/odishatv-khabar/media/media_files/2026/02/28/govinda-dwadashi-2026-02-28-21-17-44.jpg)
ଗୋବିନ୍ଦ ଦ୍ୱାଦଶୀ Photograph: (OTV)
ହିନ୍ଦୁ ଧର୍ମରେ ଦ୍ୱାଦଶୀ ତିଥି ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ। ପ୍ରତି ମାସରେ ଶୁକ୍ଳ ଓ କୃଷ୍ଣ ପକ୍ଷରେ ଦ୍ୱାଦଶୀ ତିଥି ପଡ଼ିଥାଏ। ବିଭିନ୍ନ ମାସର ଏହି ଦ୍ୱାଦଶୀଗୁଡ଼ିକର ଭିନ୍ନଭିନ୍ନ ନାମ ଓ ମହତ୍ତ୍ୱ ରହିଛି। ଚନ୍ଦ୍ର ମାସର ଶୁକ୍ଳ କିମ୍ବା କୃଷ୍ଣ ପକ୍ଷରେ ଏକାଦଶୀ ପରଦିନ ଦ୍ୱାଦଶୀ ତିଥି ପଡ଼େ। ଏହି ଦିନ ବିଷ୍ଣୁଙ୍କ ଉପାସନା, ବ୍ରତ, ଦାନ ଓ ପୂଜାର୍ଚ୍ଚନା କରିବା ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଦ୍ୱାଦଶୀ ଶବ୍ଦର ଅର୍ଥ ହେଉଛି “ଦ୍ୱାଦଶ” ଅର୍ଥାତ୍ ଦ୍ୱାଦଶ ସଂଖ୍ୟାକ ତିଥି। ଏହା ଏକାଦଶୀ ବ୍ରତର ପରବର୍ତ୍ତୀ ଦିନ ହେବାରୁ ଅନେକ ସ୍ଥଳରେ ଏହା ଏକାଦଶୀ ବ୍ରତର ସମାପ୍ତି ଦିନ ଭାବରେ ପାଳନ କରାଯାଏ। କିନ୍ତୁ ଫାଲ୍ଗୁନ ମାସର ଶୁକ୍ଳ ପକ୍ଷର ଦ୍ୱାଦଶୀକୁ ବିଶେଷ ଭାବେ ଗୋବିନ୍ଦ ଦ୍ୱାଦଶୀ ନାମରେ ପାଳନ କରାଯାଏ। ଏହା ଭଗବାନ ବିଷ୍ଣୁଙ୍କର ଗୋବିନ୍ଦ ରୂପରେ ଉପାସନାର ଏକ ପରମ ପବିତ୍ର ଦିବସ। ଭଗବାନ ବିଷ୍ଣୁଙ୍କର ଫାଲଗୁନ ମାସର ନାମ ମଧ୍ୟ ଗୋବିନ୍ଦ।
ଗୋବିନ୍ଦ ଦ୍ଵାଦଶୀ ବୁଡ
ଓଡ଼ିଆ ପର୍ବ ପର୍ବାଣୀ (Odia Parba Parbani) ରେ ଓଡ଼ିଶାରେ, ବିଶେଷକରି ପୁରୀରେ ଏହି ଦିନର ମହତ୍ତ୍ୱ ଅଧିକ। ଶ୍ରୀକ୍ଷେତ୍ର ପୁରୀରେ ଦ୍ୱାଦଶୀର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଅନେକ ସ୍ଥଳରେ ମହାପ୍ରସାଦ ସହ ବିଭିନ୍ନ ପର୍ବ ପାଳନ ହୁଏ। ଓଡ଼ିଆ ସନ ଓ ପୁରୀ ରାଜାଙ୍କ ଅଙ୍କ ପରିବର୍ତ୍ତନ ମଧ୍ୟ କେତେକ ଦ୍ୱାଦଶୀରେ ହୁଏ। ଗୋବିନ୍ଦ ଦ୍ଵାଦଶୀ ଦିନ ମହୋଦଧିରେ ସ୍ନାନ କରିବାକୁ ଗୋବିନ୍ଦ ବୁଡ଼ ବା ଗୋବିନ୍ଦ ଦ୍ୱାଦଶୀ ବୁଡ଼ କୁହାଯାଏ, ଯାହା ଅତ୍ୟନ୍ତ ଦୁର୍ଲଭ ଓ ପୁଣ୍ୟଦାୟକ। ଗୋବିନ୍ଦ ଦ୍ୱାଦଶୀକୁ ବ୍ରହ୍ମପୁରାଣ ଓ ଅନ୍ୟ ପୁରାଣମାନଙ୍କ ଅନୁସାରେ ପାପନାଶିନୀ ଦ୍ୱାଦଶୀ ମଧ୍ୟ କୁହାଯାଏ। ଏହି ତିଥିରେ ସ୍ନାନ, ଦାନ, ଜପ, ହୋମ, ଦେବାର୍ଚ୍ଚନା ଅଁଳା ବୃକ୍ଷ ପୂଜା କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ଫାଲଗୁନ ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ ସେହି ତିଥିରେ ତୀର୍ଥସ୍ଥାନମାନଙ୍କରେ ସ୍ନାନଯୋଗ ପଡ଼େ।
ତିଥି, ବାର ଓ ନକ୍ଷତ୍ର ଅନୁସାରେ ଏହା ‘ସାମାନ୍ୟ’ ବା ‘ବିରଳ’ ହୋଇଥାଏ। ଏହି ସ୍ନାନକୁ ଓଡ଼ିଆରେ ‘ଗୋବିନ୍ଦ ଦ୍ୱାଦଶୀ ବୁଡ଼’ କୁହାଯାଏ। ଏହି ଯୋଗରେ ସମୁଦ୍ର ସ୍ନାନ କଲେ ମହାପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି। କେତେକ ସ୍ଥାନରେ ଏହାକୁ ନରସିଂହ ଦ୍ୱାଦଶୀ ଭାବରେ ମଧ୍ୟ ପାଳନ କରାଯାଏ, ଯେଉଁଠାରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାରଙ୍କୁ ପୂଜା କରାଯାଏ। ଓଡ଼ିଶାରେ ଏହି ଦିନ ପୁରୀର ଶ୍ରୀମନ୍ଦିର ସମ୍ମୁଖରେ ବିଶେଷ ଆୟୋଜନ ହୁଏ। ପୁରୀର ସମୁଦ୍ର କୂଳରେ ଭକ୍ତମାନଙ୍କର ଭିଡ଼ ଲାଗିରହେ। ଏହି ଦିନ ଅଲଭ୍ୟ ସ୍ନାନ ଯୋଗ ପଡ଼ିଥାଏ, ଯାହା ଅତ୍ୟନ୍ତ ଶୁଭ ବୋଲି ଗଣ୍ୟ ହୁଏ।ପାଳନ ବିଧି ଓ ଆଚରଣ ପ୍ରାତଃକାଳରେ ଉଠି ସ୍ନାନ କରି ଶୁଦ୍ଧ ବସ୍ତ୍ର ପରିଧାନ କରିବା।
ଦ୍ଵାଦଶୀ ପୂଜା
ଦ୍ୱାଦଶୀର ମାହାତ୍ମ୍ୟ ହେଉଛି ପାପ ବିନାଶ, ଧର୍ମ ଲାଭ, ସନ୍ତାନ ପ୍ରାପ୍ତି, ଆୟୁଷ୍ୟ ବୃଦ୍ଧି ଓ ମୋକ୍ଷ ଲାଭ। ଏହି ଦିନ ଜଳପାନ କରି ବ୍ରତ ରଖିବା, ଦାନ ଦେବା, ବିଷ୍ଣୁ ସହସ୍ରନାମ ପାଠ କରିବା ଓ ଦୀପଦାନ କରିବା ଅତ୍ୟନ୍ତ ଫଳପ୍ରଦ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଭଗବାନ ଗୋବିନ୍ଦଙ୍କର (ବିଷ୍ଣୁଙ୍କର) ଧ୍ୟାନ, ପୂଜା ଓ ଅର୍ଚ୍ଚନା କରାଯାଏ।ସମ୍ଭବ ହେଲେ ସମୁଦ୍ର, ନଦୀ କିମ୍ବା ପବିତ୍ର ଜଳାଶୟରେ ସ୍ନାନ ଦାନ-ଦକ୍ଷିଣା, ଅଆଁଳା ବୃକ୍ଷ ପୂଜା, ଗୋବିନ୍ଦ ମନ୍ତ୍ର କିମ୍ବା ବିଷ୍ଣୁ ସହସ୍ରନାମ ଜପ କରାଯାଏ। ମହୋଦଧିରେ ସ୍ନାନ ସମୟରେ ସେମାନେ କହିଥାଆନ୍ତି, “ହେ ଗୋବିନ୍ଦ, ହେ ପରମାନନ୍ଦ, ହେ ମୁକୁନ୍ଦ!ଗୋବିନ୍ଦ ଦ୍ୱାଦଶୀ ଯୋଗରେ ଏହି ଲବଣ ସମୁଦ୍ରର ପବିତ୍ର ଜଳରେ ମୁଁ ସ୍ନାନ କରୁଛି। ମୋର ସମସ୍ତ ପାପ ହରଣ କରନ୍ତୁ।”
ଏହା ପରେ, ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥରେ ସେମାନେ ସ୍ନାନ କରିବା ଏବଂ ଗୋବିନ୍ଦଙ୍କୁ ଉତ୍ତମ ଆସନରେ ବସାଇ, ପାଦ୍ୟ, ଅର୍ଘ୍ୟ ଦେଇ ପୂଜା କରିବାକୁ ହୁଏ। “ଓଁ କ୍ଳୀଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନବଲ୍ଲଭାୟ ନମଃ” ମନ୍ତ୍ର ପାଠ କରି ଗୋବିନ୍ଦଙ୍କୁ ପୂଜା କରାଯାଏ। ଏକାଦଶୀର ବ୍ରତ ପରଦିନ ଦ୍ୱାଦଶୀରେ ଉଦ୍ୟାପନ କରାଯାଏ। ଗୋବିନ୍ଦ ଦ୍ୱାଦଶୀ ହେଉଛି ଭକ୍ତି, ଶୁଦ୍ଧତା ଓ ପୁଣ୍ୟ ଲାଭର ଏକ ଅବସର। ଏହି ଦିନ ଭଗବାନ ଗୋବିନ୍ଦଙ୍କ ନାମ ସ୍ମରଣ କରି ସମସ୍ତ ପାପରୁ ମୁକ୍ତି ପାଇବା ପାଇଁ ଭକ୍ତମାନେ ପ୍ରାର୍ଥନା କରନ୍ତି। ଓଡ଼ିଶାର ସଂସ୍କୃତିରେ ଏହାର ଏକ ବିଶେଷ ସ୍ଥାନ ରହିଛି, ଯେଉଁଠାରେ ପୁରୀର ସମୁଦ୍ର କୂଳରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥାଏ।
ଓଡ଼ିଶାରେ ଦ୍ୱାଦଶୀର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ମାସରେ ବିଭିନ୍ନ ନାମରେ ଦ୍ୱାଦଶୀ ପାଳନ କରାଯାଏ ଏବଂ ପ୍ରତ୍ୟେକର ନିଜସ୍ୱ କଥା ଓ ମାହାତ୍ମ୍ୟ ରହିଛି। କେତେକ ପ୍ରସିଦ୍ଧ ଦ୍ୱାଦଶୀର ନାମ ହେଲା :ବରାହ ଦ୍ୱାଦଶୀ (ମାଘ ଶୁକ୍ଳ ଦ୍ୱାଦଶୀ) ଏହି ଦିନ ଭଗବାନ ବିଷ୍ଣୁ ବରାହ ଅବତାରରେ ହିରଣ୍ୟାକ୍ଷ ଦାନବଙ୍କଠାରୁ ପୃଥିବୀକୁ ଉଦ୍ଧାର କରିଥିଲେ ବୋଲି କିମ୍ବଦନ୍ତୀ। ଏହି ଦିନ ବିଷ୍ଣୁଙ୍କ ପୂଜା ଓ ବ୍ରତ ପାଳନ କଲେ ପାପରୁ ମୁକ୍ତି ମିଳେ ଏବଂ ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଏହାକୁ ଗୋବିନ୍ଦ ଦ୍ୱାଦଶୀ ବା ଭୀଷ୍ମ ଦ୍ୱାଦଶୀ ମଧ୍ୟ କୁହାଯାଏ।
ବ୍ୟଞ୍ଜନ ଦ୍ୱାଦଶୀ (ମାର୍ଗଶୀର ଶୁକ୍ଳ ଦ୍ୱାଦଶୀ) ଏହାକୁ ଅଖଣ୍ଡ ଦ୍ୱାଦଶୀ ମଧ୍ୟ କୁହାଯାଏ। ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟରେ ଏହା ବହୁଳ ପ୍ରଚଳିତ। ମାଆ ଯଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ଖାଇବାକୁ ଦେଇଥିବା କଥା ସହ ଜଡ଼ିତ। ଏହି ଦିନ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଭଗବାନଙ୍କୁ ସମର୍ପଣ କରାଯାଏ। ଚମ୍ପକ ଦ୍ୱାଦଶୀ (ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ) ଏହି ଦିନ ବିଶେଷ ପୂଜା ଓ ବ୍ରତ ପାଳନ କରାଯାଏ। ଅନ୍ୟାନ୍ୟ ଦ୍ୱାଦଶୀ ଯଥା ଗରୁଡ଼ ଶୟନ ଦ୍ୱାଦଶୀ (ଆଷାଢ଼ ଶୁକ୍ଳ), ଅଧରପଣା ଦିନ (ଆଷାଢ଼ ଶୁକ୍ଳ ଦ୍ୱାଦଶୀରେ ଶ୍ରୀଜଗନ୍ନାଥଙ୍କୁ ଅଧରପଣା ଭୋଗ ଲାଗି ହୁଏ), ବାମନ ଦ୍ୱାଦଶୀ ଆଦି।
Threat to Destroy Iranian Naval Forces: ଇରାନର ନୌସେନାକୁ ଧ୍ୱଂସ କରିବାକୁ ଯାଉଛୁ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

SIT Investigation: ୨୦୦ କୋଟି ଗଞ୍ଜେଇ ତେଲ ଜବତ ଘଟଣା; ତଦନ୍ତ ପାଇଁ ଗଠନ ହେବ SIT

Iran Launches Counterattack on US Airbases: ମଧ୍ୟପ୍ରାଚ୍ୟରେ ଆରମ୍ଭ ହେଲା ମହାଯୁଦ୍ଧ; ଲାଗିଗଲେ ଇରାନ ବନାମ ଇସ୍ରାଏଲ-ଆମେରିକା

Prabhat Biswal Confronts Naveen Patnaik: ଘମାସାନ ରାଜ୍ୟସଭା ଭୋଟ୍ ପଲିଟିକ୍ସ; ପ୍ରାର୍ଥୀ ଘୋଷଣା ସହ ଚକମା ଦେବାକୁ ନବୀନଙ୍କ ଉଦ୍ୟମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)