Advertisment

History repeats ୨୬ ବର୍ଷ ତଳେ ବାପା, ଏବେ ପୁଅ !

ଅରବିନ୍ଦଙ୍କ ନିଲମ୍ବନ ୨୬ ବର୍ଷ ତଳର ଇତିହାସ ପୃଷ୍ଠାକୁ ପୁଣି ଖୋଲି ଦେଇଛି । ଏବେ ପୁଅ ଅରବିନ୍ଦଙ୍କୁ ନିଲମ୍ବିତ କରିଥିବା ନବୀନ ୨୬ ବର୍ଷ ତଳେ ଅରବିନ୍ଦଙ୍କ ବାପା ବିଜୟଙ୍କୁ ଦଳରୁ ବିଦା କରିବା ସହ ଅତି ଚତୁର ଢଙ୍ଗରେ ତାଙ୍କ ଟିକେଟ କାଟି ଦେଇଥିଲେ

author-image
Bhakta Charan Jena
bijay-2000-up

Photograph: (OTV)

୨୬ ବର୍ଷ ପରେ ଇତିହାସ କଡ଼ ଲେଉଟେଇଛି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗୁରୁବାର ବିଜେଡିରୁ ନିଲମ୍ବିତ ହୋଇଛନ୍ତି ୨ ବିଧାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସନାତନଙ୍କୁ ନେଇ ଏତେ ବେଶୀ ଚର୍ଚ୍ଚା ନଥିଲା ବେଳେ ଅରବିନ୍ଦଙ୍କୁ ନେଇ କିନ୍ତୁ ପାର୍କରୁ ପାର୍ଲର ସବୁଠି ଆଲୋଚନା । ଆଉ ଏତେ ଚର୍ଚ୍ଚାର ମୂଳ କାରଣ ଅରବିନ୍ଦ ହେଉଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ।

Advertisment

ଅରବିନ୍ଦଙ୍କ ନିଲମ୍ବନ ୨୬ ବର୍ଷ ତଳର ଇତିହାସ ପୃଷ୍ଠାକୁ ପୁଣି ଖୋଲି ଦେଇଛି । ଏବେ ପୁଅ ଅରବିନ୍ଦଙ୍କୁ ନିଲମ୍ବିତ କରିଥିବା ନବୀନ ୨୬ ବର୍ଷ ତଳେ ଅରବିନ୍ଦଙ୍କ ବାପା ବିଜୟଙ୍କୁ ଦଳରୁ ବିଦା କରିବା ସହ ଅତି ଚତୁର ଢଙ୍ଗରେ ତାଙ୍କ ଟିକେଟ କାଟି ଦେଇଥିଲେ । ଲଗାତାର ୪ ଥର ଜିତି ପାଟକୁରାର ନିର୍ବିବାଦୀୟ ନେତା ହୋଇଯାଇଥିବା ବିଜୟ ମହାପାତ୍ର କିନ୍ତୁ ସେହି ୨୦୦୦ ମସିହା ପରଠାରୁ ଆଉ ଥରଟିଏ ହେଲେ ବି ଜିତିପାରୁନାହାନ୍ତି । ଇତିହାସ ବହି ଯଦି ଖୋଲିବା ତେବେ ସେଦିନ କଣ ଘଟିଥିଲା ତାହା ସ୍ପଷ୍ଟ ହେବ ।

୨୦୦୦ ମସିହା ବିଧାନସଭା ନିର୍ବାଚନ । ନବୀନ ଥାଆନ୍ତି ବିଜୁ ଜନତା ଦଳ ସଭାପତି । ନବୀନଙ୍କୁ ବୁଝାଇ ସୁଝାଇ ଦିଲ୍ଲୀରୁ ଆଣି ସଭାପତି କରାଇଥିବା ବିଜୟ ଥାଆନ୍ତି ଦଳର ରାଜନୈତିକ ବ୍ୟାପାର କମିଟି ଅଧ୍ୟକ୍ଷ । ନାଁକୁ ନବୀନ ସଭାପତି ଥିଲା ବେଳେ ସବୁ ବୁଝୁଥାଆନ୍ତି ବିଜୟ । କାହାକୁ ଟିକେଟ ଦିଆଯିବ, କାହାର ଟିକେଟ କଟିବ, ଟିକିନିଖି ସବୁ ବିଜୟ ବୁଝୁଥାନ୍ତି । ସମସ୍ତଙ୍କୁ ଟିକେଟ ବଣ୍ଟାବଣ୍ଟି କାମ ସାରିଲା ପରେ ନିଜେ ପାଟକୁରାରୁ ଲଢ଼ିବା ପାଇଁ ସଜବାଜ ହେଲେ ବିଜୟ । ନାମାଙ୍କନ ପତ୍ର ଦାଖଲ କଲେ । ହେଲେ ଶେଷ ମୁହୁର୍ତ୍ତରେ ବିଜୟଙ୍କ ବଦଳରେ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳୀୟ ଟିକେଟ ଦେଇଦେଲେ ନବୀନ । ଦଳୀୟ ଟିକେଟ ପାଇଁ ଫର୍ମ ଏ ଓ ବି ନଥିବାରୁ ବିଜୟଙ୍କ ନାମାଙ୍କନକୁ ନାକଚ କରିଦେଲେ ରିଟର୍ଣ୍ଣି ଅଫିସର ମଦନ ମୋହନ ଦେଓ । ବିଜେଡି ପ୍ରାର୍ଥୀ ଭାବେ ଅତନୁଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ବେଳେ ବିଜୟଙ୍କ ନାମାଙ୍କନ ନାକଚ ହୋଇଯାଇଥିଲା । ଦଳୀୟ ପ୍ରାର୍ଥୀ ହେବା ନେଇ କୌଣସି ସନ୍ଦେହ ନଥିବାରୁ ସ୍ବାଧୀନ ଭାବେ ଲଢ଼ିବାକୁ ବି ନାମାଙ୍କନ କରିନଥିଲେ ବିଜୟ । ନବୀନଙ୍କ ଶେଷ ମୁହୂର୍ତ୍ତର ଗୋଟି ଚାଳନା ପାଇଁ ନିର୍ବାଚନ ଲଢ଼େଇରୁ ବାଦ ପଡ଼ିଲେ ବିଜୟ ।

Advertisment

ବିଜୟଙ୍କ ଟିକେଟ କଟିବା ନେଇ ପ୍ରଚାର ହୋଇଯିବା ପରେ କେନ୍ଦ୍ରାପଡ଼ାରେ ନିଆଁ ଜଳିଥିଲା । ବିଜୟଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଥିଲେ । ପରିସ୍ଥିତି ଏମିତି ହୋଇଥିଲା କେନ୍ଦ୍ରାପଡ଼ା ସହର ଏବଂ ପାଟକୁରାରେ ୧୪୪ ଧାରା ଜାରି କରାଯାଇଥିଲା। ବିଜୟଙ୍କ ଟିକେଟ କାଟିବା ସହ ତାଙ୍କୁ ଦଳରୁ ବହିଷ୍କାର ମଧ୍ୟ କରିଦେଲେ ନବୀନ । ଅପମାନିତ ବିଜୟ ଉଭୟ ଟିକେଟ ଏବଂ ଦଳ ହରାଇବା ପରେ କ୍ଷୋଭର ସହ କହିଥିଲେ ତାଙ୍କୁ ନବୀନ ଦଳରୁ ବିଦା କରିଛନ୍ତି ସେ ନବୀନଙ୍କୁ ରାଜନୀତିରୁ ବିଦା କରିଦେବେ ।

ଅନ୍ୟ ପକ୍ଷରେ ଟିକେଟ ହରାଇବା ଏବଂ ନିର୍ବାଚନ ଦୌଡ଼ରୁ ବାଦ ପଡ଼ିବା ପରେ ଶେଷକୁ ନିରୁପାୟ ବିଜୟ ତୃଣମୂଳ କଂଗ୍ରେସରୁ ଛିଡ଼ା ହୋଇଥିବା ତ୍ରିଲୋଚନ ବେହେରାଙ୍କୁ ସମର୍ଥନ ଘୋଷଣା କଲେ ଏବଂ ତ୍ରିଲୋଚନ ଅତନୁଙ୍କୁ ହରାଇ ପାଟକୁରାରରେ ବିଜୟ ମୁକୁଟ ପିନ୍ଧିଲେ । ୨୬ ବର୍ଷ ତଳର ଏ ଘଟଣା । ସେହିଦିନଠାରୁ ବିଜୟ ଆଉ ବିଧାନସଭା ଆସିପାରିନାହାନ୍ତି । ୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୨୦ ବର୍ଷ କାଳ ପାଟକୁରାରୁ ଜିତି ଆସିଥିବା ବିଜୟ ଆଉ କେବେ ବିଜୟ ମୁକୁଟ ପିନ୍ଧି ପାରିନାହାନ୍ତି । ବିଜୟଙ୍କୁ ବିଧାନସଭା ଆସିବାରେ ରୋକ୍ ଲଗାଇ ଦେଇଛନ୍ତି ନବୀନ । ହେଲେ ନବୀନଙ୍କୁ କିନ୍ତୁ ରାଜନୀତିରୁ ବିଦା କରିପାରିନାହାନ୍ତି ବିଜୟ । ୨୬ ବର୍ଷ ତଳେ ବିଜୟଙ୍କ ସହ ଘଟିଥିବା ଘଟଣା ଆଜି ପୁଅ ଅରବିନ୍ଦଙ୍କ ସହ ପୁନରାବୃତ୍ତି ଘଟିଛି । ବିଜୟଙ୍କୁ ଦୂରେଇ ରଖିଥିବା ନବୀନ ୨୦୨୪ରେ ଅରବିନ୍ଦଙ୍କୁ ଦଳରେ ସାମିଲ କରି ଟିକେଟ ଦେଇଥିଲେ । ଅରବିନ୍ଦ ଜିତିଲେ ଏବଂ ବିଧାୟକ ହେଲେ । କିନ୍ତୁ ବାପା ପରି ପୁଅକୁ ବି ଦଳରୁ ଦୂରେଇ ଦେଲେ ନବୀନ । 

Odisha Political News young leader in odisha
Advertisment
Related Articles
Advertisment