• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

କେନାଲ ପାଣି ଭିତରୁ ଖୋଜା ଚାଲିଛି ଜିନିଷ । କିଏ ନିଜ ଡ୍ରେସ ପତ୍ର କାଢ଼ି ନେଉଛି ତ ଆଉ କିଏ ନିଜ ଓଦା ବ୍ୟାଗ୍‌କୁ ବୋହି ନେଉଛି । ସେହିପରି ଆଉ କିଏ ପାଣିରେ ପଡ଼ିଥିବା ନିଜ ଟଙ୍କାଙ୍କୁ କାଢ଼ି ଆଣି ଶୁଖାଉଛି । ଆଉ କିଏ ଦୁର୍ଘଟଣାରେ ନିଜ ସମସ୍ତ ଟଙ୍କା ପଇସା ହରାଇ ଭାଙ୍ଗି ପଡିଛି । କିଛି ଏମିତି ରହିଥିଲା ଭୁବନେଶ୍ବର ଉତ୍ତରା ଛକ ନିକଟରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା ପରର ଦୃଶ୍ୟ ।

ଅଧା ରହିଯାଇଛି ଜଗା ଦର୍ଶନ। ପୁରୀ ଯାଉଥିଲେ ଶ୍ରଦ୍ଧାଳୁ । ସମସ୍ତେ ମନ୍ଦିର ବୁଲିବା ସହ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଉଥିଲେ । ଆହତ ଶ୍ରଦ୍ଧାଳୁମାନେ ମନ୍ଦିର ଯିବା ବଦଳରେ ପହଞ୍ଚି ଯାଇଛନ୍ତି ହସ୍ପିଟାଲରେ । ବସ୍‌ ଓଲଟି ଜଣକର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।

Also Read

ଅଧିକ ପଢ଼ନ୍ତୁ: କାନ୍ଥରୁ ଲିଭିନାହିଁ ବାହାଘର ଚିତା, ଲିଭିଗଲା ଜୀବନ ଦୀପ

ବାଂଲାଦେଶରୁ ପୁରୀ ଆସୁଥିଲା ଏହି ଯାତ୍ରୀବାହୀ ବସ୍ । ଏଥିରେ ଥିଲେ ୬୦ରୁ ଅଧିକ ଯାତ୍ରୀ । ବାଂଲାଦେଶର ବ୍ରାହ୍ମଣବାଡ଼ି ଓ ଚଟଗ୍ରାମ ଜିଲ୍ଲାରୁ ଏହି ଯାତ୍ରୀମାନେ ଆସୁଥିଲେ ପୁରୀ । ଶ୍ରୀଜଗନ୍ନାଥ ଦର୍ଶନ ପରେ ବିଶ୍ଵନାଥ ଦର୍ଶନ କରିବାର ଯୋଜନା ଥିଲା । ଦୁଇଟି ବସ୍‌ରେ ୧୪୦ ଜଣ ଯାତ୍ରା କରୁଥିଲେ। ଏମାନେ ଅଯୋଧ୍ୟା, ଦ୍ବାରକା ବୁଲି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଉଥିଲେ ।

ସବୁ କିଛି ଠିକ୍‌ ଠାକ୍‌ ଥିଲା । ଗାଡ଼ି ଶ୍ରୀକ୍ଷେତ୍ର ଅଭିମୂଖେ ଗଡ଼ି ଚାଲିଥିଲା । ରାତି ପ୍ରାୟ ୨ଟାରେ ହଠାତ୍‌ ରାତିର ଅନ୍ଧକାରରେ ଘଟିଲା ଅଘଟଣ। କେହି କିଛି ବୁଝିବା ଆଗରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ୍‌ । ଚିତ୍କାର କରି ଉଠିଥିଲେ ପର୍ଯ୍ୟଟକ । ତୁରନ୍ତ ଅନ୍ୟ ବସ୍‌ର ଯାତ୍ରୀ, ସ୍ଥାନୀୟ ଲୋକେ ଏବଂ ପୋଲିସ ମିଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ହସ୍ପିଟାଲ ପଠାଇଥିଲେ ।

ବାଟରେ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । କିଛି ଯାତ୍ରୀଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡ଼ିଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଦ୍ବିତୀୟ ବସ୍‌ର ଡ୍ରାଇଭର ଗାଡି ଚଳାଉଥିବା ସମୟରେ ଶୋଇପଡ଼ିଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରୁ ଉଭୟ ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଥିବା ସହ ପୂରା ଘଟଣାର ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ଦୁର୍ଘଟଣାରେ ଗଲା ବାପା-ମା’ଙ୍କ ଜୀବନ, ଆଖି ସାମ୍ନାରେ ଦେଖିଲା କୁନି ପୁଅ