/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743922808.jpg)
ଲିଭିନି ବାହାଘର ଚିତା, ଜଳିଲା ଜୁଇ
ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ପୂର୍ବରୁ ସବୁଦିନ ପାଇଁ ଉଜୁଡ଼ିଗଲା ସୁଖର ସଂସାର । ଦୁଇମାସ ତଳେ ଧୁମଧାମରେ ହୋଇଥିଲା ବାହାଘର । ସାଙ୍ଗସାଥୀ ଓ ପରିଜନଙ୍କ ସହ ବରଯାତ୍ରୀଙ୍କୁ ନେଇ ନିଜ ସ୍ୱପ୍ନର ନାୟିକାଙ୍କୁ ହାତ ଧରି ଘରକୁ ଆଣିଥିଲେ । ଭବିଷ୍ୟତକୁ ନେଇ କେତେ ସୁନେଲି ସ୍ୱପ୍ନ ବି ଦେଖିଥିଲେ । କିନ୍ତୁ ସେମାନଙ୍କ ଏ ହସଖୁସିର ସଂସାରକୁ ସତେ ଯେମିତି କାହାର ନଜର ଲାଗିଗଲା । କାନ୍ଥରୁ ବାହାଘର ଚିତା ଲିଭିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସବୁକିଛି ଧୂଳିସାତ ହୋଇଗଲା। ଆଉ ଏବେ ନିଜର ସ୍ୱପ୍ନର ମଣିଷକୁ ହରାଇ ମୁଣ୍ଡପିଟି କାନ୍ଦୁଛନ୍ତି ନବ ବିବାହିତା ପତ୍ନୀ । ଆଉ କହୁଛନ୍ତି, ତୁମେ କଥା ଦେଇ ଠକିଦେଲ । ଜନ୍ମ ଜନ୍ମର ସାଥି ହେବାର କଥା ଦେଇ ଏବେ ଏତେ ବଡ଼ ଦୁନିଆରେ ମୋତେ ଏକା କରି ଚାଲିଗଲ । ଏଭଳି କିଛି ହୃଦୟ ବିଦାରକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କ ଗାଁରେ ।
ଅଧିକ ପଢ଼ନ୍ତୁ: ଅନୁଗୁଳରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ଲୁତୁରପଙ୍କ ଗାଁରେ ୨୬ ବର୍ଷୀୟ ବଶିଷ୍ଟ ମଲ୍ଲିକଙ୍କ ଘର । ୪ ଭାଇ ଓ ଗୋଟିଏ ଭଉଣୀଙ୍କ ମଧ୍ୟରେ ବଶିଷ୍ଟ ଥିଲେ ସବୁଠୁ ସାନ । ଏଣୁ ସେ ଥିଲେ ସମସ୍ତଙ୍କର ପ୍ରିୟ । ଜଣେ ପ୍ରତିଭାବାନ କ୍ରିକେଟର ଭାବେ ମଧ୍ୟ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ଝାରସୁଗୁଡ଼ାର ଏକ ଘରୋଇ କମ୍ପାନୀରେ ଅଗ୍ନିଶମ କର୍ମଚାରୀ ଭାବେ ସେ କାର୍ଯ୍ୟ କରୁଥିଲେ ।
ଗତ ଜାନୁଆରୀ ୨୦ରେ ବଶିଷ୍ଟଙ୍କର ବିବାହ ହୋଇଥିଲା। ବିଳାସିନୀଙ୍କୁ ଜୀବନସାଥି କରି ଘରକୁ ଆଣିଥିଲେ ବଶିଷ୍ଟ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ବିବାହର ମାତ୍ର ୨ ମାସ ମଧ୍ୟରେ ସୁଖର ସଂସାର ଭାଙ୍ଗି ଛାରଖାର ହୋଇଗଲା । ନିଜ ଘରୁ କର୍ମସ୍ଥଳୀ ଝାରସୁଗୁଡାକୁ ବାଇକରେ ଯାଉଥିବା ସମୟରେ ବଡ଼ମାଳ ଛକରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ବଶିଷ୍ଟ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶନିବାର ବଶିଷ୍ଟଙ୍କ ମରଶରୀର ଲୁତୁରପଙ୍କ ଗାଁରେ ପହଞ୍ଚିବା ପରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)