Advertisment

State Health Department Action on Missing Government Doctors: ରାଜ୍ୟରୁ ନିଖୋଜ ଶହ ଶହ ସରକାରୀ ଡାକ୍ତର, ୨୫ ବର୍ଷ ଧରି କାହାର ନାହିଁ ଖୋଜ ଖବର

ଜଣେ କି ଦୁଇ ଜଣ ନୁହନ୍ତି, ରାଜ୍ୟରେ ନିଖୋଜ ଅଛନ୍ତି ଶହ ଶହ ସରକାରୀ ଡାକ୍ତର। କିଏ ୧୯୯୨ ମସିହାରୁ ଅର୍ଥାତ୍ ୩୩ ବର୍ଷ ହେଲା ଗାଏବ ହୋଇଗଲାଣି ତ’ କାହାର କାହାର ୨୦-୨୫ ବର୍ଷ ହେଲା ଖୋଜଖବର ନାହିଁ ।

author-image
Santosh Kumar Sahoo
ଶହ ଶହ ଡାକ୍ତର ନିଖୋଜ କାହିଁକି ?

ଶହ ଶହ ଡାକ୍ତର ନିଖୋଜ କାହିଁକି ?

ରାଜ୍ୟରୁ ନିଖୋଜ ଶହ ଶହ ସରକାରୀ ଡାକ୍ତର । ବର୍ଷ ବର୍ଷ ହେଲା କାମକୁ ଆସୁ ନଥିବା ଏସବୁ ଡାକ୍ତର କିନ୍ତୁ ଏବେ ବି ମାଡ଼ିବସିଛନ୍ତି ବିଭିନ୍ନ ପଦପଦବୀ । ଏବେ ଏହାକୁ ଗୁରୁତ୍ବର ସହ ନେଇ ଆକ୍ସନ ମୋଡ୍‌କୁ ଆସିଛି ସ୍ବାସ୍ଥ୍ୟ ବିଭାଗ । ୨୪୪ ଜଣଙ୍କର ତାଲିକା ପ୍ରକାଶ କରି କାରଣ ଦର୍ଶାଅ ନୋଟିସ ଜାରି କରିଛି। ବାକି ନିଖୋଜ ଡାକ୍ତରଙ୍କ ଡାଟାବେସ୍ ପ୍ରସ୍ତୁତ କରାଯାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ କହିଛ। ଏପଟେ ଡାକ୍ତର ସଂଘ କହିଛନ୍ତି, ସରକାରୀ ଚାକିରିରେ ଭଲ ବେତନ, ପଦୋନ୍ନତି କି ସୁବିଧା ମିଳୁନଥିବାରୁ ଅଧାରୁ ପଳାଉଛନ୍ତି ଡାକ୍ତର ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଫେରିଲା କୋଭିଡ-୧୯, ଚିନ୍ତା ବଢ଼ାଇଲା ନୂଆ ଲହର

ଜଣେ କି ଦୁଇ ଜଣ ନୁହନ୍ତି, ରାଜ୍ୟରେ ନିଖୋଜ ଅଛନ୍ତି ଶହ ଶହ ସରକାରୀ ଡାକ୍ତର। କିଏ ୧୯୯୨ ମସିହାରୁ ଅର୍ଥାତ୍ ୩୩ ବର୍ଷ ହେଲା ଗାଏବ ହୋଇଗଲାଣି ତ’ କାହାର କାହାର ୨୦-୨୫ ବର୍ଷ ହେଲା ଖୋଜଖବର ନାହିଁ । ହେଲେ ଏସବୁ ନିଖୋଜ ଡାକ୍ତର ଏବେ ବି ସରକାରୀ ଚାକିରିଆ ଓ ବିଭିନ୍ନ ପଦପଦବୀ ମାଡ଼ି ବସିଛନ୍ତି । ଏହି କାରଣରୁ ସେସବୁ ପଦବୀରେ ବି ନୂଆ ନିଯୁକ୍ତି ଦେଇପାରୁନି ସ୍ବାସ୍ଥ୍ୟ ବିଭାଗ । ତେଣୁ ବର୍ଷ ବର୍ଷ ଧରି ଡାକ୍ତରଙ୍କ ଏଭଳି ନିଖୋଜ ଘଟଣାକୁ ଗୁରୁତ୍ବର ସହ ନେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ପଦକ୍ଷେପ ସ୍ବରୂପ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ପ୍ରଥମ ପର୍ଯ୍ୟାୟରେ ୨୦୧୦ ପୂର୍ବରୁ ନିଖୋଜ ଥିବା ୩୩ ଜଣ ଡାକ୍ତରଙ୍କ ତାଲିକା ଗଣମାଧ୍ୟମରେ ପ୍ରକାଶ କରି ୧୫ ଦିନ ଭିତରେ ଅନୁପସ୍ଥିତିର କାରଣ ଦର୍ଶାଇବାକୁ ବିଜ୍ଞପ୍ତି ଜାରି କରିଥିଲା ବିଭାଗ ।

ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟକ୍ଷେତ୍ରକୁ ଆସୁନଥିବା ଆଉ ୨୧୧ ଡାକ୍ତରଙ୍କ ତାଲିକା ପ୍ରକାଶ କରି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେବେ ଏତିକିରେ ସରିଯାଇନି ନିଖୋଜ ଡାକ୍ତରଙ୍କ ତାଲିକା । ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ କହିଛନ୍ତି, ନିଖୋଜ ଡାକ୍ତରଙ୍କ ଡାଟାବେସ୍ କରାଯାଉଛି । ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏପରିକି ଚାକିରିରୁ ବି ଡିସମିସ୍ କରାଯିବ ।

Advertisment

ଏବେ ପ୍ରଶ୍ନ ଉଠୁଛି, ବାସ୍ତବରେ ରାଜ୍ୟରେ ଏବେ କେତେ ଡାକ୍ତର ନିଖୋଜ ଅଛନ୍ତି ? ସରକାରୀ ଚାକିରୀ ଭଲ ଲାଗୁନି ନା ଆଉ କିଛି ? ଆଉ ଯଦି ସରକାରୀ ଚାକିରୀ ଭଲ ଲାଗୁନି, ଇସ୍ତଫା କାହିଁକି ଦେଉନାହାନ୍ତି ? ଓଡ଼ିଶା ମେଡିକାଲ ସେବା ସଂଘ କହିଛି, ସରକାରୀ ଚାକିରିରେ ଉଚ୍ଚ ବେତନ ମିଳୁନି । ଠିକ୍ ସମୟରେ ପଦନ୍ନୋତି ବି ଦିଆଯାଉନି ।

ଅନ୍ୟପଟରେ କେବିକେ ଅଞ୍ଚଳକୁ ୫ ବର୍ଷିଆ ସର୍ତ୍ତରେ ପଠାଯାଉଥିବା ଡାକ୍ତରଙ୍କୁ ୮-୧୦ ବର୍ଷ ପରେ ବି ଫେରିପାରୁନାହାନ୍ତି । ଏମିତିକି ଅନେକ ସ୍ଥାନରେ ଡାକ୍ତରଙ୍କ ଲାଗି ଭଲ କ୍ବାର୍ଟରଟେ ନାହିଁ କି ଡାକ୍ତରଖାନାରେ ଚିକିତ୍ସା ଲାଗି ଆବଶ୍ୟକୀୟ ଉପକରଣ ବି ରହୁନି। ସରକାରୀ ଚାକିରି କରିବାର କିଛିଦିନ ଭିତରେ ଏସବୁରେ ବିତସ୍ପୃହ ହୋଇ ଅଧାରୁ ଚାକିରି ଛାଡ଼ି ଭଲ ବେତନ, ଭଲ ପୋଜିସନ ଓ ଭଲ ସୁବିଧା ମିଳୁଥିବା ଘରୋଇ ହସ୍ପିଟାଲ ନହେଲେ ମେଡିକାଲ କଲେଜରେ ଯୋଗଦେଉଛନ୍ତି ।

ଏସବୁ ଭିତରେ ରାଜ୍ୟରେ ଆଉ ୫ ହଜାର ୨୪୮ ଡାକ୍ତରଙ୍କ ନିଯୁକ୍ତି ପାଇଁ ଓପିଏସ୍‌ସିଙ୍କୁ ଦାୟିତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ। ତେବେ ବର୍ଷ ବର୍ଷ ହେଲା ଚିକିତ୍ସା ସେବା ନ ଯୋଗାଇ ସରକାରୀ ପଦବୀ ମାଡ଼ିବସିଥିବା ଏ ନିଖୋଜ ଡାକ୍ତରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସ୍ବାସ୍ଥ୍ୟ ବିଭାଗ, ତା’ ଉପରେ ସମସ୍ତଙ୍କ ନଜର ।

ଅଧିକ ପଢ଼ନ୍ତୁ: ଗ୍ରୀଷ୍ମ ଋତୁରେ ମଶା-ମାଛି ଜନିତ ରୋଗରୁ ସୁରକ୍ଷାର ଉପାୟ 

Odisha Doctors Health Department
Advertisment
Related Articles
Advertisment