• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୀନ୍‌ରେ କରୋନାର ବିସ୍ଫୋରଣ ପରେ ସଜାଗ ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ ଦେଶର କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ମାଣ୍ଡଭିୟ କହିଛନ୍ତି, ବର୍ତ୍ତମାନ କରୋନାର ଭୟବହତା ସମ୍ପୂର୍ଣ୍ଣ ଦୂର ହୋଇନି ।

ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ । ଦେଶରେ ସର୍ଭେଲାନ୍ସ ବଢାଇବାକୁ ନିର୍ଦ୍ଦେଶ ଦେବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବୈଠକରେ ଯୋଗ ଦେଇଥିବା ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି, ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ତଥାପି ସମସ୍ତଙ୍କୁ ଘରେ ଏବଂ ବାହାରେ ଭିଡ ଭିତରେ ମାସ୍କ ପିନ୍ଧିବାକୁ ହେବ । ବରିଷ୍ଠ ନାଗରିକ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ । ସମସ୍ତଙ୍କୁ ବୁଷ୍ଟର ଡୋଜ୍ ନେବାକୁ ଅନୁରୋଧ କରିଛନ୍ତି ନୀତି ଆୟୋଗ ସଦସ୍ୟ।

ଏପଟେ ଜେନମ ସିକ୍ୟୁଏନସିଂ ନେଇ କେନ୍ଦ୍ରର ଚିଠି ପାଇବା ପରେ ତତ୍ପରତା ପ୍ରକାଶ କରିଛି ରାଜ୍ୟ । ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଟେଷ୍ଟିଂ ପାଇଁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଜେନମ୍ ସିକ୍ୟୁଏନସିଂ ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି । ବର୍ତ୍ତମାନ ଯିଏ ଆକ୍ରାନ୍ତ ହେବେ ତାଙ୍କର ଜେନମ୍ ସିକ୍ୟୁଏନ୍ସିଂ କରାଯିବ । ତେବେ ରାଜ୍ୟରେ ସଂକ୍ରମଣ ନିମ୍ନ ସ୍ତରରେ ଅଛି । ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସେପଟେ ଆଗକୁ ହକି ବିଶ୍ୱକପ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱରରାଉରକେଲା ରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ: ଭାରତକୁ ଫେରିଲା କି କରୋନା ? ଭିଡ଼ ଭିତରେ ମାସ୍କ ପିନ୍ଧିବାକୁ କେନ୍ଦ୍ରର ପରାମର୍ଶ

ସେପଟେ ଚୀନ୍‌ରେ ଆତଙ୍କ ଖେଳାଇଛି କୋଭିଡ୍‌ର ନୂଆ ଭାରିଆଣ୍ଟ । ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଆକ୍ରାନ୍ତଙ୍କୁ ବେଡ୍ ମିଳୁନି, ହସପିଟାଲ ହାଉସଫୁଲ ଶ୍ମଶାନରେ ବି ଅପେକ୍ଷାର ଅନ୍ତ ନାହିଁ । କରୋନା ମୃତକଙ୍କ ଲମ୍ବା ଲାଇନ୍ । ୨୪ ଘଣ୍ଟା ଚାଲିଛି ଶେଷକୃତ୍ୟ । ଚୀନ୍ ସମେତ ଜାପାନ, ଆମେରିକା, ବ୍ରାଜିଲ ଏବଂ କୋରିଆରେ ମଧ୍ୟ ସଂକ୍ରମଣର ଉଚ୍ଚ ଟ୍ରେଣ୍ଡ । ଏବେ ସାରା ବିଶ୍ୱରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ଏପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖି ଭାରତ ଯୋଡୋ ଯାତ୍ରାରେ କୋଭିଡ ନିୟମ ପାଳନ ପାଇଁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ । ଯଦି କୋଭିଡ କଟକଣା ଭିତରେ ଭାରତ ଯୋଡୋ ଯାତ୍ରା କରିବା ସମ୍ଭବ ହେଉନାହିଁ ତେବେ ଦେଶ ହିତ ଦୃଷ୍ଟିରୁ ଯାତ୍ରାକୁ ସ୍ଥଗିତ ରଖିବାକୁ ରାହୁଲଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।