• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

୧୨ ବର୍ଷ ପରେ ଟିମ୍ ଇଣ୍ଡିଆର ଚାମ୍ପିଅନ୍ସ ଟ୍ରଫି ବିଜୟରେ ବ୍ୟାଟର୍ ଶ୍ରେୟସ ଆୟର ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ଯେତେବେଳେ ବି ଶୀର୍ଷକ୍ରମ ବିଫଳ ହୋଇଥିଲା, ସେ ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ଖେଳି ଟିମ୍‌କୁ ସମ୍ଭାଳିବା ସହ ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର କରାଇଥିଲେ ।

ଶ୍ରେୟସ ମଧ୍ୟକ୍ରମରେ ‘ପ୍ରାଚୀର’ ଭଳି ଛିଡ଼ା ହୋଇଥିଲେ ଏବଂ ଅନ୍ୟ ବ୍ୟାଟର୍‌ଙ୍କ ଉପରେ ଚାପ ପଡ଼ିବାକୁ ଦେଇ ନ ଥିଲେ । ଏହାହିଁ ତାଙ୍କ ବ୍ୟାଟିଂର ବିଶେଷତ୍ୱ । ସେଥିପାଇଁ ତାଙ୍କୁ ଟିମ୍‌ର ନୀରବ ନାୟକ (ସାଇଲେଣ୍ଟ ହିରୋ) କୁହାଯାଉଛି । ଚାମ୍ପିଅନ୍ସ ଟ୍ରଫି ପ୍ରଦର୍ଶନ ଶ୍ରେୟସଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । ଗତ ବର୍ଷ ସେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିବା ଭଳି ଚାଲେଞ୍ଜ୍ ଦେଇ ଗତି କରିଥିଲେ । ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଜରିଆରେ ସେ ଦିନିକିଆ ଟିମ୍‌ରେ ନିଜ ସ୍ଥାନ ସୁରକ୍ଷିତ କରିପାରିଛନ୍ତି । ଏହା ସହିତ ତାଙ୍କର କେନ୍ଦ୍ରୀୟ ଚୁକ୍ତିକୁ ପ୍ରତ୍ୟାବର୍ତ୍ତନର ଆଶା ବି ସଞ୍ଚାର ହୋଇଛି । ନିକଟରେ ଶ୍ରେୟସ କହିଥିଲେ ଯେ ସେ ନିଜ ଗେମ୍ ପ୍ଲାନ୍‌ରେ ପରିବର୍ତ୍ତନ କରିଛନ୍ତି । ବାସ୍ତବରେ ତାଙ୍କ ପ୍ରଦର୍ଶନରେ ତାହାର ଝଲକ ଦେଖିବାକୁ ମିଳିଥିଲା ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଦ୍ୱିତୀୟ ସର୍ବାଧିକ ସ୍କୋରର୍‌

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଶ୍ରେୟସ ଆୟର ଦ୍ୱିତୀୟ ସର୍ବାଧିକ ସ୍କୋରର୍ ଥିଲେ । ସେ ପାଞ୍ଚ ମ୍ୟାଚ୍‌ରେ ୨୪୩ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଦୁଇ ଅର୍ଦ୍ଧଶତକ ରହିଥିଲା । କେବଳ ନ୍ୟୁଜିଲାଣ୍ଡର ରଚିନ୍ ରବୀନ୍ଦ୍ର (୨୬୩ ରନ୍‌) ତାଙ୍କ ଠାରୁ ଆଗରେ ଥିଲେ । ଭାରତୀୟଙ୍କ ମଧ୍ୟରେ ଶ୍ରେୟସ ସର୍ବାଧିକ ସ୍କୋର୍ କରିଥିବା ବେଳେ କୋହଲି (୨୧୮) ଦ୍ୱିତୀୟ ସ୍ଥାନରେ ରହିଥିଲେ । ଶ୍ରେୟସ ଭାରତର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ମାତ୍ର ୧୫ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ସେ ୫୬ ରନ୍‌ର ଦମ୍‌ଦାର ଇନିଂସ୍ ଖେଳିଥିଲେ । ସେ ବିରାଟ କୋହଲିଙ୍କ ସହ ତୃତୀୟ ୱିକେଟ୍ ପାଇଁ ଶତକୀୟ (୧୧୪ ରନ୍‌) ଭାଗୀଦାରୀ କରିଥିଲେ ।

ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍‌ରେ ସେ ୭୯ ରନ୍‌ର ଉଲ୍ଲେଖନୀୟ ଇନିଂସ୍ ଖେଳିଥିଲେ । ଏହି ମ୍ୟାଚ୍‌ରେ ଟିମ୍ ମାତ୍ର ୩୦ ରନ୍‌ରେ ୩ ୱିକେଟ୍ ହରାଇବା ପରେ ଶ୍ରେୟସ ଓ ଅକ୍ଷରଙ୍କ ଯୋଡ଼ି ଗୁରୁତ୍ୱପୂର୍ଣ୍ଣ ୯୮ ରନ୍‌ର ଭାଗୀଦାରୀ କରିଥିଲେ । ଶ୍ରେୟସ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୫ ଓ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୮ ରନ୍ କରିଥିଲେ । ସେମିଫାଇନାଲ୍‌ରେ ୪୩ ରନ୍ ମଧ୍ୟରେ ଦୁଇ ଓପନର୍‌ଙ୍କ ୱିକେଟ୍ ପଡ଼ିବା ପରେ ସେ ବିରାଟଙ୍କ ସହ ତୃତୀୟ ୱିକେଟ୍ ପାଇଁ ୯୧ ରନ୍ ଯୋଗ କରିଥିଲେ । ସେହିପରି ଫାଇନାଲ୍ ମ୍ୟାଚ୍‌ରେ ଚତୁର୍ଥ ୱିକେଟ୍ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସହ ତାଙ୍କର ୬୧ ରନ୍‌ର ଭାଗୀଦାରୀ ବି ଗୁରୁତ୍ୱପୂର୍ଣ୍ଣ ଥିଲା ।

ଅଧିକ ପଢ଼ନ୍ତୁ: ବରୁଣ କଲେ ବଡ଼ ଖୁଲାସା; କହିଲେ, ‘ମୋତେ ଭାରତ ନ ଆସିବାକୁ ମିଳୁଥିଲା ଧମକ’

କେନ୍ଦ୍ରୀୟ ଚୁକ୍ତିକୁ ଫେରିବେ କି ଶ୍ରେୟସ

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୪ରେ ଶ୍ରେୟସ ଆୟରଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାହାର କରିଦେଇଥିଲା । ଏହାର ମୁଖ୍ୟ କାରଣ ଥିଲା, ସେ ଘରୋଇ କ୍ରିକେଟକୁ ଗୁରୁତ୍ୱର ସହ ନେଇ ନ ଥିଲେ । ୱିକେଟ୍‌କିପର-ବ୍ୟାଟର୍ ଈଶାନ କିଶାନ ମଧ୍ୟ ସମାନ କାରଣରୁ ସମଦଶା ଭୋଗିଥିଲେ । ବୋର୍ଡ ୨୦୨୫ ପାଇଁ ଶୀଘ୍ର କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିପାରେ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ଯୋଗୁଁ ଏହି ଘୋଷଣାରେ ବିଳମ୍ବ ହୋଇଛି, କାରଣ ତାଲିକାକୁ ଚୂଡ଼ାନ୍ତ କରିବା ପୂର୍ବରୁ ବୋର୍ଡ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ପରଖିବା ପାଇଁ ଚାହୁଁଥିଲା । ଗତ ବର୍ଷ ଫେବ୍ରୁଆରୀରେ ଚୁକ୍ତି ତାଲିକା ପ୍ରକାଶ ପାଇଥିଲା, ହେଲେ ଏଥର ଏହାର ଘୋଷଣା ସ୍ଥଗିତ ରହିଛି । ପୂର୍ବ ଚୁକ୍ତି ତାଲିକାରେ ସ୍ଥାନ ପାଇଥିବା କେତେକ ଖେଳାଳି କ୍ୱଚିତ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବାରୁ ଏଥିରୁ ବାଦ୍ ପଡ଼ିପାରନ୍ତି ।

ସେମାନଙ୍କ ମଧ୍ୟରେ ଅଭେଶ ଖାନ୍‌, ରଜତ ପଟିଦାର, ଶ୍ରୀକର ଭରତ, ଶାର୍ଦ୍ଦୂଳ ଠାକୁର ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ଅଶ୍ୱିନ ତ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇସାରିଲେଣି । ସେ ବାଦ୍ ପଡ଼ିବେ । ଅନ୍ୟପଟେ, ଚାମ୍ପିଅନ୍ସ ଟ୍ରଫି ପ୍ରଦର୍ଶନ ଯୋଗୁୁଁ ଶ୍ରେୟସ ଚୁକ୍ତି ତାଲିକାକୁ ଫେରିବା ପ୍ରାୟତଃ ନିଶ୍ଚିତ ବୋଲି ଆଲୋଚନା ହେଉଛି । ଈଶାନ ୨୦୨୩ରୁ ଆନ୍ତର୍ଜାତିକ କ୍ରିକେଟ୍ ଖେଳି ନ ଥିବା ବେଳେ ଶ୍ରେୟସ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଦିନିକିଆ ଟିମ୍‌ର ସଦସ୍ୟ ଅଛନ୍ତି ।

ଭବିଷ୍ୟତରେ ମିଳିବ କି ବଡ଼ ଦାୟିତ୍ୱ ?

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଶ୍ରେୟସ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ଖେଳିଥିଲେ । ସେ ସମସ୍ତ ମ୍ୟାଚ୍‌ରେ ଦୃଢ଼ ପ୍ରଦର୍ଶନ କରିଥିଲେ । ଏହି ମଧ୍ୟକ୍ରମ ବ୍ୟାଟର୍ ପ୍ରଥମ ମ୍ୟାଚ୍‌ରେ ୫୯ ରନ୍ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ଯଥାକ୍ରମେ ୪୪ ଓ ୭୮ ରନ୍‌ର ଇନିଂସ୍ ଖେଳିଥିଲେ ।

ଏହି ପ୍ରଦର୍ଶନ ଜରିଆରେ ସେ ଫର୍ମକୁ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲେ । ଏହାପରେ ସେ ଚାମ୍ପିଅନ୍ସ ଟ୍ରଫିରେ ବି ଏହି ଫର୍ମ ବଜାୟ ରଖିଥିଲେ । ଦିନିକିଆ ଆନ୍ତର୍ଜାତିକରେ ଅତୀତରେ ମଧ୍ୟ ସେ ଅନେକ ଦମ୍‌ଦାର ଇନିଂସ୍ ଖେଳି ମଧ୍ୟକ୍ରମରେ ତାଙ୍କ ଆବଶ୍ୟକତା କେତେ, ତାହା ପ୍ରମାଣିତ କରିସାରିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ସେ ୧୧ ମ୍ୟାଚ୍‌ରେ ୫୩୦ ରନ୍ ସଂଗ୍ରହ କରିଥିଲେ । ଏଥିରେ ଦୁଇ ଶତକ ଓ ତିନି ଅର୍ଦ୍ଧଶତକ ଥିଲା ।

ଶ୍ରେୟସ ଦିନିକିଆ ଆନ୍ତର୍ଜାତିକରେ ଏ ଯାବତ ୭୦ ମ୍ୟାଚ୍ ଖେଳି ୨୮୪୫ ରନ୍ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୦ ଥିବା ବେଳେ ଆଭରେଜ୍ ୪୮.୨ ରହିଛି । ଏକଦା ୫୦-ଓଭର୍ ଫର୍ମାଟ୍‌ରେ ଶ୍ରେୟସ ଭବିଷ୍ୟତରେ ଭାରତୀୟ ଟିମ୍‌ର ଅଧିନାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏହି ଫର୍ମାଟ୍‌ରେ ସେ ୨୦୧୭ରୁ ଖେଳିଆସୁଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଶୁବମନ ଗିଲ୍‌ଙ୍କୁ ଟିମ୍‌ର ଉପ-ଅଧିନାୟକ କରାଗଲା । ସେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ।

ସବୁଠାରୁ ବଡ଼ କଥା ହେଲା, ଶ୍ରେୟସଙ୍କର ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ରହିଛି । ସେ ଅତୀତରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ୱ ନେଇସାରିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଲିଗ୍‌ର ପୂର୍ବ ସିଜନ୍‌ରେ ନାଇଟ୍ ରାଇଡର୍ସ ଚାମ୍ପିଅନ୍ ହୋଇଥିଲା । ନୂଆ ସିଜନ୍‌ରେ ସେ ପଞ୍ଜାବ କିଙ୍ଗ୍‌ସର ଅଧିନାୟକତ୍ୱ କରିବେ ।

ଅତଏବ, ଏହି ଅଭିଜ୍ଞତା ଯୋଗୁଁ ଶ୍ରେୟସଙ୍କୁ ଭବିଷ୍ୟତରେ ହୁଏତ ଭାରତୀୟ ଟିମ୍‌ର ନେତୃତ୍ୱ ନେବା ଲାଗି ସୁଯୋଗ ମିଳିପାରେ । କିନ୍ତୁ ଏବେ ତାଙ୍କ ପାଇଁ ପ୍ରଦର୍ଶନରେ ନିରନ୍ତରତା ସହ ଫିଟ୍‌ନେସ୍ ବଜାୟ ରଖିବା ଅଧିକ ଜରୁରୀ ।

ଅଧିକ ପଢ଼ନ୍ତୁ: IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ହାର୍ଦ୍ଦିକ ବ୍ୟାନ୍ ହେବାପରେ କିଏ ହେବେ ଅଧିନାୟକ?

OTV is now on Whatsapp

Join and get latest news update delivered to you via whatsapp

Join Now