Astronaut: ସୁନୀତା ୱିଲିୟମ୍ସଙ୍କ ପରି ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କ’ଣ ପଢିବେ ଏବଂ କେମିତି ପ୍ରସ୍ତୁତି କରିବେ

ସୁନୀତା ୱିଲିୟମ୍ସଙ୍କ ଏପରି ସଫଳତା ଦେଖି ତାଙ୍କ ପରି ମହାକାଶଚାରୀ ବା ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ଏଥିପାଇଁ ପରିଶ୍ରମ, ପାଠ ଏବଂ ପ୍ରତିବଦ୍ଧତା ଦରକାର । ଯଦି ଏହି ତିନୋଟି ଜିନିଷ ରହିଛି ତେବେ ଆପଣ ବି ଚାହିଁଲେ ଆଷ୍ଟ୍ରୋନଟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପହଞ୍ଚି ପାରିବେ । ଜହ୍ନ ରାଇଜରେ ବୁଲି ପାରିବେ ।

ମହାକାଶଚାରୀ

୯ ମାସର ଅନୁଭୂତିକୁ ସାଥୀରେ ନେଇ ଅନ୍ତରୀକ୍ଷରୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଇତିହାସ ରଚିଛନ୍ତି । ମହାକାଶରେ ଘୂରି ବୁଲିବାର ଉନ୍ମାଦନା ଅନେକଙ୍କ ମନରେ ଥିବ । ମହାକାଶରେ ଭ୍ରମଣ କରିବା, ନୀଳ ଆକାଶରେ ଗ୍ରହ, ତାରାଙ୍କୁ ନିକଟରୁ ଦେଖିବା, ନକ୍ଷତ୍ରଙ୍କ ରହସ୍ୟ ଖୋଜିବା…ସତରେ ଯେତିକି ଭୟଙ୍କର ସେତିକି ରୋମାଞ୍ଚକର । ବିଶେଷ କରି ସୁନୀତାଙ୍କର ଏହି ଆଡଭେଞ୍ଚର ଜର୍ଣ୍ଣି ଦେଖିଲା ପରେ ଅନେକଙ୍କ ମନରେ ଏମିତି ଅନ୍ତରୀକ୍ଷ ଅଭିଯାନର ଇଚ୍ଛା ଉଙ୍କି ମାରିବା ସ୍ୱାଭାବିକ ।

ଦୀର୍ଘ ୯ ମାସ ପରେ ଆମେରିକା ସ୍ପେସ ଏଜେନ୍ସି ନାସାର ମହାକାଶ ଯାତ୍ରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ପୃଥିବୀକୁ ଫେରିଛନ୍ତି । ଅନ୍ତରୀକ୍ଷରେ ୩୨୨ ଦିନ ରହି ଏକ ଇତିହାସ ସୃଷ୍ଟି କରିଛନ୍ତି । ଏହି ଯାତ୍ରା ଉପରେ ସାରା ବିଶ୍ୱର ଆଖି ଅଟକି ରହିଥିଲା । କାରଣ ମହାକାଶରୁ ଏମାନଙ୍କର ଫେରିବା ଦିନେ ଅସମ୍ଭବ ଲାଗୁଥିଲା । ହେଲେ ଆଜି ଏମାନେ ଫେରି ଆସିବା ପରେ ଯେମିତି ଆନନ୍ଦର ଲହରୀ ଖେଳି ଯାଇଛି । ଭାରତୀୟ ବଂଶୋଦ୍ଭବ ସୁନୀତା ହଜାର ହଜାର ଯୁବକଯୁବତୀଙ୍କର ପ୍ରେରଣାର ଉତ୍ସ । 

ସୁନୀତା ୱିଲିୟମ୍ସଙ୍କ ଏପରି ସଫଳତା ଦେଖି ତାଙ୍କ ପରି ମହାକାଶଚାରୀ ବା ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି କି ? ଯଦି ଚାହୁଁଛନ୍ତି ତେବେ ଏଥିପାଇଁ ପରିଶ୍ରମ, ପାଠ ଏବଂ ପ୍ରତିବଦ୍ଧତା ଦରକାର । ଯଦି ଏହି ତିନୋଟି ଜିନିଷ ରହିଛି ତେବେ ଆପଣ ବି ଚାହିଁଲେ ଆଷ୍ଟ୍ରୋନଟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ପହଞ୍ଚି ପାରିବେ । ଜହ୍ନ ରାଇଜରେ ବୁଲି ପାରିବେ । ଏପରିକି ମଙ୍ଗଳ ଗ୍ରହକୁ ମଧ୍ୟ ଯାଇ ପାରିବେ । ତେବେ କେମିତି ହେବେ ଆଷ୍ଟ୍ରୋନଟ ?

ଯଦି ଆପଣ ଆଷ୍ଟ୍ରୋନଟ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସ୍କୁଲ କ୍ୟାରିଅରରୁ ଗଣିତ ଏବଂ ପଦାର୍ଥ ବିଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଏହି ଦୁଇଟି ବିଷୟରେ ତୁମର ଦଖଲ ଥିଲେ ମହାକାଶଚାରୀ ହେବାର ରାସ୍ତା ସହଜ ହୋଇଯିବ । ସ୍କୁଲ ପରେ ଇଞ୍ଜିନିୟରିଂ ବିଶେଷ କରି ଏରୋସ୍ପେସ ଇଞ୍ଜିନିୟରିଂ କରିବାକୁ ପଡିବ। ଇଞ୍ଜିନିୟରିଂ ଯଦି କରି ନାହାନ୍ତି ତେବେ ବିଜ୍ଞାନ କିମ୍ବା ଗଣିତରେ ସ୍ନାତକ ଡିଗ୍ରୀ କରିବା ଦରକାର । ସୁନୀତା ୱିଲିୟମ୍ସ ଫିଜିକାଲ ସାଇନ୍ସରେ ବ୍ୟାଚେଲର ଏବଂ ପରେ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ କରିଛନ୍ତି । ଏହା ବ୍ୟତୀତ ସାଇନ୍ସ କିମ୍ବା ଟେକ୍ନୋଲଜିରେ ମାଷ୍ଟର କିମ୍ବା ପିଏଚଡି କଲେ ଆହୁରି ଭଲ । ଏହା ନାସା ପରି ଜାଗା ପାଇଁ ଏକ ପ୍ଲସ ପଏଣ୍ଟ ଭାବେ ବିବେଚନା କରାଯିବ ।

ଅଭିଜ୍ଞତା ଥିବା ଜରୁରୀ

ମହାକାଶଚାରୀ ହେବାକୁ ଚାହୁଁଥିଲେ, ମାଷ୍ଟର ବା ପିଏଚଡି ଡିଗ୍ରୀ ହାସଲ କରିବା ସହ ପାଇଲଟ ହେବା ପାଇଁ ଟ୍ରେନିଂ ନେବାକୁ ପଡ଼ିବ । ନଚେତ ଟେକ୍ନିକାଲ ସାଇଡରେ କାମ କରିଥିବା ଦରକାର । ସୁନୀତା ୱିଲିୟମ୍ସ ୟୁଏସ ନାଭିରେ ହେଲିକପ୍ଟର ପାଇଲଟ ଟ୍ରେନିଂ ନେଇଥିଲେ ଏବଂ ୩୦ରୁ ଅଧିକ ଏୟାରକ୍ରାଫ୍ଟ ଉଡ଼ାଇଛନ୍ତି ।

ଆଉ ଏକ ରାସ୍ତା ଟେଷ୍ଟ ପାଇଲଟ

ନାସାରେ ଆଷ୍ଟ୍ରୋନଟ ହେବା ପାଇଁ ଆଉ ଏକ ରାସ୍ତା ହେଉଛି ଟେଷ୍ଟ ପାଇଲଟ । ଟେଷ୍ଟ ପାଇଲଟ କରିଥିବା ବ୍ୟକ୍ତିଙ୍କୁ ନାସା ବେଶି ଗୁରୁତ୍ୱ ଦେଇଥାଏ । ସୁନୀତା ୱିଲିୟମ୍ସଙ୍କ ପାଖରେ ୨, ୭୭୦ ଘଣ୍ଟାରୁ ଅଧିକ ପ୍ଲେନ ଉଡାଇବାର ଅନୁଭୂତି ରହିଛି ।

ଶାରୀରିକ ଦକ୍ଷତା

ମହାକାଶରେ ତୁମକୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିବ । ମାଧ୍ୟାକର୍ଷଣ ଶକ୍ତି ନ ଥିବା କାରଣରୁ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଏଥିପାଇଁ ପ୍ରତିଦିନ ବ୍ୟାୟାମ କରିବା ଯେମିତି ଦୌଡ, ପହଁରା କିମ୍ବା ୱେଟ ଟ୍ରେନିଂ ବା ଭାର ପ୍ରଶିକ୍ଷଣର ଆବଶ୍ୟକତା ରହିଛି । ସୁନୀତା ୱିଲିୟମ୍ସ ସ୍ପେସରେ ରହି ବି ସେ ବୋଷ୍ଟନ ମାରାଥନ ସମ୍ପୂର୍ଣ୍ଣ କରିଛନ୍ତି । ତେଣୁ ସେ ଶାରୀରିକ ଭାବେ କେତେ ଫିଟ ଏଥିରୁ ଅନୁମେୟ ।

କେମିତି ହେବେ ନାସାର ଆଷ୍ଟ୍ରୋନଟ ?

ଆମେରିକା ସ୍ପେସ ଏଜେନ୍ସି ନାସାରେ ଆଷ୍ଟ୍ରୋନଟ ହେବା ପାଇଁ ପ୍ରଥମ ସର୍ତ୍ତ ହେଉଛି ଆମେରିକା ନାଗରିକତା , ଯାହା ସୁନୀତା ୱିଲିୟମ୍ସଙ୍କର ମଧ୍ୟ ଥିଲା । ଭାରତର ଇସ୍ରୋ ସହ ମଧ୍ୟ ଯୋଡି ହୋଇ ପାରିବେ । ହେଲେ ଏଠାରେ କ୍ରୁ ମିଶନ ବହୁତ କମ ରହିଛି । ଭବିଷ୍ୟତରେ ଏହି ମିଶନ ବଢିବାର ସମ୍ଭାବନା ରହିଛି । ଯାହାବି ହେଉ, ନାସାରେ ଏହି ସୁଯୋଗ ଅଧିକ ରହିଛି ।

ଯଦି ଆପଣ ଆମେରିକାର ନାଗରିକ ତେବେ ଅତିକମରେ ୨ ବର୍ଷ ବୃତ୍ତିଗତ ଅଭିଜ୍ଞତା ଏବଂ ୧୦୦୦ ଘଣ୍ଟା ଜେଟ ଏୟାରକ୍ରାଫ୍ଟ ଉଡାଇଥିବା ଦରକାର । ଆଷ୍ଟ୍ରୋନଟ ପାଇଁ ଆମେରକାର ସିଲେକ୍ସନ ବହୁତ କଷ୍ଟକର । ଏଥିରେ ଲିଖିତ ପରୀକ୍ଷା ଦେବା ସହ ଇଣ୍ଟରଭ୍ୟୁ, ମେଡିକାଲ ଚେକଅପ, ଟ୍ରେନିଂ, ଇତ୍ୟାଦି ପର୍ଯ୍ୟାୟ ରହିଛି । ସୁନୀତା ୱିଲିୟମ୍ସ ୧୯୯୮ରେ ଏଥିପାଇଁ ମନୋନୀତ ହୋଇଥିଲେ ଏବଂ ଟ୍ରେନିଂ ନେବା ପରେ ସ୍ପେସକୁ ଯାଇଥିଲେ ।

ଅଧିକ ପଢ଼ନ୍ତୁ: ସୁନୀତା ପୃଥିବୀକୁ ଫେରିଲେ, ସାଥୀ ବୈଜ୍ଞାନିକଙ୍କୁ ଦେଖି ହସି ଦେଲେ

ଆଷ୍ଟ୍ରୋନଟ ହେବା ପାଇଁ ଆବଶ୍ୟକ ଦକ୍ଷତା

ଆଷ୍ଟ୍ରୋନଟ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ସହି ବ୍ୟକ୍ତିଗତ ଦକ୍ଷତା ଥିବା ମଧ୍ୟ ଆବଶ୍ୟକ । ସମସ୍ୟାର ସମାଧାନ କରିବା, ଟିମ ୱର୍କ, ନେତୃତ୍ୱ ନେଇ ପାରୁଥିବା ପରି ଦକ୍ଷତା ଥିବା ଦରକାର । ସୁନୀତା ମଧ୍ୟ ଅନ୍ତରୀକ୍ଷ ଗବେଷଣା ଅଭିଯାନ Expedition 33ର କମାଣ୍ଡ ଥିଲେ । ଏହା ବ୍ୟତୀତ ଆଷ୍ଟ୍ରୋନଟଙ୍କୁ ସର୍ଭାଇଭାଲ ଟ୍ରେନିଂ, ରୋବୋଟିକ୍ସ, ସ୍ପେସ ଷ୍ଟେସନ ସିଷ୍ଟମର ଟ୍ରେନିଂ ମଧ୍ୟ ନେବାକୁ ପଡିଥାଏ ।

ସୁନୀତା ପ୍ରଥମେ ପଶୁ ଚିକିତ୍ସକ ହେବା ପାଇଁ ଭାବୁଥିଲେ । ହେଲେ ପରେ ନାଭାଲ ଏବଂ ଶେଷରେ ନାସାରେ ପହଞ୍ଚିଗଲେ । ଏ ଯାତ୍ରା ସହଜ ନ ଥିଲା । ତଥାପି ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଜିଦରେ ସେ ଅଟଳ ଥିଲେ । ଏଥିପାଇଁ ମନୋନୀତ ହେବାର ପ୍ରକ୍ରିୟା ମଧ୍ୟ ବହୁତ ଲମ୍ବା ଥିଲା । ଟ୍ରେନିଂ ସମୟ ତାଠାରୁ ଲମ୍ବା । ତେଣୁ ଆଷ୍ଟ୍ରୋନଟ ହେବାପାଇଁ ଅସୀମ ଧୈର୍ଯ୍ୟ ଥିବା ନିହାତି ଜରୁରୀ ।

ଭାରତରେ କେମିତି ହେବେ ଆଷ୍ଟ୍ରୋନଟ

ଭାରତୀୟ ଯୁବପିଢି ସ୍ପେସ୍ ପ୍ରୋଗ୍ରାମରେ ଇଞ୍ଜିନିଅରିଂ କରି କିମ୍ବା ସ୍ପେଶ ବୈଜ୍ଞାନିକ ହୋଇ ଇସ୍ରୋରେ ଆଷ୍ଟ୍ରୋନଟ ହେବାର ପ୍ରକ୍ରିୟା ଆରମ୍ଭ କରି ପାରିବେ । ଏହାଦ୍ୱାରା ଗଗନଯାନ ପରି ପ୍ରୋଜେକ୍ଟରେ ସୁଯୋଗ ମିଳିପାରେ । ଏଥିପାଇଁ ଭାରତରେ ମଧ୍ୟ ସମାନ ଯୋଗ୍ୟତା ହାସଲ କରିବାକୁ ପଡିବ । ଅର୍ଥାତ ସାଇନ୍ସ ଷ୍ଟୁଡେଣ୍ଟ ନଚେତ ଇଞ୍ଜିନିୟରିଂ କରିଥିବା ଆବଶ୍ୟକ । ଶାରୀରିକ ଭାବେ ସୁସ୍ଥ ଥିବା ନିହାତି ଜରୁରୀ । ଦ୍ୱିତୀୟ ରାସ୍ତା ହେଉଛି ଯଦି ଭାରତୀୟ ବାୟୁସେନା କିମ୍ବା ନୌସେନାରେ ପାଇଲଟ ହୋଇଥିବ । ସ୍ପେଶ ମିଶନ ପାଇଁ ଏହି କ୍ଷେତ୍ରରୁ ମଧ୍ୟ ପ୍ରାର୍ଥୀ ଚୟନ କରାଯାଇଥାଏ । ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା ବାୟୁସେନାର ୱିଙ୍ଗ କମାଣ୍ଡର ଥିଲେ । ସେତିକି ନୁହେଁ, ଇସ୍ରୋର ଗଗନଯାନ ମିଶନ ପାଇଁ ମନୋନୀତ ହୋଇଥିବା ମହାକାଶଚାରୀଙ୍କ ମଧ୍ୟରେ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା ମଧ୍ୟ ବାୟୁସେନାର ଜଣେ ଅଧିକାରୀ ଅଟନ୍ତି ।

ଅଧିକ ପଢ଼ନ୍ତୁ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ, ମହାକାଶରେ ଯୋଗ କରିବେ ଭାରତୀୟ ମହାକାଶଚାରୀ