Advertisment

ମୁଣ୍ଡଫଟା ଖରା, ଅସହ୍ୟ ଗୁଳୁଗୁଳି, ଅସ୍ତବ୍ୟସ୍ତ କରୁଛି ଗରମ ! ପଶ୍ଚିମରେ ପାରଦ ୪୪ଂ ଉପରେ

କାଳବୈଶାଖୀ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଲୋକେ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ।

ଅଦ୍ୟତନ ହୋଇଛି
undefined

Heat Wave

Advertisment

ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି । ଖରା ଗରମ ସାଙ୍ଗକୁ ସାଙ୍ଘାତିକ ହେଉଛି ଗୁଳୁଗୁଳି । ସକାଳୁ ରାତି ଯାଏଁ କେତେବେଳେ ବି ଗରମରୁ ନିସ୍ତାର ନାହିଁ । ଟିକେ ବାହାରକୁ ବାହାରିଲେ ଅବସ୍ଥା ଅସମ୍ଭାଳ । ଆହୁରି ୫ ଦିନ ଏପରି ସ୍ଥିତି ସାରା ରାଜ୍ୟରେ ରହିବା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯଦିଓ ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି, ଉପକୂଳରେ କିନ୍ତୁ କଲବଲ କରୁଛି ହ୍ୟୁମିଡିଟି ବା ଆଦ୍ରତା।

Advertisment

ଦିନରେ ପ୍ରାୟ ୭୫ ପ୍ରତିଶତ ଆଦ୍ରତା ହେତୁ ଗୁଳୁଗୁଳି ଅସହ୍ୟ କରୁଛି। ପୁରୀ, ଗୋପାଳପୁର୍, ପାରାଦ୍ୱୀପ, ଭୁବନେଶ୍ୱର, ବାଲେଶ୍ୱର ପରି ସହରର ଆଦ୍ରତା ୭୫ ପ୍ରତିଶତରୁ ଉପରେ ରହୁଛି । ଆଜି ଦିନ ୨ଟା ୩୦ ସୁଦ୍ଧା ଉଭୟ ସମ୍ବଲପୁରଝାରସୁଗୁଡ଼ାର ତାପାମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିସାରିଥିଲା ।

୨୦ ଯାଏଁ ତାତି କଲବଲ କରିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରଭାବରେ ତାତି ଅନୁଭୁତ ହେବ। ପଶ୍ଚିମ ଓଡିଶାରେ ତାପମାତ୍ରା ୪୫ ଡିଗ୍ରୀ କିମ୍ବା ସ୍ୱାଭାବିକଠୁ ୩ ରୁ ୫ ଡିଗ୍ରୀ ବଢିବା ବେଇ ଆକଳନ କରିଛି ପାଣିପାଗ ବିଭାଗ। ଖରା ଏବଂ ଗରମକୁ ନଜରରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ବାହାରକୁ ନବାହାରିବାକୁ ସତର୍କ କରାଇଛି ବିଭାଗ। ତେବେ ଉପକୂଳ ଜିଲ୍ଲାରେ ଆଗାମୀ ୩ ଦିନ ଯାଏଁ କାଳବୈଶାଖୀ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚିଳିକ ପାଣିପାଗ କେନ୍ଦ୍ର ।

Advertisment

ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗଜପତି ଜିଲ୍ଲାର ମୋହନା ଓ ତପ୍ତପାଣି ଅଂଚଳରେ ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହେବେ ପରେ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ସେହିପରି କାଳବୈଶାଖୀ ପ୍ରଭାବରେ ଅପରାହ୍ନରେ କଟକ, ଭୁବନେଶ୍ୱର ସମେତ ଉପକୂଳର ଆଉ କିଛି ଅଂଚଳରେ ବର୍ଷା ହୋଇଥିବା ଜଣାପଡ଼ିଛି।

ସେପଟେ ଆଜି କାଳବୈଶାଖୀ ନୟାଗଡ଼ ଜିଲ୍ଲାରେ ଦୁଇ ଜଣଙ୍କ ଜୀବନ ନେଇଛି। ଖଣ୍ଡପଡ଼ା ଅଁଳାପଟାରେ ଏକ ଅଟୋ ଉପରେ ଗଛଡ଼ାଳ ପଡ଼ିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଟୋରେ ୪ ଜଣ ମହିଳା ଯାଉଥିବା ବେଳେ ଖଣ୍ଡପଡ଼ା-ଖଲିସାହି ନିକଟରେ ବର୍ଷା ପବନ ଯୋଗୁଁ ଏକ ଜାମୁଗଛର ଡାଳ ଖସି ପଡ଼ିଥିଲା।

Advertisment

ସେହିଭଳି ଜିଲ୍ଲାର ଗଣିଆ ଥାନା କିଶୋର ଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟ ସାମ୍ନାରେ ଏକ ଗଛ ଡାଳ ଭାଙ୍ଗି ଜଣେ ଆଇସକ୍ରିମ୍ ବିକାଳୀଙ୍କ ଜୀବନ ଯାଇଛି। ମୃତକ ହେଲେ ଖଣ୍ଡପଡ଼ା ଥାନା ମାଧବେରେଣୀ ଗାଁର ନଭ ଖଟୁଆ। ନଭ ବର୍ଷା ପବନକୁ ଦେଖି ଆମ୍ବ ଗଛ ମୂଳେ ଅଟକି ଯିବା ସହ ସେଠାରେ ଆଶ୍ରୟ ନେଇଥିବା ବେଳେ ଆମ୍ବ ଗଛରୁ ଏକ ଡାଳ ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

Heat Wave Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ