• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କମିଶନରେଟ୍ ପୋଲିସ ଉପରକୁ ନାଗ ଫଁ । ଇଡିକୁ ରିମାଣ୍ଡରେ ଯିବା ପୂର୍ବରୁ ପୋଲିସ ବିରୋଧରେ ବିଷୋଦ୍‌ଗାର । ସାଙ୍ଘାତିକ ଅଭିଯୋଗ । ଗିରଫଦାରୀକୁ ନେଇ ପ୍ରଶ୍ନବାଣ । ଥାନାରେ ଅଟକ ରଖି ମାନସିକ ଚାପର ଅଭିଯୋଗ ଆଣି କମିଶନରେଟ୍ ପୋଲିସ ବିରୋଧରେ ବର୍ଷିଛି ଅଭିଯୁକ୍ତ ଲେଡି ବ୍ଲାକମେଲର ଅର୍ଚ୍ଚନା । କହିଛି, ୬୦ ଘଣ୍ଟା ଧରି ବାଲିଅନ୍ତା ଥାନାରେ ଆଣି ଅଟକ ରଖିଲା ପୋଲିସ । ୬ ଦିନ ଯାଏଁ କଣ ସବୁ ଘଟୁଥିଲା ମୁଁ ଜାଣିପାରିନଥିଲି । ଏପରିକି ପରିବାର ଲୋକଙ୍କୁ ବି ନଜର ଅନ୍ଦାଜ କରି ରଖାଯାଇଥିଲା । କିନ୍ତୁ ଜେଲ୍ ଭିତରକୁ ଆସିବା ପରେ ଜଣାପଡ଼ିଥିଲା ଗିରଫଦାରୀର କାରଣ । ଏମିତିକି ଅଭିଯୋଗକାରୀ କିଏ ମୁଁ ଜାଣିପାରିନଥିଲି ବୋଲି କହିଛି  ଅର୍ଚ୍ଚନା ନାଗ

କେବଳ ଏତିକି ନୁହେଁ, ୨୯ ଅକ୍ଟୋବରରେ ଅକ୍ଷୟ ପରିଜାଙ୍କ ଏତଲା ଓ ନଭେମ୍ବର ୨ରେ ଶ୍ରଦ୍ଧାଞ୍ଜଳିଙ୍କ ପାଲଟା ଏତଲାକୁ ନେଇ ପ୍ରଶ୍ନ ଉଠାଇଛି ଅର୍ଚ୍ଚନା । ତାସହ ଆତଙ୍କବାଦୀ ଭଳି ବ୍ୟବହାର ସହ ଆଖି, ମୁହଁ, ପାଟିକୁ ବନ୍ଦ କରି ପୋଲିସ ଗିରଫ କରିଥିବା ଅଭିଯୋଗ କରିଛି ଅର୍ଚ୍ଚନା । 

ଅକ୍ଟୋବର ୨୯ । ପ୍ରଥମେ ଅର୍ଚ୍ଚନା ଓ ସହଯୋଗୀ ଶ୍ରଦ୍ଧାଞ୍ଜଳି ବିରୋଧରେ ୨ କୋଟି ଟଙ୍କା ବ୍ଲାକମେଲ୍ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା । ଏହାପରେ ଅଭିଯୁକ୍ତ ସାଜିଥିବା ଶ୍ରଦ୍ଧାଞ୍ଜଳି ନିଜକୁ ପୀଡ଼ିତା ଦର୍ଶାଇ ନଭେମ୍ବର ୨ରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ପାତ୍ର ବିରୋଧରେ ଏତଲା ଦେଲେ ଖଣ୍ଡଗିରି ଥାନାରେ ।

ଅଧିକ ପଢ଼ନ୍ତୁ: ଅର୍ଚ୍ଚନାଙ୍କ ଚେତାବନୀ ! ୩୦ ମିନିଟ୍ ଦିଅ ସବୁ ପ୍ରମାଣ ଦେବି, ନେତା କି ମନ୍ତ୍ରୀ ସବୁ କହିବି

ଏହି ଏତଲା ଆଧାରରେ ପୋଲିସ ପ୍ରାୟ ୧୬ଟି ଦଫା ଲଗାଇ ତୁରନ୍ତ ଅର୍ଚ୍ଚନାକୁ ଗିରଫ କରିଥିଲା । କିନ୍ତୁ ଜଗବନ୍ଧୁ ଓ ଖଗେଶ୍ୱରକୁ ପଚରାଉଚରା କରି ଛାଡ଼ିଦେଇଥିଲା ପୋଲିସ । ଆଉ ସମାନ ଦଫା ଲାଗିଥିଲେ ସୁଦ୍ଧା ଦୀର୍ଘଦିନ ପରେ ଯାଇ ଜଗବନ୍ଧୁକୁ ଗିରଫ କରିଥିଲା  ା କିନ୍ତୁ ପୋଲିସ ରାଡାରରୁ ଖସିଯାଇଥିବା ଖଗେଶ୍ୱରକୁ ତଦନ୍ତଭାର ନେବା କ୍ଷଣି ବାନ୍ଧି ଥିଲା ଇଡି ।

ତେବେ ସମାନ ଦଫା ଲାଗିଥିଲେ ବି କାହିଁକି ନାଗ-ଚାନ୍ଦ ଦମ୍ପତ୍ତି ସହ ଖଗେଶ୍ୱରକୁ ଏକା ସାଙ୍ଗରେ ବାନ୍ଧିନଥିଲା ପୋଲିସ ? ଅକ୍ଷୟ ପରିଜାଙ୍କ ଏତଲାରେ ଅଭିଯୁକ୍ତ ଥିବା ଶ୍ରଦ୍ଧାଞ୍ଜଳି ନିଜକୁ ପୀଡ଼ିତା ଦର୍ଶାଇ ପାଲଟା ଏତଲା ଦେବା ଓ ସେହି ଏତଲା ଆଧାରରେ ଅର୍ଚ୍ଚନା, ଜଗବନ୍ଧୁକୁ ଗିରଫ ପଛର ରହସ୍ୟ କଣ ? କାହିଁକି ଶ୍ରଦ୍ଧାଞ୍ଜଳିକୁ ଗିରଫ କରିନଥିଲା ପୋଲିସ ? କେବଳ ଏତିକି ନୁହେଁ, ଇଡିକୁ ତଥ୍ୟ ଦେବାରେ ପୋଲିସର ଅହେତୁକ ବିଳମ୍ବ ପଛର କାରଣକୁ ନେଇ ବି ନାନା ପ୍ରଶ୍ନ ଉଠୁଛି । ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ କୁହାଯାଉଥିବା ମାମଲାରେ ବଡ଼ବଡ଼ିଆଙ୍କ ସଂପୃକ୍ତ ଥିବାରୁ ପୋଲିସ ହାତେ ମାପି ଚାଖଣ୍ଡେ ଚାଲୁଥିଲା କି ? ଇଡିର ତଦନ୍ତ ପ୍ରକ୍ରିୟା ଭିତରେ ଯଦି କୌଣସି ଅପରାଧିକ ଦିଗ ସାମ୍ନାକୁ ଆସେ ତାହେଲେ ଏହାର ତଦନ୍ତ କରିବ କିଏ ? କମିଶନରେଟ୍ ପୋଲିସ ଇଡିକୁ ଏଦିଗରେ ସହଯୋଗ କରିବ ତ ? 

କୁହାଯାଉଛି, ଲେଡି ବ୍ଲାକମେଲର ଅର୍ଚ୍ଚନାର ନାଗଫାଶରେ ରାଜ୍ୟର ୧୮ ବିଧାୟକ, ୩ ମନ୍ତ୍ରୀ ଏବଂ ଅନେକ ଅଫିସର ପଡ଼ିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ଅର୍ଚ୍ଚନାକୁ ତରବରିଆ ଭାବେ ଗିରଫ ହେଉ କିମ୍ବା ତଦନ୍ତକୁ ସୀମିତ କରି ରଖିବା ହେଉ, ପୋଲିସ କିନ୍ତୁ ମୁହଁ ଖୋଲିନଥିଲା । ଯାହାକୁ ନେଇ ନାନା ପ୍ରଶ୍ନ ଉଠିଥିବାବେଳେ ଗଣମାଧ୍ୟମ ପ୍ରତିନିଧିମାନେ କେବଳ ଅର୍ଚ୍ଚନା ପ୍ରସଙ୍ଗ କଥା ଉଲ୍ଲେଖ କରୁ କରୁ ଦିନେ ପୋଲିସ କମିଶନର ବି ମୁହଁ ବୁଲାଇ ଚାଲିଯାଇଥିଲେ । ତେବେ ଆଜି ଡିସିପି କ୍ୟାମେରା ପଛରେ କହିଛନ୍ତି, ଆମେ ଠିକ୍ ପ୍ରକ୍ରିୟାରେ ସବୁ କରିଛୁ ।

ଏବେ ଅପେକ୍ଷା, କମିଶନରେଟ୍ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ୭ ଦିନିଆ ରିମାଣ୍ଡ ଭିତରେ ଇଡିକୁ କି ତଥ୍ୟ ଦେଉଛି । କେଉଁ ବଡ଼ବଡ଼ିଆଙ୍କର ଗୁମର ଖୋଲୁଛି ।