Advertisment

Petrichor Evokes Memories: ବର୍ଷାର ପହିଲି ଛୁଆଁରେ କାହିଁକି ମତୁଆଲା ହୁଏ ମାଟି ? କେଉଁଠୁ ଆସେ ଏ ଭିଜା ମାଟିର ମିଠା ମିଠା ବାସ୍ନା ?

ଯେତେବେଳେ ମେଘ ବରଷିବା ଆରମ୍ଭ ହୁଏ, ପରିବେଶ ଥଣ୍ତା ହୋଇଯାଏ । ଲାଗେ ଯେମିତି ଏ ବାୟୁମଣ୍ଡଳ ଆଶ୍ୱସ୍ତିର ନିଃଶ୍ୱାସ ନେଉଛି । ଗରମରେ ଛଟପଟ ହେଉଥିବା ଲୋକଙ୍କ ପାଇଁ ବି ଅପୂର୍ବ ଶାନ୍ତି ଆଣି ଦେଇଥାଏ ଏହି ବର୍ଷା । ତେବେ ଏହା ପଛରେ କେବଳ ଥଣ୍ଡା ପବନ ନୁହେଁ, ଏକ ବୈଜ୍ଞାନିକ କାରଣ ଲୁଚି ରହିଛି ।

author-image
Minati Mishra
ଅଦ୍ୟତନ ହୋଇଛି
Rain

Rain

ଶୁଷ୍କ ମାଟି । ଶୁଖିଲା ଆକାଶ । ଡହ ଡହ ଖରାରେ ଜଳୁଥିବା ପୃଥିବୀ ଉପରେ ଜଳ ବିନ୍ଦୁଏ ବର୍ଷିଗଲେ ମହକି ଯାଏ ମାଟି । ମହକି ଯାଏ ମନ । ପହିଲି ବର୍ଷାର ଛୁଆଁରେ ସତେ ଯେମିତି ମାଟି ମତୁଆଲା ହୋଇଯାଏ । ପାଟିରୁ ବାହାରି ଆସେ ‘ଆଃ, କି ମିଠା ଏ ମାଟିର ବାସ୍ନା ? ହେଲେ ପହିଲି ବର୍ଷାର ଛୁଆଁରେ ଏ ମାଟି କାହିଁକି ଏମିତି ମହକି ଉଠେ ? କେଉଁଠୁ ଆସେ ଏ ମିଠା ମିଠା ବାସ୍ନା ? ସବୁ ଜାଗାରେ ସମାନ ପ୍ରକାରର ବାସ୍ନା ଆସେ ନା ଅଲଗା ଅଲଗା ଆସେ ?

Advertisment

କେଉଁଠୁ ଆସେ ପହିଲି ବର୍ଷାର ବାସ୍ନା ?

ପହିଲି ବର୍ଷାର ପାଣି ମାଟି ଉପରେ ପଡିଲେ ଯେଉଁ ବାସ୍ନା ଆସେ ତାହାର ବୈଜ୍ଞାନିକ ନାମ ହେଉଛି ପେଟ୍ରିକୋର । ଦୁଇଟି ଗ୍ରୀକ ଶବ୍ଦ ମିଶ୍ରଣରେ ଏହି ଶବ୍ଦର ସୃଷ୍ଟି । ‘ପେଟ୍ରା’ ଶବ୍ଦର ଅର୍ଥ ପଥର ଏଂ ଇକୋର ଶବ୍ଦର ଅର୍ଥ ଦେବତାଙ୍କ ରକ୍ତ (ଗ୍ରୀକ ବିଶ୍ୱାସ ଅନୁସାରେ) । ଏହି ନାଁ ହିଁ ସୂଚେଇ ଦିଏ ଯେ ଏହି ବାସ୍ନା ଏକ ସ୍ୱତନ୍ତ୍ର, ପୁରାତନ ଏବଂ ରହସ୍ୟମୟ ବାସ୍ନା ।

ଯେତେବେଳେ ବର୍ଷାର ପ୍ରଥମ ବିନ୍ଦୁ ଶୁଷ୍କ ମାଟି ଉପରେ ପଡେ ସେତେବେଳେ ମାଟିରେ ଲୁଚି ରହିଥିବା ଏକ ସ୍ୱତନ୍ତ୍ର ବ୍ୟାକ୍ଟେରିଆର ସ୍ତର ଆକ୍ଟିଭ ହୋଇଯାଏ । ଏହି ବ୍ୟାକ୍ଟେରିଆର ନାମ ଆକ୍ଟିନୋମିସେଟସ । ଏହି ବ୍ୟାକ୍ଟେରିଆ ଏକ ସ୍ୱତନ୍ତ୍ର କେମିକାଲ ଛାଡିଥାଏ ଯାହାକୁ ଜିଓସ୍ମିନ କହନ୍ତି । ଏହି ଜିଓସ୍ମିନ ଆମର ନାକ ପର୍ଯ୍ୟନ୍ତ ପହଞ୍ଚି ମାଟିର ସୁଗନ୍ଧ ଛାଡିଥାଏ । ଏହି ସୁଗନ୍ଧ ଆମ ସମସ୍ତଙ୍କର ପ୍ରିୟ ଅଟେ ।

Advertisment

ଏହି ବାସ୍ନା କ’ଣ ସବୁଠି ସମାନ ପ୍ରକାରର ହୋଇଥାଏ ?

ଏବେ ପ୍ରଶ୍ନ, ଏହି ବାସ୍ନା କ’ଣ ସବୁ ଜାଗାରେ ସମାନ ଥାଏ ? ନା, ସବୁ ଜାଗାରେ ଏହି ବାସ୍ନା ସମାନ ନଥାଏ । ପ୍ରଥମ ବର୍ଷାର ବାସ୍ନା ବେଶ୍ ନିଆରା ଥାଏ । କିନ୍ତୁ ଏହାର ଅନୁଭବ ଅଲଗା ଅଲଗା ସ୍ଥାନରେ ଅଲଗା ହୋଇପାରେ । ଏହା ପଛରେ ଏକ କାରଣ ରହିଛି । ଅଲଗା ଅଲଗା ସ୍ଥାନରେ ମାଟିର ସ୍ତର ଭିନ୍ନ ଭିନ୍ନ ହୋଇଥାଏ । କେଉଁଠି ମାଟି କଳା ରଙ୍ଗର ହୋଇଥାଏ । କେଉଁଠି ଲାଲ, କେଉଠି ବାଲିଆ ତ କେଉଁଠି ଲୁଣିଆ । ଏହି ସବୁ ମାଟିରେ ଉପସ୍ଥିତ ଥିବା ବ୍ୟାକ୍ଟେରିଆ, ଖଣିଜ ଏବଂ ସୂକ୍ଷ୍ମ ଜୀବ ଅଲଗା ଅଲଗା ହୋଇଥାନ୍ତି । ଫଳରେ ମାଟିର ବାସ୍ନାରେ ହାଲକା ହାଲକା ଫରକ ଅନୁଭବ କରିହୁଏ ।

ଅଧିକ ପଢ଼ନ୍ତୁ: ସ୍ପେସ୍ ଷ୍ଟେସନର ଭିତିରି କଥା, ଶୂନ୍ୟରେ ଝୁଲୁଥିବା କ୍ୱାର୍ଟର, କେମିତି କରନ୍ତି ରୋଷେଇ, କେମିତି ସାରନ୍ତି ନିତ୍ୟକର୍ମ

ଗଛଲତା ଏବଂ ପ୍ରଦୂଷଣ ବାସ୍ନାକୁ ବଦଳାଇ ଦିଏ

ଯେଉଁଠି ବେଶି ସବୁଜ ଗଛଲତା ଥାଏ ସେଠାରେ ଗଛ ଏବଂ ପତ୍ରରେ ଧୂଳି ଜମି ଯାଇଥାଏ । ଯେତେବେଳେ ବର୍ଷା ହୁଏ, ଏହି ଧୂଳି ପାଣିରେ ଭିଜି ସେହି ପତ୍ର ବା ଗଛର ବାସ୍ନାକୁ ସାଥିରେ ନେଇ ବହିଯାଏ, ଯାହା ପବନରେ ମିଶି ଏକ ଅଲଗା ବାସ୍ନାରେ ଚାରିଆଡ ମହକାଇ ଦିଏ । ଏହି କାରଣରୁ ଓଦା ମାଟିର ବାସ୍ନା ସାମାନ୍ୟ ଅଲଗା ଅଲଗା ହୋଇଥାଏ ଏବଂ ବେଶି ସତେଜ ଲାଗିଥାଏ ।

ଅନ୍ୟପକ୍ଷେ ସହରରେ ଯେଉଁଠି ଗାଡିର ଧୂଆଁ ଏବଂ କାରଖାନାର ପ୍ରଦୂଷଣ ଅଧିକ ଥାଏ ସେଠାରେ ଏହି ଭିଜାମାଟିର ମହକ ସାମାନ୍ୟ ଅଲଗା ଲାଗିଥାଏ । ଏଥିରେ ସେ ସତେଜତା ନ ଥାଏ । କେତେକ ସ୍ଥାନରେ ବର୍ଷାର ପ୍ରଥମ ବିନ୍ଦୁରେ ହାଲକା ହାଲକା ଦୁର୍ଗନ୍ଧ ଆସିଥାଏ । କାରଣ ବିଷାକ୍ତ ଗ୍ୟାସ ଏବଂ ଧୂଳିକଣା ଏହି ପାଣିରେ ଧୋଇ ହୋଇ ମାଟିରେ ମିଶି ଯାଇଥାଏ ।

ଆର୍ଦ୍ରତା ଏବଂ ତାପମାତ୍ରା ବାସ୍ନାକୁ ବଦଳାଇ ଦିଏ

କେତେକ ସ୍ଥାନରେ ପାଣିପାଗ ଯେମିତି ଆର୍ଦ୍ରତା ଏବଂ ତାପମାତ୍ରା ବି ଏହି ବାସ୍ନାକୁ ବଦଳାଇ ଦେଇଥାଏ । ଯେଉଁଠି ଖରା ଅଧିକ ହୋଇଥାଏ ଏବଂ ମାଟି ବହୁତ ଅଧିକ ଶୁଖିଲା ହୋଇଯାଇଥାଏ ସେଠାରେ ଭିଜାମାଟିର ବାସ୍ନା ଅଧିକ ହୋଇଥାଏ ଏବଂ ଶୀଘ୍ର ଅନୁଭବ ହୋଇଥାଏ । ଅନ୍ୟପକ୍ଷରେ ଥଣ୍ଡା ଏବଂ କମ ଆର୍ଦ୍ରତା ସ୍ଥାନରେ ଏହି ବାସ୍ନା କମ୍ ଏବଂ ବିଳମ୍ବରେ ଆସିଥାଏ ।

ବର୍ଷା ପରେ କାହିଁକି କମିଯାଏ ତାପମାତ୍ରା ?

ଯେତେବେଳେ ବର୍ଷା ହୁଏ ଅଚାନକ ତାପମାତ୍ରା ତଳକୁ ଖସିଯାଏ । ପାଣିପାଗ ପୂରା ଥଣ୍ଡା ହୋଇଯାଏ । ବେଳେବେଳେ ଏମିତି ହୁଏ ବର୍ଷା ପରେ ପରେ ଗରମ ବହୁତ ଅଧିକ ଅନୁଭୂତ ହୁଏ । ହେଲେ କାହିଁକି ଏମିତି ହୁଏ ?

ଯେତେବେଳେ ମେଘ ବରଷିବା ଆରମ୍ଭ ହୁଏ, ପରିବେଶ ଥଣ୍ତା ହୋଇଯାଏ । ଲାଗେ ଯେମିତି ଏ ବାୟୁମଣ୍ଡଳ ଆଶ୍ୱସ୍ତିର ନିଃଶ୍ୱାସ ନେଉଛି । ଗରମରେ ଛଟପଟ ହେଉଥିବା ଲୋକଙ୍କ ପାଇଁ ବି ଅପୂର୍ବ ଶାନ୍ତି ଆଣି ଦେଇଥାଏ ଏହି ବର୍ଷା । ତେବେ ଏହା ପଛରେ କେବଳ ଥଣ୍ଡା ପବନ ନୁହେଁ, ଏକ ବୈଜ୍ଞାନିକ କାରଣ ଲୁଚି ରହିଛି । ବର୍ଷାର ଜଳବିନ୍ଦୁ ଯେତେବେଳେ ଉତ୍ତପ୍ତ ମାଟିରେ ପଡେ ସେତେବେଳେ ଏହା ବାଷ୍ପରେ ପରିଣତ ହେବାକୁ ଲାଗେ । ଏହି ପ୍ରକ୍ରିୟାକୁ ବାଷ୍ପୀକରଣ ପ୍ରକ୍ରିୟା କହନ୍ତି । ଏହି ସମୟରେ ପାଣିର ବୁନ୍ଦା ବାଷ୍ପରେ ପରିଣତ ହେବା ପାଇଁ ଉତ୍ତପ୍ତ ପବନକୁ ଟାଣିନିଏ । ଯାହା ଫଳରେ ବାୟୁମଣ୍ଡଳ ଥଣ୍ଡା ହୋଇଯାଏ ।

ଏହା ବ୍ୟତୀତ ଆକାଶରେ ଭାସି ବୁଲୁଥିବା ବାଦଲ ଖଣ୍ଡ ଅତ୍ୟଧିକ ଥଣ୍ଡା ହେଲେ ବର୍ଷା ହୋଇ ତଳକୁ ଖସିପଡେ । ତେଣୁ ଏହି ବାଦଲଖଣ୍ଡ ଯେତେବେଳେ ବରଷେ ସେତେବେଳେ ଥଣ୍ଡା ବାୟୁକୁ ସାଥୀରେ ନେଇ ତଳକୁ ଆସିଥାଏ। ଯାହାଫଳରେ ତାପମାତ୍ରା ହ୍ରାସ ପାଇଥାଏ। ଆଉ ଏକ କାରଣ ହେଉଛି, ଯେତେବେଳେ ବାଦଲ ପୂରା ଆକାଶକୁ ଢାଙ୍କି ଦିଏ, ସେତେବେଳେ ସୂର୍ଯ୍ୟର କିରଣ ସିଧାସଳଖ ମାଟିରେ ପହଞ୍ଚିପାରେ ନାହିଁ । ଯଦ୍ୱାରା ପାଣି ଗରମ ହୋଇ ପାରେ ନାହିଁ ଏବଂ ପରିବେଶ ଥଣ୍ଡା ରୁହେ ।

ବର୍ଷା ପରେ ଅଧିକ ଗରମ କାହିଁକି ହୁଏ ?

ବର୍ଷା ପଡିଲେ ଥଣ୍ଡା ଲାଗେ । କିନ୍ତୁ ବେଳେବେଳେ ଏମିତି ହୁଏ, ବର୍ଷା କମିଯିବା ପରେ ପବନରେ ଛିପଛିପ ଭାବ ଏବଂ ଆର୍ଦ୍ରତା ବଢିଯାଏ । ସେତେବେଳେ ବର୍ଷା ଛାଡିଗଲା ପରେ ଆହୁରି ଅଧିକ ଗରମ ହୁଏ । ହେଲେ କାହିଁକି ? ଏସବୁ ପାଣିପାଗର ପରିବର୍ତ୍ତନ ଏବଂ ସୂର୍ଯ୍ୟର ଉପସ୍ଥିତି ଉପରେ ନିର୍ଭର କରିଥାଏ ।

ବର୍ଷା ପରେ ଯେତେବେଳେ ସୂର୍ଯ୍ୟ ପୁଣି ଆକାଶରେ ଚମକି ଉଠନ୍ତି ଏବଂ ଆକାଶ ପୂରା ପରିଷ୍କାର ହୋଇଯାଏ ସେତେବେଳେ ମାଟିରେ ଥିବା ଆର୍ଦ୍ରତା ଧୀରେ ଧୀରେ ବାଷ୍ପ ହୋଇ ଉପରକୁ ଉଠିବାକୁ ଚେଷ୍ଟା କରେ । ଏହାକୁ ଆମେ କହୁ ଆର୍ଦ୍ରତା ଅଧିକ ରହିଛି । ଏହି ଆର୍ଦ୍ରତା ବାତାବରଣକୁ ଗରମ କରିଦିଏ । ଏହି କାରଣରୁ ବର୍ଷା ପରେ ଯଦିଓ ତାପମାତ୍ରା ସାମାନ୍ୟ କମିଯାଏ କିନ୍ତୁ ଆର୍ଦ୍ରତା ଯୋଗୁ ପୂର୍ବ ଅପେକ୍ଷା ଅଧିକ ଗରମ ଅନୁଭୂତ ହୁଏ ।

ବର୍ଷା ପରେ ଗାଁ ତୁଳନାରେ ସହରରେ ଅଧିକ ଗରମ ହୁଏ

ବେଳେବେଳେ ବର୍ଷା ପରେ ଅଧିକ ଗରମ ଅନୁଭୂତ ହୁଏ । ଏହା ବିଶେଷ କରି ସହରରେ ଅଧିକ ଅନୁଭୂତ ହୋଇଥାଏ । କାରଣ ସଡକ ଉପରେ ପଡିଥିବା ପିଚୁ ଏଠାରେ ଥିବା ବଡବଡ କୋଠାଘର ବର୍ଷାରେ ଭିଜନ୍ତି ସତ କିନ୍ତୁ ପାଣି ଶୀଘ୍ର ଶୁଖିଯାଏ । ଫଳରେ ସହରରେ ଭୂପୃଷ୍ଠର ସ୍ତର ଶୀଘ୍ର ଗରମ ହୋଇଯାଏ । ତେଣୁ ବର୍ଷା ପରେ ଯେତେବେଳେ ସୂର୍ଯ୍ୟ ବାହାରି ଆସନ୍ତି ଚଟାଣ ଶୀଘ୍ର ତାତି ଯାଏ ଏବଂ ଚାରିପଟର ପବନକୁ ଗରମ କରିଦିଏ । ସେଥିପାଇଁ ସହରାଞ୍ଚଳରେ ଅଧିକାଂଶ ସମୟରେ ବର୍ଷା ପରେ ପରେ ଅଧିକ ଗରମ ଅନୁଭୂତ ହୁଏ ।

ଅବଶ୍ୟ ବେଳେବେଳେ ଝଡବାତ୍ୟା ଆଶଙ୍କା ଥିଲେ କିମ୍ବା ଲଘୁଚାପ ଥିଲେ ଏହାର ପ୍ରଭାବରେ ବର୍ଷା ପୂର୍ବରୁ ବି ପାଗ ଥଣ୍ଡା ହୋଇଯାଏ । ଏପରି ସ୍ଥିତିରେ ବର୍ଷା ପୂର୍ବରୁ ପରିବେଶ ଥଣ୍ଡା ହୋଇଯାଏ ।

ଅଧିକ ପଢ଼ନ୍ତୁ: ଆସିଲା ନୂଆ ପଲିଥିନ, ପାଣିରେ ପକାଇଲେ ୧୦ ମିନିଟରେ ମିଳାଇ ଯିବ; ମାଟିରେ ପଡ଼ିଲେ ଉର୍ବରତା ବଢ଼ିବ 

Weather Earth
Advertisment
Advertisment