Advertisment

Big Relief for Employees: ଏଣିକି ବର୍ଷକରେ ମିଳିବ ଗ୍ରାଚୁଇଟି, ଆଉ ୫ ବର୍ଷ କରିବାକୁ ପଡିବନି ଅପେକ୍ଷା

ସ୍ଥାୟୀ କର୍ମଚାରୀଙ୍କ ଭଳି ସ୍ଥିର- ଅବଧି କର୍ମଚାରୀଙ୍କୁ ସମାନ ଦରମା, ଆୟ ବୃଦ୍ଧି ଓ ସୁରକ୍ଷା ମିଳିବ । ବର୍ଷକର ଚାକିରି ପରେ ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ ହେବେ । ପୂର୍ବରୁ ଏଥିପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା । ଶ୍ରମିକମାନେ ବର୍ଷକୁ ଥରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ପାଇବେ ।

author-image
Tapan Swain
Gratuity

Gratuity Photograph: (OTV)

ଶ୍ରମ କ୍ଷେତ୍ରରେ ବଡ଼ ସଂସ୍କାର । ସମାନ କାମ ପାଇଁ ସମାନ ପାଉଣା । ଚାକିରି ଆରମ୍ଭ କରିବା ସମୟରେ ହିଁ କର୍ମଚାରୀଙ୍କୁ ମିଳିବ ନିଯୁକ୍ତି ପତ୍ର । ଠିକ୍ ସମୟରେ ପାଇବେ ଦରମା । ଦେଶବ୍ୟାପୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ ସର୍ବନିମ୍ନ ବେତନ ।  ସ୍ଥିର- ଅବଧି କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ସମସ୍ତ ପ୍ରକାରର ସମାନ ସୁବିଧା ମିଳିବ ।

Advertisment

ଦେଶରେ ଶ୍ରମ ଆଇନକୁ ସରଳ ଓ ସୁଗମ କରିଛନ୍ତି ସରକାର । ଲାଗୁ ହୋଇଛି ମଜୁରୀ କୋଡ୍-୨୦୧୯, ଶିଳ୍ପ ସମ୍ପର୍କ କୋଡ୍-୨୦୨୦, ସାମାଜିକ ସୁରକ୍ଷା କୋଡ୍-୨୦୨୦ ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି କୋଡ୍‌-୨୦୨୦। ଯେଉଁଥିରେ ବ୍ୟାପକ ଭାବେ ଉପକୃତ ହେବେ କର୍ମଚାରୀ ଓ ଶ୍ରମିକ ।

ନୂଆ ବ୍ୟବସ୍ଥାରେ, ସ୍ଥାୟୀ କର୍ମଚାରୀଙ୍କ ଭଳି ସ୍ଥିର- ଅବଧି କର୍ମଚାରୀଙ୍କୁ ସମାନ ଦରମା, ଆୟ ବୃଦ୍ଧି ଓ ସୁରକ୍ଷା ମିଳିବ । ବର୍ଷକର ଚାକିରି ପରେ ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ ହେବେ । ପୂର୍ବରୁ ଏଥିପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା । ଶ୍ରମିକମାନେ ବର୍ଷକୁ ଥରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ପାଇବେ । ଆଧାର-ଲିଙ୍କ୍ ହୋଇଥିବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ମାଧ୍ୟମରେ କଲ୍ୟାଣମୂଳକ ଲାଭଗୁଡ଼ିକ ସହଜରେ ମିଳିଯିବ ।

Advertisment

ରାତିରେ କାମ କରିପାରିବେ ମହିଳା

ମହିଳାମାନଙ୍କୁ ରାତି ସିଫ୍ଟରେ କାମ କରିବାକୁ ମିଳିଛି ଅନୁମତି । ସବୁ କ୍ଷେତ୍ରରେ କରିପାରିବେ କାମ । ଅଭିଯୋଗ ଶୁଣାଣି କମିଟିରେ ସଦସ୍ୟ ରହିବେ ମହିଳା । ଯୁବବର୍ଗଙ୍କ ପାଇଁ ସର୍ବନିମ୍ନ ବେତନର ଗ୍ୟାରେଣ୍ଟି ରହିବ । ଶ୍ରମିକଙ୍କୁ ଛୁଟି ସମୟରେ ଦରମା ଦେବାକୁ ହେବ । ଏମଏସଏମଇ ଶ୍ରମିକଙ୍କୁ କ୍ୟାଣ୍ଟିନ୍, ପାନୀୟ ଜଳ ଓ ବିଶ୍ରାମ ସ୍ଥାନ ଭଳି ସୁବିଧା ଯୋଗାଇ ଦିଆଯିବ । ବିଡି ଓ ସିଗାରେଟ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ହେବ । ଦୈନିକ କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟା ଓ ସପ୍ତାହକୁ ୪୮ ଘଣ୍ଟା ରହିବ । ଓଭର ଟାଇମ୍‌ କଲେ ଦୁଇଗୁଣା ଅଧିକ ମିଳିବ ପାଉଣା ।

ସମସ୍ତ ପ୍ରବାସୀ ଶ୍ରମିକ ସମାନ ମଜୁରୀ, କଲ୍ୟାଣକାରୀ ଲାଭ ଏବଂ ପିଡିଏସ୍ ପୋର୍ଟେବିଲିଟି ଲାଭ ପାଇବେ। ଆଇଟି ଏବଂ ଆଇଟିଇଏସ୍ କର୍ମଚାରୀଙ୍କ କ୍ଷେତ୍ରରେ ପ୍ରତି ମାସର ୭ ତାରିଖ ସୁଦ୍ଧା ଦରମା ପ୍ରଦାନ ବାଧ୍ୟତାମୂଳକ । ଶ୍ରମ କ୍ଷେତ୍ରରେ ଏ ସଂସ୍କାର ଉଭୟ ଶ୍ରମିକ ଓ ଉଦ୍ୟୋଗକୁ ସଶକ୍ତ କରିବ ବୋଲି ଆଶା ରହିଛି ।

New Labour Code Gratuity
Advertisment
Related Articles
Advertisment