ଶନିବାରଠୁ ଆରମ୍ଭ ହୋଇଛି ଫଟାଫଟ୍ କ୍ରିକେଟ ଆଇପିଏଲ୍ । ଶନିବାର କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯାଇଥିଲା ଆଇପିଏଲ ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚ୍ । କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍ରେ ବାଙ୍ଗାଲୋର ୭ ୱିକେଟ୍ରେ ବିଜୟ ଲାଭ କରିଥିଲା ।
Also Read
ଅଧିକ ପଢ଼ନ୍ତୁ: ବିଜୟରୁ ଅଭିଯାନ ଆରମ୍ଭ କଲା କୋହଲିଙ୍କ ଆରସିବି
ତେବେ ଆଜି ଆଇପିଏଲର ୧୮ତମ ସଂସ୍କରଣର ଦ୍ୱିତୀୟ ଦିନରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ ଏବଂ ଦ୍ୱିତୀୟ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ସନ୍ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଅପରାହ୍ଣ ୩ଟା ୩୦ରୁ ଖେଳାଯିବ । ସେହିପରି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁମ୍ବାଇ ଓ ଚେନ୍ନାଇ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ରାତି ୭ଟା ୩୦ରେ ଖେଳାଯିବ ।
ଚଳିତ ସିଜିନ୍ରେ ହାଇଦ୍ରାବାଦ ଦଳ ବେଶ୍ ଶକ୍ତିଶାଳୀ ରହିଛି । ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ହାଇଦ୍ରାବାଦ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ଟ୍ରାଭସ୍ ହେଡ୍, ଅଭିଷେକ୍ ଶର୍ମା, ଇଶାନ କିଶାନ ଓ ନୀତୀଶ ରେଡ୍ଡୀଙ୍କ ଉପସ୍ଥିତି ହାଇଦ୍ରାବାଦକୁ ବେଶ୍ ସୁଦୃଢ଼ କରିଛି । ଅନ୍ୟପକ୍ଷରେ ଆଘାତ କାରଣରୁ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାନ ପରାଗ ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବ ତୁଲାଇବେ। ଏଣୁ ଏହି ମ୍ୟାଚ୍ରେ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ନୂଆ ଆହ୍ବାନ ନେଇ ଆସିବ । ରାଜସ୍ଥାନ ପାଖରେ ମଧ୍ୟ ସିମରନ୍ ହେଟମାୟର, ଯଶସ୍ବୀ ଜୟସ୍ବାଲ, ଜୋଫ୍ରା ଆର୍ଚରଙ୍କ ଭଳି ଖେଳାଳି ଅଛନ୍ତି । ତେବେ ଗତବର୍ଷ କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସକୁ ସନ୍ରାଇଜର୍ସ ହାଇଦ୍ରାବାଦ ହରାଇଥିଲା । ଆଉ ସେହି ପରାଜୟର ବଦଲା ଆଜି ନେବାକୁ ଚେଷ୍ଟା କରି ରାଜସ୍ଥାନ ରୟାଲ୍ସ ।
ସେହିପରି ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ସନ୍ଧ୍ୟାରେ ଏକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ । ବିଶେଷ କରି ଧୋନିଙ୍କ ଖେଳ ଦେଖିବାକୁ କ୍ରିକେଟ୍ପ୍ରେମୀ ଅପେକ୍ଷା କରି ରହିଛନ୍ତି । ସେହିପରି ମୁମ୍ବାଇର ନେତୃତ୍ବ ସୂର୍ଯ୍ୟକୁମାର ଯାଦବ ନେବାକୁ ଯାଉଥିବାରୁ ତାଙ୍କ ଉପରେ ମଧ୍ୟ ଫ୍ୟାନ୍ସଙ୍କର ନଜର ରହିବ ।
ଆଇପିଏଲ୍ ଇତିହାସରେ ଏହି ଦୁଇ ଦଳ ପରସ୍ପରକୁ ୩୭ ଥର ଭେଟିଛନ୍ତି । ତେବେ ଏଥିମଧ୍ୟରୁ ମୁମ୍ବାଇ ୨୦ଟି ମ୍ୟାଚ୍ରେ ବିଜୟଲାଭ କରିଥିବାବେଳେ ଚେନ୍ନାଇ ୧୭ଟି ମ୍ୟାଚ୍ରେ ବିଜୟ ହୋଇଛି । ତେବେ ଆଜିର ମ୍ୟାଚ୍ ଜିତି ଆଇପିଏଲରେ ଭଲ ଆରମ୍ଭ କରିବାକୁ ଉଭୟ ଦଳ ଚେଷ୍ଟା କରିବେ ।