Advertisment

From Odisha to the Himalayas: ହିମାଳୟରେ ଓଡ଼ିଶାର ହୀରା, ୨୧ ହଜାର ଫୁଟ୍ ଉଚ୍ଚରେ ଉଡାଇଲେ ତ୍ରିରଙ୍ଗା

ହିମାଳୟ ପର୍ବତମାଳାର ଗୋରିଚେନ୍ ଶୃଙ୍ଗ ଆରୋହଣ କରି ନିଜ ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ମହିଳା କ୍ୟାଡେଟ୍ ହୀରା ସିସା । ଏହା ସହିତ ସେ ୭ ହଜାର ମିଟର ଉଚ୍ଚତାର ପର୍ବତଶୃଙ୍ଗ ଆରୋହଣ ଲାଗି ଯୋଗ୍ୟତା ହାସଲ କରିଛନ୍ତି ।

author-image
Tapan Swain
Koraput-girl

Koraput-girl Photograph: (OTV)

କୋରାପୁଟରୁ ହିମାଳୟ ପର୍ବତାରୋହଣ । ନାଁ ରଖିଲେ ଓଡ଼ିଆ ଝିଅ ।  ସମୁଦ୍ର ପତ୍ତନରୁ ପ୍ରାୟ ୨୧ ହଜାର ଫୁଟ ଉଚ୍ଚରେ ଉଡାଇଲେ ତ୍ରିରଙ୍ଗା । ହିମାଳୟ ପର୍ବତମାଳାର ଗୋରିଚେନ୍ ଶୃଙ୍ଗ ଆରୋହଣ କରି ନିଜ ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ମହିଳା କ୍ୟାଡେଟ୍ ହୀରା ସିସା । ଏହାସହିତ ସେ ୭ ହଜାର ମିଟର ଉଚ୍ଚତାର ପର୍ବତଶୃଙ୍ଗ ଆରୋହଣ ଲାଗି ଯୋଗ୍ୟତା ହାସଲ କରିଛନ୍ତି ।

Advertisment

ହୀରାଙ୍କ ଦୃଢ ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଲା ସବୁ ପ୍ରତିବନ୍ଧକ । ଗୋରିଚେନ୍‌ ଶିଖରରେ ହୀରାଙ୍କ ଏହି ସଫଳତାର ଯାତ୍ରାକୁ ନେଇ ସାରା ଅଞ୍ଚଳରେ ଖୁସିର ଲହରୀ । ଚାରିଆଡୁ ଛୁଟିଛି ପ୍ରଶଂସା । 

୨ ଓଡ଼ିଶା ଏନ୍‌ସିସି ବାଟାଲିୟନର ହୀରା ସିସା ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଇଂରାଜୀ ବିଭାଗର ଦ୍ଵିତୀୟ ବର୍ଷ ଛାତ୍ରୀ । ତାଙ୍କ ଘର ଲମତାପୁଟ ବ୍ଳକ ଗୁନେଇପଡ଼ାରେ । ବାପା ସମାରା ସିସା ଜଣେ ଚାଷୀ, ମାଆ ଜଣେ ଗୃହିଣୀ  । ୫ ଭାଇ ଭଉଣୀରେ ହୀରା ତୃତୀୟ  । ଗର୍ଲସ୍‌ ଏନ୍‌ସିସିରେ ଯୋଗଦେବା ପରେ ତାଙ୍କୁ ମାଉଣ୍ଟେନିୟରିଂ କୋର୍ସ ପାଇଁ ଚୟନ କରାଯାଇଥିଲା ।

Advertisment

ହିମାଳୟର ଗୋରିଚେନ୍ ଶିଖରରେ କୋରାପୁଟ ଝିଅ

ଏହାପରେ ଅରୁଣାଚଳ ପ୍ରଦେଶର  ଦିରାଙ୍ଗ ସ୍ଥିତ ଜାତୀୟ ମାଉଣ୍ଟେନିୟରିଂ ଓ ଆଡଭେଞ୍ଚର୍ ସ୍ପୋର୍ଟସ (ନିମାସ୍‌)ରେ ତାଲିମ ଲାଗି ଏନ୍‌ସିସି ପକ୍ଷରୁ ପଠାଯାଇଥିଲା । ସେଠି ୨୫ ଦିନ ଧରି ବେସିକ୍ ମାଉଣ୍ଟେନିୟରିଂ କୋର୍ସ ଶିକ୍ଷା ଦିଆଯାଇଥିଲା । ଏଥିରେ ହୀରାଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ୭୫ ଜଣ ଟ୍ରେନିଂ ନେଇଥିଲେ । ଏହାପରେ ତଓ୍ବାଙ୍ଗ ଜିଲ୍ଲାରେ ଥିବା ହିମାଳୟର ଗୋରିଚେନ୍ ଶିଖର ଅଭିଯାନ ଆରମ୍ଭ ହୋଇଥିଲା । ସେଥିରେ କୋରାପୁଟ ଝିଅ ହୀରା ୨୧ ହଜାର ଫୁଟ୍ ଉଚ୍ଚତାର ଗୋରିଚେନ୍ ଶୃଙ୍ଗ ଆରୋହଣ କରି ଉଡାଇଛନ୍ତି ତ୍ରିରଙ୍ଗା ।

ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଏନସିସି ମହିଳା ଅଫିସର କହିଛନ୍ତି, ବିନା ଅକ୍ସିଜେନ୍‌ରେ ପ୍ରତିକୂଳ ପରିବେଶ ସତ୍ତ୍ୱେ ସମସ୍ତଙ୍କୁ ପଛରେ ପକାଇ ହୀରା ଶୀର୍ଷରେ ପହଞ୍ଚିଥିଲେ । ୭ ହଜାର ମିଟର ଉଚ୍ଚରେ ଥିବା ଶୃଙ୍ଗ ଆରୋହଣ ଲାଗି ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ସଫଳତା ପାଇଁ ହୀରାଙ୍କୁ ନିମାସ୍‌ର କର୍ଣ୍ଣେଲ ରଣବୀର ସିଂ ଜମ୍ବାଲେ ପ୍ରଶଂସା କରିବା ସହ ପୁରସ୍କାର ପ୍ରଦାନ କରିଛନ୍ତି । ଝିଅର ଏହି ସଫଳତା ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । 

HIMALAYAS Koraput Girl
Advertisment
Related Articles
Advertisment