/odishatv-khabar/media/media_files/2026/02/28/iran-launches-counterattack-on-us-airbases-2026-02-28-19-30-31.jpg)
ମଧ୍ୟପ୍ରାଚ୍ୟରେ ଆରମ୍ଭ ହେଲା ମହାଯୁଦ୍ଧ Photograph: (OTV)
ମଧ୍ୟପ୍ରାଚ୍ୟରେ ଭୟଙ୍କର ମହାଯୁଦ୍ଧ। ଆମେରିକା ଆକ୍ରମଣର ଇରାନ ଦେଲା କଡ଼ା ଜବାବ। ଆମେରିକାର ୭ ଏୟାରବେସ୍ ଉପରେ ହମଲା। ଯୁଦ୍ଧ ଆରମ୍ଭରୁ ଇରାନର ସର୍ବୋଚ୍ଚ ନେତା ଖାମନେଇ ଦେଶ ଛାଡ଼ି ପଳାଇଥିବା ଚର୍ଚ୍ଚା ହେଉଥିବାବେଳେ ନାଲି ଆଖି ଦେଖାଇ ଇରାନକୁ ଆତଙ୍କବାଦ ରାଷ୍ଟ୍ର କହିଛନ୍ତି ଟ୍ରମ୍ପ୍। ଏପଟେ ଘମାଘୋଟ ଯୁଦ୍ଧକୁ ଦେଖି ହାଇ-ଆଲର୍ଟରେ ଭାରତ। ମଧ୍ୟପ୍ରାଚ୍ୟକୁ ଏୟାର ଇଣ୍ଡିଆ ଉଡାଣ ରଦ୍ଦ ସହ ପ୍ରବାସୀଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀର ଆଡଭାଇଜରି।
ବାହାରିନ, ଅବୁଧାବି, ଦୋହା, କୁଏତ, କତାର, ଜୋର୍ଡାନ। ଆତଙ୍କ-ଆକ୍ରମଣ-ବିସ୍ଫୋରଣ। କେଉଁଠି କି ବି ଛାଡ଼ିନି ରକ୍ତମୁଖା ଇରାନ୍। ଆମେରିକା ଆର୍ମୀ ବେସ୍ ଉପରେ ମିସାଇଲ୍ ବର୍ଷା। ମଧ୍ୟପ୍ରାଚ୍ୟ ଦେଶ ଉପରେ ଘନଘନ ଆଟାକ୍। ପ୍ରଥମେ ସକାଳୁ ସକାଳୁ ଇରାନ ରାଜଧାନୀ ତେହେରାନ ସମେତ ଇସଫାହାନ, କୁମ୍ ଏବଂ ଶିରାଜ ଭଳି ୩୦ରୁ ଅଧିକ ସ୍ଥାନରେ ମିଳିତ ଭାବେ ବାଲିଷ୍ଟିକ୍ ମିସାଇଲ ମାଡ଼ କରିଥିଲେ ଆମେରିକା-ଇସ୍ରାଏଲ।
ବଡ଼ ଧମାକା ପରେ ଧୂଆଁଧୂଆଁ ହୋଇଯାଇଛି ତେହେରାନ। ସଫା ଆକାଶରେ ଯୁଦ୍ଧର ଘନ କଳାବାଦଲ। ଆକ୍ରମଣ ପରଠୁ ଇରାନ ସୁପ୍ରିମ ଲିଡର୍ ଆୟାତୋଲ୍ଲା ଖାମନେଇ ଦେଶଛାଡ଼ି ଚାଲିଯାଇଥିବା ଚର୍ଚ୍ଚା ହେଉଥିବାବେଳେ ପ୍ରଚଣ୍ଡ ପ୍ରତିଆକ୍ରମଣ କରୁଛି ଇରାନ୍। ଟାର୍ଗେଟରେ ପଡ଼ୋଶୀ ଦେଶ ଗୁଡ଼ିକରେ ଥିବା ଆମେରିକାର ନୌସେନା ଆଉ ବାୟୁସେନା ଘାଟି।
ଏପଟେ ଆକ୍ରମଣକୁ ‘ଅପରେସନ ଏପିକ୍ ଫ୍ୟୁରି’ ବୋଲି ନାଁ ଦେଇ ଇରାନକୁ ନାଲିଆଖି ଦେଖାଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍। ଟ୍ରମ୍ପ୍ କହିଛନ୍ତି, ଇରାନ ବିଶ୍ୱର ପ୍ରଥମ ଆତଙ୍କବାଦ ପ୍ରାୟୋଜିତ ରାଷ୍ଟ୍ର। ଇରାନକୁ କଦାପି ପରମାଣୁ ଅସ୍ତ୍ର ରଖିବାକୁ ଦିଆଯିବ ନାହିଁ। ଆଲୋଚନା ପାଇଁ ଇରାନ ସବୁ ସୁଯୋଗକୁ ହରାଇ ସାରିଛି। ଆତ୍ମସମର୍ପଣ ନକଲେ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ ବୋଲି କଡ଼ା ଚେତାବନୀ ଶୁଣାଇଛି ଆମେରିକା ।
ଘମାସାନ ଯୁଦ୍ଧ ଭିତରେ ଇରାନ ଓ ଇସ୍ରାଏଲରେ ବାଜିଛି ଯୁଦ୍ଧ ସାଇରନ୍ । ବନ୍ଦ ହୋଇଛି ଏୟାରସ୍ପେସ୍ ଆଉ ଇଣ୍ଟରନେଟ୍। ଘନଘନ ବୋମାମାଡ଼ ଯୋଗୁଁ ଘରୁ ନ ବାହାରିବାକୁ ଜାରି ହୋଇଛି ସତର୍କତା। ହାଇଆଲର୍ଟରେ ଗଲ୍ଫ କଣ୍ଟ୍ରି। ଏପଟେ ପ୍ରତିରକ୍ଷା ପ୍ରଣାଳୀ ଦ୍ବାରା ଇରାନର ପ୍ରତିଟି ମିସାଇଲକୁ ଆକାଶରେ ଧ୍ବଂସ କରୁଥିବା ଦାବି କରିଛି ଇସ୍ରାଏଲ। ନଜର ପକାନ୍ତୁ- ମଧ୍ୟପ୍ରାଚ୍ୟର ମହାବିବାଦ ପଛର ୫ଟି ପ୍ରମୁଖ କାରଣ ଉପରେ...
- ଇରାନର ପରମାଣୁ କାର୍ଯ୍ୟକ୍ରମ: ଆମେରିକା ଏବଂ ଇସ୍ରାଏଲ ଦାବି କରୁଛନ୍ତି, ଇରାନ ଗୁପ୍ତରେ ପରମାଣୁ ଅସ୍ତ୍ର ପ୍ରସ୍ତୁତ ପାଇଁ ଉଦ୍ୟମ କରୁଛି । ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ବୋମା ତିଆରି କରିବାକୁ ନଦେବାକୁ ବଡ଼ ଅପରେସନ କରୁଛନ୍ତି ଦୁଇ ଦେଶ।
- ଇରାନର ମିସାଇଲ ପାୱାର୍: ଇରାନ ଚତୁର୍ଥ ପିଢ଼ିର ବାଲିଷ୍ଟିକ ମିଶାଇଲର ରେଞ୍ଜ ବଢ଼ାଉଥିବାରୁ ଟେନସନରେ ଆମେରିକା । ଉକ୍ତ ମିସାଇଲ ୟୁରୋପ ଏବଂ ଆମେରିକାର ଉପକୂଳ ପର୍ଯ୍ୟନ୍ତ ମାଡ଼ କରିବାର କ୍ଷମତା ରଖୁଥିବା କୁହାଯାଉଛି।
- ଦୀର୍ଘଦିନର ଶତ୍ରୁତା ଓ ଶାସନ ପରିବର୍ତ୍ତନ: ୧୯୭୯ରୁ ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି। ଖାମେନେଇଙ୍କୁ ହଟାଇବାକୁ ରଣନୀତି କରିଛନ୍ତି ଟ୍ରମ୍ପ୍।
- ଆତଙ୍କବାଦ ପ୍ରସଙ୍ଗ: ଇରାନ ଦ୍ୱାରା ସମର୍ଥିତ ହମାସ, ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପରେ କରୁଥିବା କ୍ରମାଗତ ଆକ୍ରମଣ କରୁଥିବାରୁ ଅସ୍ଥିତ୍ବ ରକ୍ଷା ପାଇଁ ଆକ୍ରମଣ ବୋଲି ବାର୍ତ୍ତା ଦେଇଛି ଇସ୍ରାଏଲ।
- ଆଲୋଚନା ବିଫଳ: ଓମାନର ମଧ୍ୟସ୍ଥତାରେ ଇରାନ ସହ ପରମାଣୁ ଆଲୋଚନା ବିଫଳ ହେବାପରେ ଶେଷ ବିକଳ୍ପ ଭାବେ ଆମେରିକା ଓ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ନେଇଥିବା ଚର୍ଚ୍ଚା ହେଉଛି।
ଏପଟେ ଯୁଦ୍ଧର ଘଟଘଟା ଭିତରେ ସେଠାରେ ବସବାସ କରୁଥିବା ଭାରତୀୟଙ୍କୁ ନେଇ ବଢିଛି ଚିନ୍ତା। ସୂଚନା ଅନୁସାରେ ମଧ୍ୟପ୍ରଚ୍ୟରେ ପ୍ରାୟ ୯ ମିଲିୟନ୍ ଅର୍ଥାତ ୯୦ ଲକ୍ଷ ଭାରତୀୟ ବସବାସ କରୁଛନ୍ତି। ୟୁଏଇରେ ସର୍ବାଧିକ ୪୩ ଲକ୍ଷ, ସାଉଦିଆରବରେ ପ୍ରାୟ ୨୬ ଲକ୍ଷ, କତାରରେ ୭ ଲକ୍ଷ, କୁଏତରେ ୧୧ ଲକ୍ଷ ଓ ବାହାରିନରେ ପ୍ରାୟ ୩ ଲକ୍ଷ ଭାରତୀୟ କାମ କରୁଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହି ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦେଇଛି ବୈଦେଶିକ ମନ୍ତ୍ରାଳୟ। ଅନ୍ୟପଟେ ମଧ୍ୟପ୍ରାଚ୍ୟକୁ ବିମାନ ଉଡ଼ାଣ ବନ୍ଦ କରିଦେଇଛି ଏୟାର ଇଣ୍ଡିଆ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)