Advertisment

Test Pitch Puzzle: ଟେଷ୍ଟ ପିଚକୁ ନେଇ କାହିଁକି ଜୁଆ ଖେଳୁଛି ଟିମ୍ ମ୍ୟାନେଜମେଣ୍ଟ ?

ନିଜ ଜାଲରେ ନିଜେ ଛନ୍ଦି ହୋଇଛି ଭାରତୀୟ ଟିମ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ଇଡେନ୍ ଟେଷ୍ଟ ବିଫଳତା ଏହାର ସଦ୍ୟତମ ଦୃଷ୍ଟାନ୍ତ । ପ୍ରଶ୍ନ ଉଠୁଛି, ଆମ ପାଖରେ ସ୍ପୋର୍ଟିଂ ୱିକେଟରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ଅନେକ ବ୍ୟାଟର୍-ବୋଲର୍ ଥିବା ସତ୍ତ୍ୱେ ପିଚକୁ ନେଇ କାହଁକି ଜୁଆ ଖେଳୁଛି ଟିମ୍ ମ୍ୟାନେଜମେଣ୍ଟ?

author-image
Biswajit Mohanty
Team India

Team India Photograph: (OTV)

କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆୟୋଜିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ କାହାଣୀର ପୁନରାବୃତ୍ତି ଘଟିଛି । ଭାରତୀୟ ଟିମ୍ ପୁଣି ଥରେ ରାଙ୍କ୍ ଟର୍ଣ୍ଣର (ଟର୍ଣ୍ଣିଂ ପିଚ୍)ରେ ଛନ୍ଦି ହୋଇଛି । ହାତରେ ଅଢ଼େଇ ଦିନର ସମୟ ଥିବା ବେଳେ ୧୨୪ ରନ୍ର ସହଜ ଟାର୍ଗେଟର ପିଛା କରୁଥିବା ଆୟୋଜକ ଟିମ୍ ମାତ୍ର ୯୩ ରନରେ ଧରାଶାୟୀ ହୋଇଥିଲା ।

Advertisment

ପିଚକୁ ନ ବୁଝି ଅଧିକାଂଶ ବ୍ୟାଟର୍ ଆକ୍ରମଣାତ୍ମକ ଶୈଳୀ ଆପଣାଇବା, ଦୁର୍ବଳ ସଟ୍ ଚୟନ ତଥା ଦାୟିତ୍ୱହୀନ ବ୍ୟାଟିଂ କରିବା ପରାଜୟର କାରଣ ଥିଲା । ଏହାଛଡ଼ା ଅଧିନାୟକ ଶୁବମନ ଗିଲ୍ ପ୍ରଥମ ଇନିଂସରେ ମାତ୍ର ୩ ବଲ୍ ଖେଳି ରିଟାୟର୍ଡ ହର୍ଟ ହେବା ଓ ଦ୍ୱିତୀୟ ଇନିଂସରେ ଖେଳି ନ ପାରିବା ମଧ୍ୟ ଅନ୍ୟତମ କାରଣ । ତେବେ ସବୁଠାରୁ ବଡ଼ କାରଣ ଥିଲା, ଟିମ୍ ମ୍ୟାନେଜ୍ମେଣ୍ଟର ପିଚ୍ ନୀତି ‘ରାଙ୍କ୍ ଟର୍ଣ୍ଣର ପ୍ରସ୍ତୁତି’ ।  ଅନ୍ୟପଟେ, ଦକ୍ଷିଣ ଆଫ୍ରିକା ପାଇଁ ଏହା ଏକ ଐତିହାସିକ ବିଜୟ ଥିଲା, କାରଣ ଟିମ୍ ୧୫ ବର୍ଷର ବ୍ୟବଧାନ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍ ଜିତିଥିଲା ।

କିୱି ସିରିଜରୁ ଶିକ୍ଷାଲାଭ କଲାନି ଟିମ୍ ମ୍ୟାନେଜମେଣ୍ଟ

ଏଥିରେ ଦ୍ୱିମତ ନାହିଁ ଯେ ଟର୍ଣ୍ଣିଂ ପିଚ୍ ସ୍ପିନରଙ୍କ ପାଇଁ ଅନୁକୂଳ ହୋଇଥାଏ ଏବଂ ଭାରତ ପାଖରେ ବିଶ୍ୱସ୍ତରୀୟ ସ୍ପିନ୍-ବାହିନୀ ରହିଛି । ଇଡେନ୍ ପିଚରେ ମଧ୍ୟ ସ୍ପିନର୍ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ।
ତେବେ ଚିନ୍ତାର ବିଷୟ ହେଉଛି ଯେ ଏବେ ଭାରତୀୟ ବ୍ୟାଟର୍ ଟେଷ୍ଟ କ୍ରିକେଟରେ ସ୍ପିନର ଉଚିତ ମୁକାବିଲା କରିପାରୁ ନାହାନ୍ତି । ଗତ କିଛି ବର୍ଷ ହେଲା ଏହି ସମସ୍ୟା ଦେଖିବାକୁ ମିଳୁଛି ।
ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍, ବିଶେଷକରି ପୁନେ ଓ ମୁମ୍ବାଇ ମ୍ୟାଚ୍ରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟର ଦାବି ଅନୁଯାୟୀ ଟର୍ଣ୍ଣିଂ ପିଚ୍ ପ୍ରସ୍ତୁତ କରାଯାଇଥିଲା; ହେଲେ ଟିମ୍ ନିଜ ଜାଲରେ ନିଜେ ଛନ୍ଦି ହୋଇଥିଲା ।

Advertisment

ପରିଣାମସ୍ୱରୂପ, ଟିମ୍ ଇଣ୍ଡିଆ ୦-୩ରେ ସିରିଜ୍ ହାରିଯାଇଥିଲା । ସେତେବେଳେ ଟିମରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ବରିଷ୍ଠ ବ୍ୟାଟର୍ ବି ଥିଲେ ।
ଇଡେନରେ ମଧ୍ୟ ଟିମ୍ ନିଜ ଇଚ୍ଛା ମୁତାବକ ଟର୍ଣ୍ଣିଂ ପିଚରେ ଖେଳିଲା, ହେଲେ ଟିମର ଅବସ୍ଥା ‘ଯଥା ପୂର୍ବଂ ତଥା ପରଂ’ ଥିଲା । ବିଡ଼ମ୍ବନାର ବିଷୟ ହେଉଛି ଯେ ଟିମ୍ ମ୍ୟାନେଜମେଣ୍ଟ ନ୍ୟୁଜିଲାଣ୍ଡ ବିଫଳତାରୁ କିଛି ଶିକ୍ଷାଲାଭ କରି ନାହିଁ ।

ଗମ୍ଭୀରଙ୍କ ସଫେଇର ଯଥାର୍ଥତା କେତେ ?

ଭାରତୀୟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ମ୍ୟାଚ୍-ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ  ପରାଜୟ ପାଇଁ ବ୍ୟାଟରଙ୍କୁ ଦାୟୀ କରିଥିଲେ । ସେ ତ ପିଚକୁ ରାଙ୍କ୍ ଟର୍ଣ୍ଣର ବୋଲି ମାନିବାକୁ ବି ପ୍ରସ୍ତୁତ ନ ଥିଲେ ।  
ଗମ୍ଭୀର କହିଥିଲେ ଯେ ସେମାନେ ଯେଉଁଭଳି ପିଚ୍ ଚାହିଁଥିଲେ, ସେଭଳି ପିଚ୍ ମିଳିଥିଲା । ପିଚ୍ କଠିନ ଥିଲା ବୋଲି ତାଙ୍କର ମନେ ହେଉ ନାହିଁ । ସେହି ୱିକେଟ୍ ଖେଳାଳିଙ୍କ ମାନସିକ ଦୃଢ଼ତାକୁ ପରଖିଥିଲା ।
ଯେଉଁମାନେ ଭଲ ଡିଫେନ୍ସ ଓ ସଂଯମତା ସହ ବ୍ୟାଟିଂ କରିଥିଲେ, ସେମାନେ ଭଲ ସ୍କୋର କରିଥିଲେ । ୧୨୪ ରନର ଟାର୍ଗେଟକୁ ହାସଲ କରାଯାଇପାରିଥା’ନ୍ତା । ବ୍ୟାଟର୍ ନ ଖେଳିଲେ, ସେଇଆ ହେବ ବୋଲି ମୁଖ୍ୟ କୋଚ୍ ଯୁକ୍ତି ବାଢ଼ିଛନ୍ତି । ଗମ୍ଭୀରଙ୍କ ସଫେଇର ଯଥାର୍ଥତାକୁ ନେଇ ବି ଚର୍ଚ୍ଚା ହେଉଛି ।

ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର୍

ଇଡେନ୍ ପରାଜୟ ପାଇଁ ଅନେକ ଖ୍ୟାତନାମା ପୂର୍ବତନ କ୍ରିକେଟର୍ ଟିମ୍ ମ୍ୟାନେଜମେଣ୍ଟର ପିଚ୍ ନୀତି ଓ ବ୍ୟାଟିଂ ମାନସିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଚାରରେ ଭାରତକୁ ବିଜୟ ପାଇଁ ରାଙ୍କ୍ ଟର୍ଣ୍ଣର ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ । ତାଙ୍କ କହିବାନୁଯାୟୀ, “ଟିମ୍ ଇଣ୍ଡିଆ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିବାର କାରଣ ବ୍ୟାଟର୍ମାନେ ବଡ଼ ସ୍କୋର୍ ଛିଡ଼ା କରିଥିଲେ ଏବଂ ଏବେ ଟିମକୁ ଘରେ ବି ସେହି ଦୃଷ୍ଟିକୋଣର ଆବଶ୍ୟକତା ଅଛି ।”

“ୱିକେଟକୁ ଗେମ୍ ଠାରୁ ଅଲଗା କରିବାକୁ ହେବ । ଭାରତ ଭଳି ବୋଲିଂ ଆକ୍ରମଣ ଥିବା ଟିମ୍ ସ୍ପୋର୍ଟିଂ ଓ ପ୍ରକୃତ ପିଚରେ ଖେଳିବା ଦରକାର, ଯାହା ଫଳରେ ମ୍ୟାଚ୍ ପାଞ୍ଚ ଦିନ ଧରି ଚାଲିବ ଏବଂ ଟିମର କୌଶଳ ସାମ୍ନାକୁ ଆସିବ ।”

ଟେଷ୍ଟ କ୍ରିକେଟ୍ର ପୂର୍ବତନ ବିଶେଷଜ୍ଞ ବ୍ୟାଟର୍ ଚେତେଶ୍ୱର ପୂଜାରା ମଧ୍ୟ ଗାଙ୍ଗୁଲିଙ୍କ ଭଳି ବିଚାର ବ୍ୟକ୍ତ କରିଛନ୍ତି । ତାଙ୍କ କହିବାନୁଯାୟୀ, “ଭାରତ ଗତ ତିନି-ଚାରି ବର୍ଷ ହେଲା କ୍ରମାଗତ ରାଙ୍କ୍ ଟର୍ଣ୍ଣର ପ୍ରସ୍ତୁତ କରୁଛି, ଯାହା ଫଳରେ ମ୍ୟାଚ୍ ତିନି ଦିନ ମଧ୍ୟରେ ଶେଷ ହୋଇଯାଉଛି ଏବଂ ବ୍ୟାଟର୍ଙ୍କ କୌଶଳ ଅପେକ୍ଷା ଭାଗ୍ୟ ଅଧିକ କାମ କରୁଛି ।
ପୂଜାରା ଏହି ପ୍ରବୃତ୍ତିକୁ ଟିମ୍ ପାଇଁ ‘ଘାତକ’ ବିବେଚନା କରିଛନ୍ତି । ଏଭଳି ପିଚରେ ବ୍ୟାଟରଙ୍କ ପରିଶ୍ରମ ମୂଲ୍ୟହୀନ ହେବା ସହ ବୋଲର୍ ମଧ୍ୟ ନିଜ କୌଶଳର ଉପଯୋଗ କରିପାରନ୍ତି ନାହିଁ ବୋଲି ସେ କହିଛନ୍ତି ।
ପୂର୍ବତନ ମୁଖ୍ୟ କୋଚ୍ ତଥା ଲେଗ୍-ସ୍ପିନର୍ ଅନିଲ କୁମ୍ବଲେ ମଧ୍ୟ ଗମ୍ଭୀରଙ୍କ ପିଚ୍ ନୀତିକୁ ସମାଲୋଚନା କରିଛନ୍ତି । ତାଙ୍କ କହିବାନୁଯାୟୀ, “ଇଡେନ୍ ଗାର୍ଡେନ୍ସ ସବୁବେଳେ ସ୍ପୋର୍ଟିଂ ୱିକେଟ୍ ପାଇଁ ପରିଚିତ ଏବଂ ଏଥରର ପିଚ୍ ତା’ ପରମ୍ପରା-ବିରୋଧୀ ଥିଲା ।”

କୁମ୍ବଲେଙ୍କ ବିଚାରରେ ଇଂଲଣ୍ଡ ଟେଷ୍ଟ ସିରିଜରେ ଯୁବ ଭାରତୀୟ ଟିମ୍ କଠିନ ପରିସ୍ଥିତିରେ ଉତ୍ତମ ଲଢ଼େଇ କରିଥିଲା । ସେଥିପାଇଁ ଖେଳାଳିମାନଙ୍କୁ ଏଭଳି ୱିକେଟରେ ଖେଳାଇବା ଦରକାର, ଯାହା ସେମାନଙ୍କ କୌଶଳରେ ଉଜ୍ଜ୍ୱଳତା ଆଣିବ ।

ପୂର୍ବତନ ଅଫ୍-ସ୍ପିନର୍ ହରଭଜନ ସିଂହ ତ ଏହି ପିଚକୁ ଟେଷ୍ଟ କ୍ରିକେଟ୍ ପାଇଁ ‘ରେଷ୍ଟ ଇନ୍ ପିସ୍’ ଆଖ୍ୟା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, “ଏଭଳି ପିଚରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଭଳି ଶ୍ରେଷ୍ଠ ବ୍ୟାଟର୍ ବି ତିଷ୍ଠି ପାରିବେନି, କାରଣ ବଲର ବ୍ୟବହାର ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ।”

“କେତେବେଳେ ବଲ୍ ଲୋ’ ରହେ, କେତେବେଳେ ବାଉନ୍ସ ହୁଏ ତ ଆଉ କେତେବେଳେ ଏତେ ଟର୍ଣ୍ଣ ହୁଏ ଯେ ବ୍ୟାଟରଙ୍କ କୌଣସି ଭୁଲ୍ ରହେନି । ଗତ କିଛି ବର୍ଷ ହେଲା କ୍ରମାଗତ ଏଭଳି ପିଚ୍ ପ୍ରସ୍ତୁତ କରାଯାଉଛି, ଯାହା ଖେଳର ସ୍ତରକୁ ନିମ୍ନଗାମୀ କରୁଛି ।”

ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମଧ୍ୟ ଟର୍ଣ୍ଣିଂ ପିଚକୁ ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବାନୁଯାୟୀ, “ଆମର ଆନ୍ତର୍ଜାତିକ (ଟେଷ୍ଟ) ଖେଳାଳି ଅଧିକାଂଶ ସମୟ ବିଦେଶରେ ବିତାଉଛନ୍ତି, ଯାହା ଫଳରେ ଘରେ ସେମାନଙ୍କର କେବେ କେବେ ଟର୍ଣ୍ଣିଂ ପିଚର ସାମ୍ନା ହୋଇଥାଏ ଏବଂ ସମସ୍ୟା ଏଠାରୁ ଆରମ୍ଭ ହୁଏ ।”
ଗାଭାସ୍କରଙ୍କ ବିଚାରରେ ଏହି ସମସ୍ୟାର ସମାଧାନ ହେଉଛି, ଘରୋଇ କ୍ରିକେଟରେ ବଡ଼ ସ୍କୋର୍ କରୁଥିବା ସେହି ଖେଳାଳିଙ୍କୁ ଅଗ୍ରାଧିକାର ଦିଆଯାଉ ଯେଉଁମାନେ ଶୁଷ୍କ ୱିକେଟରେ ସ୍ପିନ୍ର ମୁକାବିଲା କରିବାରେ ସକ୍ଷମ ।

ଆମ ପାଖରେ ସ୍ପୋର୍ଟିଂ ୱିକେଟରେ ଭଲ ପ୍ରଦର୍ଶନ କରିବାର ଦକ୍ଷତା ଥିବା ବ୍ୟାଟର୍-ବୋଲରଙ୍କ ଅଭାବ ନାହିଁ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି, 
ରାଙ୍କ୍ ଟର୍ଣ୍ଣର ପ୍ରସ୍ତୁତ କରି ଟିମ୍ ମ୍ୟାନେଜମେଣ୍ଟ କାହିଁକି ଏଭଳି ଜୁଆ ଖେଳୁଛି? ଗମ୍ଭୀର ଏଭଳି ପିଚ୍ ନୀତି କାହିଁକି ଆପଣାଉଛନ୍ତି, ଯାହା ଟିମ୍ ପାଇଁ ବୁମେରାଂ ହେଉଛି?
ଟିମ୍ ମ୍ୟାନେଜମେଣ୍ଟ ପୂର୍ବତନ ଖେଳାଳିମାନଙ୍କ ମନ୍ତବ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଏହା ସହିତ ଏ କଥା ବି ବୁଝିବା ଦରକାର ଯେ ଏଭଳି ଅସନ୍ତୁଳିତ ପିଚ୍ କ୍ରିକେଟର ପାରମ୍ପରିକ ଫର୍ମାଟର ଗରିମାକୁ ବି ପ୍ରଭାବିତ କରୁଛି ।

Team India Cricket
Advertisment
Related Articles
Advertisment