• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦେଶବାସୀଙ୍କ ସହ ଭାବ ବିନିମୟ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ-କି-ବାତ’ ଆଜି ୧୦ ବର୍ଷ ପୂରଣ କରିଛି । ଆଜି ‘ମନ କି ବାତ’ର ୧୧୪ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ଆଜିର ଏପିସୋଡ ଭାବପ୍ରବଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ସମ୍ବୋଧନ କରି ସେ କହିଛନ୍ତି ମନ କି ବାତର ପ୍ରତ୍ୟେକ ଏପିସୋଡ ସହିତ ନୂତନ ଗାଥା, ନୂଆ କିର୍ତ୍ତିମାନ ଏବଂ ନୂଆ ବ୍ୟକ୍ତିତ୍ୱ ଯୋଡି ହୋଇ ଯାଉଛନ୍ତି । ଶ୍ରୋତା ହିଁ ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର ବୋଲି ମୋଦି କହିଛନ୍ତି । ସକରାତ୍ମକ ସୂଚନା ପାଇଁ ଦେଶର ଲୋକମାନଙ୍କ ଭିତରେ କେତେ କ୍ଷୁଧା ଅଛି ‘ମନ କି ବାତ୍ କାର୍ଯ୍ୟକ୍ରମ ତାହା ପ୍ରମାଣ କରିପାରିଛି ବୋଲି ମୋଦି କହିଛନ୍ତି । ଏହି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ୨୨ଟି ଭାରତୀୟ ଭାଷାରେ ବ୍ୟତୀତ ୧୧ଟି ବିଦେଶୀ ଭାଷାରେ ମଧ୍ୟ ପ୍ରସାରିତ ହୋଇଛି । ୨୦୧୪ ମସିହା ୩ ଅକ୍ଟୋବର ବିଜୟା ଦଶମୀ ଦିନ ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ରେ ମୟୂରଭଞ୍ଜ ଯୁବକଙ୍କ ପ୍ରଶଂସା । ସାନ୍ତାଳୀ ଭାଷା ପାଇଁ ମୟୂରଭଞ୍ଜର ଯୁବକ ରାମ୍ ଜିତ୍ ଟୁଡୁଙ୍କ ଅବଦାନ କଥା ଉଠାଇ ତାଙ୍କୁ ପ୍ରସଂଶା କରିଛନ୍ତି ମୋଦି । ନିଜ ମାତୃଭାଷା ସାନ୍ତାଳୀ ଭାଷାକୁ ଅନଲାଇନ ପରିଚୟ ଦେଇ ରାମ୍ ଜିତ୍ ଗୌରବ ଆଣିଛନ୍ତି ବୋଲି କହିଛନ୍ତି । ନିଜର ଅଭିଯାନ ମାଧ୍ୟମରେ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ୍ କରି ସାନ୍ତାଳୀ ସାହିତ୍ୟକୁ ବିଶ୍ବ ଦରବାରରେ ରାମଜିତ୍ ନୂଆ ପରିଚୟ ଦେଇଛନ୍ତି । ସାନ୍ତାଳି ଭାଷାର ଲିପି ‘ଅଲଚିକି’କୁ ଟାଇପ କରିବାରେ ଟେକନିକ୍‌ ବିକଶିତ କରି ପାରିଛନ୍ତି । ସାନ୍ତାଳୀ ଭାଷାକୁ ସଂରକ୍ଷିତ ରଖିବାର ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳୀ ଭାଷା ପହଞ୍ଚିଛି ବୋଲି ମୋଦି କହିଛନ୍ତି ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢା କେନ୍ଦୁଆ ଗାଁରେ ‘ମନ କି ବାତ’ କାର୍ଯ୍ୟକ୍ରମ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବୁଢା କେନ୍ଦୁଆରେ ପହଞ୍ଚି ଏକ ସଧାରଣ ସଭାରେ ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ୍ ଶୁଣିବା ସହ ବିଜେପି ସଦସ୍ୟତା ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ ।

ସେହିପରି ବଲାଙ୍ଗିର ପଥରଚେପା ସ୍ଥିତ ବିଜେପି ପାର୍ଟି ଅଫିସରେ ଆୟୋଜିତ ମନ କି ବାତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ କେନ୍ଦ୍ରାପଡା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସହ ଶହ ଶହ ବିଜେପି କର୍ମୀଙ୍କ ଗହଣରେ ବସି ମନ କି ବାତ ଶୁଣିଥିଲେ ।

ସେହିପରି ଭୁବନେଶ୍ବରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁଣିଛନ୍ତି ମନ୍ କି ବାତ୍'ର ୧୧୪ତମ ସଂସ୍କରଣ। ମନ୍ କି ବାତ୍ ମାଧ୍ୟମରେ ସାଧାରଣ ଲୋକଙ୍କ ବିଷୟ ସାମ୍ନାକୁ ଆସୁଛି । ତେଣୁ ଏହି କାର୍ଯ୍ୟକ୍ରମ ଆହୁରି ଲୋକପ୍ରିୟ ହେବ ବୋଲି ମନମୋହନ ସାମଲ କହିଛନ୍ତି ।

 

OTV is now on Whatsapp

Join and get latest news update delivered to you via whatsapp

Join Now