• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଟ୍ୱିଟର୍‌ରୁ ଗାଏବ ହୋଇଯିବ ବ୍ଲୁ ଟିକ୍‌ ମାର୍କ । ପୂର୍ବରୁ ଅର୍ଥାତ ଏପ୍ରିଲ୍‌ ୧ରୁ ଏହି ନିୟମ ଲାଗୁ ହେବାକୁ ଥିବା ବେଳେ ଆଜିଠୁ ଏହା କାର୍ଯ୍ୟକାରୀ ହେବା ନେଇ ଟ୍ୱିଟର୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଯେଉଁମାନେ ଟ୍ୱିଟର୍‌ ବ୍ଲୁରେ ସବସ୍କ୍ରିପସନ୍‌ କରିନଥିବେ କିମ୍ବା ବ୍ଲୁ ଟିକ୍‌ ପାଇଁ ଟଙ୍କା ପଇଠ କରିନଥିବେ, ତାଙ୍କ ଆକାଉଣ୍ଟରୁ ଏହି ବ୍ଲୁ ଟିକ୍‌ ହଟିଯିବ । 

ଫେସବୁକ୍‌ ହେଉ ବା ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, ସବୁଠି ବ୍ଲୁ ଟିକ୍‌ ମାର୍କ ପାଇବା ସମସ୍ତଙ୍କ ପାଇଁ ସ୍ୱପ୍ନ । ପ୍ରାୟତଃ ଆପଣମାନେ ଦେଖିଥିବେ ଚର୍ଚ୍ଚିତ ବ୍ୟକ୍ତି ଯଥା ସାମ୍ବାଦିକ, ସେଲିବ୍ରିଟି, ରାଜନେତାଙ୍କ ନାମରେ ବ୍ଲୁ ଟିକ୍‌ ଲାଗିଥାଏ । ଯେବେଠୁ ଏଲନ୍‌ ମସ୍କ ଟ୍ୱିଟର୍‌ର ମାଲିକାନା ନେଇଛନ୍ତି, ସେବେଠୁ ସେ ବିଶ୍ୱସନୀୟତା ଅପେକ୍ଷା ବ୍ୟବସାୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯେପରିକି ବ୍ଲୁ ଟିକ୍‌ ପାଇଁ ଏବେ ସବ୍‌ସ୍କ୍ରିପସନ୍‌ ସାଙ୍ଗକୁ ଟଙ୍କା ମଧ୍ୟ ଦେବାକୁ ପଡୁଛି ।

ଅଧିକ ପଢ଼ନ୍ତୁ: ଟ୍ୱିଟର୍‌କୁ ଫେରିଲା ନୀଳପକ୍ଷୀ, ଡଗିକୁ ଗାୟବ୍‌ କରିଦେଲେ ଏଲନ୍

ମସ୍କ ମଝିରେ ଏକ ବଡ଼ ଘୋଷଣା କରିଥିଲେ । ଯେଉଁମାନେ ପୂର୍ବରୁ ଟ୍ୱିଟର୍‌ରେ ବ୍ଲୁ ଟିକ୍‌ ପାଇଛନ୍ତି ଏବଂ ସବ୍‌ସ୍କ୍ରିପସନ୍‌ ପାଇଁ ଟଙ୍କା ଦେଇନାହାନ୍ତି, ଏପ୍ରିଲ୍‌ ୧ରୁ ସେମାନଙ୍କ ଆକାଉଣ୍ଟରେ ଆଉ ବ୍ଲୁ ଟିକ୍‌ ରହିବ ନାହିଁ । ଏହାର ଅର୍ଥ ହେଉଛି, ସାମ୍ବାଦିକ, ସେଲିବ୍ରିଟି, ରାଜନେତା, ଯେଉଁମାନେ ବ୍ଲୁ ଟିକ୍ ପାଇଁ ଦେୟ ଦେଇନାହାଁନ୍ତି, ସେମାନେ ଶୀଘ୍ର ଏହାକୁ ହରାଇବେ । ତେବେ ଏହାକୁ ଆଜିଠୁ ଲାଗୁ କରାଯାଇଛି ।

ଡିସେମ୍ବରରେ ବ୍ଲୁ ଟିକ୍‌ ହଟାଯିବା ନେଇ ଏଲନ୍‌ ମସ୍କ କହିଥିଲେ । ସେ କହିଥିଲେ ଯେ ପୂର୍ବରୁ ବ୍ଲୁ ଟିକ୍‌ ଦିଆଯାଇଥିବା ଉପାୟ ଭୁଲ୍‌ ଥିଲା । ସେଥିପାଇଁ ଏପ୍ରିଲ୍‌ ୧ରୁ ଏହାର ଯାଞ୍ଚ କରି ସବ୍‌ସ୍କ୍ରିପସନ୍‌ ହୋଇନଥିବା ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଯିବ । ବ୍ଲୁ ଟିକ୍‌ ମାର୍କ ବଜାୟ ରଖିବାକୁ ଟ୍ୱିଟର୍‌ ବ୍ଲୁରେ ସାଇନ୍‌ ଅପ୍‌ କରିବାକୁ ପଡ଼ିବ।

ମସ୍କ ଟ୍ୱିଟର୍‌ ଦାୟିତ୍ୱ ନେବା ପରେ ବ୍ଲୁ ଟିକ୍‌ ମାର୍କ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ବ୍ଲୁ ଟିକ୍‌ ପାଇଥିବା ପ୍ରତିଟି ଆକାଉଣ୍ଟକୁ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବା ଏବଂ ସେ ଟ୍ୱିଟର୍‌ରେ କେତେ ସକ୍ରିୟ, ତାହା ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଆକାଉଣ୍ଟଟି ଯଦି ସାଧାରଣ ଓ ଅସଲି ହୋଇଥିବ, ତେବେ ଏହାକୁ ବିନା ଦେୟରେ ବ୍ଲୁ ଟିକ୍‌ ମାର୍କ ଦିଆଯିବ ।

ଟ୍ୱିଟର ଦାବି କରିଛି ଯେ, ବ୍ଲୁ ମାର୍କ କିଣିଥିବା ଉପଭୋକ୍ତାମାନଙ୍କୁ ଟାଇମଲାଇନରେ କମ୍ ବିଜ୍ଞାପନ, ବାର୍ତ୍ତାଳାପରେ ପ୍ରାଥମିକତା, ବୁକମାର୍କ ଫୋଲ୍ଡର ଏବଂ ଲମ୍ବା ଟ୍ୱିଟ୍ କରିବାର କ୍ଷମତା, ଟ୍ୱିଟ୍ ଏଡିଟ୍ କରିବା ଆଦି ଫିଚର୍ସ ଉପଲବ୍ଧ ହେବ ।