ଦୁନିଆକୁ ଦାନା ଯୋଗାଉଥିବା ରାଜ୍ୟର ଚାଷୀକୂଳ ଏବର୍ଷ ଆଉ ଉଧେଇପାରିବେ କି ନାହିଁ ଆଶଙ୍କା । କାରଣ ଅମଳବେଳକୁ ତୁହାକୁ ତୁହା ବର୍ଷା, ଉଜାଡ଼ି ଚାଲିଛି ସୁନାର ଫସଲକୁ । ଗତ ସପ୍ତାହରେ ୨/୩ ଦିନଧରି ଘାଣ୍ଟିବା ପରେ ୨ ଦିନର ବ୍ୟବଧାନ ପରେ ଲେଉଟାଣି ବର୍ଷା ବଳକା ଫସଲକୁ ମାଟିରେ ମିଶାଇଛି । ଧାନବିଲରୁ ଧାନମଣ୍ଡି, ପରିବା କ୍ଷେତରୁ ପରିବା ହାଟ । ସବୁଠି ଏବେ ଫସଲହାନୀର ଆତଙ୍କ ଭିତରେ ଆହୁରି ୨୪ ଘଣ୍ଟାର ବର୍ଷା ପୂର୍ବାନୁମାନ, ଚାଷୀ କଲିଜାକୁ ଥରାଇ ଦେଇଛି ।
Also Read
ଅଦିନିଆ ଲଘୁଚାପ ବର୍ଷାରେ ଗତ ସପ୍ତାହରେ ଯେତିକି ଫସଲ ଉଜୁଡ଼ିଥିଲା, ଏବେ ଦୋହରା ବର୍ଷା ଚଷା ପୁଅକୁ ଦେଇଛି ଡବଲ୍ ଝଟକା । ଦୋହଲାଇ ଦେଇଛି ଆର୍ଥିକ ଉତ୍ସକୁ । ଆଉ କୋହକୁ ଚାପିପାରୁନି ଚାଷୀ, ଲୁହ ବି ଝରୁନି ଶୁଖିଲା ଆଖିରୁ। କେବଳ ବିକଳ ହେଉଛି ମନ ଆଉ ପ୍ରାଣ । ବତୁରିଯାଇଥିବା ଧାନ କଳେଇର ଗଦା ମଝିରେ ଜୀବନ ଧାରଣ ଚିନ୍ତାରେ ବିଳିବିଳଉଛି ।
ପୁରୀ ଜିଲ୍ଲା କଣାସ ବ୍ଲକ ବକୁ ପଞ୍ଚାୟତ ସୋଢ଼ରପୁର ଗାଁର ଦେବରାଜ ନାଥ । ଧାର କରଜ କରି ଧାନ ଚାଷ କରିଥିଲେ । ଅମଳ କରି କ୍ଷେତରୁ ଖଳାକୁ ଆଣିଥିଲେ । ୨ ଦିନ ତଳେ ବର୍ଷା ଦାଉରୁ ଅମଳ ଫସଲକୁ ସୁରକ୍ଷା ଦେଉ ଦେଉ ଏବେ ଲେଉଟାଣି ବର୍ଷା ଭାଙ୍ଗିଦେଇଛି ଦେବରାଜଙ୍କ ଅଣ୍ଟାକୁ । ଏ ବୟସରେ ଏବେ ଚିନ୍ତା ଘାରିଛି, କେମିତି ୠଣ ଶୁଝିବେ, କେମିତି ପରିବାରକୁ ଦି’ମୁଠା ଦାନା ଦେବେ ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ
ଗତ ସପ୍ତାହରେ ୨ ଦିନର ଲଗାଣ ବର୍ଷା କ୍ଷେତରୁ ଖଳା ଯାଏଁ ଉଜାଡ଼ି ଦେଇଥିଲା ଚାଷୀର ଭାତହାଣ୍ଡିକୁ । ଅଧା ଓଡ଼ିଶାରେ ଚାଷୀର ଦାନାପାଣି ଉପରେ ଦାଉ ସାଧିଥିଲା ଅଦିନିଆ ଲଘୁଚାପ । ଆଉ ଏବେ ପୁଣି ଲେଉଟିଛି କାଲିଠୁ । ଫଳରେ ବାଲେଶ୍ବରରୁ ଭଦ୍ରକ, କଟକରୁ କଳାହାଣ୍ଡି, ଗଜପତିରୁ ଗଞ୍ଜାମ । ଯୁଆଡ଼େ ଚାହିଁବେ ବତୁରିଯାଇଛି ବାକି ଥିବା ଧାନ କଳେଇ, ଗଜା ହୋଇଯାଇଛି ପୂର୍ବ ବର୍ଷାରୁ ବଞ୍ଚିଥିବା ଅବଶିଷ୍ଟ ଆହାର । ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏବଂ ନୂଆପଡ଼ା ଜିଲ୍ଲା ଖରିଆର ଅଞ୍ଚଳର ଧାନ ମଣ୍ଡିରେ ଖୋଲାମେଲାରେ ପଡ଼ିଛି କୁଇଣ୍ଟାଲ୍ କୁଇଣ୍ଟାଲ ଧାନ । ତେବେ ଦୁଇ ଦିନ ବର୍ଷା ମାଡ଼ ପରେ FAQ ମାନ ଆଶଙ୍କାରେ ଚାଷୀ ।
କେବଳ ଧାନ ନୁହେଁ, ଲେଉଟାଣି ବର୍ଷାରେ କ୍ଷେତରେ ଉଜୁଡ଼ିଛି ପରିବା । କୋବିଠୁ ବାଇଗଣ, ବିନ୍ସଠୁ ଭେଣ୍ଡି, ଟମାଟୋ । ଝିପି ଝପି ବର୍ଷା ମାଡ଼ରେ ଏଗୁଡ଼ା ଆଉ ଉଧେଇ ପାରିବନି । ଏପରିକି ଡାଲିଜାତୀୟ ଫସଲ ବି ବର୍ବାଦ ହେବାକୁ ବସିଛି । ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ, ଶେରଗଡ଼, ହିଞ୍ଜିଳି ବ୍ଲକରେ ହେକ୍ଟର ହେକ୍ଟର ପରିବା ଫସଲକୁ ନେଇ ଚିନ୍ତାରେ ସ୍ଥାନୀୟ ଚାଷୀ । କେବଳ ଗଞ୍ଜାମ ନୁହଁ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ବି ଉଜୁଡ଼ିବାକୁ ବସିଛି ପରିବା। ରାଜ୍ୟର ପରିବା ଝୁଡ଼ି କୁହାଯାଉଥିବା ଆଠଗଡ଼ରେ ବି ଦୋହରା ବର୍ଷାର ଡବଲ୍ ଝଟକାରେ ଚାଷୀ ହତାଶ । ଆଠଗଡ଼ ପରିବା ହାଟରେ ସବୁ ପ୍ରକାର ପରିବା ଅଛି, କିନ୍ତୁ ବର୍ଷା ଯୋଗୁ ଗ୍ରାହକ ଆସୁନଥିବାରୁ ବ୍ୟବସାୟୀ ନିରାଶ । ଫଳରେ ଅଭାବୀ ବିକ୍ରିର ଶୀକାର ହେବାକୁ ପଡୁଛି ।
ରାଜ୍ୟବ୍ୟାପୀ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ତାହାରି ଭିତରେ ଉଜୁଡ଼ା ଫସଲ ଦେଖି ଲୁହ ଆଉ କୋହରେ ବତୁରିଗଲାଣି ଚଷାପୁଅର ମନ ପ୍ରାଣ। ତେଣେ ପାଣିପାଗର ପୂର୍ବାନୁମାନ ଆସନ୍ତାକାଲି ବି ଲାଗିରହିବ ଏଭଳି ବର୍ଷା ।