ପାୱାରଲିଫ୍ଟିଂ ଚାମ୍ପିୟନସିପରେ ସେ ହେଉଛନ୍ତି ଦେଶରେ ଜଣେ ଆଗ ଧାଡିର ଖେଳାଳି । । ସେ ଶତାଧିକ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ଭାଗ ନେଇଛନ୍ତି । ସବୁଠୁ ବଡ଼ କଥା ହେଲା, ଗୋଟିଏ କି ଦୁଇଟି ନୁହେଁ ବରଂ ୩୭ଟି ଗୋଲ୍ଡ ମେଡାଲ, ୭ଟି ସିଲଭର୍ ମେଡାଲ୍ ଏବଂ ଦୁଇଟି ବ୍ରୋଞ୍ଜ ମେଡାଲର ବିଜେତା ହେଉଛନ୍ତି ଦେବୀ ସିଂ । ସେ ଏବେ ଆର୍ଥିକ ଅନଟନରେ ଦିନ କାଟୁଛନ୍ତି । ପରିବାର ପ୍ରତିପୋଷଣ ପାଇଁ ଚରାଉଛନ୍ତି ଛେଳି । ତା ଭିତରେ ବି ସ୍ୱପ୍ନ ଦେଖୁଛନ୍ତି, ଭାଗନେବେ ଅନ୍ତର୍ଜାତୀୟ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ।
ଦୀର୍ଘ ୧୩ ବର୍ଷ ହେଲାଣି ସେ ବାରିପଦାର ଏକ ଜିମ୍ନାସିୟମରେ ଅଭ୍ୟାସ କରୁଥିଲେ । ଏହି ଜିମ୍ନାସିୟମ ତରଫରୁ ସେ କେବଳ ଆମ ରାଜ୍ୟ ଓଡ଼ିଶା ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ତାଙ୍କ ଘରେ ଶହଶହ ମାନପତ୍ର । ନିଜର ପ୍ରତିଭା ବଳରେ ସେ ଦେଶବ୍ୟାପୀ ସମ୍ମାନିତ ହୋଇଛନ୍ତି ଦେବୀ ସିଂ ।
ଘରର ଖଟ ଉପରେ ପଡିରହିଛି ଏହି ମାନପତ୍ର । ବିଭିନ୍ନ ରାଜ୍ୟରେ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଏହା ହିଁ ତାଙ୍କ କଠିନ ପରିଶ୍ରମର ସ୍ୱୀକୃତି । ୨୫ ବର୍ଷୀୟା ଦେବୀ ସିଂଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ୍ ସିନ୍ଦୁରଗୈରା ଗାଁ ରେ । ତାଙ୍କ ଘରର ଛପର ଉପରେ ଜରି ପଡିଛି । ଚଟାଣ ଓ କାନ୍ଥ ହେଉଛି ମାଟି । ଝାଟିମାଟିର କାନ୍ଥ । ଏପଟୁ ଚାହିଁଲେ ସେପଟୁ ଦେଖାଯାଉଛି । ଏଇ ମାଟି ଘରର ଝିଅ ଦେବୀ ସିଂ ନାଁ କରିଛନ୍ତି ସାରା ଦେଶରେ । ଗାଁ ଲୋକଙ୍କୁ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ, ଏଇ ଗରିବ ଘରର ଝିଅ ଲକ୍ଷ୍ନୌ, ହାଇଦ୍ରାବାଦ, ଦିଲ୍ଲୀ, ଚେନ୍ନାଇ ଆଦି ସହରରୁ ମେଡାଲି ଜିତି ଏଇ ଗାଁକୁ ଆଣିଛି । ଓଡ଼ିଶାର ଟେକ ରଖିଛି ।
ଅଧିକ ପଢ଼ନ୍ତୁ : ମନ କି ବାତ୍ରେ ମୟୂରଭଞ୍ଜ କଥା, ସାନ୍ତାଳୀ ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା କହିଲେ ମୋଦି
ଲୋକମାନେ ଯେତିକି ଆଶ୍ଚର୍ଯ୍ୟ ହୁଅନ୍ତି ସେତିକି ଦୁଃଖ ବି ପ୍ରକାଶ କରନ୍ତି । କାହିଁକି ନା ଏବେ ଗାଁରେ ଛେଳି ଚରାଉଛନ୍ତି ଏହି ପ୍ରତିଭାବାନ୍ ଝିଅ । ଦେବୀଙ୍କ ଘରେ ତାଙ୍କ ବାପାମାଆ ଓ ୪ ସାନ ଭାଇଭଉଣୀ । ଦୁଇ ଭାଇଭଉଣୀ ମୂଲ ଲାଗିଲେ ଘର ଚଳେ । ଘରର ସମ୍ୱଳ କହିଲେ ଛେଳି । ତେଣୁ ମୂଲ ନଲାଗି ଛେଳି ଚରାଉଛନ୍ତି ଦେବୀ । ଛେଳି ବିକିଲେ କିଛି ରୋଜଗାର ହୁଏ ।
ଦେବୀଙ୍କ ଡାଏଟ୍ ଓ ଖେଳ ପାଇଁ ଦରକାର ଟଙ୍କା । ତାଙ୍କ ପରିବାର ଏହା ଯୋଗାଇବାକୁ ଅସମର୍ଥ । ତେଣୁ ତାଙ୍କ କୋଚ୍ ତାଙ୍କୁ ଅଧିକାଂଶ ସମୟରେ ଆର୍ଥିକ ସହାୟତା ଦେଇଥାଆନ୍ତି । ଯେଉଁଠି ପରିବାରର ସଦସ୍ୟମାନେ ନିଜେ ଚଳିବାକୁ ଅକ୍ଷମ, ସେଠି ଦେବୀଙ୍କ କଥା ବୁଝିବେ କେମିତି ?
ଦେବୀ ସିଂ ଜଣେ ଆଦିବାସୀ ଝିଅ । ସେ ଯୁକ୍ତ ତିନି ପାସ୍ କରିଛନ୍ତି। ଚାମ୍ପିୟନସିପରେ ବଡ଼ ବଡ଼ ସଂସ୍ଥା ଓ ବଡ଼ବଡ଼ ଲୋକ ତାଙ୍କୁ ମେଡାଲ ଉପରେ ମେଡାଲ ପିନ୍ଧାଇଛନ୍ତି ।
ହେଲେ କେହି ତାଙ୍କର ଆର୍ଥିକ ଦୁରାବସ୍ଥା କଥା ଚିନ୍ତା କରିନାହାନ୍ତି । ଦେବୀ ଏବେ ସରକାରଙ୍କ ପାଖରେ ଚାକିରିଟିଏ ପାଇଁ ନିବେଦନ କରିଛନ୍ତି।
ଅଧିକ ପଢ଼ନ୍ତୁ : ମୟୂରଭଞ୍ଜର ଗଛ ମଣିଷ ଶ୍ରୀନାଥ, ପରିବେଶକୁ ସବୁଜ ସୁନ୍ଦର କରି ଗଢ଼ି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ
- Reported by:
- MANIK Lal PANI