ଟି୨୦ କ୍ରିକେଟର ମହାକୁମ୍ଭ ତଥା ବିଶ୍ବର ଧନଶାଳୀ କ୍ରିକେଟ ଲିଗ ଆଇପିଏଲ୍ (IPL)ର ୧୮ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ୨୦୨୫ରେ ୧୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ପ୍ରତ୍ୟେକ ଦଳ ଟାଇଟଲ ଜିତିବାକୁ ପ୍ରୟାସ କରିବେ। ଆଜି ଆସନ୍ତୁ ନଜର ପକାଇବା ପ୍ରଥମ ସିଜନର ଟାଇଟଲ ବିଜେତା ରାଜସ୍ଥାନ ରୟାଲ୍ସ ଦଳର କଣ ରହିଛି ଶକ୍ତି ଓ ଦୁର୍ବଳତା ଉପରେ ଏକ ନଜର..
ଶକ୍ତି: ରାଜସ୍ଥାନର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ଟପ ଅର୍ଡର ବ୍ୟାଟିଂ। ଅଧିନାୟକ ରହିଥିବା ସଞ୍ଜୁ ସାମସନ, ଯଶସ୍ଵୀ ଜୟସ୍ୱାଲ ଏବଂ ରିୟାନ ପରାଗଙ୍କ ପରି ଖେଳାଳିଙ୍କ ଉପସ୍ଥିତି ଦଳର ବ୍ୟାଟିଂ ଲାଇନ ଅପକୁ ଶକ୍ତିଶାଳୀ କରୁଛି। ସାମସନଙ୍କ ଅଭିଜ୍ଞତା ଓ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଅନ୍ୟ ମାନଙ୍କ ଅପେକ୍ଷା ଅଲଗା କରୁଛି। ପ୍ରଥମ ଭାରତୀୟ ବ୍ୟାଟର ଭାବେ ଟି୨୦ ଅନ୍ତର୍ଜାତୀୟରେ ଦୁଇଟି ଶତକ ମାରିଥିବା ସାମସନଙ୍କ ପ୍ରଦର୍ଶନ ଉପରେ ରୟାଲ୍ସର ସଫଳତା ନିର୍ଭର କରିବ। ସେହିପରି ପାୱାର ପ୍ଲେ ଓଭରରେ ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟିଂ ଦଳକୁ ଫାଇଦାରେ ରଖିବ। ସମସ୍ତ ଫର୍ମାଟରେ ଭାରତ ପାଇଁ ଖେଳିଥିବା ଜୟସ୍ବାଲ ବିଗତ ସିଜିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ।
Also Read
ଅଧିକ ପଢ଼ନ୍ତୁ: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର
ମଧ୍ୟକ୍ରମରେ ନୀତିଶ ରାଣା ଓ ରିୟାନ ପରାଗଙ୍କ ଉପସ୍ଥିତି ଦଳକୁ ମଜବୁତ କରିବ। ୱେଷ୍ଟଇଣ୍ଡିଜର ସିମରନ ହିଟମେୟରଙ୍କ ପ୍ରଦର୍ଶନ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ। ଏହା ସହିତ ସ୍ପିନ ବିଭାଗରେ ଓ୍ଵାନିନ୍ଦୁ ହସରଙ୍ଗା ଓ ମହୀଶ ତୀକ୍ଷଣାଙ୍କ ଯୋଡ଼ି ବିପକ୍ଷ ଦଳ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ହସରଙ୍ଗା ନିଜର ଲେଗ୍-ସ୍ପିନ ଓ ୱିକେଟ୍ ନେବା ଦକ୍ଷତା ପାଇଁ ପ୍ରସିଦ୍ଧ। ତୀକ୍ଷଣା ମିଷ୍ଟ୍ରି ସ୍ପିନ ବୋଲିଂ ପାଇଁ ପ୍ରସିଦ୍ଧ। ପେସ୍ ଆକ୍ରମଣରେ ଜୋଫ୍ରା ଆର୍ଚରଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ଆହୁରି ଶକ୍ତିଶାଳୀ କରିଛି। ଦଳର ଅନ୍ୟତମ ରିଟେନ ହୋଇଥିବା ଖେଳାଳି ସନ୍ଦୀପ ଶର୍ମାଙ୍କ ସହ ମିଶି ବୋଲିଂ କରିବେ। ସେହିପରି ଚଳିତ ଅକ୍ସନରେ ଆକାଶ ମଧୱାଲଙ୍କୁ କିଣିଛି ରାଜସ୍ଥାନ। ଡେଥ ଓଭରରେ ଚମତ୍କାର ୟର୍କର ପକାଇବାର ଦକ୍ଷତା ରଖନ୍ତି ଆକାଶ।
ଦୁର୍ବଳତା: ତେବେ ରାଜସ୍ଥାନ ଦଳର ଅନେକ ଦୁର୍ବଳତା ମଧ୍ୟ ରହିଛି। ଦଳର ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟିଂ ଅର୍ଡରରେ ଅଭିଜ୍ଞତାର ଅଭାବ ରହିଛି। ସିମରନ ହିଟମେୟର ଜଣେ ଭଲ ଫିନିଶର ମାତ୍ର କ୍ବାଲିଟି ସ୍ପିନରଙ୍କ ବିପକ୍ଷରେ ତାଙ୍କୁ ସଂଘର୍ଷ କରିବାକୁ ପଡିଥାଏ। ଏହା ରାଜସ୍ଥାନ ପାଇଁ ଚିନ୍ତାର କାରଣ ପାଲଟି ପାରେ। ସେହିପରି ଦଳ ନିକଟରେ ବ୍ୟାକଅପ୍ ଖେଳାଳିଙ୍କ ଅଭାବ ରହିଛି। ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜବେନ୍ଦ୍ର ଚହଲଙ୍କୁ ଛାଡିବା ପରେ ଦଳ ନିକଟରେ ଭାରତୀୟ ସ୍ପିନରଙ୍କ ଅନୁପସ୍ଥିତି ଅସୁବିଧାରେ ପକାଇପାରେ। ମିଡିଲ ଅର୍ଡରରେ ଅଭିଜ୍ଞତାର ଅଭାବ ରହିଥିବା ବେଳେ ଟପ ଅର୍ଡର ବିଫଳତା ଦଳକୁ ଅସୁବିଧାରେ ପକାଇପାରେ। ସେହପରି ନିୟମିତ ଅଲରାଉଣ୍ଡରଙ୍କ ଅଭାବ କାରଣରୁ ନୀତିଶ ରାଣା ଓ ରିୟାନ ପରାଗଙ୍କ ଉପରେ ଦଳ ଅଧିକ ନିର୍ଭରଶୀଳ ରହିବ।
ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ରାଜସ୍ଥାନର କୋଚ ରହିଥିବା ବେଳେ ବିକ୍ରମ ରାଠୋଡ ବ୍ୟାଟିଂ କୋଚ ରହିଛନ୍ତି। ସେହିପରି ଆଇପିଏଲ ଇତିହାସର ସର୍ବକନିଷ୍ଠ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ବୈଭବ ଭବିଷ୍ୟତର ସୁପରଷ୍ଟାର ହୋଇପାରନ୍ତି।
ଅଧିକ ପଢ଼ନ୍ତୁ: ଦ୍ବିତୀୟ ଇନିଂସ ଆରମ୍ଭ କରିବେ ମନଦୀପ-ଉଦିତା

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now