/odishatv-khabar/media/post_attachments/uploadimage/library/16_9/16_9_0/Tobacco_1748700453.jpg)
Tobacco
ଆମ ପ୍ରାଚୀନ ସଂସ୍କୃତିରେ ପାନର ସ୍ୱତନ୍ତ୍ର ସ୍ଥାନ ରହିଛି। ବିଭିନ୍ନ ଦେଶୀ ମସଲା, ଗୁଜୁରାତି, ଅଳେଇଚ. ଲବଙ୍ଗ ଆଦି ପଡ଼ି ପ୍ରସ୍ତୁତ ପାନ ଆମ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଲାଭପ୍ରଦ ଏବଂ ଏହି ଗୁଣ ପାଇଁ ଅତୀତରେ ଏହା ମୁଖବାସ ଭାବେ ବ୍ୟବହାର ହେଉଥିଲା। ହେଲେ ଏବେ ଯେଉଁ ପାନ
ମିଳୁଛି, ସେଥିରେ ପ୍ରାକୃତିକ ମସଲା ଅପେକ୍ଷା ବେଶୀ ରହୁଛି କୃତ୍ରିମ ରଙ୍ଗ ଦିଆଯାଇଥିବା ମସଲା ସହିତ ଗୁଣ୍ଡି ଓ ଚୂନ ମଧ୍ୟ ଲୋକେ ଖାଇବା ଆରମ୍ଭ କରିଲେଣି। ତେବେ ଏ ଯେଉଁ ଗୁଣ୍ଡି ବୋଲି ଜିନିଷଟି ପଡ଼େ, ତାହା କେଉଁଥିରୁ ତିଆରି ଆପଣ ଜାଣନ୍ତି? କେବଳ ପାନ ନୁହେଁ, ଏହା
ନ ଖାଉଥିବା ଅନେକ ଲୋକ ଏବେ ଗୁଟଖା ଖାଇବା ଆରମ୍ଭ କଲେଣି। ଏହା ପାନଠାରୁ ଆହୁରି ଖରାପ। ଆମ ମୁଖ ଗହ୍ୱର ବା ପାଟି ଭିତର ସ୍ୱାସ୍ଥ୍ୟକୁ ନଷ୍ଟ କରିବା ସହ କର୍କଟ ପରି ରୋଗର କାରଣ ହୋଇଥାଏ । ଏଥିରେ ଅଛି ଏକ ବିଷାକ୍ତ ରାସାୟନିକ -– ନିକୋଟିନ୍। ଆସନ୍ତୁ
ଆଜି ସେହି ବିଷୟରେ ବିସ୍ତୃତ ଭାବେ ଜାଣିବା।
ପାନରେ ବ୍ୟବହୃତ ପାନ ମସଲା ସହ ଏହି ଗୁଟଖାଗୁଡ଼ିକର ମୁଖ୍ୟ ଉପାଦାନ ହେଉଛି ନିକୋଟିନ୍ ଯାହା ଏକ ପ୍ରବୃତ୍ତିଗତ (addiction) ରାସାୟନିକ ଭାବେ ଜଣାଶୁଣା। ଗବେଷଣାରୁ ଜଣାପଡ଼ିଛି ଯେ, ପାଖାପାଖି 4000 ବିଷାକ୍ତ ରସାୟନ ଓ 60 କାର୍ସିନୋଜେନ୍ (କ୍ୟାନସର୍ ସୃଷ୍ଟି
କରୁଥିବା କୋଷ) ଏଥିରେ ରହିଛି ଯାହା ମୁଖ ଗହ୍ୱର କର୍କଟ ବା ଓରାଲ୍ କ୍ୟାନସରର କାରଣ ହୋଇଥାଏ। ଏଥିସହିତ ବ୍ଲଡ୍ ପ୍ରେସର୍ ଓ ହାଟ୍ ବିଟ୍ ମଧ୍ୟ ବଢ଼ିଯିବାର ଆଶଂକା ଥାଏ। ଟବାକୋରେ ସିଆନାଇଡ୍ ପରି ବିଷାକ୍ତ ଦ୍ରବ୍ୟ ଥିବାର ମଧ୍ୟ ପ୍ରମାଣ ମିଳେ। ଓଡିଶାର ସ୍ଥାନେ ସ୍ଥାନେ ଧୂଆଁପତ୍ର ନାମରେ ଜଣା ଏହି ଟବାକୋର ପତ୍ରଗୁଡ଼ିକ ଚୋବାଇବା ଦ୍ୱାରା ପରୋକ୍ଷ ଭାବେ କିଡନୀ, ପ୍ରଜନନ ତନ୍ତ୍ର ବା ରିପ୍ରଡକ୍ଟିଭ୍ ସିଷ୍ଟମ୍ ଏବଂ ବ୍ଲଡ୍ ପ୍ରେସରକୁ ପ୍ରଭାବିତ କରେ। କୌଣସି ବଦଅଭ୍ୟାସ ନଥିବା ଜଣେ ବ୍ୟକ୍ତିଙ୍କ ତୁଳନାରେ ଜଣେ ଟବାକୋ ଖାଉଥିବା ବ୍ୟକ୍ତିର ପାଟିରେ କ୍ୟାନସର ହେବାର ସମ୍ଭାବନା 5-9 ଗୁଣ ବଢ଼ିଯାଏ ।
ଅଧିକ ପଢ଼ନ୍ତୁ: ‘ସସୁରାଲ ସିମର କା’ ଫେମ୍ ଦୀପିକା କକ୍କରଙ୍କୁ କ୍ୟାନସର
ସିଗାରେଟ୍ ଧୂଆଁକୁ ବାରଣ କରିବା ବେଳେ ଧୂଆଁ ରହିତ ଟବାକୋ ଥିବା ପଦାର୍ଥଗୁଡ଼ିକ ହେଲା ଖଇନି, ଗୁଟଖା, ଗୁଆ ସହ ଚୋବାଇ ଖିଆଯାଏ। ଏଥିରୁ ମନୁଷ୍ୟର ପାଟିରେ ହ୍ୟୁମାନ୍ ପାପିଲୋମା ଭାଇରସ୍ (16 ଆଉ18ଟି) ଦ୍ୱାରା ପାଟିରେ ବିଭିନ୍ନ ଘା ବାହାରେ। ଧିରେ ଧିରେ ଏହା କେବେ କର୍କଟ ହୋଇଯାଏ। ଏପରି ଦାନ୍ତ ଓ ଜିଭ ମଝିରେ ଟବାକୋ ବା ଖଇନି ଜାକି ଖାଉଥିବା ବ୍ୟକ୍ତିମାନଙ୍କ ପାଟିରେ ଏକ ଧଳା ପ୍ୟାଚ୍ ପରି ଦେଖାଯାଏ ଯାହାକୁ ଲିଉକୋପ୍ଲାକିଆ କୁହାଯାଏ। ଏହି ଦାଗ ସହଜରେ ଯାଏ ନାହିଁ। ଆପଣ ଯଦି ଏହି ସମୟରେ ଟବାକୋ ଖାଇବା ବନ୍ଦ କରନ୍ତି, ତେବେ ଏହା ଧୀରେ ଧୀରେ କମିପାରେ। ପାଟି ଭିତରେ କୌଣସି ଛୋଟ ବ୍ରଣ ପରି ହୋଇଥିବା ବୃଦ୍ଧି ଯଦି ଘଟୁଛି ତେବେ ଡେରି ନକରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।
ଗାଁ ଗହଳିରେ ଆପଣମାନେ ଦେଖିଥିବେ ପାଟିରେ କଳ ପାଖରେ ଗୁଡ଼ାଖୁ, ଗୁଟଖା ଆଦି ଜାକି ରଖିଥିବେ ବହୁ ସମୟ ଯାଏଁ। ସେସବୁ ବହୁତ ସମୟ ପାଟିରେ ରହିଲେ କ୍ଷତିକାରକ । ପାଟିରେ ବିଭିନ୍ନ ପ୍ରକାର ଘା ପରି ବାହାରିବା ସ୍ଥଳେ ଏହା ଧୀରେ ଧୀରେ ଭିତରକୁ ବ୍ୟାପିଯାଏ। ଏହା ଖାଦ୍ୟନଳୀ କ୍ୟାନସର୍ ଓ ପାନକ୍ରିଆସ କ୍ୟାନସରକୁ ମଧ୍ୟ ଡାକିଆଣେ। ବର୍ତ୍ତମାନ ସ୍କୁଲ୍ରେ ମଧ୍ୟ ଉଚ୍ଚ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ଏହି ଗୁଟଖା ପ୍ୟାକେଟ୍ ନେଇଯାଉଥିବା ଦେଖାଯାଉଛି। ଏହାକୁ ଧ୍ୟାନ ଦେଇ ବାପା ମାଆମାନେ ସଚେତନ ହେବା ଦରକାର। ଗର୍ଭବତୀ ମହିଳାମାନେ ଯଦି ଗୁଟଖା ଖଆନ୍ତି ଏହା ତାଙ୍କର ଶିଶୁ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ବେଳବେଳେ ଛୁଆ ବିକଳାଙ୍ଗ ହୋଇ ଜନ୍ମ ହେବାର ନଜିର ମଧ୍ୟ ରହିଛି। ସରକାର ବାରମ୍ବାର ଏସବୁ ତମାଖୁ ବା ଟବାକୋ ସାମଗ୍ରୀର ବିକ୍ରି ରୋକିବାକୁ ଚେଷ୍ଚା କରି ବାରମ୍ବାର ବିଫଳ ହେଉଛନ୍ତି ।
ପାଟି ଭିତର ଏବଂ ଇସୋଫାଗସ୍ ବା ଖାଦ୍ୟନଳୀ ଭିତରକୁ ଏହି ଗୁଟଖା ବା ତମାଖୁ ପ୍ରଭାବିତ କଲା ବେଳେ ଏହାକୁ ବନ୍ଦ କରିବାକୁ ଅଭ୍ୟାସ କରିବା ସମୟରେ ଆପଣ ମୁଖବାସ ହିସାବରେ ପାନ ଖାଇପାରିବେ। ଏଥିରେ କୌଣସି କୃତ୍ରିମ ମସଲା ନ ଦେଲେ ସମ୍ପର୍ଣ୍ଣ ପ୍ରାକୃତିକ ପାନ,
ଗୁଜୁରାତି, ଅଳେଇଚ ଇତ୍ୟାଦି ଆମେ ଖାଇବା ପରେ ବା ଦିନର କୌଣସି ସମୟରେ ଖାଇପାରିବା। ଗୁଟଖାର ଖରାପ ଦିଗ ପ୍ରତି ସଚେତନ ହୋଇ ସମସ୍ତଙ୍କୁ ଜାଗ୍ରତ କଲେ ମୁଖ ଗହ୍ୱର କ୍ୟାନସରକୁ ମଧ୍ୟ ଏଡ଼େଇ ଦିଆଯାଇପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)