Mayday Call
ଗୁଜରାଟ ଅହମ୍ମଦାବାଦ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଫ୍ଲାଇଟ୍ ଲଣ୍ଡନ ଯିବାକୁ ଥିବାବେଳେ ଉଡାଣ ଭରିବା ବେଳେ ହିଁ ସମ୍ପୂର୍ଣ୍ଣ ଜଳିଯାଇଛି । ଫ୍ଲାଇଟ୍ କ୍ରାସ୍ ପୂର୍ବରୁ ଅର୍ଥାତ୍ ଉଡାଣ ଆରମ୍ଭ କରିବା ସମୟରେ ହିଁ ପାଇଲଟ କରିଥିଲେ 'ମେଡେ କଲ୍' । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ(ATC) କୁ ପାଇଲଟ 'ମେଡେ କଲ୍' କରିଥିଲେ । ହେଲେ କ୍ଷଣକ ଭିତରେ ହିଁ ପାଇଲଟଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ସଙ୍ଗେ ସଙ୍ଗେ କ୍ରାସ ହୋଇଥିଲା ବିମାନ ।
'ମେଡେ କଲ୍'(Mayday Call) କ'ଣ?
'ମେଡେ କଲ୍' ହେଉଛି ଏକ ଏମରଜେନ୍ସି ମେସେଜ । ଏହା ଫ୍ରେଞ୍ଚ୍ ଶବ୍ଦ "m’aider" ରୁ ଆସିଛି । ଯାହାର ଅର୍ଥ ମୋତେ ସାହାଯ୍ୟ କର । ଯଦି ସ୍ଥିତି ସେତେଟା ଗମ୍ଭୀର ନଥାଏ ଓ ସାମାନ୍ୟ ବିପଦ ଥାଏ ତେବେ 'ମେଡେ' ବଦଳରେ ପ୍ୟାନ୍-ପ୍ୟାନ(Pan-Pan) କଲ୍ କରାଯାଏ ।
'ମେଡେ କଲ୍' କେଉଁ ସମୟରେ କରାଯାଏ?
ଯେକୌଣସି ବି ବିମାନରେ 'ମେଡେ କଲ୍' ଭଳି ଏମରଜେନ୍ସି ମେସେଜ କରିବା ପାଇଁ ସୁବିଧା ଥାଏ । ଏହି 'ମେଡେ କଲ୍' ମେସେଜ ପାଇଲଟ୍ ସେତେବେଳେ ଦେଇଥାନ୍ତି ଯେତେବେଳେ କିଛି ବଡ଼ ସଂକଟ ଦେଖାଦିଏ ନଚେତ୍ ଯାତ୍ରୀ କିମ୍ବା କ୍ରୁ ମେମ୍ବରଙ୍କ ଜୀବନ ପ୍ରତି ବିପଦ ଥାଏ । ଯେପରିକି ବିମାନର ଇଞ୍ଜିନ ଫେଲ୍ ହେବା, ବିମାନରେ ନିଆଁ ଲାଗିବା, ଆକାଶରେ କୌଣସି ବସ୍ତୁ ସହ ବିମାନଟି ମାଡ଼ ହୋଇଯିବା ଇତ୍ୟାଦି । ସେହିପରି ଯଦି ପ୍ଲେନ୍ ହାଇଜାକ୍ ହୋଇଯାଏ, ସେପରି ସ୍ଥିତିରେ ମଧ୍ୟ ମେଡେ କଲ୍ କରାଯାଏ । 'ମେଡେ-ମେଡେ-ମେଡେ' ବୋଲି ୩ ଥର କଲ୍ ଆସିଥାଏ । ଯେମିତିକି ଏହା ଏମରଜେନ୍ସି ବୋଲି ସ୍ପଷ୍ଟ ହୋଇପାରିବ ।
'ମେଡେ କଲ୍' କଲେ କ'ଣ ହୁଏ?
ସୂଚନା ଅନୁସାରେ, ଯେଉଁ ବିମାନରୁ 'ମେଡେ କଲ୍' ଆସେ କଣ୍ଟ୍ରୋଲ ରୁମ୍ ସେହି ବିମାନକୁ ପ୍ରାଥମିକତା ଦେଇଥାଏ । ଆଉ ନିଜ ପାଖରେ ଥିବା ସବୁ ପ୍ରକାର ଟେକ୍ନୋଲୋଜି ବା ସାଧନକୁ ବ୍ୟବହାର କରି ସମସ୍ତ କାମ ଆରମ୍ଭ କରିଦିଏ । ଯେପରିକି ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ଅନୁମତି, ରନୱେ ଖାଲି କରିବା, ଆମ୍ବୁଲାନ୍ସ ଓ ଫାୟାର ବ୍ରିଗେଡ୍ ପ୍ରସ୍ତୁତ ରଖିବା ଇତ୍ୟାଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)