• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଇଏଏସ, ଓଏଏସ୍ , ରେଲୱେ ଓ ବ୍ୟାକିଂ ଭଳି ଚାକିରି ପାଇଁ କୋଚିଂ ଦେଉଥିବା ବଣିକ୍ କୋଚିଂ ସେଣ୍ଟର ନାଁରେ କୋଟି କୋଟିର ଟିକସ ଫାଙ୍କି ଅଭିଯୋଗ। ସେଣ୍ଟ୍ରାଲ୍ ଜିଏସ୍ଟି ବିଭାଗର ଅତର୍କିତ ରେଡ୍ ପରେ ସୃଷ୍ଟି ହୋଇଛି ହଇଚଇ । ସେପଟେ ବଣିକ୍ ସିଏମ୍ଡିଙ୍କ ବିଜେଡି ଲିଙ୍କ୍ ପଦାକୁ ଆସିବା ପରେ ତେଜିଛି ରାଜନୀତି।

ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ସେଣ୍ଟ୍ରାଲ GST ପକ୍ଷରୁ ଅତର୍କିତ ଚଢ଼ଉ ପରେ କୋଟି କୋଟି ଟଙ୍କାର ଟିକସ ଫାଙ୍କି ଜାଲରେ ପଡିଛି ଆଇଏଏସ୍, ଓଏଏସ୍, ରେଲୱେ, ବ୍ୟାଙ୍କିଂ ଓ ଏସଏସସି ଚାକିରି ପାଇଁ ପାଠ ପଢ଼ାଉଥିବା ଏହି ସଂସ୍ଥା ।

ପ୍ରାୟ ୧୮ ଘଣ୍ଟା ଧରି ୩୦ ଅଫିସରଙ୍କ ତନାଘନା । ପ୍ରାରମ୍ଭିକ ସ୍ତରରେ ପ୍ରାୟ ୨ କୋଟିରୁ ଅଧିକ ଟଙ୍କାର ଟିକସ ଗଫଲତି ସନ୍ଦେହରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଚଢ଼ଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଓ ତଥ୍ୟ ନିଜ ହେପାଜତକୁ ନେଇ ଖୋଳତାଡ଼ ଚଳାଇଛି । ବଣିକ୍ ସିଏମଡି ସୁବ୍ରତ ଛାଟୋଇଙ୍କୁ ବି DGGI ପକ୍ଷରୁ ପଚରାଉଚରା କରାଯାଇଛି । ଡିଜିଜିଆଇ ଅତିରିକ୍ତ ଡାଇରେକ୍ଟର ଜେନେରାଲ ଦେବାଶିଷ ସାହୁଙ୍କ ସୂଚନା ଅନୁସାରେ, ଏହି ସଂସ୍ଥା ଛାତ୍ରଛାତ୍ରୀଙ୍କଠାରୁ ଉଭୟ କୋଚିଂ ଫି ଓ ଷ୍ଟଡି ମ୍ୟାଟେରିଆଲ୍ ବାବଦରେ ଅର୍ଥ ଆଦାୟ କରୁଥିଲା । ଯଦିଓ କୋଚିଂ ବାବଦ ଫିରୁ ୧୮ ପ୍ରତିଶତ ଜିଏସ୍ ଟି ଦେଉଥିଲା କିନ୍ତୁ ଷ୍ଟଡି ମ୍ୟାଟେରିଆଲ୍ ସପ୍ଲାଏ ବାବଦ ହିସାବରେ ଗଡ଼ବଡ଼ ରହିଛି । 

ଖାଲି ସେତିକି ନୁହେଁ, ଯାହା ବ୍ୟବସାୟ କରୁଥିଲା, ତାଠୁ କମ୍ ଦେଖାଇ ବି ଟିକସ ଫାଙ୍କିରେ ମାତିଥିଲା । ତେବେ ଏହି ଠକେଇର ପ୍ରକୃତ ହିସାବ ଜାଣିବାକୁ ଅଧିକ ସମୟ ଲାଗିପାରେ । ତେବେ ରୋଚକ ହେଉଛି, ପ୍ରଥମେ ଅଭିଭାବକ ହୋଇ ଗୁଇନ୍ଦା ତଥ୍ୟ ହାସଲ କରିବା ପରେ ହଠାତ୍ ରେଡ୍ କରାଯାଇଛି ବୋଲି କହିଛନ୍ତି ଦେବାଶିଷ ସାହୁ ।

ଗୋଟିଏ ପଟେ ଟିକସ ଫାଙ୍କି ରେଡ୍ ହଇଚଇ ତ ଅନ୍ୟପଟେ ବଣିକ୍ ସିଏମଡି ସୁବ୍ରତ ଛାଟୋଇଙ୍କର ଆସିଛି ବିଜେଡି ଲିଙ୍କ୍ । ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ତାଙ୍କର ଏକାଧିକ ଫଟୋ ବି ସୋସିଆଲ ମିଡିଆ ରେ ବୁଲୁଛି । ପୁରା ଘଟଣା ସମ୍ପର୍କରେ ସୁବ୍ରତଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇନଥିଲା ।

ତେଣେ ଏ ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି । କଡ଼ା ମନ୍ତବ୍ୟ ରଖି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବୁ । ତା’ସହ ସାଲୁଜା ଅଭିଯୋଗ କରିଛନ୍ତି ଯେ, ବଣିକ୍ ସିଏମଡି ବିଜେଡି ଆଇଟି ସେଲର ଜଣେ ସଦସ୍ୟ । ଓଡ଼ିଶା ରେ ଯେତେ ଫେକ୍ ଚାକିରି ଦିଆଯାଉଛି, ସବୁଥିରେ ବିଜେଡି ସଂପୃକ୍ତ । ବିଜେଡି ଲୋକ ଆଇଟି ସେଲରେ ରହି ମେଧାବୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ବିଜେଡିର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ ।

ସେପଟେ ବିଜେପି କହିଛି ଠୋସ୍ ପ୍ରମାଣ ଧରି ଜିଏସ୍ଟି ଚଢ଼ଉ ହୋଇଛି, ସତ୍ୟ ପଦାକୁ ଆସୁ । ଜବାବରେ ବିଜେଡି କହିଛି- ଯିଏ ଦୋଷ କରିଥିବ ସିଏ ଫଳ ପାଇବ । ଏବେ ଦେଖିବାର କଥା ଆଗକୁ ଏ ଘଟଣାର ମୋଡ କୁଆଡ଼େ ଯାଉଛି ।

(ରିପୋର୍ଟର - ଭୁବନେଶ୍ୱରରୁ ଆଲୋକ ମହାନ୍ତି ଓ ଜଗଦୀଶ ଦାଶ)