• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଫେବୃଆରୀ ୯ରେ ବାରବାଟୀରେ ହେବ ମହାଲଢ଼େଇ । ସୁପର ସଣ୍ଡେରେ ଖେଳାଯିବ ସୁପର ଫାଇଟ୍‌ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏପଟେ ମ୍ୟାଚ୍‌ ପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଦୁଇ ଦେଶର ଖେଳାଳି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଉଭୟ ଦେଶର ଖେଳାଳିଙ୍କୁ ମେ ଫେୟାର ହୋଟେଲକୁ ଅଣାଯାଇଛି । ସେପଟେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଦେଖିବା ପାଇଁ ବିମାନ ବନ୍ଦରଠୁ ହୋଟେଲ ପର୍ଯ୍ୟନ୍ତ କ୍ରିକେଟ୍‌ ପ୍ରେମୀଙ୍କ ବେଶ୍‌ ଭିଡ଼ ଲାଗିଥିଲା । ନିଜ ପସନ୍ଦର କ୍ରିକେଟରଙ୍କ ଟିକିଏ ଝଲକ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି ପ୍ରଶଂସକ ।

ଠିକ୍‌ ଏମିତି ଜଣେ କ୍ରିକେଟ ପ୍ରେମୀ ନିଜ ପସନ୍ଦର ଖେଳାଳିଙ୍କୁ ଦେଖିବା ପାଇଁ ମେ ଫେୟାର ସମ୍ମୁଖରେ ସକାଳୁ ଛିଡ଼ା ହୋଇଛନ୍ତି । ଛାତିରେ ବିରାଟ କୋହଲିଙ୍କ ଫଟୋର ଟାଟୁ । ପିଠିରେ ଜର୍ସି ନମ୍ବର ସହ ରହିଛି ବିରାଟଙ୍କ ନାଁ । ଆଉ ବିରାଟ କୋହଲିଙ୍କ ନାଁର ଠିକ୍‌ ତଳେ ଇଂରାଜୀରେ ଲେଖା ରହିଛି Greatest Of All Time । ଆଉ ହାତରେ ବିରାଟ କୋହଲିଙ୍କୁ ନେଇ ଧରିଛନ୍ତି ଏକ ବଡ଼ ପ୍ଲା କାର୍ଡ ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି

ତେବେ ଏ କୌଣସି ସାଧାରଣ ଫ୍ୟାନ୍‌ ନୁହଁନ୍ତି । ନିଜ ପସନ୍ଦର କ୍ରିକେଟର ବିରାଟ କୋହଲିଙ୍କୁ ଦେଖିବା ପାଇଁ ଏହି ଫ୍ୟାନ୍‌ ଜଣକ ୧୭୨୦ କିଲୋମିଟର ଦୂରରୁ ଓଡ଼ିଶା ଆସିଛନ୍ତି । ଯଦିଓ ବିରାଟଙ୍କ ଏହି ଫ୍ୟାନ୍‌ଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ, କିନ୍ତୁ ସେ ଗୋଆରେ ରହୁଛନ୍ତି । ଖାଲି ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍‌ ଓ ବିରାଟ କୋହଲିଙ୍କୁ ଦେଖିବା ପାଇଁ ସେ ଭୁବନେଶ୍ୱର ଆସିଥିବା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଖେଳ ପ୍ରତି ମୋର ବହୁତ ଆଗ୍ରହ ଅଛି । କେବଳ ଖେଳ ଦେଖିବାକୁ ମୁଁ ଓଡ଼ିଶା ଆସିଛି । ୨୦୧୬ରୁ ମୁଁ ବିରାଟ କୋହଲିଙ୍କୁ ଫଲୋ କରୁଛି । ସେ ୨୦୧୬ ଆଇପିଏଲ ସିଜିନ୍‌ରେ ଯେତେବେଳେ ୪ଟି ଶତକ ମାରିଥିଲେ, ସେ ସମୟରୁ ହିଁ ମୁଁ ତାଙ୍କୁ ଫଲୋ କରୁଛି । ଏମିତି କି ଏହି ଫ୍ୟାନ୍‌ ଜଣକ ତାଙ୍କ ଛାତିରେ ବିରାଟ କୋହଲିଙ୍କ ଫଟୋକୁ ଟାଟୁ କରିବା ସହ ୨୦୧୬ ଆଇପିଏଲରେ କରିଥିବା ୪ଟି ଶତକ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ସେପଟେ ଏହି ମହାମୁକାବିଲା ପାଇଁ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଦୁଇ ଦେଶର ଖେଳାଳି । ସ୍ୱତନ୍ତ୍ର ବିମାନ ଯୋଗେ ଇଣ୍ଡିଆ-ଇଂଲଣ୍ଡ ଦଳର ଖେଳାଳି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ନିଆଯାଇଛି ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ ଟିକେଟ କଳାବଜାରୀ, ୭ ଜଣଙ୍କୁ ଗିରଫ କଲା ପୋଲିସ

OTV is now on Whatsapp

Join and get latest news update delivered to you via whatsapp

Join Now