ଆଇପିଏଲ୍ ୨୦୨୫ରେ କମାଲ୍ କରିବେ କି ନବାଗତ ଯୁବ ପ୍ରତିଭା ? ବିପୁଳ ଉତ୍ସାହ, ଉଦ୍ଦୀପନା ନେଇ ଆରମ୍ଭ ହୋଇଛି ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ୧୮ତମ ସଂସ୍କରଣ । ଆଇପିଏଲ୍ ବିଶେଷକରି ଭାରତୀୟ କ୍ରିକେଟ୍କୁ ଦେଇଛି ଅନେକ ସୁପର୍ଷ୍ଟାର୍ । ଏହି ଲିଗ୍ରେ ଭଲ ପ୍ରଦର୍ଶନ ଖେଳାଳିମାନଙ୍କ ପାଇଁ ଜାତୀୟ ଟିମ୍ର ଦ୍ୱାର ଖୋଲିଦିଏ । ଅତୀତରେ ଏଭଳି ଦେଖିବାକୁ ମିଳିଛି ।
Also Read
ଗତ ବର୍ଷ ଆଇପିଏଲ୍ ମେଗା ନିଲାମରେ ତରୁଣ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧ କୋଟି ଟଙ୍କାରେ କିଣିଥିଲା । ୨୦୧୧ ମାର୍ଚ୍ଚ ୨୭ରେ ବିହାରରେ ଜନ୍ମଗ୍ରହଣ କରିଥିବା ବୈଭବ (୧୩ ବର୍ଷ) ଆଇପିଏଲ୍ ଇତିହାସରେ ସର୍ବକନିଷ୍ଠ ଖେଳାଳି ।
ଗତ ବର୍ଷ ଏହି ବ୍ୟାଟର୍ ଚେନ୍ନାଇ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୧୯ ବର୍ଷରୁ କମ୍ ଟିମ୍ ପକ୍ଷରୁ ଏକ ୟୁଥ୍ ଟେଷ୍ଟ ଖେଳିଥିଲେ । ଏହି ମ୍ୟାଚ୍ରେ ସେ ୫୮ ବଲ୍ରେ ଶତକ ଲଗାଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ୟୁଥ୍ ଟେଷ୍ଟରେ ଏହା କୌଣସି ଭାରତୀୟଙ୍କ ଦ୍ୱାରା ଦ୍ରୁତତମ ଶତକ ଥିଲା ।
ବୈଭବ ମାତ୍ର ୧୨ ବର୍ଷ ବୟସରେ ବିହାର ପକ୍ଷରୁ ରଣଜୀ ଟ୍ରଫିରେ ପଦାର୍ପଣ କରି ଇତିହାସ ସୃଷ୍ଟି କରିସାରିଛନ୍ତି । ୨୦୨୪ ଜାନୁଆରୀରେ ସେ ଭାରତର ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ । ସେ ମଧ୍ୟ ୧୯ ବର୍ଷରୁ କମ୍ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବାରେ ସର୍ବକନିଷ୍ଠ ।
ସୟଦ ମୁସ୍ତାକ୍ ଅଲୀ ଟ୍ରଫି ୨୦୨୪ରେ ସେ ବିହାର ପକ୍ଷରୁ ଟି-୨୦ରେ ପଦାର୍ପଣ କରିଥିଲେ । ଏସିସି ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୪ରେ ବି ତାଙ୍କୁ ନିଜ ପ୍ରତିଭାର ପ୍ରଦର୍ଶନ ପାଇଁ ସୁଯୋଗ ମିଳିଥିଲା । ସେ ସେମିଫାଇନାଲ୍ରେ ୩୬ ବଲ୍ରୁ ୬୭ ରନ୍ର ଇନିଂସ୍ ଖେଳିଥିଲେ । ଏହା ପୂର୍ବରୁ ୟୁଏଇ ବିପକ୍ଷ ମ୍ୟାଚ୍ରେ ସେ ୪୬ ବଲ୍ରୁ ୭୬ ରନ୍ କରି ଅପରାଜିତ ଥିଲେ ।
ନିକଟରେ ରାଜସ୍ଥାନ ରୟାଲ୍ସର ଅଭ୍ୟାସ ସେସନ୍ରେ ବୈଭବ ନିଜ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ନିଜ ପ୍ରତିଭାର ପ୍ରଦର୍ଶନ ଲାଗି ଆଇପିଏଲ୍ ତାଙ୍କ ପାଇଁ ବଡ଼ ସୁଯୋଗ ।
ସୂର୍ଯ୍ୟାଂଶ ଶେଡ଼ଗେ (ପଞ୍ଜାବ କିଙ୍ଗ୍ସ)
ବୟସ: ୨୨ ବର୍ଷ, ମୁମ୍ବାଇ
୨୦୨୪ରେ ଭାରତର ସଫଳ ଘରୋଇ କ୍ରିକେଟର୍ଙ୍କ ମଧ୍ୟରେ ଜଣେ ଥିଲେ ମୁମ୍ବାଇ ଟିମ୍ର ସୂର୍ଯ୍ୟାଂଶ ଶେଡ଼ଗେ । ସେ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ୨୦୨୪ ଫାଇନାଲ୍ରେ ନିଜ କ୍ୟାରିଅର୍କୁ ନୂଆ ଦିଗ ଦେଇଥିଲେ ।
ମଧ୍ୟ ପ୍ରଦେଶ ୧୭୫ ରନ୍ର ବିଜୟଲକ୍ଷ୍ୟ ଦେଇଥିଲା । ଜବାବରେ ମୁମ୍ବାଇ ଟିମ୍ ୧୨୯ ରନ୍ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ତେବେ ସୂର୍ଯ୍ୟାଂଶ ୧୫ ବଲ୍ରୁ ୩୬ ରନ୍ର ଅପରାଜିତ ଇନିଂସ୍ ଖେଳି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ତାଙ୍କ ଇନିଂସ୍ରେ ତିନି ଚୌକା ଓ ଚାରି ଛକା ଥିଲା । ସେ ଭେଙ୍କଟେଶ ଆୟରଙ୍କ ୱିକେଟ୍ ବି ଅକ୍ତିଆର କରିଥିଲେ ।
ସେ ଟୁର୍ଣ୍ଣାମେଣ୍ଟରେ ୯ ଇନିଂସ୍ ଖେଳି ୪୩.୬୬ ଆଭରେଜ୍ରେ ୧୩୧ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୨୫୧.୯୨ ଥିଲା । ଏହାଛଡ଼ା ସେ ୮ ୱିକେଟ୍ ମଧ୍ୟ ନେଇଥିଲେ ।
ସୟଦ ମୁସ୍ତାକ୍ ଅଲୀ, ବିଜୟ ହଜାରେ ଓ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ ପରେ ଏହି ଯୁବ ଖେଳାଳିଙ୍କ ପାଖରେ ଏବେ ଆଇପିଏଲ୍ ଭଳି ବଡ଼ ମଞ୍ଚ ରହିଛି, ଯେଉଁଥିରେ ନିଜ ପ୍ରଦର୍ଶନ ଦ୍ୱାରା ସେ ଜାତୀୟ ଚୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ । ତାଙ୍କୁ ପଞ୍ଜାବ କିଙ୍ଗ୍ସ ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ରେ କିଣିଛି ।
ରବିନ ମିଞ୍ଜ୍ (ମୁମ୍ବାଇ ଇଣ୍ଡିଆନ୍ସ)
ବୟସ: ୨୨ ବର୍ଷ, ଝାଡ଼ଖଣ୍ଡ
ଗତ ବର୍ଷ ଗୁଜରାଟ ଟାଇଟନ୍ସ ସହ ଚୁକ୍ତିବଦ୍ଧ ହେବା ପରେ ଝାଡ଼ଖଣ୍ଡର ୨୨ବର୍ଷୀୟ ୱିକେଟ୍କିପର୍-ବ୍ୟାଟର୍ ରବିନ ମିଞ୍ଜ୍ ନିଜ ଆଇପିଏଲ୍ କ୍ୟାରିଅର୍ ଆରମ୍ଭ କରିଥା’ନ୍ତେ, କିନ୍ତୁ ଏକ ସଡ଼କ ଦୁର୍ଘଟଣା ତାଙ୍କ ସ୍ୱପ୍ନକୁ ଅଟକାଇ ଦେଇଥିଲା ।
ପୂର୍ବ ମେଗା ନିଲାମରେ ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୬୫ ଲକ୍ଷ ଟଙ୍କାରେ କିଣିଥିଲା, ଯାହା ତାଙ୍କ ବେସ୍ ପ୍ରାଇସ୍ ୩୦ ଲକ୍ଷ ଟଙ୍କାର ଦୁଇ ଗୁଣରୁ ଅଧିକ ଥିଲା । ସେ ଆଇପିଏଲ୍ ଇତିହାସର ପ୍ରଥମ ଜନଜାତି ଖେଳାଳି ।
ରବିନ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ । ଟି-୨୦ କ୍ରିକେଟ୍ରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୧ ରହିଛି । ଅବଶ୍ୟ ସେ ମାତ୍ର ଛଅ ଇନିଂସ୍ ଖେଳିଛନ୍ତି । ତାଙ୍କ ହାର୍ଡ-ହିଟିଂ କ୍ଷମତାକୁ ଦେଖି ଗୁଜରାଟ ଟାଇଟନ୍ସ ତାଙ୍କୁ ବର୍ଷକ ତଳେ ୩.୬ କୋଟି ଟଙ୍କାର ବଡ଼ ଅର୍ଥରାଶି ଦେଇ କିଣିଥିଲା ।
ଅଧିକ ପଢ଼ନ୍ତୁ: IPL 2025: ଆଜି IPLରେ ଡବଲ୍ ଫାଇଟ୍; ମୁହାଁମୁହିଁ ହେବେ ରାଜସ୍ଥାନ-ହାଇଦ୍ରାବାଦ, ଚେନ୍ନାଇ-ମୁମ୍ବାଇ
ସି. ଆନ୍ଦ୍ରେ ସିଦ୍ଧାର୍ଥ (ଚେନ୍ନାଇ ସୁପର୍କିଙ୍ଗ୍ସ)
ବୟସ: ୧୮ ବର୍ଷ, ତାମିଲନାଡ଼ୁ
ତାମିଲନାଡ଼ୁର ପୁରୁଖା ଖେଳାଳି ଏସ୍. ଶରତଙ୍କ ପୁତୁରା ସି. ଆନ୍ଦ୍ରେ ସିଦ୍ଧାର୍ଥ ତାମିଲନାଡ଼ୁ ପ୍ରିମିଅର୍ ଲିଗ୍ରେ ଖେଳିସାରିଛନ୍ତି, ଯେଉଁଥିରେ ସେ ନିଜର ଅଲ୍ରାଉଣ୍ଡ ଦକ୍ଷତାର ପ୍ରଦର୍ଶନ କରିଛନ୍ତି । ତେବେ ସେ ଏ ଯାବତ ଅଫିସିଆଲ୍ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି ।
ଅବଶ୍ୟ ସିଦ୍ଧାର୍ଥ ରଣଜୀ ଟ୍ରଫିରେ ତାମିଲନାଡ଼ୁର ପ୍ରତିନିଧିତ୍ୱ କରିଛନ୍ତି ଏବଂ ୧୨ ଇନିଂସ୍ ଖେଳି ୬୮.୦୦ ଆଭରେଜ୍ରେ ୬୧୨ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ପାଞ୍ଚ ଅର୍ଦ୍ଧଶତକ ରହିଛି । ଏହାଛଡ଼ା ବିଭିନ୍ନ ବୟସବର୍ଗ ସ୍ତରରେ ସେ ନିଜ ବ୍ୟାଟିଂର କମାଲ୍ ଦେଖାଇସାରିଛନ୍ତି । ଚେନ୍ନାଇ ସୁପର୍କିଙ୍ଗ୍ସ ତାଙ୍କୁ ୩୦ ଲକ୍ଷ ଟଙ୍କାରେ କିଣିଛି ।
ବେଭନ୍ ଜ୍ୟାକବ୍ସ (ମୁମ୍ବାଇ ଇଣ୍ଡିଆନ୍ସ)
ବୟସ: ୨୨ ବର୍ଷ, ନ୍ୟୁଜିଲାଣ୍ଡ
ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଜନ୍ମଗ୍ରହଣ କରିଥିବା ବେଭନ୍ ଜ୍ୟାକବ୍ସ ନ୍ୟୁଜିଲାଣ୍ଡର ଘରୋଇ ଟିମ୍ - ଅକ୍ଲାଣ୍ଡ ଓ କାଣ୍ଟରବରୀ ପକ୍ଷରୁ ଖେଳିଛନ୍ତି । ସେ ପ୍ଲଙ୍କେଟ୍ ଶିଲ୍ଡ ୨୦୨୪-୨୫ରେ ଅକ୍ଲାଣ୍ଡ ପକ୍ଷରୁ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟ ବିପକ୍ଷରେ ୧୫୭ ରନ୍ର ଉଲ୍ଲେଖନୀୟ ଇନିଂସ୍ ଖେଳିଥିଲେ ।
ବେଭନ୍ ତାଙ୍କ ପଦାର୍ପଣ ପ୍ରଥମ-ଶ୍ରେଣୀ ମ୍ୟାଚ୍ର ଉଭୟ ଇନିଂସ୍ରେ ଅର୍ଦ୍ଧଶତକ ହାସଲ କରି ନିଜ ଖ୍ୟାତି ବଢ଼ାଇଥିଲେ । ସେ ସୁପର୍ ସ୍ମାଶ୍ ୨୦୨୪-୨୫ରେ ଶୀର୍ଷ ପାଞ୍ଚ ସ୍କୋରର୍ଙ୍କ ମଧ୍ୟରେ ଥିଲେ ଏବଂ ଫୋର୍ଡ ଟ୍ରଫିରେ ମଧ୍ୟ ନିରନ୍ତର ଭଲ ପ୍ରଦର୍ଶନ କରିଥିଲେ ।
ଏହି ବ୍ୟାଟର୍ ୨୦ ଟି-୨୦ ମ୍ୟାଚ୍ର ୧୭ ଇନିଂସ୍ ଖେଳି ୩୨.୫୩ ଆଭରେଜ୍ ଓ ୧୪୮ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ୪୨୩ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଦୁଇ ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ହେଉଛି ଅପରାଜିତ ୯୦ ରନ୍ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି ।