• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୪ ମହାକାଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ । ଗଗନଯାନ ମିଶନରେ ମହାକାଶ ଯିବାକୁ ଥିବା ୪ ଜଣଙ୍କ ନାଁ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୪ ଜଣଙ୍କ ନାଁ ଘୋଷଣା କଲା ଇସ୍ରୋ । ଭାରତୀୟ ବାୟୁସେନାର ୪ ପାଇଲଟ୍‌ ଯିବେ ମହାକାଶ ।

ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣ ନାୟାର(Prasanth Balakrishnan Nair), ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌ (Ajit Krishnan) ଯିବେ ମହାକାଶ । ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ(Angad Pratap) ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା(Subhanshu Shukla) ମଧ୍ୟ ଉକ୍ତ ଟିମରେ ସାମିଲ ଅଛନ୍ତି । ୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଲଞ୍ଚ ହେବ ‘INSAT-3D’ ସାଟେଲାଇଟ୍‌, ସହଜ ହେବ ପାଣିପାଗ ପୂର୍ବାନୁମାନ

ଅନ୍ୟପଟେ ୪ ମହାକାଶଚାରୀଙ୍କ ନାଁ ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ୪ ଜଣ କେବଳ ବ୍ୟକ୍ତି ନୁହଁନ୍ତି, ୧୪୦ କୋଟି ଲୋକଙ୍କ ଶକ୍ତି । ଭାରତର ନାଁକୁ ମହାକାଶକୁ ନେଇଯିବାର ଶକ୍ତି ଏହି ୪ ଜଣ । ମହାକାଶଚାରୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେମାନେ ହିଁ ଆଜିର ଭାରତର ବିଶ୍ୱାସ, ଆଜିର ଭାରତର ଶୌର୍ଯ୍ୟ ।

ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ । ସାରା ଦେଶର ଶୁଭେଚ୍ଛା, ଶୁଭକାମନା ଆପଣମାନଙ୍କ ସହ ରହିଛି ବୋଲି ଏହି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ । ୪ ମହାକାଶଚାରୀ ଓ ସେମାନଙ୍କ ପରିବାରକୁ ଦେଶବାସୀ ସହଯୋଗ କରନ୍ତୁ ବୋଲି କହିଛନ୍ତି ମୋଦି । ଗଗନଯାନରେ ବ୍ୟବହୃତ ଅଧିକାଂଶ ଉପକରଣ ଭାରତରେ ନିର୍ମିତ ।

ମହିଳା ବୈଜ୍ଞାନିକଙ୍କ ବିନା ଏଭଳି କୌଣସି ମିଶନର କଳ୍ପନା କରିହେବନି । ISROର ସଫଳତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଉଛି । ISROରେ କାମ କରିବାକୁ ଆଜି ଲକ୍ଷ ଲକ୍ଷ ପିଲାଙ୍କ ବଡ଼ ସ୍ୱପ୍ନ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଉ କିଛି ଦିନ ମଧ୍ୟରେ ଆମେ ପୁଣି ଥରେ ଚନ୍ଦ୍ରକୁ ଯାଉଛେ ବୋଲି କହିଛନ୍ତି ମୋଦି । ଚନ୍ଦ୍ରରୁ ସାମ୍ପଲ ସଂଗ୍ରହ କରି ତାକୁ ପୃଥିବୀ ପୃଷ୍ଠକୁ ଆଣିବୁ । ଚନ୍ଦ୍ରଭଳି ମିଶନ ଶୁକ୍ର ମଧ୍ୟ ଆରମ୍ଭ କରାଯିବ କହିଲେ ପ୍ରଧାନମନ୍ତ୍ରୀ । ଅନ୍ୟପଟେ ୨୦୩୫ ସୁଦ୍ଧା ଭାରତର ନିଜର ସ୍ପେଶ୍‌ ଷ୍ଟେସନ ଥିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ହାଲୋ ଅର୍ବିଟ୍‌ରେ ISROର ଆଦିତ୍ୟ L1, ମୋଦି କଲେ ପ୍ରଶଂସା

ତେବେ ଏହି ମହାକାଶଚାରୀମାନଙ୍କୁ ବ୍ୟୋମନଟ୍ କୁହାଯିବ ବୋଲି ଚର୍ଚ୍ଚା ହେଉଛି । ସେମାନେ ରୁଷିଆରେ ୧ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି । ଗଗନଯାନ ମିଶନର ପ୍ରଥମ ପର୍ଯ୍ୟାୟରେ କୌଣସି ମହାକାଶଚାରୀ ସାମିଲ ହେବେ ନାହିଁ । କେବଳ ଏକ ରୋବଟ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ତେବେ ୨୦୨୫ ସୁଦ୍ଧା ୩ ଜଣ ଭାରତୀୟ ମହାକାଶଚାରୀଙ୍କୁ ସ୍ପେଶ୍ ମିଶନରେ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।