Advertisment

Indian Cricketer Rishabh Pant: ଦିନିକିଆରେ ରିଷଭ ପନ୍ତଙ୍କ ପାଇଁ ସବୁଠୁ ବଡ଼ ଚାଲେଞ୍ଜ୍ କିଏ?

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ରିଷଭ ପନ୍ତଙ୍କ ଠାରୁ ଲୋକେଶ ରାହୁଲଙ୍କୁ ଦିଆଯାଇଥିଲା ଅଗ୍ରାଧିକାର । ସେ ମଧ୍ୟ ନିଜ ପ୍ରଦର୍ଶନ ବଳରେ ତାଙ୍କ ଚୟନକୁ ସଠିକ୍ ସାବ୍ୟସ୍ତ କରିଥିଲେ । ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଦିନିକିଆରେ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ରାହୁଲ?

author-image
Biswajit Mohanty
ଅଦ୍ୟତନ ହୋଇଛି
Rishabh Pant

Rishabh Pant

ଦିନିକିଆରେ ରିଷଭ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ଲୋକେଶ ରାହୁଲ? ଭାରତର ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତ ସଡ଼କ ଦୁର୍ଘଟଣାରୁ ସୁସ୍ଥ ହୋଇ ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରିବା ପରଠାରୁ ସତେ ଯେମିତି ଟେଷ୍ଟ ଓ ଟି-୨୦ ମଧ୍ୟରେ ସୀମିତ ହୋଇଯାଇଛନ୍ତି। ତାଙ୍କ ପାଇଁ ଦିନିକିଆ ପଥ ଦୁର୍ଗମ ହୋଇଛି।

Advertisment

ସଦ୍ୟ ସମାପ୍ତ ଚାମ୍ପିଅନ୍ସ ଟ୍ରଫିର ସମସ୍ତ ମ୍ୟାଚ୍‌ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ପନ୍ତଙ୍କଠାରୁ ରାହୁଲଙ୍କୁ ଅଗ୍ରାଧିକାର ଦିଆଯାଇଥିଲା। ରାହୁଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସମୟରେ ଉପଯୋଗୀ ଯୋଗଦାନ ଦେଇ ଚୂଡ଼ାନ୍ତ ଏକାଦଶରେ ତାଙ୍କ ଚୟନର ଯଥାର୍ଥତା ପ୍ରତିପାଦନ କରିଥିଲେ।

ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ରେ ବି ରାହୁଲ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଖେଳିଥିଲେ। ତେବେ ଏଥିରେ ତାଙ୍କର ପ୍ରଦର୍ଶନ ଆଶାଜନକ ନ ଥିଲା। ସେ ତିନି ମ୍ୟାଚ୍‌ରେ ମାତ୍ର ୫୨ ରନ୍ ସଂଗ୍ରହ କରିଥିଲେ। ଏହାସତ୍ତ୍ୱେ ଟିମ୍ ମ୍ୟାନେଜ୍‌ମେଣ୍ଟ ଚାମ୍ପିଅନ୍ସ ଟ୍ରଫିରେ ରାହୁଲଙ୍କ ଉପରେ ଭରସାବ୍ୟକ୍ତ କରିଥିଲା।

Advertisment

ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ, ଦିନିକିଆରେ ପନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ୍ ହୋଇଛନ୍ତି କି ରାହୁଲ?

ରାହୁଲଙ୍କ ସ୍ଥିତି ମଜଭୁତ କଲା ଚାମ୍ପିଅନ୍ସ ଟ୍ରଫି ପ୍ରଦର୍ଶନ

ସାଧାରଣତଃ ସୀମିତ ଓଭର୍ କ୍ରିକେଟ୍‌ରେ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିବା ବ୍ୟାଟର୍‌ମାନଙ୍କୁ ବେଶୀ ଓଭର୍ ଖେଳିବାକୁ ମିଳେ ନାହିଁ। ଏହା ସହିତ ମ୍ୟାଚ୍‌ର ଯେଉଁ ସ୍ଥିତିରେ ସେମାନେ କ୍ରିଜ୍‌କୁ ଆସିଥା’ନ୍ତି, ସେହି ସମୟରେ ଖୁବ୍ କମ୍ ବ୍ୟାଟର୍ ଥଣ୍ଡା ମିଞ୍ଜାସରେ ଦୃଢ଼ତାର ସହ ଖେଳିଥା’ନ୍ତି। ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଲୋକେଶ ରାହୁଲ ସେହିଭଳି ପ୍ରଦର୍ଶନ କରିଥିଲେ।

ରାହୁଲ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଇନିଂସ୍‌କୁ ସମ୍ଭାଳିବା ସହ ଟିମ୍‌କୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ।

ଏହି ଡାହାଣହାତି ବ୍ୟାଟର୍ ଫାଇନାଲ୍ ମ୍ୟାଚ୍‌ରେ ୩୩ ବଲ୍‌ରୁ ୩୪ ରନ୍ କରି ଅପରାଜିତ ଥିଲେ। ଏହା ପୂର୍ବରୁ ସେ ସେମିଫାଇନାଲ୍‌ରେ କଙ୍ଗାରୁ ଟିମ୍ ବିପକ୍ଷରେ ଅପରାଜିତ ୪୨ ରନ୍‌ର ଇନିଂସ୍ ଖେଳିଥିଲେ। ଗୋଟିଏ ସମୟରେ ସଙ୍କଟଜନକ ସ୍ଥିତିରେ ଥିବା ଟିମ୍‌କୁ ସେ ୪ ୱିକେଟ୍‌ରେ ଜିତାଇଥିଲେ।

ଅନ୍ତିମ-୪ ମ୍ୟାଚ୍‌ରେ ବିରାଟ କୋହଲି ୮୪ ରନ୍ କରି ଆଉଟ୍ ହୋଇଥିଲେ। ସେତେବେଳେ ବି ଟିମ୍‌କୁ ବିଜୟ ପାଇଁ ଆହୁରି ୪୦ ରନ୍ ଆବଶ୍ୟକ ଥିଲା। ତେବେ ରାହୁଲ ଧୈର୍ଯ୍ୟର ସହ ଖେଳିଥିଲେ ଏବଂ ଶେଷ ଯାଏଁ କ୍ରିଜ୍‌ରେ ତିଷ୍ଠି ରହିଥିଲେ।

ୱିକେଟ୍ ପଛରେ ଓ ଆଗରେ ଉଭୟ ସ୍ଥାନରେ ରାହୁଲ ଭଲ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ଦିନିକିଆ ଟିମ୍‌ରେ ସ୍ଥାନ ପାଇବା ପନ୍ତଙ୍କ ପାଇଁ କଷ୍ଟସାଧ୍ୟ ହୋଇଯାଇଛି। ରାହୁଲ ପୂରା ଟୁର୍ଣ୍ଣାମେଣ୍ଟରେ ପାଞ୍ଚ ମ୍ୟାଚ୍‌ର ଚାରି ଇନିଂସ୍‌ରେ ମୋଟ୍ ୧୪୦ ରନ୍ ସଂଗ୍ରହ କରିଥିଲେ। ବାମ-ଡାହାଣ ସଂଯୋଜନ ପାଇଁ ଟିମ୍ ମ୍ୟାନେଜ୍‌ମେଣ୍ଟ ତାଙ୍କ ପୂର୍ବରୁ ଅକ୍ଷର ପଟେଲ୍‌ଙ୍କୁ ବ୍ୟାଟିଂ ପାଇଁ ପଠାଇଥିଲା । ସେଥିପାଇଁ ରାହୁଲ ଛଅ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିଲେ। ପାଞ୍ଚ ନମ୍ବରରେ ଖେଳିଥିଲେ ହୁଏତ ସେ ଅଧିକ ସ୍କୋର୍ କରିପାରିଥା’ନ୍ତେ।

ବିଶ୍ୱକପ୍ ୨୦୨୩ରେ ମଧ୍ୟ ରାହୁଲ ଉତ୍ତମ ପ୍ରଦର୍ଶନ କରିଥିଲେ। ସେଥିରେ ବି ସେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଖେଳିଥିଲେ। ସେ ୧୧ ମ୍ୟାଚ୍‌ରେ ୭୫.୩୩ ଆଭରେଜ୍ ଓ ୯୦.୭୬ ଷ୍ଟ୍ରାଇକ୍ ରେଟ୍‌ରେ ୪୫୨ ରନ୍ ସଂଗ୍ରହ କରିଥିଲେ।

ପ୍ରତିଦ୍ୱନ୍ଦ୍ୱିତା କଥା ସ୍ୱୀକାର କରିଛନ୍ତି ରାହୁଲ

ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ୍ ମ୍ୟାଚ୍ ପୂର୍ବରୁ ରାହୁଲ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଥିଲେ ଯେ ରିଷଭ ପନ୍ତ ଓ ତାଙ୍କ ମଧ୍ୟରେ ଟିମ୍‌ରେ ସ୍ଥାନ  ପାଇବା ନେଇ ପ୍ରତିଦ୍ୱନ୍ଦ୍ୱିତା ରହିଛି ।

ରାହୁଲ କହିଥିଲେ, “ହଁ, ପନ୍ତ ଓ ମୋ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଛି। ମୁଁ ଏହାକୁ ନେଇ ମିଛ କହିବିନି। ପନ୍ତ ବହୁତ ପ୍ରତିଭାସମ୍ପନ୍ନ ଖେଳାଳି। ସେ ଆମକୁ ଦେଖାଇଛନ୍ତି ଯେ ସେ କେତେ ଆକ୍ରମଣାତ୍ମକ ବ୍ୟାଟର୍ ଏବଂ କେତେଶୀଘ୍ର ମ୍ୟାଚ୍‌ର ଦିଗ ବଦଳାଇପାରିବେ। ଏଥିପାଇଁ ଟିମ୍‌ର ଅଧିନାୟକ ଓ କୋଚ୍‌ଙ୍କ ମଧ୍ୟରେ ସବୁବେଳେ ଏ କଥାକୁ ନେଇ ବିଚାର ଚାଲିଥାଏ ଯେ ସେମାନେ ଚୂଡ଼ାନ୍ତ ଏକାଦଶରେ ମୋତେ ବାଛିବେ ନା ପନ୍ତଙ୍କୁ।”

ତେବେ ରାହୁଲ ସ୍ପଷ୍ଟ କଣ୍ଠରେ କହିଥିଲେ, “ମୁଁ ରିଷଭଙ୍କ ସହ ମୁକାବିଲା କରେ ନାହିଁ । ନା ମୁଁ ତାଙ୍କ ଭଳି ଖେଳିବାକୁ ଚେଷ୍ଟା କରେ ନା ସେ ମୋ ଭଳି କି ଆଉ କାହା ଭଳି ଖେଳିବାକୁ ଚେଷ୍ଟା କରନ୍ତି । ତାଙ୍କୁ ତାଙ୍କ ଦକ୍ଷତା ଆଧାରରେ ଚୟନ କରାଯାଏ ଏବଂ ମୋତେ ମୋ ଦକ୍ଷତା ଆଧାରରେ ।”

ରାହୁଲ ଓ ପନ୍ତଙ୍କ ମଧ୍ୟରେ କିଏ ଉତ୍ତମ

ଉଭୟ ଲୋକେଶ ରାହୁଲ ଓ ରିଷଭ ପନ୍ତ ପ୍ରତିଭାସମ୍ପନ୍ନ ଓ ଦକ୍ଷ ଖେଳାଳି। ପନ୍ତଙ୍କଠାରୁ ରାହୁଲ ଅଭିଜ୍ଞ, କିନ୍ତୁ ପନ୍ତ ଅଧିକ ଆକ୍ରମଣାତ୍ମକ ବ୍ୟାଟର୍। ୱିକେଟ୍‌କିପିଂରେ ସେ ରାହୁଲଙ୍କଠାରୁ ଗୋଟିଏ ପାଦ ଆଗରେ ରହିବେ।

ରାହୁଲ ଦିନିକିଆ ଆନ୍ତର୍ଜାତିକରେ ପନ୍ତଙ୍କ ଠାରୁ ଅଧିକ ୫୪ ମ୍ୟାଚ୍ ଖେଳିଛନ୍ତି। ସେ ଏ ଯାବତ ୮୫ ଦିନିକିଆ ଖେଳି ୪୯.୦୮ ଆଭରେଜ୍‌ରେ ୩୦୪୩ ରନ୍ ସଂଗ୍ରହ  କରିଛନ୍ତି। ଏଥିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୮୮.୧୭ ରହିଛି । ସେ ୭୧ କ୍ୟାଚ୍ ଧରିବା ସହ ଆଠ ଷ୍ଟମ୍ପିଂ କରିଛନ୍ତି।

ସେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ଦିନିକିଆରେ ୪୫ ମ୍ୟାଚ୍ ଖେଳି ୧୫୭୮ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କ ଆଭରେଜ୍ ୫୪.୪୧ ଓ ଷ୍ଟ୍ରାଇକ୍ ରେଟ୍ ୯୨.୬୬ ରହିଛି।
ଅନ୍ୟପଟେ, ବାମହାତି ବ୍ୟାଟର୍ ପନ୍ତ ୩୧ ଦିନିକିଆ ଖେଳି ୩୩.୫୦ ଆଭରେଜ୍ ଓ ୧୦୬.୨୧ ଷ୍ଟ୍ରାଇକ୍ ରେଟ୍‌ରେ ୮୭୧ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ସେ ୨୭ କ୍ୟାଚ୍ ଧରିଥିବା ବେଳେ ଗୋଟିଏ ଷ୍ଟମ୍ପିଂ କରିଛନ୍ତି।

ପନ୍ତ ଶେଷଥର ୨୦୨୪ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ମାତ୍ର ୬ ରନ୍ କରିଥିଲେ। ଅତୁନ ୱାସନଙ୍କ ଭଳି ପୂର୍ବତନ ପେସର୍ ପନ୍ତଙ୍କୁ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ଗୁଡ଼ିକରେ ନ ଖେଳାଇବା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି। ତାଙ୍କ ବିଚାରରେ ପନ୍ତ ଜଣେ ଚମକପ୍ରଦ ଖେଳାଳି ଏବଂ ନିଜ ଦମ୍‌ରେ ମ୍ୟାଚ୍ ଜିତାଇପାରନ୍ତି। ପନ୍ତଙ୍କ ଦକ୍ଷତା ନେଇ ପ୍ରଶ୍ନ ନାହିଁ। ଟେଷ୍ଟ ଓ ଟି-୨୦ ଟିମ୍‌ର ତ ସେ ଅଭିନ୍ନ ଅଙ୍ଗ ତଥା ପ୍ରଥମ ପସନ୍ଦ ୱିକେଟ୍‌କିପର୍‌-ବ୍ୟାଟର୍।

ତେବେ ଚାମ୍ପିଅନ୍ସ ଟ୍ରଫିରେ ଯେତେବେଳେ ଅଭିଜ୍ଞ ରାହୁଲ ଭଲ ଖେଳୁଛନ୍ତି, ତାଙ୍କୁ ଅପସାରିତ କରି ପନ୍ତଙ୍କୁ ନେବା ପାଇଁ ଟିମ୍ ମ୍ୟାନେଜ୍‌ମେଣ୍ଟ ଉଚିତ ମଣି ନ ଥିଲା। ହୁଏତ ସେଭଳି କରିବାର କିଛି ଆବଶ୍ୟକତା ବି ନ ଥିଲା, କାରଣ ଟିମ୍ ମ୍ୟାଚ୍ ଜିତୁଥିଲା ଏବଂ ଶେଷରେ ଚାମ୍ପିଅନ୍ ବି ହେଲା।

ବିଶେଷକରି ୫୦-ଓଭର୍ ଫର୍ମାଟ୍‌ରେ ୱିକେଟ୍‌କିପର୍‌-ବ୍ୟାଟର୍ ଭାବେ ରାହୁଲ ଓ ପନ୍ତଙ୍କ ମଧ୍ୟରେ କିଏ ଉତ୍ତମ, ଏବେ ତାହା କହିବା କଷ୍ଟକର, କାରଣ ଉଭୟଙ୍କ ମଧ୍ୟରେ ଅଭିଜ୍ଞତା ଓ ମ୍ୟାଚ୍ ସଂଖ୍ୟାର ବ୍ୟବଧାନ ରହିଛି।

ରାହୁଲଙ୍କଠାରୁ ପନ୍ତ ପାଞ୍ଚ ବର୍ଷ ସାନ। ତାଙ୍କ ଆଗରେ ଲମ୍ବା କ୍ୟାରିଅର୍ ରହିଛି। ଦିନିକିଆରେ ନିଜ ସ୍ଥାନ ସୁରକ୍ଷିତ କରିବା ପାଇଁ ଆଗକୁ ତାଙ୍କ ପାଇଁ ଅନେକ ସୁଯୋଗ ଆସିପାରେ।

Team India Cricket Rishabh Pant Indian Cricket Team Indian Cricketer Indian Batsman
Advertisment
Advertisment