• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୀପାବଳି ପାଳନ ଅବସରରେ ଦୁର୍ଘଟଣା । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାଣ ଫୁଟାଇବା ବେଳେ ଅନେକ ଦୁର୍ଘଟଣା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବାଣ ଫୁଟେଇବା ବେଳେ ଅନେକ ସ୍ଥାନରେ ଛୋଟ ବଡ଼ ଅଘଟଣ ଦେଖିବାକୁ ମିଳିଛି ।

କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଆହତ ଚିକିତ୍ସା ପାଇଁ ଆସିଛନ୍ତି । କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି । ଛୋଟରୁ ବଡ଼, ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷ ଅନେକ ଆହତ ହୋଇଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଟିମ ତାଙ୍କର ଚିକିତ୍ସା କରୁଥିବା ଜଣା ପଡ଼ିଛି ।

ଅଧିକ ପଢ଼ନ୍ତୁ: ଭୟାଭୟ ଅଗ୍ନିକାଣ୍ତ, ୪୦ ବସ୍ତା ଧାନ ସହ ୬ ଗୋରୁ ଜୀବନ୍ତ ଦଗ୍ଧ

ଅନ୍ୟପଟେ ବାଣ ଫୁଟାକୁ ନେଇ ସମ୍ବଲପୁରରେ ବଡ଼ ଧରଣର ଦୁର୍ଘଟଣା ଘଟି ଯାଇଛି । ଦୀପାବଳି ପାଳନ ବେଳେ ରକେଟ ବାଣରୁ ଆପାର୍ଟମେଣ୍ଟରେ ଲାଗିଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ସହର କ୍ଷେତରାଜପୁରର ଶ୍ୟାମ ବାଟିକା ଆପାର୍ଟମେଣ୍ଟର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା ।

ସୌଭାଗ୍ୟ ବଶତଃ ଫ୍ଲାଟରେ କେହି ନଥିବାରୁ ମୃତାହତର ଖବର ନାହିଁ । ଅଗ୍ନିକାଣ୍ଡର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଆପାର୍ଟମେଣ୍ଟ ନିଆଁରୁ ପାଖରେ ଥିବା ଏକ ଅଳିଆଗଦା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି ।

ନୂଆପଡ଼ା ଜିଲ୍ଲା ସିନାପାଲିରେ ବାଣ ନିଆଁ ଲାଗି ପୋଡ଼ିଗଲା ଘର । ସିନାପାଲି ସନ୍ତୋଷୀ ମନ୍ଦିର ପଡାରେ ରହୁଥିବା ଜମିର ଖାନଙ୍କ ଘରେ ନିଆଁ ଲାଗି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର କପା ଓ ଘରର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇଁ ସିନାପାଲି ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଜମିର ଖାନ ଦୀର୍ଘ ୨୦ ବର୍ଷ ହେବ ବିହାରରୁ ଆସି ସିନାପାଲିରେ ଗଦି ବ୍ୟବସାୟ କରୁଥିଲେ । ତେବେ ନିଆଁରେ ସର୍ବସ୍ବ ହରାଇବା ପରେ ପ୍ରଶାସନ ପକ୍ଷରୁ ସହାୟତା ଦେବାକୁ ଦାବି ହୋଇଛି ।

ଏହା ସହ ଯାଜପୁର ସାଦକପୁର ଓ ବ୍ୟାସନଗର ଅଞ୍ଚଳରେ ବାଣ ଫୁଟାଇବା ବେଳେ ଜଣେ ମହିଳା ଓ ୨ଶିଶୁଙ୍କ ସମେତ ୪ ଆହତ ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ରୋଡ଼ ମେଡ଼ିକାଲରେ ଚିକିତ୍ସା ପରେ ଛାଡି ଦିଆଯାଇଛି । ସେପଟେ ବ୍ୟାସନଗର ପୌରାଞ୍ଚଳର ଦଳା ଓଭରବ୍ରିଜ୍ ନିକଟ ଆଦିବାସୀ ବସ୍ତିରେ ନିଆଁ ଲାଗି ୨ଟି ଘର ଜଳି ଯାଇଛି । ବାଣ ନିଆଁ ଘର ଉପରେ ପଡିବାରୁ ହଠାତ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।