• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାରବାଟୀ ଷ୍ଟାଡିୟମ୍‌ରେ ନୂଆ ଫ୍ଲଡ୍ ଲାଇଟ୍ ବ୍ୟବସ୍ଥା ଉଦ୍‌ଘାଟିତ ହୋଇଛି । ଦୀର୍ଘ ୨୦ ବର୍ଷର ପୁରୁଣା ଲାଇଟ୍‌କୁ ପରିବର୍ତ୍ତନ କରାଯାଇ ୧୨ କୋଟି ଟଙ୍କା ବ୍ୟୟରେ ନୂଆ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ LED ଲାଇଟ୍ ଲଗାଯାଇଛି ।

ଗତକାଲି ଷ୍ଟାଡିୟମ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ କ୍ରୀଡ଼ା ସଚିବ ଯୋଗ ଦେଇ ନୂଆ ଫ୍ଲଡ ଲାଇଟ୍ ଉଦ୍‌ଘାଟନ କରିଥିଲେ । ଏଥିରେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ବହୁ ପ୍ରଶାସକମାନେ ମଧ୍ୟ ଉପସ୍ଥିତ ଥିଲେ ।

ନୂଆ ଏଲଇଡ଼ି ଲାଇଟରେ ଝଲସିଲା ବାରବାଟୀ ଷ୍ଟାଡ଼ିୟମ୍ :-

ସେପଟେ ଆଉ ମାତ୍ର ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଏଥିପାଇଁ ବାରବାଟୀରେ ମ୍ୟାଚ୍‌କୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ହର୍ସ ଗେଟ୍ ଠାରୁ ଆରମ୍ଭ କରି ଖେଳାଳିଙ୍କ ଡ୍ରେସିଂ ରୁମ, ପିଚ୍‌ ଠାରୁ ପାଭିଲିୟନ୍, ଷ୍ଟାଡିୟମର ଏଣ୍ଟ୍ରି ଗେଟ୍ ଠାରୁ କ୍ଲକ୍ ଟାୱାର ଯାଏଁ ପୁରା ରଙ୍ଗୀନ କରାଯାଇଛି । ଚଳିତ ବର୍ଷ ଓସିଏ ପକ୍ଷରୁ ଷ୍ଟାଡ଼ିୟମକୁ ନୂଆ ଲୁକ୍‌ ଦେବା ପାଇଁ ବିଭିନ୍ନ କାମ କରାଯାଇଛି । ଷ୍ଟାଡିୟମ୍‌ରେ ୧୨ କୋଟି ଟଙ୍କା ବ୍ୟୟରେ LED ଲାଇଟ୍ ଲଗାଯାଇଥିବାବେଳେ ୫୦ ଲକ୍ଷ ବ୍ୟୟରେ ‘ସୁପୋର ସୋପର’ ମେସିନ୍‌ ଲାଗାଯାଇଛି । ଫଳରେ ବର୍ଷାରେ ବି ପଡ଼ିଆ ଓଦା ନହେବାରୁ ମ୍ୟାଚ୍‌ଟି ବିନା ବାଧକରେ ଶେଷ ହୋଇପାରିବ ।

ବର୍ଷା ହେଲେଏମିତି ପଡିଆକୁ ଘୋଡାଇ ଦିଆଯିବ :-

ସେହିପରି ଗତ ଜୁନ୍‌ ୧ରୁ ଟିଟ୍ୱେଣ୍ଟି ମ୍ୟାଚ୍‌ର ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି କରାଯାଇଥିବାବେଳେ ଜୁନ୍‌ ୭ ତାରିଖରେ ଅଫ୍‌ଲାଇନ୍‌ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି କରାଯାଇଥିଲା । ଏଥିପାଇଁ ମୋଟ ୯ଟି କାଉଣ୍ଟର ହୋଇଥିଲା । ଗତକାଲି ମ୍ୟାଚ୍‌ର ୧୨ ହଜାର ଟିକେଟ୍‌ ବିକ୍ରି ସରିଥିଲା । ହେଲେ ଏହାରି ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଟିକେଟ୍‌ ପାଇଁ ଧସ୍ତାଧସ୍ତି ତଥା ଖଣ୍ଡଯୁଦ୍ଧ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଦେଖନ୍ତୁ ଟିକେଟ୍ ପାଇଁ ଫ୍ୟାନଙ୍କ ମଧ୍ୟରେ କିପରି ଠେଲାପେଲା, ଧସ୍ତାଧସ୍ତି :-

ଅନ୍ୟପକ୍ଷେ, ମ୍ୟାଚ୍‌ ପାଇଁ ଆଜି ଦୁଇ ଦଳର ଖେଳାଳି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଖେଳାଳିଙ୍କୁ କଡ଼ା ସୁରକ୍ଷା ଭିତରେ ହୋଟେଲକୁ ପାଛୋଟି ନିଆଯିବ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳିଙ୍କ ସୁରକ୍ଷା ପାଇଁ ହୋଟେଲରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ କେବଳ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । କ୍ରିକେଟରମାନେ ପ୍ରାକ୍ଟିସ୍‌ ପାଇଁ କଟକ ଯିବାକୁ ଥିବାରୁ ସେମାନଙ୍କ ଯାତାୟତ ପାଇଁ ମଧ୍ୟ ସ୍ୱତନ୍ତ୍ର ଓ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୨୦୧୯ ଡିସମ୍ବେରରେ ଶେଷଥର ପାଇଁ ଦର୍ଶକ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଦେଖିଥିଲେ । ଏହାର ପ୍ରାୟ ଅଢେଇ ବର୍ଷ ପରେ ବାରବାଟୀକୁ ପୁଣି ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଥିବାରୁ ଏହାକୁ ଉପଭୋଗ ଲାଗି ଫ୍ୟାନଙ୍କ ମଧ୍ୟରେ ନାହିଁନଥିବା କ୍ରେଜ୍ ଦେଖିବାକୁ ମିଳିଛି ।