Advertisment

Cricketer Rohit Sharma: ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଚାମ୍ପିଅନ୍ସ ଟ୍ରଫି

ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ।

author-image
Biswajit Mohanty
ଅଦ୍ୟତନ ହୋଇଛି
Future Of Rohit Sharma

Future Of Rohit Sharma

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଏବେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳୁଛି ଏବଂ ଏହାପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳିବ । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଆନ୍ତର୍ଜାତିକ କ୍ରିକେଟ୍‌ରେ ହିଟ୍‌ମ୍ୟାନ୍‌ଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ । 

Advertisment

ଏଥିରେ ଉଭୟ ଅଧିନାୟକ ଓ ବ୍ୟାଟର୍ ଭାବେ ଭଲ ପ୍ରଦର୍ଶନ କରିବା ରୋହିତଙ୍କ ପାଇଁ ଜରୁରୀ ହୋଇଯାଇଛି । ଅନ୍ୟତମ ଭେଟେରାନ୍ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଖୁବ୍ ଗୁରୁତ୍ୱ ରଖେ ।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପଦାଧିକାରୀ ରୋହିତଙ୍କୁ ନେଇ କିଛି କହୁ ନ ଥିଲେ ବି ଚୟନକାରୀ ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ସଙ୍କେତ ଦିଆଯାଇଛି ଯେ, ସେମାନେ ଟିମ୍‌ର ଉନ୍ନତି ପାଇଁ ଯଥୋଚିତ ନିଷ୍ପତ୍ତି ନେଇପାରିବେ ।

Advertisment

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ଯେତେବେଳେ ମୁମ୍ବାଇସ୍ଥିତ ବୋର୍ଡ ମୁଖ୍ୟାଳୟରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ବୈଠକ ହୋଇଥିଲା, ସେତେବେଳେ ବି ଉପ ଅଧିନାୟକତ୍ୱ ଆଲୋଚନାର କେନ୍ଦ୍ରରେ ଥିଲା ।

ଚର୍ଚ୍ଚା ହେଉଛି ଯେ, ମୁଖ୍ୟ କୋଚ୍ ଗମ୍ଭୀର ଅଲ୍‌ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଭାବେ ଚାହୁଁଥିଲେ, କିନ୍ତୁ ରୋହିତ ଓ ମୁଖ୍ୟ ଚୟନକାରୀ ଅଜିତ ଅଗରକର ବ୍ୟାଟର୍ ଶୁଭମନ ଗିଲ୍‌ଙ୍କ ନାମକୁ ନେଇ ଅଡ଼ି ବସିଥିଲେ ।

ଅଧିକ ପଢ଼ନ୍ତୁ : କାଲି ବାରବାଟୀ ମ୍ୟାଚ: ଲଢ଼େଇ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି

ରୋହିତ ଓ ବିରାଟଙ୍କ ଭବିଷ୍ୟତ ସମ୍ପର୍କରେ ବୋର୍ଡର ଏକ ସୂତ୍ରରୁ କୁହାଯାଇଛି ଯେ, ଏବେ ସେ ବିଷୟରେ କହିବା ତରବରିଆ ହେବ । ତେବେ ଯଦି ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି  ଉଭୟରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିବ ନାହିଁ, ତା’ହେଲେ ସେମାନଙ୍କ ପାଇଁ ବାଟ ଖୋଲା ଅଛି ।

କ’ଣ ହେବ ଦୁଇ ଭେଟେରାନ୍‌ଙ୍କ ଭବିଷ୍ୟତ

ରୋହିତ ଓ ବିରାଟ ଟି-୨୦ ଆନ୍ତର୍ଜାତିକ ଛାଡ଼ିସାରିଛନ୍ତି । ଦିନିକିଆରେ ବିରାଟଙ୍କ ଭଲ ପ୍ରଦର୍ଶନ ରହିଆସିଛି, କିନ୍ତୁ ଟେଷ୍ଟରେ ସେ ଗତ ପାଞ୍ଚ-ଛଅ ବର୍ଷ ମଧ୍ୟରେ ୩୦-୩୫ ଆଭରେଜ୍‌ରେ ରନ୍ ସଂଗ୍ରହ କରୁଛନ୍ତି । ଟେଷ୍ଟରେ ରୋହିତଙ୍କ ଅବସ୍ଥା ବି ଖରାପ । ବର୍ଡର-ଗାଭାସ୍କର ଟ୍ରଫିରେ ସେ ତିନି ମ୍ୟାଚ୍ ଖେଳି ମାତ୍ର ୩୧ ରନ୍ କରିଥିଲେ, ଯାହା ପରେ ସେ ଶେଷ ଟେଷ୍ଟରୁ ଓହରି ଯାଇଥିଲେ ।

ବିରାଟ ସେହି ସିରିଜ୍‌ରେ ଗୋଟିଏ ଶତକ ହାସଲ କରିଥିଲେ, ହେଲେ ତାଙ୍କ ସାମଗ୍ରିକ ପ୍ରଦର୍ଶନ ଚିନ୍ତାଜନକ ଥିଲା । ସେ କ୍ରମାଗତ ଭାବେ ଅଫ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ବଲ୍‌ରେ ଆଉଟ୍ ହୋଇଥିଲେ ।

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ପରାଜୟ ପରେ ବିସିସିଆଇ ସମସ୍ତ ଖେଳାଳିଙ୍କ ରଣଜୀ ଖେଳିବା ବାଧ୍ୟତାମୂଳକ କରିଥିଲା । ରଣଜୀରେ ରୋହିତ ଗୋଟିଏ ମ୍ୟାଚ୍‌ରେ ୩ ଓ ୨୮ ରନ୍‌ର ଇନିଂସ୍ ଖେଳିଥିଲେ । ଅନ୍ୟପଟେ ବିରାଟ ଗୋଟିଏ ଇନିଂସ୍‌ରେ ୬ ରନ୍ କରିଥିଲେ ।

ଯଦି ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଟିମ୍ ସହ ରୋହିତ ଆଶାଜନକ ପ୍ରଦର୍ଶନ ନକରନ୍ତି, ତା’ହେଲେ ସେ ଟିମ୍‌ର ଅଧିନାୟକତ୍ୱ ହରାଇବେ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଶୁଭମନ ଗିଲ୍‌ଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଟିମ୍‌ର ନେତୃତ୍ୱ ଦାୟିତ୍ୱ ଦିଆଯାଇପାରେ ।

ଅଧିନାୟକତ୍ୱ ହରାଇବା ପରେ ବୟସାଧିକ୍ୟ ଯୋଗୁଁ ଟିମ୍‌ରେ ସ୍ଥାନ ପାଇବା ବି ରୋହିତଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ । ଏହାଛଡ଼ା ଫର୍ମ ବି ଦରକାର । ଚାମ୍ପିଅନ୍ସ ଟ୍ରଫିରେ ବିଫଳତା ସ୍ଥଳେ ବିରାଟଙ୍କ ପାଇଁ ମଧ୍ୟ ଟିମ୍‌ରେ ସ୍ଥାନ ସଂରକ୍ଷଣ କରିବା ସହଜ ନୁହେଁ ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ବିସିସିଆଇ ଭାରତୀୟ ଅଧିନାୟକଙ୍କୁ ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ନିଜ ଭବିଷ୍ୟତ ଯୋଜନା ସ୍ପଷ୍ଟ କରିବାକୁ କହିଛି । ବୋର୍ଡ ୨୦୨୭ ଦିନିକିଆ ବିଶ୍ୱକପ୍‌ର ପ୍ରସ୍ତୁତି କରୁଛି, ଏପରି ସ୍ଥଳେ ରୋହିତଙ୍କ ଭବିଷ୍ୟତକୁ ନେଇ ସ୍ପଷ୍ଟତା ଜରୁରୀ ।

ଯଦି ଚାମ୍ପିଅନ୍ସ ଟ୍ରଫିରେ ସଫଳ ହୁଅନ୍ତି ରୋହିତ...

ଯଦି ରୋହିତଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଚାମ୍ପିଅନ୍ସ ଟ୍ରଫି ଜିତେ କିମ୍ବା ଫାଇନାଲ୍ ପର୍ଯ୍ୟନ୍ତ ଯାଏ ଏବଂ ଅଧିନାୟକଙ୍କ ବ୍ୟକ୍ତିଗତ ବ୍ୟାଟିଂ ପ୍ରଦର୍ଶନ ବି ଭଲ ରହେ, ତା’ହେଲେ ତାଙ୍କ ଅବସର ନେଇ ଚର୍ଚ୍ଚା ସାମୟିକ ଭାବେ ଥମିଯିବ ।

ଚାମ୍ପିଅନ୍ସ ଟ୍ରଫି ପରେ ରୋହିତ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରି ଫର୍ମ ବଜାୟ ରଖିବାକୁ ପ୍ରୟାସ କରିବେ । ପ୍ରଦର୍ଶନର ଦମ୍‌ରେ ଦିନିକିଆ ଆନ୍ତର୍ଜାତିକରେ ତାଙ୍କ ଯାତ୍ରା ଆଉ କିଛି ବାଟ ଯାଏଁ ଅବ୍ୟାହତ ରହିବ, ହେଲେ ଦୀର୍ଘସ୍ଥାୟୀ ହେବ ନାହିଁ କାରଣ ତାଙ୍କୁ ୩୮ ବର୍ଷ ବୟସ ହେଲାଣି । ଚାମ୍ପିଅନ୍ସ ଟ୍ରଫି ହିଁ ତାଙ୍କର ଶେଷ ଆଇସିସି ଟୁର୍ଣ୍ଣାମେଣ୍ଟ ହେବ ।

ଅଧିକ ପଢ଼ନ୍ତୁ : ଓଡ଼ିଆ ଯୁବକଙ୍କ ଛାତିରେ ‘ବିରାଟ’ଙ୍କ ଟାଟୁ, କୋହଲିଙ୍କୁ ଦେଖିବାକୁ ଗୋଆରୁ ଆସିଲେ ଭୁବନେଶ୍ୱର

ଅନ୍ୟପଟେ, ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ ତାଙ୍କ ପାଇଁ ସହଜ ହେବ ନାହିଁ । ତେଣୁ ସେ ଟେଷ୍ଟ ଛାଡ଼ି କେବଳ ଦିନିକିଆ ଉପରେ ଫୋକସ୍ କରିପାରନ୍ତି ।

ଇଂଲଣ୍ଡ ଗସ୍ତରେ ବୁମ୍‌ରାଙ୍କୁ ଟେଷ୍ଟ ନେତୃତ୍ୱ!

ଭାରତୀୟ ଟିମ୍ ପ୍ରଥମ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି । ଏହା ପରଠାରୁ ବିସିସିଆଇର ବିଚାର କରିବାର ତରିକା ବଦଳି ଯାଇଛି ।

ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ମୁମ୍ବାଇ ଠାରେ ବିସିସିଆଇର ଏକ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ବୋର୍ଡର ପଦାଧିକାରୀମାନେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ମୁଖ୍ୟ ଚୟନକାରୀ ଅଜିତ ଅଗରକରଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଭାରତର ଟେଷ୍ଟ ଓ ଦିନିକିଆ ଟିମ୍‌ର ଭବିଷ୍ୟତର ଅଧିନାୟକଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ସମୀକ୍ଷା ବୈଠକରୁ ଯେଉଁ ନିଷ୍କର୍ଷ ବାହାରିଥିଲା, ସେଥିରୁ ଜଣାପଡ଼ୁଛି ଯେ ଯଦି ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଖରାପ ପ୍ରଦର୍ଶନ କରେ, ତା’ହେଲେ ଆଇପିଏଲ୍ ପରେ ଭାରତୀୟ ଟେଷ୍ଟ ଟିମ୍ ନୂଆ ଅଧିନାୟକଙ୍କ ସହ ଇଂଲଣ୍ଡ ଗସ୍ତରେ ଯିବ । ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟ୍‌ରେ ଖେଳାଯିବ, ହେଲେ ଏହାର ପ୍ରଭାବ ଟେଷ୍ଟ ଟିମ୍ ଉପରେ ମଧ୍ୟ ପଡ଼ିବ ।

ପେସର୍ ଯଶପ୍ରୀତ ବୁମ୍‌ରା ଫିଟ୍ ଥିବା ସ୍ଥଳେ ଟିମ୍‌ର ଅଧିନାୟକତ୍ୱ କରିବେ ଅନ୍ୟଥା ରିଷଭ ପନ୍ତ, ଲୋକେଶ ରାହୁଲ ପ୍ରମୁଖଙ୍କ ନାମ ଉପରେ ବିଚାର କରାଯିବ ।

ଭାରତୀୟ ଟିମ୍ ଘରେ ନ୍ୟୁଜିଲାଣ୍ଡ ଠାରୁ ଓ ଅଷ୍ଟ୍ରେଲିଆରେ ଆୟୋଜକ ଟିମ୍ ଠାରୁ ପରାଜିତ ହେବା ପରେ ଉଭୟ ଅଧିନାୟକତ୍ୱ ଓ ବ୍ୟାଟିଂରେ ବିଫଳ ହୋଇଥିବା ରୋହିତ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସେ ଟେଷ୍ଟ କ୍ରିକେଟ୍ କି ଟିମ୍‌ର ଅଧିନାୟକତ୍ୱ ଛାଡ଼ି ନାହାନ୍ତି । ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ଯାଏଁ ଅଲ୍ଟିମେଟମ୍ ଦିଆଯାଇଛି ।

ତେବେ ଏ କଥା ବୁଝିବାକୁ ହେବ ଯେ, ଏବେ ଆଗକୁ ଯିବାର ସମୟ ଆସିଛି । ବିଫଳ ଖେଳାଳିଙ୍କୁ ବାରମ୍ବାର ସୁଯୋଗ ଦେଇ ପ୍ରତିଭାଶାଳୀଙ୍କ ପଥ ଅବରୋଧ କଲେ, ଟିମ୍‌ର ହିତସାଧନ ହେବ ନାହିଁ । ଟିମ୍ ସହ କୋଟି କୋଟି ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ଆବେଗ ବି ଯୋଡ଼ି ହୋଇରହିଛି ।

ଅଧିକ ପଢ଼ନ୍ତୁ : ପ୍ରଥମ ଦିନିକିଆରୁ ବାଦ୍ ପଡିଲେ କୋହଲି, ଜାଣନ୍ତୁ କାହିଁକି?

Rohit Sharma BCCI Cricket ODI Cricketer
Advertisment
Advertisment