/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747463358.jpg)
ଫେରିଲା କରୋନା
ପୁଣି ଫେରିଲାଣି କରୋନା ସଂକ୍ରମଣ । ୩୦ ପ୍ରତିଶତ ବଢିଗଲାଣି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଚିହ୍ନଟ ହୋଇ ସାରିଲେଣି ୧୪ ହଜାର ୨୦୦ ରୋଗୀ । ରୋଗ ପ୍ରତିରୋଧକ ଶକ୍ତି କମୁଛି, ସଂକ୍ରମଣ ବଢୁଛି । ପୁଣି ଚିନ୍ତା ବଢ଼ାଇଲାଣି କରୋନା ଭାଇରସ୍ । ହୁ ହୁ ବଢିଲାଣି ସଂକ୍ରମଣ । ଏସିଆ ମହାଦେଶରେ କୋଭିଡର ନୂଆ ଲହର ଆସୁଥିବା ସତର୍କ କରାଇଦେଲେଣି ସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ସଂକ୍ରମଣ ବଢୁଥିବାର ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଛି। ହଂକଂ ଓ ସିଙ୍ଗାପୁରରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ନମୂନା ପରୀକ୍ଷା କରାଯାଇଥିବା ବେଳେ ଅଧିକାଂଶ ପଜିଟିଭ୍ ବାହାରିଛି । ଯାହା ଗତ ବର୍ଷ ତୁଳନାରେ ଢେର୍ ଅଧିକ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୁରୁତର ରୋଗୀ ଓ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ହଂକଂରେ ପ୍ରାୟ ଏକ ବର୍ଷ ମଧ୍ୟରେ କରୋନା ମାମଲା ଏବଂ ମୃତ୍ୟୁ ସର୍ବାଧିକ ସ୍ତରରେ ପହଞ୍ଚିଛି । ମେ ୩ ତାରିଖ ସପ୍ତାହାନ୍ତରେ ହଂକଂରେ କରୋନା ଭାଇରସ୍ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ: ରାଜ୍ୟରୁ ନିଖୋଜ ଶହ ଶହ ସରକାରୀ ଡାକ୍ତର, ୨୫ ବର୍ଷ ଧରି କାହାର ନାହିଁ ଖୋଜ ଖବର
ତେବେ କେବଳ ହଂକଂ ନୁହେଁ ସିଙ୍ଗାପୁରରେ ମଧ୍ୟ କରୋନା କେସ୍ ବଢିଚାଲିଛି । ସିଙ୍ଗାପୁରରେ ପୂର୍ବ ସପ୍ତାହ ତୁଳନାରେ କୋଭିଡ କେସ୍ ୨୮ ପ୍ରତିଶତ ବଢିଛି । ରୋଗୀଙ୍କ ସଂଖ୍ୟା ୧୪ ହଜାର ୨୦୦ରେ ପହଞ୍ଚିଛି । ଆଉ ହସ୍ପିଟାଲରେ ଆଡମିଶନ ନେଉଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୩୦ ପ୍ରତିଶତ ବଢ଼ିଯାଇଛି । ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ କୋଭିଡ ରୋଗୀଙ୍କ ସଂଖ୍ୟା ବଢି ଥାଇପାରେ ବୋଲି ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗତ କିଛି ମାସ ଧରି ଏସିଆରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ସମସ୍ତେ ଟିକା ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଉଛି। ତେବେ ଯେଉଁମାନଙ୍କର ଅଧିକ ରିସ୍କ ରହିଛି ସେମାନେ ବୁଷ୍ଟର ଡୋଜ୍ ନେବାକୁ କୁହାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଗତ ୫ ସପ୍ତାହରେ ଚୀନରେ ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି। ଯାହାକୁ ନିୟନ୍ତ୍ରଣ ଭିତରେ ରଖିବାକୁ ଚେଷ୍ଟା ଜାରି ରଖିଛି ଚୀନ୍ ।
ସେପଟେ ହଂକଂ, ସିଙ୍ଗାପୁରରେ କୋଭିଡ୍ ସଂକ୍ରମଣ ବଢ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, ଏନେଇ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି । ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି । ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି । ଆମକୁ ଆଲର୍ଟ ରହିବାକୁ କୁହାଯାଇଛି । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଛି । ରାଜ୍ୟରେ ଦୀର୍ଘ ଦିନ ହେଲା ପଜିଟିଭ୍ କେସ୍ ଆସିନି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)