• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଚିନ୍ତା ବଢାଉଛି ପ୍ଲାଷ୍ଟିକ ପ୍ରଦୂଷଣ । ମାଟିରୁ ପାଣି ଏବଂ ପବନ ଯାଏ ବ୍ୟାପୁଛି ଏହାର ବିଷାକ୍ତ ସ୍ପର୍ଶ । ଏ ସମସ୍ୟା ଆଜିର ନୁହେଁ, କାହିଁ କେତେ ଦଶକରୁ ଦେଖା ଦେଲାଣି ଏହି ସମସ୍ୟା । ସବୁଠାରୁ ବେଶି ଚିନ୍ତାର କାରଣ ପାଲଟିଛି ସମୁଦ୍ରରେ ପ୍ଲାଷ୍ଟିକ ଆବର୍ଜନା । ଏହାଦ୍ୱାରା ପରିବେଶ ଉପରେ ଭୟଙ୍କର ପ୍ରଭାବ ପକାଉଛି । ଏଥିସହିତ ସାମୁଦ୍ରିକ ଜୀବଙ୍କ ପାଇଁ ବିପଦର କାରଣ ହୋଇଛି । ତେବେ କ’ଣ ଏହାର ସମାଧାନ ? କେମିତି ବନ୍ଦ ହେବ ଏ ପ୍ଲାଷ୍ଟିକ ପ୍ରଦୂଷଣ ?

ହଁ, ଏ ପ୍ଲାଷ୍ଟିକ ପ୍ରଦୂଷଣ ହଟିବ । ଏ ସମସ୍ୟାର ସମାଧାନର ବାଟ ବାହାରିବ । ନିକଟରେ ଏମିତି ଏକ ସମାଧାନର ବାଟ ବାହାର କରିଛନ୍ତି ଗବେଷକମାନେ । ସେମାନେ ଏପରି ଏକ ପ୍ଲାଷ୍ଟିs ବାହାର କରିଛନ୍ତି ଯାହାକୁ ଆପଣ ନିୟମିତ ଭାବେ ବ୍ୟବହାର କରିପାରିବେ କିନ୍ତୁ ଏହା ପରିବେଶକୁ ପ୍ରଦୂଷିତ କରିବ ନାହିଁ ।

ଜାପାନର ସବୁଠାରୁ ବଡ ଗବେଷଣା କେନ୍ଦ୍ର ରିକେନର କେତେଜଣ ଗବେଷକ ଏକ କ୍ରାନ୍ତିକାରୀ ସମାଧାନର ବାଟ ବାହାର କରିଛନ୍ତି । ସେମାନେ ଏକ ବାୟୋଡିଗ୍ରେଡେବୁଲ ପ୍ଲାଷ୍ଟିକ ଅର୍ଥାତ ବିଘଟିତ ହୋଇ ପାରୁଥିବା ପ୍ଲାଷ୍ଟିକର ଡିଜାଇନ କରିଛନ୍ତି । ଏହି ପ୍ଲାଷ୍ଟିକକୁ ପାଣିରେ ପକେଇଲେ ତାହା ମିଶିଯିବ । ଆପଣ ଭାବୁଥିବେ ଏହା ବ୍ୟବହାର ଯୋଗ୍ୟ ହେବ ତ ? ପ୍ଲାଷ୍ଟିକ ପରି ଟାଣ ହେବ ତ ? ହଁ ଆଜ୍ଞା, ଏହି ନୂଆ ବାୟୋଡିଗ୍ରେଡେବୁଲ ପ୍ଲାଷ୍ଟିକ ସାଧାରଣ ପ୍ଲାଷ୍ଟିକ ପରି ଖୁବ ଶକ୍ତ । ବିଭିନ୍ନ ପ୍ୟାକେଜିଂ ସାମଗ୍ରୀ ଠାରୁ ଆରମ୍ଭ କରି ଚିକିତ୍ସା ଉପକରଣ ପର୍ଯ୍ୟନ୍ତ ସବୁକିଛି ପାଇଁ ଏହି ପ୍ଲାଷ୍ଟିକର ବ୍ୟବହାର କରାଯାଇ ପାରିବ । ଏହାକୁ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି । ଖାଦ୍ୟ ସୁରକ୍ଷା ସାମଗ୍ରୀରେ ଏହି ପ୍ଲାଷ୍ଟିକକୁ ତିଆରି କରାଯାଇଛି ।

ପ୍ଲାଷ୍ଟିକ ତିଆରି ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ହିଁ ଆମ ଖାଦ୍ୟ ପଦାର୍ଥକୁ ବିଷାକ୍ତ କରିଥାଏ । ତା ଛଡା ସବୁଠାରୁ ବଡ ସମସ୍ୟା ହେଉଛି ଏହି ପ୍ଲାଷ୍ଟିକ ପ୍ରାକୃତିକ ପରିବେଶରେ ବିଘଟିତ ହୋଇ ନ ଥାଏ । ହେଲେ ଏହି ନୂଆ ପ୍ଲାଷ୍ଟିକ ଏସବୁ ସମସ୍ୟାକୁ ଦୂର କରି ପାରିବ ।

ପ୍ରଚଳିତ ପ୍ଲାଷ୍ଟିକଠାରୁ କେତେ ଭିନ୍ନ

ପାରମ୍ପରିକ ପ୍ଲାଷ୍ଟିକକୁ ପରିବେଶରେ ବିଘଟିତ ହେବା ପାଇଁ ଦୀର୍ଘ ବର୍ଷ ଲାଗିଥାଏ । ଫଳରେ ଏହାକୁ ଯେଉଁଠି ପକାଇଲେ ବି ବର୍ଷ ବର୍ଷ ଧରି ଏହା ଜମା ହୋଇ ରୁହେ । ଏହି ପ୍ଲାଷ୍ଟିକ ଆବର୍ଜନା ଯେଉଁଠି ପଡେ ସେଠାରେ ଏହା ବିଷାକ୍ତ ପରିବେଶ ସୃଷ୍ଟି କରେ । ଅର୍ଥାତ ବନ୍ୟଜୀବ ହୁଅନ୍ତୁ ବା ଜଳଜୀବ ସମସ୍ତଙ୍କ ପାଇଁ ଏହି ପ୍ଲାଷ୍ଟିକ ବିପଦର କାରଣ ହୋଇଥାଏ । ହେଲେ ରିକେନ ଟିମ ଆବିଷ୍କୃତ କରିଥିବା ନୂଆ ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ ଏହାର ବିପରୀତ ଅଟେ । ଏହି ପ୍ଲାଷ୍ଟିକ ପାଣିରେ ମାତ୍ର କିଛି ଘଣ୍ଟା ମଧ୍ୟରେ ମିଶି ଯାଇଥାଏ ଏବଂ ଦୀର୍ଘ ସମୟ ଧରି ପରିବେଶର ପ୍ରଦୂଷଣକୁ ଦୂର କରି ଦେଇଥାଏ ।

ଏହାର ଆଉ ଏକ ବିଶେଷତ୍ୱ ହେଉଛି, ଏଥିରୁ ମାଇକ୍ରୋ ପ୍ଲାଷ୍ଟିକ ସୃଷ୍ଟି ହୋଇ ନ ଥାଏ । ପ୍ରଚଳିତ ପ୍ଲାଷ୍ଟିକ କ୍ଷୟ ହେଲେ ଏଥିରୁ ଛୋଟ ଛୋଟ କଣିକା ବାହାରିଥାଏ ଯାହାକୁ ଆମେ ମାଇକ୍ରୋ ପ୍ଲାଷ୍ଟିକ କହିଥାଉ । ଏହି ମାଇକ୍ରୋ ପ୍ଲାଷ୍ଟିକ ସମୁଦ୍ର ଗର୍ଭରେ, ମାଟିରେ ଜମା ହୋଇ ରୁହେ । ଯାହା ଫଳରେ ଏହା ଜୀବଜନ୍ତୁ ଏବଂ ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ଏପରିକି ଫୁଡ ଚେନ ମାଧ୍ୟମରେ ମଣିଷ ଶୀରରକୁ ମଧ୍ୟ ଯାଇଥାଏ । ବର୍ଷ ବର୍ଷ ଧରି ଏପରି ଚାଲିବା ଦ୍ୱାରା ପରିବେଶ ଦୂଷିତ ହେଉଛି । ହେଲେ ଏହି ନୂଆ ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ ଦ୍ୱାରା ଏସବୁ କିଛି ବି ହୋଇ ନ ଥାଏ । ଏଥିରୁ ମାଇକ୍ରୋ ପ୍ଲାଷ୍ଟିକ ସୃଷ୍ଟି ହୋଇ ନ ଥାଏ କିମ୍ବା ପରିବେଶ ପ୍ରଦୂଷଣର ଆଶଙ୍କା ନ ଥାଏ ।

ମାତ୍ର ୧୦ ମିନିଟରେ ମାଟିରେ ମିଶିଯାଏ

ଏହି ବାୟୋଡିଗ୍ରେଡେବଲ ପ୍ଲାଷ୍ଟିକ ମାଟିରେ ମାତ୍ର ୧୦ ମିନିଟ ମଧ୍ୟରେ ମିଶି ଯାଇଥାଏ । ସେତିକି ନୁହେଁ, ବିଘଟନ ପ୍ରକ୍ରିୟା ସମୟରେ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ହୋଇଥାଏ । ପ୍ଲାଷ୍ଟିକ ଯେତିକି ଯେତିକି ମାଟିରେ ମିଶୁଥାଏ ଏହା ଜୈବିକ ପଦାର୍ଥରେ ବଦଳି ଯାଇଥାଏ । ଏହା ମାଟିକୁ ଆବଶ୍ୟକ ପୋଷକ ତତ୍ତ୍ୱରେ ସମୃଦ୍ଧ କରିଥାଏ । ମାଟିର କାର୍ବନ ସାମଗ୍ରୀକୁ ପୁନଃସ୍ଥାପିତ କରିଥାଏ । ଏଥି ସହିତ ସହଜରେ ମାଟିରେ ମିଶି ପାରୁଥିବାରୁ ଏବଂ ବିଘଟନ ସମୟରେ ମାଟିର ଉର୍ବରତା ବୃଦ୍ଧି ହେଉଥିବାରୁ ଏହି ସାମଗ୍ରୀ ସ୍ଥାୟୀ ଆବର୍ଜନା ପରିଚାଳନାର ଏକ ବିକଳ୍ପ ହୋଇପାରିବ ।

ବିଘଟନ ସମୟରେ କାର୍ବନ ଡାଇଅକ୍ସାଇଡ ନିର୍ଗତ ହୋଇ ଥାଏ କି ?

ଏହି ନୂଆ ପ୍ଲାଷ୍ଟିକର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଗୁଣ ହେଉଛି, ବିଘଟିତ ହେବା ସମୟରେ ଏଥିରୁ କାର୍ବନ ଡାଇଅକ୍ସାଇଡ ନିର୍ଗତ ହୋଇ ନ ଥାଏ । ଅନ୍ୟପକ୍ଷେ ଆମର ପ୍ରଚଳିତ ପ୍ଲାଷ୍ଟିକ ବିଘଟିତ ହେବା ସମୟରେ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ହୋଇଥାଏ ଯାହା ବାୟୁମଣ୍ଡଳରେ କାର୍ବନ ସ୍ତରକୁ ବଢାଇ ଦେଇଥାଏ । ଏହାଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ । ସେତିକି ନୁହେଁ, ଏହି ନୂଆ ପ୍ଲାଷ୍ଟିକ କାର୍ବନ ଡାଇଅକ୍ସାଇଡ ତ ଛାଡ଼ି ନ ଥାଏ, ଅନ୍ୟପକ୍ଷେ କାର୍ବନ ନିର୍ଗମନର ମାତ୍ରକୁ ନିୟନ୍ତ୍ରଣ କରିଥାଏ । ପରିବେଷ ପ୍ରଦୂଷଣ ସହ ଲଢିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହି ପ୍ଲାଷ୍ଟିକକୁ ପୁନଃନବୀକରଣ ପ୍ରକ୍ରିୟାରେ ବ୍ୟବହାର କରାଯାଇ ପାରେ ବୋଲି ଗବେଷକମାନେ କହିଛନ୍ତି ।

କହବାକୁ ଗଲେ, ଏହି ପ୍ଲାଷ୍ଟିକ ଆମ ପରିବେଶ ପାଇଁ ବରଦାନ ସଦୃଶ । ବର୍ଷ ବର୍ଷ ଧରି ପ୍ଲାଷ୍ଟିକ ପ୍ରଦୂଷଣରୁ ପୃଥିବୀକୁ ବଞ୍ଚାଇବା ସହ ଏହା ମାନବ ସମାଜକୁ ମଧ୍ୟ ପ୍ଲାଷ୍ଟିକ ଜହର ମଧ୍ୟରୁ ଉଦ୍ଧାର କରି ପାରିବ ।

OTV is now on Whatsapp

Join and get latest news update delivered to you via whatsapp

Join Now