ଯଦି ଆପଣ କୋହଲିଙ୍କୁ ନିଦରୁ ଉଠାଇବାକୁ ଚାହୁଁଛନ୍ତି ତେବେ ତାଙ୍କୁ କୁହନ୍ତୁ ଯେ ଆପଣଙ୍କର ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଅଛି ... ଏ କଥା ଆମେ ନୁହେଁ ବରଂ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର କହିଥିଲେ । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାର ପ୍ରାୟ ଏକ ମାସ ପୂର୍ବରୁ ଅଖତର ଏପରି ବୟାନ ଦେଇଥିଲେ । ପାକିସ୍ତାନୀ ଦଳ ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡକୁ ବିଚାରକୁ ନେଇ ଅଖତର ଏହା କହିବା ଠିକ୍ ଥିଲା । ବର୍ତ୍ତମାନ କୋହଲି ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରି ଅଖତର ଦେଇଥିବା ଏହି ବୟାନକୁ ଠିକ୍ ବୋଲି ସାବ୍ୟସ୍ତ କରିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ହରାଇଲା ନ୍ୟୁଜିଲାଣ୍ଡ,ଚାମ୍ପିୟନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ
୨୩ ଫେବ୍ରୁଆରୀ (ରବିବାର) ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନୀ ଦଳ ବିପକ୍ଷରେ ବିରାଟ କୋହଲି ଏପରି ଏକ ଇନିଂସ ଖେଳିଥିଲେ, ଯାହା ପ୍ରଶଂସକଙ୍କ ମନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ । କୋହଲି ୧୧୧ ବଲରେ ଅପରାଜିତ ୧୦୦ ରନ୍ ସ୍କୋର କରିଥିଲେ, ଯେଉଁଥିରେ ସାତଟି ଚାରି ଅନ୍ତର୍ଭୁକ୍ତ ଥିଲା । କୋହଲି ଦୁବାଇ ପିଚ୍କୁ ଭଲ ଭାବେ ବୁଝିଥିଲେ । ସେଥିପାଇଁ ସେ ଏହି ସ୍ଲୋ’ ପିଚରେ ବଡ଼ ସଟ୍ ନଖେଳି ଆରାମରେ ତାଙ୍କ ଇନିଂସକୁ ଆଗେଇ ନେଇଥିଲେ । କୋହଲି ପୁଣିଥରେ ପାକିସ୍ତାନୀ ଦଳକୁ ସୂଚାଇ ଦେଇଛନ୍ତି ଯେ, ସେ ହେଉଛନ୍ତି କ୍ରିକେଟ୍ ଜଗତର ଅସଲି କିଙ୍ଗ୍... ବିରାଟ କୋହଲିଙ୍କ ଦମଦାର ଶତକ ଫଳରେ ଭାରତ ସହଜରେ ୨୪୨ ରନ୍ର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ଏହି ଶତକ ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଯେତିକି ଖାସ୍ ଥିଲା ବିରାଟଙ୍କ ପାଇଁ ମଧ୍ୟ ସେତିକି ଖାସ୍ ଥିଲା । କାହିଁକି ନା ସେ ଚମ୍ପିଆନ୍ସ ଟ୍ରଫିରେ ପ୍ରଥମ ଥର ପାଇଁ ଶତକ ହାସଲ କରିଥିଲେ ।
ବିରାଟ କୋହଲି ସାଧାରଣତଃ ବଡ଼ ମ୍ୟାଚ୍ରେ ବଡ଼ ଇନିଂସ ଖେଳିଥାନ୍ତି । ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଆୟୋଜିତ ଟି -୨୦ ବିଶ୍ୱକପ୍ କିଏ ଭୁଲିପାରିବ । ଏହି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ୭ଟି ମ୍ୟାଚରେ ମାତ୍ର ୭୫ ରନ୍ ସଂଗ୍ରହ କରିଥିଲେ ଏବଂ ସମାଲୋଚକଙ୍କ ଟାର୍ଗେଟରେ ଥିଲେ । କିନ୍ତୁ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ୍ ଅର୍ଥାତ୍ ଫାଇନାଲ୍ରେ ବିରାଟଙ୍କ ବ୍ୟାଟ୍ ଗର୍ଜିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିରାଟ କୋହଲି ୫୯ ବଲରେ ୭୬ ରନ୍ ସଂଗ୍ରହ କରିଥିଲେ । ସେହି ଇନିଂସ ଆଧାରରେ ଭାରତୀୟ ଦଳ ୧୭୭ ରନ୍ର ଲକ୍ଷ୍ୟ ସ୍ଥିର କରିବାରେ ସଫଳ ହୋଇଥିଲା । ଆଉ ଏହା ପରେ ଯାହା ଘଟିଲା ତାହା ଇତିହାସ ସୃଷ୍ଟି କରିଥିଲା । ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିଥିଲା । ସେହି ଟାଇଟଲ୍ ବିଜୟ ସହିତ ବିରାଟ T-୨୦ରୁ ଅବସର ଘୋଷଣା କରିଥିଲେ ।
ସେହିପରି ୨୦୨୨ ଟି-୨୦ ବିଶ୍ୱକପ୍ରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ମଧ୍ୟ କୋହଲିଙ୍କ ବିରାଟ ରୂପ ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତ ସାମ୍ନାରେ ୧୬୦ ରନ୍ର ଟାର୍ଗେଟ ରଖିଥିଲା । ତେବେ ଏହି ରନ୍ ଚେଜ୍ କରିବା ସମୟରେ ଆରମ୍ଭରୁ ବ୍ୟାକଫୁଟ୍ରେ ରହିଥିଲା ଭାରତ । ମାତ୍ର ୩୧ ରନ୍ରେ ଭାରତର ୪ ଜଣ ଆଉଟ୍ ହୋଇଥିଲେ। ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପାଣ୍ଡ୍ୟାଙ୍କ ସହ ମିଶି ବିରାଟ ପାଳି ସମ୍ଭାଳିଥିଲେ । ତେବେ ଏହି ମ୍ୟାଚ୍ରେ ବିରାଟ କୋହଲି ୫୩ ବଲ୍ ଚମତ୍କାର ୮୨ ରନ୍ର ଅପରାଜିତ ଇନିଂସ ଖେଳିଥିଲେ । ଯାହାଫଳରେ ଭାରତ ଏକ ଅସମ୍ଭବ ମ୍ୟାଚ୍କୁ ନିଜ ନାମରେ କରିଥିଲା । ଏମିତି କି କୋହଲି ଭାବନ୍ତି ଯେ ଏହି ଇନିଂସ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଟି-୨୦ ଇନିଂସ ।
ବିରାଟ କୋହଲିଙ୍କ ବ୍ୟାଟ୍ ପାକିସ୍ତାନ ବିରୋଧରେ ଜୋରଦାର ଗର୍ଜି ଥାଏ । କୋହଲି ହାରାହାରି ୫୯.୮୪ରେ ଏହି ପଡୋଶୀ ଦେଶ ବିପକ୍ଷରେ ୧୭ଟି ଦିନିକିଆ ଅନ୍ତର୍ଜାତୀୟରେ ୭୭୮ ରନ୍ ସଂଗ୍ରହ କରିଛନ୍ତି । ଏମିତି କି ODIରେ କୋହଲିଙ୍କ ସର୍ବୋତ୍ତମ ସ୍କୋର ହେଉଛି ୧୮୩ ରନ୍। ଯାହା ଏସିଆ କପ୍ ୨୦୧୨ରେ ପାକିସ୍ତାନ ବିପକ୍ଷରେ ଆସିଥିଲା । ସେହିପରି କୋହଲି ପାକିସ୍ତାନ ବିପକ୍ଷରେ ୧୧ଟି ଟି-୨୦ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ହାରାହାରି ୭୦.୨୮ରେ ୫ ଅର୍ଦ୍ଧଶତକ ସହାୟତାରେ ୪୯୨ ରନ୍ ସ୍କୋର କରିଛନ୍ତି ।