠି ଚିନ୍ତା। ବିଶେଷ କରି ଇଞ୍ଜିନିୟରଙ୍କ କଳା ସମ୍ପତ୍ତିର ଚିଠାକୁ ନେଇ ବଢୁଛି ଉଦବେଗ। ଗତକାଲି RWD ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ଘରେ ଟଙ୍କା ଖଣି। ଆଉ ଆଜି ତାଜୁବ କରିଛି ବ୍ରହ୍ମପୁର R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ ଚୌଧୁରୀଙ୍କ ଅମାପ ସମ୍ପତ୍ତି। ପୂର୍ବରୁ ବି ଏମିତି ମାଳ ମାଳ ଧଳାହାତୀଙ୍କ କଳା ସମ୍ପତ୍ତିର ଗୁମର ଖୋଲିଛି ଭିଜିଲାନ୍ସ। ହେଲେ କାହିଁକି ଏତେ ଦୁର୍ନୀତିଗ୍ରସ୍ତ ଇଞ୍ଜିନିୟର ? ତାକୁ ନେଇ ନାନା ଚର୍ଚ୍ଚା।
ଚାକିରି ବେଳେ ଅସତ୍ ଉପାୟରେ ଠୁଳ କରିଥିଲେ କଳାଧନ...ଆଉ ପାପର ଘଡ଼ା ପୂରିବା ପରେ ଏବେ ବନ୍ଧା ହେଉଛନ୍ତି ଜଣଙ୍କ ପରେ ଜଣେ। ଏମିତିକି ଅବସରର ମାତ୍ର କେଇ ଘଣ୍ଟା ଆଗରୁ ଛନ୍ଦି ହୋଇଛନ୍ତି ଭିଜିଲାନ୍ସ ଜାଲରେ। ଅର୍ଥାତ ହାପି ଏଣ୍ଡିଂ ଆଶାରେ ଥିବା ବଡ଼ ବଡ଼ ଯନ୍ତ୍ରୀ ବାବୁଙ୍କୁ ଶେଷଦିନରେ ଲାଗିଛି ଟ୍ରାଜିକ୍ ସକ୍। ଏଇ ଯେମିତି ଭୁବନେଶ୍ବର RWD ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ। ଆଜି ଫୁଲତୋଡ଼ା ପାଇ ହସଖୁସିରେ ଚାକିରିରୁ ବିଦାୟ ନେଇଥାନ୍ତେ। କିନ୍ତୁ ଗିରଫ କରି ଜେଲ ପଠାଇଦେଲା ଭିଜିଲାନ୍ସ। ଭିଜିଲାନସକୁ ଦେଖି ପଡ଼ୋଶୀଙ୍କ ଛାତକୁ ବିଡ଼ା ବିଡ଼ା ନୋଟ୍ ଫିଙ୍ଗିଥିଲେ ବୈକୁଣ୍ଠ । ଆଉ ଆଜି ହିସାବ କଲାବେଳକୁ କୁବେର ଯନ୍ତ୍ରୀଙ୍କ ନଗଦ ଟଙ୍କା ୨.୫୬ କୋଟିରେ ପହଞ୍ଚିଥିବାବେଳେ ୨ ଅଟ୍ଟାଳିକା, ୨ଟି ଫ୍ଲାଟ୍, ୭ ପ୍ଲଟ୍, ଦେଢ କୋଟିର ବ୍ୟାଙ୍କ ଜମା, ସେୟାର ମାର୍କେଟରେ ଲଗାଇଥିବା ୨ କୋଟି ୭୦ ଲକ୍ଷ ଟଙ୍କା, ୧୫ଟି ଦାମୀ ହାତ ଘଣ୍ଟା ଠାବ ହୋଇଛି। ମୋଟ୍ ଜବତ ସଂପତ୍ତିର ମୂଲ୍ୟ ୧୦ କୋଟିରୁ ଅଧିକ ହୋଇଥିବାବେଳେ ଆୟଠାରୁ ଅଧିକ ୪୮୩ % ସଂପତ୍ତି ଥିବା ଭିଜିଲାନ୍ସ କହିଛି।
ଅଧିକ ପଢନ୍ତୁ: ଝିଅ ନା ନାଗକନ୍ୟା? ସାପକୁ ଆଘାତ ଲାଗିଲେ ଝିଅକୁ ହେଉଛି କଷ୍ଟ!
ଏହାର କେଇ ଘଣ୍ଟା ପରେ ବ୍ରହ୍ମପୁର R&B ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀ ଏବେ ଚର୍ଚ୍ଚାରେ। ଆଜି ତାଙ୍କ ଘରେ ଛାପା ମାରି ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ୧୧ ପ୍ଲଟ୍ ସାଙ୍ଗକୁ ଏକାଧିକ ଦାମୀ ଫ୍ଲାଟ୍, ବହୁତଳ ପ୍ରାସାଦ ମିଳିସାରିଲାଣି। ବ୍ରହ୍ମପୁର, ଭୁବନେଶ୍ବରରେ ମିଳିଛି ଏସବୁ କୋଠାବାଡ଼ି। ଏହାଛଡ଼ା ବ୍ୟାଙ୍କ୍ ଡିପୋଜିଟ ବି ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି ଚାକିରିରୁ ଅବସର ନେଇଥାନ୍ତେ ଏନ.ଦିଲ୍ଲୀପ କୁମାର। ଆଉ ଅବସର ଦିନରେ ହିଁ ପଡ଼ିଛନ୍ତି ଭିଜିଲାନ୍ସ ଜାଲରେ।
କେବଳ କ’ଣ ଏହି ୨ ଜଣ ଯନ୍ତ୍ରୀ ? ଭିଜିଲାନସ ତଥ୍ୟ କହୁଛି, ୨୦୨୩ରେ ୨୬ ଜଣ ଏବଂ ୨୦୨୪ରେ ୧୯ ଜଣ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଫସିଛନ୍ତି ଭିଜିଲାନ୍ସ ଜାଲରେ। ବଡ଼ କଥା ହେଉଛି, ୨୦୨୪ ଜୁନ ୧୨ରୁ ଏବର୍ଷ ମେ’ ୨୨ ଭିତରେ ବିଭିନ୍ନ ବିଭାଗର ଛଅ ଛଅ ଜଣ ମୁଖ୍ୟଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ। ସମସ୍ତଙ୍କଠୁ ମିଳି ଚାଲିଛି ଅମାପ ଆୟ ବହିର୍ଭୁତ ସମ୍ପତ୍ତି। ତେବେ ସରକାର ବଦଳିବା ପରଠୁ ଭିଜିଲାନ୍ସ ଜାଲରେ କାହିଁକି ଏମିତି ପଡ଼ିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଦୁର୍ନୀତିଖୋର ଯନ୍ତ୍ରୀ ? ପୂର୍ବତନ ଯନ୍ତ୍ରୀଙ୍କ କହିବା କଥା, ଜଳ ସମ୍ପଦ ହେଉ ଅବା ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ହେଉ ଅବା ଗ୍ରାମ୍ୟ ଜଳଯୋଗାଣ। ଏଭଳି ଅନେକ ବିଭାଗକୁ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ବାର୍ଷିକ ଶହ ଶହ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଅନ୍ତି ରାଜ୍ୟ ସରକାର। ଯାହାର ଆର୍ଥିକ ପରିଚାଳନା ଦାୟିତ୍ବ ନିର୍ଭର କରେ ଯନ୍ତ୍ରୀ ମାନଙ୍କ ଉପରେ। ଏପରିକି ଡିଜାଇନ୍ ପ୍ରସ୍ତୁତିଠୁ ଟେଣ୍ଡର ପ୍ରକ୍ରିୟା, ଠିକାଦାର ଚୟନଠାରୁ ପିସି କାରବାର। ସବୁରି ପଛରେ ଥାଏ ଯନ୍ତ୍ରୀମାନଙ୍କ ହାତ। ଟପଠୁ ବଟମ୍ ଏଥିରେ ସଂପୃକ୍ତ ଥିବାରୁ କାହା ପାଖରେ ହିସାବ ବି ନଥାଏ। ତେଣୁ ଭରପୂର କ୍ଷମତା ଭିତରେ ଦୁର୍ନୀତି ପାଇଁ ସୃଷ୍ଟି ହୁଏ ସୁଯୋଗ।
ଏକଥା ସତ ଯେ, ସବୁ ଯନ୍ତ୍ରୀ ଅବଶ୍ୟ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ତଥାପି ଯେଉଁମାନେ ଦୁର୍ନୀତିରେ ସଂପୃକ୍ତ, ସେମାନଙ୍କୁ ଧରିବାରେ ରିଟାୟାର୍ଡ ପାଖାପାଖି ଯାଏଁ କାହିଁକି କଥା ଯାଉଛି, ତାହା ବଡ଼ ପ୍ରଶ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)