Advertisment

Life History of Lord Ganesh: କେମିତି ଜନ୍ମ ହୋଇଥିଲେ ଗଣେଶ, ମୁହଁରେ କେମିତି ଲାଗିଲା ହାତୀଶୁଣ୍ଢ; ଜାଣନ୍ତୁ ପ୍ରଭୁ ଗଜାନନଙ୍କ ଜୀବନ ଚରିତ

ପ୍ରଭୁ ଗଣେଶଙ୍କ ଜନ୍ମ କାହାଣୀ ଓ ଜୀବନୀ, ଭିନ୍ନ ଭିନ୍ନ ପୁରାଣରେ ବର୍ଣ୍ଣିତ ହୋଇଛି। ଯଦିଓ ସେଗୁଡ଼ିକ କିଛି କିଛି ଜାଗାରେ ପ୍ରଭୁ ଗଣେଶଙ୍କ ସଂପର୍କରେ ଅଲଗା ଅଲଗା ମତ ରଖନ୍ତି, କିନ୍ତୁ କିଛି କିଛି ଘଟଣା ସବୁ ପୁରାଣରେ ଦେଖିବାକୁ ମିଳିଥାଏ।

author-image
Debendra Nath Parida
Life History of Lord Ganesh

ପ୍ରଭୁ ଗଣେଶଙ୍କ ଜନ୍ମ ବୃତ୍ତାନ୍ତ Photograph: (OTV)

ହିନ୍ଦୁ ଧର୍ମରେ ପ୍ରଭୁ ଗଣେଶ (Lord Ganesh) ସବୁଠାରୁ ଲୋକପ୍ରିୟ ଏବଂ ପୂଜନୀୟ ଦେବତାମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ବିଘ୍ନହର୍ତ୍ତା, ବୁଦ୍ଧିର ଅଧିପତି ଏବଂ ନୂତନ କାର୍ଯ୍ୟର ଆରମ୍ଭକର୍ତ୍ତା ଭାବରେ ପୂଜା କରାଯାଏ। ଗଣେଶଙ୍କ ଚିତ୍ରଣ କରିବାକୁ ଯାଇ କିଏ କିଏ ବର୍ଣ୍ଣନା କରନ୍ତି, ହାତୀ ମୁଣ୍ଡ ବିଶିଷ୍ଟ ଏବଂ ବୃହତ୍ ଉଦରଯୁକ୍ତ ଦେବତା। ସେ ହେଉଛନ୍ତି ବୁଦ୍ଧି, ବିଜ୍ଞତା ଓ ବାଧା ନିରାକରଣର ପ୍ରତୀକ। ତାଙ୍କ ଜୀବନ ଚରିତ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି, ଯଦିଓ ସେଗୁଡ଼ିକରେ ଅନେକ ଭିନ୍ନତା ଦେଖିବାକୁ ମିଳିଥାଏ। ଏହି ଲେଖାରେ ପ୍ରଭୁ ଗଣେଶଙ୍କ ଜନ୍ମ ବୃତ୍ତାନ୍ତ, ପରିବାର, ପିଲାଦିନର ଘଟଣାମାନ, ହାତୀ ଶୁଣ୍ଢର କାହାଣୀ, ତାଙ୍କର ବିଶେଷ ଗୁଣାବଳୀ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି ।

Advertisment

ଗଣେଶଙ୍କ ଜନ୍ମ ବୃତ୍ତାନ୍ତ (Life History of Lord Ganesh)

ପ୍ରଭୁ ଗଣେଶଙ୍କ ଜନ୍ମ କାହାଣୀ ବିଭିନ୍ନ ପୁରାଣରେ ବର୍ଣ୍ଣିତ ହୋଇଛି। ଯଦିଓ ସେଗୁଡ଼ିକ କିଛି କିଛି ଜାଗାରେ ପ୍ରଭୁ ଗଣେଶଙ୍କ ସଂପର୍କରେ ଅଲଗା ଅଲଗା କହିଛନ୍ତି। ଶିବ ପୁରାଣ (ଚତୁର୍ଥ ଅଧ୍ୟାୟ ୧୭.୪୭-୫୭) ଏବଂ ମତ୍ସ୍ୟ ପୁରାଣ (୧୫୪.୫୪୭) ଅନୁସାରେ, ଥରେ ମାତା ପାର୍ବତୀ ପୁତ୍ର ସନ୍ତାନଟିଏ ଜନ୍ମ ଦେବାକୁ ଇଚ୍ଛା କଲେ, ଯିଏକି ତାଙ୍କ ଜଗୁଆଳି ପରି ସବୁବେଳେ ତାଙ୍କ ଆଜ୍ଞାଧୀନ ହୋଇ ରହିବ। ପ୍ରଭୁ ଶିବ ଥରେ ବାହାରକୁ ଯାଇଥିବା ବେଳେ ମାତା ପାର୍ବତୀ ନଦୀରେ ସ୍ନାନ କରିବାକୁ ଗଲେ। ଏହି ସମୟରେ କିଏ ଜଣେ ତାଙ୍କୁ ସୁରକ୍ଷା ଦେବା ଜରୁରି ମନେକଲେ। ତେଣୁ ସେ ଦେହରେ ଲଗେଇବାକୁ ଆଣିଥିବା ହଳଦୀ ଓ ଚନ୍ଦନର ଆଣ ବା ପେଷ୍ଟରେ ଏକ କୁନିପୁଅର ପ୍ରତିମା ତିଆରି କରି ତାକୁ ଜୀବଦାନ ଦେଇଥିଲେ। ଆଉ ତା ନାଁ ଦେଇଥିଲେ ଗଣେଶ। 

ଗଣେଶ ସବୁବେଳେ ଦୁଆର ମୁହଁରେ ଠିଆ ହୋଇ ମାତା ପାର୍ବତୀଙ୍କୁ ସୁରକ୍ଷା ଦେଉଥିଲେ। ଏହି ସମୟରେ କିଛିଦିନ ଧରି ବାହାରକୁ ଯାଇଥିବା ପ୍ରଭୁ ଶିବ ଯେତେବେଳେ ଆସି ଘର ଭିତରକୁ ପ୍ରବେଶ କରିବାକୁ ଚାହିଁଲେ, ଗଣେଶ ତାଙ୍କୁ ଅଟକାଇଲେ। କାରଣ ସେ ଶିବ କିଏ ସେ ଜାଣିନଥିଲେ, କିମ୍ୱା ଗଣେଶ ଯେ ତାଙ୍କ ପୁଅ ସେ କଥା ପ୍ରଭୁ ଶିବ ଜାଣିନଥିଲେ। ଗଣେଶ ପ୍ରଭୁ ଶିବଙ୍କୁ ଘର ଭିତରକୁ ନଛାଡ଼ିବାରୁ କ୍ରୋଧରେ ଗଣେଶଙ୍କ ମୁଣ୍ଡ କାଟି ଦେଲେ ଶିବ। ପରେ ପତ୍ନୀ ପାର୍ବତୀଙ୍କଠାରୁ ସବୁ କଥା ଜାଣିପାରି, ତୁରନ୍ତ ଏକ ଛୁଆହାତୀର ମୁଣ୍ଡ କାଟି ଆଣି ଗଣେଶଙ୍କଠାରେ ଲଗାଇ ତାଙ୍କୁ ବଂଚାଇଥିଲେ।

Advertisment

ଅନ୍ୟ ପୁରାଣମାନଙ୍କରେ କିନ୍ତୁ ଭିନ୍ନ କିଛି କାହାଣୀ ରହିଛି। ଲିଙ୍ଗ  ପୁରାଣ ଏବଂ ବରାହ ପୁରାଣ (୨୩.୧୮-୫୯) ଅନୁସାରେ, ଗଣେଶ କେବଳ ଶିବଙ୍କ ଦ୍ୱାରା ଅଥବା ଶିବ-ପାର୍ବତୀଙ୍କ ମିଳନରୁ ସୃଷ୍ଟି। ବ୍ରହ୍ମବୈବର୍ତ୍ତ ପୁରାଣର ଗଣେଶ ଖଣ୍ଡ (୧୦.୮-୩୭)ରେ କୁହାଯାଇଛି ଯେ, ଗଣେଶ ରହସ୍ୟମୟ ଭାବରେ ପ୍ରକଟ ହେଲେ ଏବଂ ଶିବ-ପାର୍ବତୀ ତାଙ୍କୁ ଆବିଷ୍କାର କଲେ। ଅନ୍ୟଏକ କାହାଣୀରେ କୁହାଯାଇଛି, ହାତୀମୁଣ୍ଡ ବିଶିଷ୍ଟ ଦେବୀ ମାଲିନୀ, ପାର୍ବତୀଙ୍କ ସ୍ନାନଜଳ ପାନ କରି ଗଣେଶଙ୍କୁ ଜନ୍ମ ଦେଇଥିଲେ। ‘ମୁଦ୍ଗଳ ପୁରାଣ’ ଓ ‘ଗଣେଶ ପୁରାଣ’ରେ ଶିବଙ୍କ ହସରୁ ଗଣେଶଙ୍କ ଜନ୍ମ ହେଲା ବୋଲି କୁହାଯାଇଛି। ଆଉ ମଧ୍ୟ କୁହାଯାଇଛି ଯେ, ଗଣେଶ ତାଙ୍କୁ ଅତ୍ୟଧିକ ଆକର୍ଷଣୀୟ ମନେହେବାରୁ, ସେ ତାକୁ ହାତୀମୁଣ୍ଡ ଓ ଏକ ବଡ଼ପେଟ ପ୍ରଦାନ କରିଥିଲେ। ତେବେ ବିଭିନ୍ନ ପୁରାଣରେ ଲେଖାଯାଇଥିବା ପ୍ରଭୁ ଗଣେଶଙ୍କ ଭିନ୍ନ ଭିନ୍ନ ଜନ୍ମବୃତ୍ତାନ୍ତକୁ ସବୁଠାରୁ ଗ୍ରହଣ କରାଯାଏ।

ତାଙ୍କ ପିତାମାତା ଓ ପରିବାର

ଗଣେଶଙ୍କ ପିତା ହେଉଛନ୍ତି ପ୍ରଭୁ ଶିବ, ଯାହାଙ୍କୁ ମହାଦେବ ବା ନାଶକର୍ତ୍ତା ଭାବରେ ଜଣାଯାଏ। ଆଉ ମାତା ହେଉଛନ୍ତି ପାର୍ବତୀ, ଯାହାଙ୍କୁ ଶକ୍ତିର ରୂପ ଭାବରେ ପୂଜା କରାଯାଏ। ସେମାନେ କୈଳାସ ପର୍ବତରେ ବାସ କରନ୍ତି। ଗଣେଶଙ୍କର ଭାଇ ହେଉଛନ୍ତି କାର୍ତ୍ତିକେୟ। ତେବେ ଦୁହିଁଙ୍କ ମଧ୍ୟରୁ କିଏ ବଡ଼ କିଏ ସାନ, ତାକୁ ନେଇ ଭିନ୍ନ ଭିନ୍ନ କ୍ଷେତ୍ରରେ ବା ପୁରାଣରେ ଭିନ୍ନ ଭିନ୍ନ କଥା କୁହାଯାଇଛି। ଉତ୍ତର ଭାରତରେ କାର୍ତ୍ତିକେୟଙ୍କୁ ଗଣେଶଙ୍କ ବଡ଼ଭାଇ ବୋଲି ବିଚାର କରାଯାଏ। ଯେତେବେଳେ କି ଦକ୍ଷିଣ ଭାରତରେ ଗଣେଶଙ୍କ ଜନ୍ମ ପ୍ରଥମେ ହୋଇଥିଲା ବୋଲି କୁହାଯାଏ।

ପୁରାଣମାନଙ୍କରେ ଦୁଇଭାଇଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାର କାହାଣୀ ରହିଛି। ଗଣେଶଙ୍କ ବିବାହ ସମ୍ବନ୍ଧରେ ବି ଭିନ୍ନ ଭିନ୍ନ କାହାଣୀ ରହିଛି। କିଛି ଅଂଚଳର ପରମ୍ପରାରେ ସେ ବ୍ରହ୍ମଚାରୀ, କିନ୍ତୁ ଅନ୍ୟ କେତେକ ପରମ୍ପରାରେ ତାଙ୍କ ପତ୍ନୀମାନେ ହେଉଛନ୍ତି ବୁଦ୍ଧି (ଜ୍ଞାନ), ରିଦ୍ଧି (ସମୃଦ୍ଧି) ଏବଂ ସିଦ୍ଧି (ଆଧ୍ୟାତ୍ମିକ ଶକ୍ତି), ଯାହାଙ୍କୁ ଦେବୀମାନଙ୍କ ରୂପରେ ଚିତ୍ରିତ କରାଯାଏ। ଆଉ କିଛି ଅଂଚଳରେ ଗଣେଶଙ୍କର ଜଣେ ପତ୍ନୀ ଥିଲେ ଏବଂ ତାଙ୍କର ସରସ୍ୱତୀ (ବା ଶାରଦା, ବିଶେଷକରି ମହାରାଷ୍ଟ୍ରରେ) ଏବଂ ଲକ୍ଷ୍ମୀଙ୍କ ସହିତ ସମ୍ବନ୍ଧ ରହିଛି।

ଶିବ ପୁରାଣରେ ତାଙ୍କର ପୁତ୍ରମାନେ ହେଉଛନ୍ତି କ୍ଷେମ (ସୁରକ୍ଷା) ଏବଂ ଲାଭ (ଲାଭ), କିମ୍ବା ଉତ୍ତର ଭାରତରେ- ଶୁଭ (ଶୁଭକାମନା) ଏବଂ ଲାଭ। କିଛି ଆଧୁନିକ ଚଳଚ୍ଚିତ୍ରରେ (ଯେପରିକି ଜୟ ସନ୍ତୋଷୀ ମାଆ) ତାଙ୍କର ପୁତ୍ରୀ ସନ୍ତୋଷୀ ମାଆ ବୋଲି କୁହାଯାଇଛି, କିନ୍ତୁ ଏହା ପୁରାଣି ସିଦ୍ଧ ନୁହେଁ।

ତାଙ୍କ ପିଲାଦିନର କିଛି ଘଟଣା

ଗଣେଶଙ୍କ ପିଲାଦିନର ଘଟଣାମାନ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି। ଏଗୁଡ଼ିକ ତାଙ୍କ ବୁଦ୍ଧି ଓ ବାଳସୁଲଭ ଚତୁରତାକୁ ପ୍ରଦର୍ଶିତ କରିଥାଏ। ପ୍ରଭୁ ଗଜାନନଙ୍କ ସଂପର୍କରେ କଥିତ ପ୍ରଥମ ଓ ପ୍ରସିଦ୍ଧ ଘଟଣାଟି ହେଉଛି, ପାର୍ବତୀଙ୍କ ଦ୍ୱାରରକ୍ଷକ ଭାବରେ ତାଙ୍କର ଭୂମିକା। ଯେଉଁଥିରେ ସେ ପ୍ରଭୁ ଶିବଙ୍କୁ ଅଟକାଇବାରୁ ମୁଣ୍ଡ ହରାଇଥିଲେ।

ମହାଭାରତର ଏକ ଅଧ୍ୟାୟରେ (୧.୧.୭୫-୭୯), ଯୁବକ ଗଣେଶ, ବ୍ୟାସଙ୍କର ଲେଖକ ହେଲେ ଏବଂ ମହାଭାରତ ଲେଖିବାକୁ ସହମତ ହୋଇଛନ୍ତି। ବ୍ୟାସଦେବ ଜାଣି ଜାଣି ଅନେକ ଜଟିଳ ଶ୍ଲୋକ ଯୁବକ ଗଣେଶଙ୍କୁ କହିଥିଲେ। ଏ ସଂପର୍କିତ ପ୍ରଶ୍ନର ଉତ୍ତର କିନ୍ତୁ ଗଣେଶ ଅନାୟାସରେ ଦେଇଥିଲେ।

ପ୍ରଭୁ ଗଣେଶଙ୍କର ତାଙ୍କ ଭାଇ କାର୍ତ୍ତିକେୟଙ୍କ ସହିତ ପ୍ରତିଯୋଗିତାର କାହାଣୀ ମଧ୍ୟ ଲୋକମୁଖରେ ପ୍ରସିଦ୍ଧ। ଏକଦା ପ୍ରଭୁ ଶିବ ଓ ମାଆ ପାର୍ବତୀ ତାଙ୍କର ଦୁଇପୁଅ—ପ୍ରଭୁ ଗଣେଶ ଓ ପ୍ରଭୁ କାର୍ତ୍ତିକେୟଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରିବାକୁ ଘୋଷଣା କଲେ। ପ୍ରତିଯୋଗିତାର ନିୟମ ଥିଲା—ସମ୍ପୂର୍ଣ୍ଣ ପୃଥିବୀକୁ ତିନିଥର ପରିଭ୍ରମଣ କରିବା। ଯିଏ ପ୍ରଥମେ ଏହି କାର୍ଯ୍ୟ ସମ୍ପନ୍ନ କରିବ, ସେଇ ବିଜୟୀ ଘୋଷିତ ହେବେ।

ଯୁଦ୍ଧର ଦେବତା ପ୍ରଭୁ କାର୍ତ୍ତିକେୟ ତୁରନ୍ତ ତାଙ୍କର ବାହନ ମୟୂରରେ ଆରୋହଣ କରି ପର୍ବତ, ସମୁଦ୍ର ଓ ମହାଦେଶ ଉପରେ ତୀବ୍ର ବେଗରେ ଉଡ଼ି ଯାଇଥିଲେ। କିନ୍ତୁ ମୂଷିକକୁ ବାହନ କରୁଥିବା ପ୍ରଭୁ ଗଣେଶ ତୀବ୍ର ବେଗରେ ଦଉଡ଼ିବା ଅସମ୍ଭବ। ପ୍ରତିବଦଳରେ ସେ ତାଙ୍କ ପିତାମାତା—ଶିବ ଓ ପାର୍ବତୀଙ୍କୁ ତିନିଥର ପରିକ୍ରମା କରି ପ୍ରଣାମ କଲେ। ଗଣେଶଙ୍କ ଯୁକ୍ତି ଥିଲା, ତାଙ୍କ ପାଇଁ ପିତାମାତା ହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ। ସେମାନଙ୍କୁ ପରିକ୍ରମା କରିବାର ଅର୍ଥ ପୃଥିବୀ ପରିଭ୍ରମଣ କରିବା। ଗଣେଶଙ୍କ ବୁଦ୍ଧିମତା, ଭକ୍ତି ଓ ଗଭୀର ଦୃଷ୍ଟିକୋଣରେ ପ୍ରଭାବିତ ହୋଇ, ପ୍ରଭୁ ଶିବ ଓ ମାତା ପାର୍ବତୀ ତାଙ୍କୁ ବିଜେତା ଘୋଷଣା କଲେ।
ହାତୀ ଶୁଣ୍ଢ କେମିତି ଲାଗିଲା

ଗଣେଶଙ୍କ ହାତୀ ମୁଣ୍ଡର କାହାଣୀ ଅଧିକାଂଶ ପୁରାଣରେ ରହିଛି। ପାର୍ବତୀ ଦେହରେ ଲଗାଇବାକୁ ଆଣିଥିବା ହଳଦୀ ଓ ଚନ୍ଦନ ବଟା ପେଷ୍ଟରୁ ଶିଶୁ ଗଣେଶଙ୍କୁ ସୃଷ୍ଟି କଲେ ଏବଂ ତାଙ୍କୁ ଦ୍ୱାର ରକ୍ଷକ ଭାବରେ କାମଟିଏ ଦେଲେ। ଏହି ସମୟରେ ବାହାରକୁ ଯାଇଥିବା ପ୍ରଭୁ ଶିବ ଘରକୁ ଫେରିଲେ। ସେ ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଗଣେଶ ତାଙ୍କୁ ଅଟକାଇଥିଲେ। ଶିବ ସେତେବେଳକୁ ଗଣେଶଙ୍କୁ ଚିହ୍ନି ନଥିଲେ। ତେଣୁ ସେ କ୍ରୋଧରେ ତାଙ୍କ ମୁଣ୍ଡ କାଟି ଦେଇଥିଲେ। ଏହା ଜାଣି ପାର୍ବତୀ ଦୁଃଖରେ ମ୍ରିୟମାଳ ହୋଇଗଲେ। ଫଳରେ ଶିବ ତାଙ୍କ ଦୂତଙ୍କୁ ନିର୍ଦ୍ଦେଶ ଦେଲେ, ଯାଅ, ଯେଉଁଠି ପ୍ରଥମେ ପ୍ରାଣୀଟିଏ ଦେଖିବ ତା ମୁଣ୍ଡ କାଟି ଆଣିବ। ଦୂତମାନେ ପ୍ରଥମେ ଯାଉ ଯାଉ ଯାହାକୁ ପାଇଲେ ସେ ପ୍ରାଣୀଟି ଥିଲା ଏକ ହାତୀ। ତେଣୁ ହାତୀମୁଣ୍ଡ ଲଗାଇ ଗଣେଶଙ୍କୁ ଜୀବନ୍ତ କରାଗଲା।

କିନ୍ତୁ ବରାହ ପୁରାଣ (୨୩.୧୭)ରେ କୁହାଯାଇଛି ଅଲଗା କଥା। ଏଥିରେ କୁହାଯାଇଛି, ଶିବଙ୍କ ହସରୁ ଗଣେଶଙ୍କ ଜନ୍ମ। ତେବେ ପ୍ରଭୁ ଶିବଙ୍କୁ ଗଣେଶ ଅତ୍ୟଧିକ ଆକର୍ଷଣୀୟ ମନେହେବାରୁ, ସେ ତାଙ୍କୁ ଖୁସିରେ ହାତୀମୁଣ୍ଡ ଓ ବୃହତ ପେଟ ବା ଉଦରଟିଏ ପ୍ରଦାନ କରିଥିଲେ।

ସେହିପରି ମୁଦ୍ଗଳ ପୁରାଣରେ ଗଣେଶଙ୍କ ପ୍ରାରମ୍ଭିକ ନାମ ଥିଲା ଏକଦନ୍ତ (ଗୋଟିଏ ଦାନ୍ତ)। ସେ ଜନ୍ମ ହେଲାପରେ ମୁଣ୍ଡ ପ୍ରାପ୍ତ ହେଲେ। ଅର୍ଥାତ ତାଙ୍କର ଜନ୍ମ ବେଳେ ମୁଣ୍ଡ ନଥିଲା। କିଛି ଲୋକପରମ୍ପରା ଅନୁସାରେ, ଗଣେଶ ହାତୀମୁଣ୍ଡ ସହିତ ହିଁ ଜନ୍ମ ନେଇଥିଲେ।

ପ୍ରଭୁ ଗଣେଶ ବଡ଼ ହେଲାପରେ…

ବଡ଼ ହେବା ପରେ ଗଣେଶ ବୁଦ୍ଧି, ଜ୍ଞାନ, ତର୍କ ଓ ନୂଆ ଆରମ୍ଭର ପ୍ରତୀକ ହେଲେ। ସେ ବିଘ୍ନେଶ୍ୱର ବା ବିଘ୍ନରାଜ୍, ପ୍ରତିବନ୍ଧକ ନିରାକରଣକାରୀ (ବିଘ୍ନହର୍ତ୍ତା), ଆବଶ୍ୟକ ହେଲେ ବାଧା ସୃଷ୍ଟିକର୍ତ୍ତା (ବିଘ୍ନକର୍ତ୍ତା) ନାଁରେ ମଧ୍ୟ ଜଣାଶୁଣା ହେଲେ। ତାଙ୍କ ଗୁଣାବଳୀରେ ଚାରି ହାତ (କୁରାଢ଼ି, ଅଙ୍କୁଶ, ପାଶ, ଭଙ୍ଗା ଦାନ୍ତ ଧାରଣ କରି), ହାତୀ ମୁଣ୍ଡ, ବୃହତ୍ ଉଦର (ଲମ୍ବୋଦର ବା ମହୋଦର, ବ୍ରହ୍ମାଣ୍ଡ ପୁରାଣ ଅନୁସାରେ ବ୍ରହ୍ମାଣ୍ଡ ଧାରଣ କରି), ଏକ ଦାନ୍ତ (ଏକଦନ୍ତ), ମୂଷିକ ବାହନ (ମୂଷକବାହନ, ଇଚ୍ଛା ନିୟନ୍ତ୍ରଣ ବା ମହାମାରୀ ନିରାକରଣର ପ୍ରତୀକ) ରହିଛି।

ସେ ଲାଲ ରଙ୍ଗର ସ୍ୱସ୍ତିକ, ଓଂ, ମୋଦକର ପ୍ରତୀକ ପାଲଟିଲେ। ସେ ଓଂକାର ସ୍ୱରୂପ, ମୂଳାଧାର ଚକ୍ରରେ ବାସ କରନ୍ତି ଏବଂ ଜୀବନ ଶକ୍ତିକୁ ନିୟନ୍ତ୍ରଣ କରନ୍ତି। ଗଣପତ୍ୟ ସମ୍ପ୍ରଦାୟରେ ସେ ପରମ ସତ୍ତ୍ୱା (ମହାଗଣପତି)। ତାଙ୍କୁ ଗଣପତି (ଗଣଙ୍କର ଅଧିପତି), ବିନାୟକ (ବାଧା ନିରାକରଣକାରୀ), ବୁଦ୍ଧିପ୍ରିୟ (ଜ୍ଞାନପ୍ରିୟ) ନାମରେ ସମ୍ବୋଧନ କରାଯାଏ।

ପ୍ରଭୁ ଗଣେଶ, ବିଶେଷକରି ନୂତନ ଆରମ୍ଭ, ଜ୍ଞାନ, ଭାଗ୍ୟ, ବାଧା ନିରାକରଣ, କଳା, ବିଜ୍ଞାନ, ସାହିତ୍ୟ, ଶିକ୍ଷା, ତର୍କ ଏବଂ ବୁଦ୍ଧିର ଅଧିକାରୀ। କାର୍ଯ୍ୟର ଆରମ୍ଭରେ ତାଙ୍କୁ ପୂଜା କରାଯାଏ ଏବଂ ଲେଖନୀରେ ଆହ୍ୱାନ କରାଯାଏ। ଗଣପତ୍ୟରେ ସେ ପରମ ଦେବତା। 

ତାଙ୍କ ପାଇଁ ପାଳନ ହେଉଥିବା ଉତ୍ସବ ଗୁଡ଼ିକ ହେଲା ଗଣେଶ ଚତୁର୍ଥୀ, ଯାହାକୁ ଅଗଷ୍ଟ/ସେପ୍ଟେମ୍ବର ମାସରେ ପାଳନ ହୁଏ। ଆଉ ଗୋଟିଏ ହେଉଛି ଗଣେଶ ଜୟନ୍ତୀ, ଯାହାକି ଜାନୁଆରୀ/ଫେବୃଆରୀ ମାସରେ ପାଳନ ହୁଏ। ପ୍ରଭୁ ଗଣେଶଙ୍କ ପାଇଁ ଥିବା ଲୋକପ୍ରିୟ ମନ୍ତ୍ରଗୁଡ଼ିକ ହେଉଛି- ଓଂ ଶ୍ରୀ ଗଣେଶାୟ ନମଃ, ଓଂ ଗଂ ଗଣପତୟେ ନମଃ। ତାଙ୍କ ବାସସ୍ଥଳୀ ହେଉଛି କୈଳାସ ବା ସ୍ୱାନନ୍ଦଲୋକରେ। ପ୍ରଭୁ ଗଣେଶଙ୍କ ଜୀବନ ଚରିତ୍ର ହିନ୍ଦୁ ଧର୍ମର ସମୃଦ୍ଧ ପରମ୍ପରାକୁ ପ୍ରତିଫଳିତ କରେ ଏବଂ ବୁଦ୍ଧି, କରୁଣା ଏବଂ ବାଧା ନିରାକରଣର ଶିକ୍ଷା ଦେଇଥାଏ। ତାଙ୍କର ପୂଜା ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରେରଣା ଦେଇଥାଏ।

(ପ୍ରବନ୍ଧରେ ସଂଯୋଜିତ ମତ ସଂପୂର୍ଣ୍ଣ ଭାବରେ ଲେଖକଙ୍କର)

Advertisment
Related Articles
Advertisment